ଫୋଟୋ ଉତ୍ସ: ୱିକିମିଡିଆ କମନ୍ସ

ଜନ୍ ଆବ୍ରାହମ୍ ଙ୍କ ବିଷୟରେ ମୋତେ ପ୍ରଥମ କରି ଚିତ୍ରଶିଳ୍ପୀ ବନ୍ଧୁ ବିଭୁପ୍ରସାଦ ପଟ୍ଟନାୟକ କହିଥିଲେ । ସେ ଯେବେ ୧୯୯୭ରେ ପ୍ରଥମ କରି କେରଳ ଯାଇଥିଲେ, ସେବେ ଥିରୁବନନ୍ତପୁରମ୍ ଠାରେ ଆୟୋଜିତ ୨୮ତମ ଆର୍ନ୍ତଜାତିକ ଚଳଚ୍ଚିତ୍ର ଉତ୍ସବରେ ଜନ୍ ଙ୍କ ‘ଆମ୍ମା ଆରିୟାନ୍’ ଚଳଚ୍ଚିତ୍ରଟିକୁ ଦେଖିଥିଲେ । ମୁଁ ଜନ୍ ଙ୍କୁ ଆଗେ ଜାଣିଛି ତାପରେ ତାଙ୍କ ଚଳଚ୍ଚିତ୍ର ଦେଖିଛି । ଜନ୍ ଙ୍କ ଚଳଚ୍ଚିତ୍ର ଦେଖିଲା ପରେ ଓ ତାଙ୍କ ବିଷୟରେ ଅଧିକ କିଛି ଜାଣିଲା ପରେ ଯିଏ କିଏ ବି ତାଙ୍କ ପ୍ରେମରେ ପଡିଯିବାର ଢେର୍ ସମ୍ଭାବନା ରହିଛି ।

ଜନ୍ ସେମିତିକା ଜଣେ ମଣିଷ ଥିଲେ ।

ଜନ୍ ବିଶ୍ୱାସ କରୁଥିଲେ ଯେ, ସିନେମା ଏକ ସାମୂହିକ କଳା କର୍ମ ନୁହେଁ । ଜନ୍ ଆବ୍ରାହମ୍ ଙ୍କ ଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ରଟି କେବଳ ଜନ୍ ଆବ୍ରାହମ୍ ଙ୍କର । ସେ ନିଜକୁ ତାଙ୍କ ସିନେମାର ହିଟଲର୍ ବୋଲି କହୁଥିଲେ । ନିର୍ଦ୍ଦେଶକ ହିଁ ସବୁକିଛି । ଅନ୍ୟ ସମସ୍ତେ ସହଯୋଗୀ ମାତ୍ର । କଳାକାର, ସିନେମାଟୋଗ୍ରାଫର ଓ ସମ୍ପାଦକ, ଅନ୍ୟ ସମସ୍ତେ । ସତ୍ୟଜିତ୍ ରାୟଙ୍କୁ ଜନ୍ ନିଓ ରିଏଲିଷ୍ଟିକ୍ ଧାରାରେ ସିନେମା ତିଆରି କରୁଥିବା ଜଣେ ଭିକ୍ଟୋରିଆନ୍ ରୋମାଣ୍ଟିସିଜିମ୍ ର ସିନେମା ନିର୍ଦ୍ଦେଶକ ଭାବରେ ଗଣୁଥିଲେ । କିନ୍ତୁ ଋତ୍ୱିକ୍ ଘଟକ୍ ଙ୍କ ପ୍ରତି ତାଙ୍କର ପ୍ରଗାଢ ସମ୍ମାନ ଥିଲା ।

ମାଲାୟାଲାମ୍ ଚଳଚ୍ଚିତ୍ରର ଏହି ପ୍ରସିଦ୍ଧ ନିର୍ଦ୍ଦେଶକ ଜଣକ ଏକ ପାରମ୍ପରିକ କେରଳୀ ଖ୍ରୀଷ୍ଟିଆନ୍ ପରିବାରରେ ୧୧ ଅଗଷ୍ଟ, ୧୯୩୭ ରେ ଜନ୍ମ ହୋଇଥିଲେ ଓ ୩୧ ମେ, ୧୯୮୭ ରେ ମସିହାରେ ମାତ୍ର ୪୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଜନ୍ ବଞ୍ଚିଥିଲେ ତାଙ୍କୁ ଏବେ ୮୩ ବର୍ଷ ବୟସ ହେଇଥାନ୍ତା ।

