ଫଟୋ - ସୁମିତ୍ରା ପାଢୀ

ବିକଳ୍ପ ଶିକ୍ଷାକୁ ନେଇ କାମ କରୁଥିବା ମୋ ମାଆ ସବୁ ସମୟରେ ପିଲାଙ୍କ ଭିତରେ ଶିଖିବାର ଆଗ୍ରହ ବଢ଼ାଇବା ଲାଗି ଅନେକ ଗୁଡ଼ିଏ ନୂଆ ଉପାୟ ପ୍ରୟୋଗ କରେ । ମୁଁ ସମୟ ପାଇଲେ ସେଗୁଡ଼ିକ ଟିକେ ନିରିଖେଇ ଦେଖେ । ପରୀକ୍ଷା ଖାତା ଫେରାଇବା ଆଗରୁ ସେ ଆଗ ପିଲାଟି ନିର୍ଦ୍ଦିଷ୍ଟ ବିଷୟଟି କେମିତି ବୁଝିଛି ବୋଲି ପଚାରେ । କାରଣ, ପିଲା ନିଜେ ହିଁ ଖୁବ୍ ଭଲ ଭାବରେ ଜାଣିଥାଏ ଯେ ତାକୁ ବିଷୟଟିର କେଉଁ ଅଂଶଟି ଅଧିକ କଷ୍ଟ ଲାଗୁଛି ବା ବୁଝି ହେଉନି । ଏ କଥାଟି ମାଆ ଆଦାୟ କରିନେଲା ପରେ ପିଲାଙ୍କୁ ତିନି - ଚାରିଜଣିଆ ଛୋଟ ଛୋଟ ଦଳରେ ବିଭକ୍ତ କରି କହେ, “ତୁମ ଅବୁଝା ପ୍ରଶ୍ନଗୁଡ଼ିକ ଦଳରେ ସମୀକ୍ଷା କରିବାର ଏଇଟା ଗୋଟିଏ ସୁଯୋଗ । ତେଣୁ ଲାଗିପଡ଼" । ସେମାନେ ପରସ୍ପର ସହ ଆଲୋଚନା କରିବା ପରେ ପରୀକ୍ଷା ଖାତା ଦେଇ ପରସ୍ପରର ଉତ୍ତର ପଢ଼ିବାକୁ କୁହେ ଓ ନିଜେ ଲେଖିଥିବା ଉତ୍ତରଗୁଡ଼ିକୁ ବି ପଢେ଼ । ଏଥର ସମସ୍ତେ ଉତ୍ତରଗୁଡ଼ିକ ମେଳାଇ ନିଅନ୍ତି । ଯାହା ଛାଡ଼ି ଯାଇଥା’ନ୍ତି ସେସବୁକୁ ଲେଖି ନିଅନ୍ତି ଖାତାରେ ।

ଏଇ କାର୍ଯ୍ୟକ୍ରମଗୁଡ଼ିକ ଭିତରେ ପିଲାର ଉତ୍ତରଟିକୁ ବୁଝିବାର ଆଗ୍ରହ ଖୁବ୍ ତୀବ୍ର ହୋଇଯାଇଥାଏ, କାରଣ ସେମାନେ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରିସାରିଥା’ନ୍ତି । ତେଣୁ ଉତ୍ତର ଖାତା ପାଇବା ପରେ ତାଙ୍କ ଭିତରେ ନିଜ ମାର୍କ ଦେଖିବା ଓ ତୁଳନା କରିବାର ମନୋବୃତ୍ତି ବି ବଦଳି ଯାଇଥାଏ । ସବୁଠୁ ଜରୁରୀ କଥା ହେଲା, ସେମାନଙ୍କୁ ନିଜର ବୁଝିବା ସାମର୍ଥ୍ୟ ଉପରେ ଓ ଉତ୍ତରର ଠିକ୍ - ଭୁଲ୍ କାରଣ ଜାଣିବା ଉପରେ କାମ କରିବାକୁ ସୁଯୋଗ ମିଳେ । ଏଥିସହିତ ପିଲାଟି କଥାଟିକୁ ବୁଝି ଯାଇଥାଏ ବୋଲି ଆଉ କେବେ ବି ଭୁଲେ ନାହିଁ ।