ଇତିହାସ ଓ ରାଜନୀତି ବିଜ୍ଞାନରେ ପାଠ ପଢିସାରି ପ୍ରଥମେ କିଛି ଦିନ ଅଧ୍ୟାପନା କରିଥିଲେ ଜନ୍ ଓ ପରେ କର୍ଣ୍ଣାଟକର ଉଡୁପିଠାରେ ଭାରତୀୟ ଜୀବନବୀମା ନିଗମରେ କିଛିଦିନ କାମ ମଧ୍ୟ କରିଥିଲେ ।

ଚଳଚ୍ଚିତ୍ର ପ୍ରତି ତାଙ୍କର ଆଗ୍ରହ ଥିବାରୁ ସେ ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟ୍ ରେ ଆସି ଭର୍ତ୍ତି ହୋଇଥିଲେ । ସେତେବେଳକୁ ବିଖ୍ୟାତ ସିନେ ନିର୍ଦ୍ଦେଶକ ଋତ୍ୱିକ୍ ସେଠି ପାଠ ପଢାଉଥାନ୍ତି । ଜନ୍ ପଟ୍ଟକଥା ଲିଖନ ଓ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ସ୍ୱର୍ଣ୍ଣପଦକ ସହ ପାସ୍ କରି ମଣି କାଉଲ୍ ଙ୍କ ଚଳଚ୍ଚିତ୍ର ‘ଉସକି ରୋଟି’ (୧୯୬୯) ରେ ଜଣେ ସହକାରୀ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ । 'ଉସକି ରୋଟି' ଚଳଚ୍ଚିତ୍ରଟି ମୋହନ ରାକେଶଙ୍କ ଗୋଟେ ନାଟକକୁ ନେଇ ହୋଇଥିଲା । ଜନ୍ କହୁଥିଲେ ଯେ, ଏଫ୍.ଟି.ଆଇ.ଆଇ. ରେ କେହି ସିନେମା ତିଆରି ଶିଖି ପାରିବନି କି କେହି କାହାକୁ ସିନେମା ନିର୍ଦ୍ଦେଶନା ଶିଖାଇ ପାରିବନି । ସାନ ପିଲାଟି ଅ ଆ କ ଖ ଶିଖିଲା ପରି ଆମେ ସବୁ ସିନେମା ବିଷୟରେ ସେତିକି ମାତ୍ର ଶିଖିଛୁ । ଜନ୍ ପ୍ରଥମରୁ ହିଁ ସ୍ପଷ୍ଟ ଭାବରେ ଚାହୁଁଥିଲେ ଯେ, ତାଙ୍କ ସିନେମା ସାଧାରଣ ଲୋକ ଦେଖନ୍ତୁ । ସାଧାରଣ ଲୋକ ତାଙ୍କ ସିନେମାକୁ ଯଦି ନ ଦେଖିବେ, ତେବେ ତାଙ୍କର ସିନେମା ନିର୍ମାଣର କୌଣସି ଯଥାର୍ଥ କାରଣ ନାହିଁ ବୋଲି ସେ ଭାବୁଥିଲେ । ସେଥିପାଇଁ ସେ ବୌଦ୍ଧିକତା ଅପେକ୍ଷା ଭାବପ୍ରବଣତାକୁ ଅଧିକ ଗୁରୁତ୍ୱ ଆରୋପ କରୁଥିଲେ ।

ଜନ୍ ୧୯୭୧ ରେ ପ୍ରଥମ କରି ‘Vidyarthikale Ithile Ithile’ (ବିଦ୍ୟାର୍ଥୀ, ଏଇ ବାଟରେ ) ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ତାପରେ ତାମିଲ୍ ଭାଷାରେ ୧୯୭୭ ରେ ‘Agraharathil Kazhuthai’ (ଗୋଟେ ବ୍ରାହ୍ମଣ ଗାଁରେ ଗଧ ), ତାପରେ ୧୯୭୯ ରେ ‘Cheriyachante Kroorakrithyangal’ ଚେରିଆଚନ୍ ର ନିଷ୍ଠୁର କର୍ମ ) ଓ ଶେଷରେ ୧୯୮୬ ରେ ‘Amma Ariyan’ (ମା ପାଇଁ ଖବର ) ଚଳଚ୍ଚିତ୍ର ତିଆରି କରିଥିଲେ । ନିଜ ୧୫ ବର୍ଷ କ୍ୟାରିଅର୍ ରେ ଜନ୍ ମାତ୍ର ଚାରୋଟି ଫିଲ୍ମ ତିଆରି କରିଥିଲେ । ସବୁଗୁଡିକ କଳାଧଳାରେ । ଅବଶ୍ୟ ତାଙ୍କ ପାଖରେ କଳା-ଧଳା ଓ ରଙ୍ଗୀନ୍ ମଧ୍ୟରେ କିଛି ଗୁଣାତ୍ମକ ପ୍ରଭେଦ ନଥିଲା । ଫିଚର୍ ଫିଲ୍ମ ଛଡା ସେ ତିନୋଟି ବୃତ୍ତଚିତ୍ର ନିର୍ମାଣ କରିଥିଲେ । ତାଙ୍କର ଇ.ମି.ଏସ୍. ନମ୍ବୋଦ୍ରିପାଦଙ୍କ ଉପରେ ସେ ତିଆରି କରୁଥିବା ବୃତ୍ତଚିତ୍ରଟି ସରି ପାରିନଥିଲା । ମୃତ୍ୟୁବେଳକୁ ସେ ପଲ୍ ଜାକାରିଆଙ୍କ ଏକ ଗପକୁ ନେଇ ଚଳଚ୍ଚିତ୍ର କରିବା ପାଇଁ କାମ କରୁଥିଲେ ।

ଭାରତରେ ଚଳଚ୍ଚିତ୍ର ନିର୍ମାଣ ଓ ବିତରଣକୁ ନେଇ ଯେଉଁ ପାରମ୍ପରିକ ଧାରାଟି ପ୍ରଚଳିତ ଥିଲା, ସେଥିରେ ଜନ୍ ଅସନ୍ତୁଷ୍ଟ ଥିଲେ । ସେ ଭାରତୀୟ ମୁଖ୍ୟ ସ୍ରୋତ କୁହାଯାଉଥିବା ବଲିଉଡ୍ ର ଚଳଚ୍ଚିତ୍ରଗୁଡ଼ିକୁ ତୀବ୍ର ସମାଲୋଚନା କରୁଥିଲେ । ତେଣୁ ସେ ଯେତେବେଳେ ତାଙ୍କର ଚତୁର୍ଥ ଚଳଚ୍ଚିତ୍ର ନିର୍ମାଣ କରିବାକୁ ବାହାରିଲେ, ସେତେବେଳେ ନୂଆ ଗୋଟେ ବିକଳ୍ପ ରାସ୍ତାର ସନ୍ଧାନ କରିଥିଲେ । ୧୯୮୪ ମସିହାରେ ସେ କିଛି ସମଭାବାପନ୍ନ ଚଳଚ୍ଚିତ୍ରମନସ୍କ ଯୁବକମାନଙ୍କୁ ନେଇ ‘ଓଡେଶା’ ନାମକ ସଂଗୋଷ୍ଠୀ ଗଢିଥିଲେ । ଧାରଣାଟି ଥିଲା, ସିଧାସଳଖ ସାଧାରଣ ଲୋକମାନଙ୍କ ପାଖରୁ ପଇସା ଆଣି ଚଳଚ୍ଚିତ୍ର ନିର୍ମାଣ କରାଯିବ ଓ ସିଧାସଳଖ ସେଇ ଲୋକମାନଙ୍କ ଆଗରେ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ମଝି ଲୋକ କେହି ରହିବେନି । ଯାହାକୁ ପ୍ରକୃତ ଅର୍ଥରେ ଲୋକଙ୍କ ସିନେମା କୁହାଯାଇ ପାରିବ ।

ଏଇ ପ୍ରକ୍ରିୟାରେ ଓଡେଶା ସଂଗୋଷ୍ଠୀ ସଭ୍ୟମାନେ କେରଳର ଗାଁ ଗହଳ ଯାଇ ଚାର୍ଲି ଚାପଲିନ୍ ଆଦିଙ୍କ ଚଳଚ୍ଚିତ୍ର ଦେଖାଇ ଆମ୍ମା ଆରିୟାନ୍ ତିଆରି ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ ଓ ଆମ୍ମା ଆରିୟାନ ଚଳଚ୍ଚିତ୍ର ନିର୍ମାଣ ସରିଗଲା ପରେ ସାରା କେରଳ ବୁଲି ବୁଲି ତାକୁ ପ୍ରଦର୍ଶିତ ବି କରିଥିଲେ । ଜନ୍ ଚାହୁଁଥିଲେ ଆମ୍ମା ଆରିୟାନକୁ ରଙ୍ଗୀନ୍ କରିବାକୁ, କିନ୍ତୁ ପଇସା ଅଧିକା ଯୋଗାଡ ନ ହେବାରୁ, ଶେଷରେ କଳା ଧଳା ହିଁ କରିବାକୁ ହୋଇଥିଲା ।