ସମ୍ପୂର୍ଣ୍ଣ ପଦ୍ଧତିଟି ପାରସ୍ପରିକ କ୍ରିୟା ଦ୍ୱାରା ଓ ଲାଗି ରହିବା ଯୋଗୁଁ ହିଁ ବିଶେଷ ଫଳପ୍ରଦ ଓ ଉତ୍ସାହଜନକ ହୁଏ । ଆମକୁ ମନେ ରଖିବାକୁ ହେବ ଯେ, ପିଲାର ମାନସିକ କର୍ଷଣ ବିଭିନ୍ନ ଶୈକ୍ଷଣିକ କାର୍ଯ୍ୟ ମାଧ୍ୟମରେ ହିଁ ହୋଇପାରେ, ସିଧାସଳଖ ଉତ୍ତରଟି ବତେଇ ଦେଇ ନୁହେଁ । ତେବେ ଯାଇ ସିନା ଶିକ୍ଷଣ ପ୍ରକ୍ରିୟାଟି ଅଧିକ ସ୍ମରଣୀୟ ହେବ ଓ ଜ୍ଞାନାର୍ଜନର ବାଟଟିକୁ ସୁଗମ କରିବ । ଏହା ସହ ପିଲାକୁ ଜାଣିବା ଲାଗି ଓ ଖୋଜିବା ଲାଗି ପ୍ରେରଣା ଦେବ ।

ପ୍ରତିଦିନ ଶ୍ରେଣୀରେ ବି ଅନେକ ପ୍ରକାରର ଉପାୟ ମାଆ ପ୍ରୟୋଗ କରେ । କଳାପଟାରେ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିଦିଏ କିନ୍ତୁ ସଠିକ୍ କ୍ରମରେ ନୁହେଁ । ପ୍ରଶ୍ନଗୁଡ଼ିକୁ ଏମିତି ବାଛେ ଯେ, ଯେଉଁଥିରୁ ପିଲାଟି ସହଜରେ ଅନୁମାନ କରିପାରେ କେଉଁ ଉତ୍ତରଟି କାହାର । ପିଲାଙ୍କର ଆଗ୍ରହ ବଢେ଼ଇବାକୁ ତାଙ୍କ ଅନୁମାନର ଉତ୍ତରଟିକୁ (ଠିକ୍ - ଭୁଲ୍ ବିଷୟରେ ମତାମତ ନ ଦେଇ) କହିବାକୁ କହେ ।

ଯେତେବେଳେ ବି ପିଲା ଉତ୍ତର ଦିଏ ସେଇ ଅବସରଗୁଡ଼ିକୁ ପିଲାର କହିବା ଲାଗି କେବଳ ଗୋଟିଏ ସୁଯୋଗ ହିସାବରେ ନିଏ । (ଭୁଲ୍ - ଠିକ୍ ବାଛିବାର ଅବସର ନୁହେଁ ।)

ପିଲାଙ୍କୁ ଉତ୍ତର ଲେଖିବାକୁ କହିଦେଇ ବୁଲି ବୁଲି ତାଙ୍କ ଉପରେ ନଜର ରଖେ । ସରିବା ପରେ ପୁଣି କିଛି ସମୟ ବି ଦିଏ ଆଉଥରେ ପଢ଼ିବାକୁ । ଏହି ଅଧିକ ସମୟ ଦେବାଟା ପିଲାର ଆତ୍ମବିଶ୍ୱାସ ବଢ଼ାଏ । ଏଥିପାଇଁ ଉତ୍ତର କହିବା ବେଳେ ସମସ୍ତେ ପରସ୍ପରକୁ ଏକାଗ୍ର ହୋଇ ଶୁଣିବାର ମଧ୍ୟ ଦେଖାଯାଏ ।