ଜନ୍ ଚଳଚ୍ଚିତ୍ରର ପଟ୍ଟକଥା ସାଙ୍ଗରେ ମାଲାୟାଲାମ୍ ରେ ଗପ ମଧ୍ୟ ଲେଖୁଥିଲେ । ତାଙ୍କ ଗପକୁ ନେଇ ‘Nerchakkozhi’ ଓ ‘Abrahaminte Kathakal’ ନାମରେ ଦୁଇଟି ଗଳ୍ପ ସଙ୍କଳନ ପ୍ରକାଶିତ ହୋଇଛି । ଗୋଟେ ସେ ବଞ୍ଚିଥିବା ବେଳେ ଓ ଅନ୍ୟଟି ମରଣୋତ୍ତର ଭାବରେ ।

ଜନ୍ ତାଙ୍କର ପ୍ରଥମ ଚଳଚ୍ଚିତ୍ର ତିଆରି କରିବାର ବର୍ଷକ ପରେ ଅଦୂର ଗୋପାଳକୃଷ୍ଣ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ସ୍ୱୟମ୍ବରମ’ ଓ ଜି.ଅରବିନ୍ଦନ୍ ତିନି ବର୍ଷ ପରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଉତ୍ତରାୟନମ୍’ ର ନିର୍ମାଣ କରିଥିଲେ । ଜନ୍ ଙ୍କ ପ୍ରଥମ ଚଳଚ୍ଚିତ୍ରର ବିଷୟ ଥିଲା କେମିତି ଗୋଟେ ଛାତ୍ର ସଂଗୋଷ୍ଠୀ ସେମାନଙ୍କ ଜଣେ ଶିକ୍ଷକଙ୍କୁ ନୈତିକତାର ପ୍ରଶ୍ନ ନେଇ ବିରୋଧ କରିଛନ୍ତି । ତାମିଲ୍ ଭାଷାରେ ନିର୍ମିତ ତାଙ୍କ ଦ୍ୱିତୀୟ ଚଳଚ୍ଚିତ୍ରରେ ଅଛି ବ୍ରାହ୍ମଣବାଦର ଚାଲାକି ପ୍ରତି ତୀବ୍ର ବ୍ୟଙ୍ଗ ଓ ବିଦ୍ରୁପ । ବ୍ରାହ୍ମଣବାଦ ପ୍ରତି ବ୍ୟଙ୍ଗ ବିଦ୍ରୁପ କାରଣରୁ ‘Agraharathil Kazhuthai’ ସିନେମାଟିକୁ ତାମିଲନାଡୁରେ ନିଷିଦ୍ଧ କରାଯାଇଥିଲା । ଏପରିକି ଦୂରଦର୍ଶନରେ ତା’ର ପ୍ରସାରଣକୁ ଅଟକାଇବାକୁ ପ୍ରୟାସ ମଧ୍ୟ କରାଯାଇଥିଲା ।

କେରଳର କେଇ ଦଶନ୍ଧିର ବାମପନ୍ଥୀ ରାଜନୈତିକ ଇତିହାସକୁ ନେଇ ଜନ୍ ତାଙ୍କର ଶେଷ ଚଳଚ୍ଚିତ୍ର ‘ଆମ୍ମା ଆରିୟନ୍’ ନିର୍ମାଣ କରିଥିଲେ । ଚଳଚ୍ଚିତ୍ରଟିକୁ କେରଳର ପ୍ରଥମ ଉତ୍ତର ଆଧୁନିକ ଚଳଚ୍ଚିତ୍ର କୁହାଯାଇପାରେ । ଚଳଚ୍ଚିତ୍ରଟିର ମୁଖ୍ୟ ବିଷୟ ହେଉଛି, ମୃତ୍ୟୁ । ରାଜନୈତିକ ଦର୍ଶନରେ ବିଶ୍ୱାସ ରଖୁଥିବା ହରି ନାମକ ଏକ ତାବଲା ବାଦକର ମୃତ୍ୟୁ ଖବର ତା’ ମା’କୁ ଦେବା ପାଇଁ ଯିବା ହିଁ ଚଳଚ୍ଚିତ୍ରର କାହାଣୀ । ଚଳଚ୍ଚିତ୍ରଟିରେ ଅବଶ୍ୟ ବାମପନ୍ଥୀ ଦର୍ଶନ ସିଧାସଳଖ ଥିଲା, ତଥାପି କେରଳର ଚରମ ବାମପନ୍ଥୀମାନେ ଚଳଚ୍ଚିତ୍ରଟିକୁ ସମାଲୋଚନା କରିଥିଲେ । ଚଳଚ୍ଚିତ୍ରଟି ୱାଇନାଡ୍ ରୁ କୋଚି ପର୍ଯ୍ୟନ୍ତ କେରଳର ଭୌଗଳିକ ଭୂଖଣ୍ଡ ମଧ୍ୟରେ ଏକଦା ଚାଲିଥିବା ଚରମ ବାମପନ୍ଥୀ ନକ୍ସଲ୍ ଆନ୍ଦୋଳନର ପୃଷ୍ଠଭୂମିକୁ ମନେପକାଇ ଦିଏ । ଏହାଛଡା ୧୯୭୦ ବେଳକୁ କେରଳରେ ବୈପ୍ଳବିକ ଚିନ୍ତାଧାରା ନେଇ ଛାତ୍ର ଓ ଶିକ୍ଷକମାନେ ପୋଲିସ୍ ର ମନମୂଖୀ କାର୍ଯ୍ୟକଳାପ ବିରୁଦ୍ଧରେ କରିଥିବା ଆନ୍ଦୋଳନର ମଧ୍ୟ ଚଳଚ୍ଚିତ୍ରର ପୃଷ୍ଠଭୂମୀ ତିଆରିରେ ଭୂମିକା ରହିଥିଲା । ଚଳଚ୍ଚିତ୍ରଟି ଉଭୟ ଅର୍ନ୍ତଃ ଓ ବର୍ହିଯାତ୍ରାର ପ୍ରତିନିଧିତ୍ୱ କରେ ଯେମିତି । ‘ଆମ୍ମା ଆରିୟନ୍’ ମୁକ୍ତିଲାଭ କରିବାର ବର୍ଷକ ପରେ ଜନ୍ ଙ୍କର ଦେହାନ୍ତ ହୋଇଥିଲା । ‘ଆମ୍ମା ଆରିୟନ୍’ କୁ ବ୍ରିଟିଶ୍ ଫିଲ୍ମ ଇନିଷ୍ଟିଚ୍ୟୁଟ୍ ଭାରତୀୟ ସର୍ବକାଳୀନ ଶ୍ରେଷ୍ଠ ଦଶଟି ଚଳଚ୍ଚିତ୍ର ତାଲିକାରେ ରଖିଛନ୍ତି।

ଜନ୍ ଆବ୍ରାହିମ୍ କଲେଜ୍ ପଢା ସମୟରୁ ହିଁ ତାଙ୍କ ସମସାମୟିକଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ । ଭାରି ଗମ୍ଭୀର କଣ୍ଠସ୍ୱର, ୫ ଫୁଟ୍ ୭ଇଞ୍ଚର ଦାଢିଆ ମଣିଷ ଜନ୍, ଛବିରେ ଯୀଶୁଖ୍ରୀଷ୍ଟ ପରି ଦିଶୁଥିଲେ ।

ଜନ୍ ଙ୍କର ବଦଭ୍ୟାସ ଥିଲା; ସେ ପ୍ରଚୁର ମଦ ପିଉଥିଲେ ଓ ଗୋଟେ ଖୁବ୍ ଧାରୁଆ ଜିଭ ରଖିଥିଲେ । ମନ ଖୁସି ଥିଲେ ମେହେଦି ହସନ୍, ମହମ୍ମଦ ରଫି, ତଲକ ମେହେମୁଦ୍ ଓ ଗୁଲାମ୍ ଅଲ୍ଲୀଙ୍କ ଗୀତ ଓ ଗଜଲ୍ ଗୁଣୁଗୁଣାଉ ଥିଲେ । ଜନ୍ ଙ୍କର ଏତେ ଲୋକପ୍ରିୟତା ଓ ଯୁବକ ମାନଙ୍କ ଉପରେ ପ୍ରଭାବ ଥିଲା ଯେ, ଅନେକ ତାଙ୍କ ପରି ବେଶଭୂଷା ଓ ଦାଢି ମଧ୍ୟ ରଖୁଥିଲେ । ଜନ୍ ଙ୍କର ଜୀବନକୁ ନେଇ ଅନେକ ମୌଳିକ ବିଚାର ଥିଲା ଓ ସେଥିପାଇଁ ସେ ନିଜ ଇଚ୍ଛାରେ ଜୀବନ ବଞ୍ଚିବାକୁ ପସନ୍ଦ କରୁଥିଲେ ।

ତାଙ୍କର ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ତାଙ୍କ ଭଉଣୀ ସୁଶାନ୍ ଯୋସେଫ୍ । ‘Cheriyachante Kroorakrithyangal’ କୁ ସୁଶାନ୍ ଜାତୀୟ ଚଳଚ୍ଚିତ୍ର ଉତ୍ସବକୁ ପଠାଇବାକୁ ଯୋଜନା କରିଥାନ୍ତି, କିନ୍ତୁ ଜନ୍ ସିନେମାକୁ ଅଧା ସମ୍ପାଦନା କରି କୁଆଡେ ଗୋଟେ ପଳେଇ ଯାଇଥାନ୍ତି । ଶେଷରେ ସିନେମାକୁ ସୁଶାନ୍ ନିଜେ ସମ୍ପାଦନା କଲେ ଓ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଦାଖଲ କଲେ । ଜନ୍ ପରେ ତାକୁ ଆଉ ଥରେ କଟା-ଛଟା କରି ଯୋଡା-ଯୋଡି କରି ପୁନଃ ସମ୍ପାଦନା କରିଥିଲେ । ଜନ୍ ଙ୍କର ଖ୍ରୀଷ୍ଟଧର୍ମର ପରମ୍ପରା ଓ ମାର୍କ୍ସବାଦ ଉପରେ ଭଲ ଦଖଲ ଥିଲା । ଚଳଚ୍ଚିତ୍ରଟିରେ ଏସବୁ କଥାର ସ୍ପଷ୍ଟ ପ୍ରଭାବ ରହିଛି ।

ଜନ୍ ଙ୍କ ଆକସ୍ମିକ ମୃତ୍ୟୁ ମଧ୍ୟ କୌଣସି ଏକ ବିୟୋଗାନ୍ତକ ଚଳଚ୍ଚିତ୍ରର ଶେଷ ଦୃଶ୍ୟ ପରି ଘଟିଯାଇଥିଲା । ଘରର ପାରାପେଟ୍ ରୁ ପଡି ସେ ଭୀଷଣ ଆହତ ହୋଇଥିଲେ ଓ ଅନେକ ସମୟ ପର୍ଯ୍ୟନ୍ତ କାଲିକଟ୍ ମେଡିକାଲ୍ କଲେଜ୍ ଡାକ୍ତରଖାନାରେ ପଡିରହିଥିଲେ । ସେଠି ତାଙ୍କୁ କେହି ଚିହ୍ନି ପାରିନଥିଲେ ଓ ଡାକ୍ତରଖାନାରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇ ନଥିଲା । ମେଡିକାଲ୍ ଷ୍ଟାଫ୍ ମାନେ ତାଙ୍କୁ ଜଣେ ସିନେମା ରିପ୍ରେଜେଣ୍ଟେଟିଭ୍ ବୋଲି ଭାବିନେଇଥିଲେ । ଫଳରେ ଚିକିତ୍ସାର ଅବହେଳାରୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟେ ଦିନ ପରେ ଅର୍ଥାତ୍ ୩୧ ମେ ୧୯୮୭ରେ ତାଙ୍କର ଅପମୃତ୍ୟୁ ହୋଇଥିଲା । ଏପରି ଅବହେଳା ଜନିତ ମୃତ୍ୟୁ ପାଇଁ ତାଙ୍କ ମୃତ୍ୟୁର ୨୬ ବର୍ଷ ପରେ ଏକ ତଦନ୍ତ କମିଶନ୍ ମଧ୍ୟ ବସିଥିଲା ।

ଜନ୍ ଙ୍କ ଶେଷ ଚଳଚ୍ଚିତ୍ର ‘ଆମ୍ମା ଆରିୟନ୍’ ରେ ଏକ ଦୃଶ୍ୟ ଅଛି ଯେଉଁଠି ଚଳଚ୍ଚିତ୍ରର ନାୟକ (ଜୟ ମାଥ୍ୟୁ ) ଡାକ୍ତରଖାନାର ଏକ ଶବରଖା ଘରେ ପହଞ୍ଚି ଗୋଟେ ଅଜଣା ଶବକୁ ଚିହ୍ନଟ କରୁଛି । ଜନ୍ ଙ୍କ ବାସ୍ତବ ଜୀବନରେ ଠିକ୍ ଏକା କଥା ମଧ୍ୟ ଘଟିଛି । ତାଙ୍କ ଶବକୁ ଚିହ୍ନଟ କରିବାକୁ ଡାକ୍ତରଖାନାରେ ପହଞ୍ଚିଛନ୍ତି ଜୟ ମାଥ୍ୟୁ, ଯିଏ କି ଅମ୍ମା ମାରିୟନ୍ ଚଳଚ୍ଚିତ୍ରରେ ନାୟକ ଥିଲେ । ଚେ ଗୁଏଭରାଙ୍କ ପରି ଜନ୍ ମୃତ୍ୟୁଶେଯରେ ଶୋଇଥିଲେ । ତାପରେ ଜୟ ମାଥ୍ୟୁ ଓ ତାଙ୍କ ଭାଇ ଜନ୍ ଙ୍କ ଶବକୁ ଶବରଖା ଘରୁ ଗୋଟେ ଟେମ୍ପୋରେ ପକାଇ କୋଟାୟାମ୍ ଆଣିଥିଲେ । ବାଟସାରା ଜନ୍ ଙ୍କୁ ଭଲପାଉଥିବା ଲୋକମାନେ ତାଙ୍କ ପ୍ରିୟ ନିର୍ଦ୍ଦେଶକଙ୍କ ଶେଷ ଦର୍ଶନ କରିଥିଲେ ।

ଜନ୍ ଙ୍କ ରକ୍ତରେ ସାମାଜିକ ସ୍ଥିତାବସ୍ଥା ଉପରେ ଭୀଷଣ ବିରକ୍ତି ଥିଲା । ସେ କେବେବି ବିବାହ କରି, ଘରଦ୍ୱାର କରି ଗାଡ଼ିଘୋଡା କିଣିବାର ସ୍ୱପ୍ନ ଦେଖି ନଥିଲେ । ଜନ୍ ପୁଞ୍ଜିବାଦର ଘୋର ବିରୋଧୀ ଥିଲେ । ତାଙ୍କର ଦର୍ଶନକୁ ସମ୍ମାନ ଜଣାଇ ତାଙ୍କର ଘରଲୋକ ଓ ଆତ୍ମୀୟମାନେ ତାଙ୍କ ଚଳଚ୍ଚିତ୍ର ବୃତ୍ତଚିତ୍ର ଉପରେ କୌଣସି ଅଧିକାର ସାବ୍ୟସ୍ତ କରିନାହାନ୍ତି । ୟୁଟ୍ୟୁବ୍ ରେ ଜନ୍ ଙ୍କ ତିନୋଟି ଚଳଚ୍ଚିତ୍ର ସବ୍ ଟାଇଟଲ୍ ସହ ଅଛି । ଯିଏ ଚାହିଁବ ଦେଖିପାରିବ ।

ଜନ୍ ଚାହୁଁଥିଲେ ସାଧାରଣ ଦର୍ଶକ ତାଙ୍କ ସିନେମା ଦେଖନ୍ତୁ ଓ ବୁଝିପାରନ୍ତୁ । ସେ ବିଶ୍ୱାସ କରୁଥିଲେ ସିନେମା ତିଆରି ଏକ ଲାଭକାରୀ ବ୍ୟବସାୟ ନହେଉ । ଏହା ସମାଜ ପାଇଁ ଶିକ୍ଷାପ୍ରଦ ହେଉ ଓ ଦର୍ଶକକୁ ଆତ୍ମସଚେତନ କରିବା ଦିଗରେ ସହାୟକ ହେଉ ।

"A creative work is not real. Stylisation is part of a work of art."

- John Abraham