ପିଲା ପରସ୍ପରକୁ ବାଛିବା ଲାଗି ଦଳଗତ କାର୍ଯ୍ୟମାନଙ୍କରେ ବାରମ୍ବାର ସୁଯୋଗ ସୃଷ୍ଟି କରେ । ଏଇ ଯେମିତି ଜଣେ ଉତ୍ତର ଦେଇସାରିବା ପରେ ପରବର୍ତ୍ତୀ ପ୍ରଶ୍ନର ଉତ୍ତର କିଏ ଦେବ ସେ ନିଜେ ବାଛେ । ଏଇ କାର୍ଯ୍ୟଟି ତାଙ୍କ ଭିତରେ ଆଗ୍ରହ ବଢ଼ାଇବା ସହ ତାଙ୍କୁ ପରସ୍ପରକୁ ଶୁଣିବାକୁ ବାଧ୍ୟ କରାଏ ।

ନିଜେ ଉତ୍ତର ବାଛିବା, ପରସ୍ପର ସହ ଆଲୋଚନା କରିବା ଦ୍ୱାରା ଶିକ୍ଷଣ ପ୍ରକ୍ରିୟାରେ ପିଲାମାନଙ୍କର ସକ୍ରିୟ ଅଂଶଗ୍ରହଣ ରହେ ଓ ସ୍ୱାୟତ୍ତତା ମଧ୍ୟ ବଢେ଼ ।

ଏଥିରେ ଉଭୟ ଦୁର୍ବଳ ଓ ଦକ୍ଷ ପିଲା ନିଜ ସାମର୍ଥ୍ୟ ଅନୁସାରେ ଆଗେଇପାରିବା ସହ ସକାରାତ୍ମକ ମନୋଭାବ ମଧ୍ୟ ରହେ । ଆତ୍ମବିଶ୍ୱାସ ବଢେ଼, ପାରସ୍ପରିକ ଆଦାନ ପ୍ରଦାନ ହୁଏ ଓ ଅଧିକରୁ ଅଧିକ ବିଷୟ ସହ ସମ୍ପର୍କିତ ହୋଇ ରହିବାର ସୁଯୋଗ ମଧ୍ୟ ମିଳେ ।

ଆମକୁ ଶ୍ରେଣୀ ଗୃହରେ ଏତିକି ସୁଯୋଗ ନିଶ୍ଚୟ ମିଳେ ଯେଉଁଥିରେ ଆମେ ପିଲାଙ୍କୁ ଆଗ୍ରହୀ କରାଇ ପାରିବା । ଶ୍ରେଣୀ ଗୃହ ବାହାରକୁ ଯାଇ ଆଇଭାନ୍ ଇଲିଚ୍ ଙ୍କ “ବିଦ୍ୟାଳୟମୁକ୍ତ ସମାଜ” ର କଥା ଭାବିବା ଆମ ଲାଗି ଅସମ୍ଭବ ସିନା, କିନ୍ତୁ ଆମ ସମୟ ଭିତରେ ତ ଆମେ ଏଇ ଦୁଇ ଶିକ୍ଷକଙ୍କ ପରି ଶହ ଶହ ନୂଆ ବାଟ ଆପଣେଇ ପ୍ରୟୋଗ କରିପାରିବା ।

ୟେ ତ ଗଲା ସମାଧାନର କିଛି ଉଦାହରଣ, ଏତଦ୍ ବ୍ୟତୀତ ଭାରତ ସରକାର ମଧ୍ୟ ତାଙ୍କର ନିରନ୍ତର ଓ ପୂର୍ଣ୍ଣାଙ୍ଗ ମୂଲ୍ୟାୟନର ଶହ ଶହ କର୍ମଶାଳାରେ ପ୍ରତି ଶିକ୍ଷକଙ୍କ ଲାଗି ଅନେକ ପଦ୍ଧତି ବତାଇଛନ୍ତି । ଯାହା ଶିକ୍ଷା ଅଧିକାର ଆଇନ୍ ଆସିଲା ପରେ ବାଧ୍ୟତାମୂଳକ ଭାବେ ଲାଗୁ କରାଯାଇଛି ବୋଲି କୁହାଯାଉଛି ।

ଏସବୁ କଥା ଆଲୋଚନା କରିବା ଭିତରେ ତଥାକଥିତ ପରୀକ୍ଷା ପଦ୍ଧତିଗୁଡ଼ିକ କାହିଁକି ମୂଲ୍ୟହୀନ ଆମେ ବୁଝିସାରିଥିବା ନିଶ୍ଚୟ । ତଥାପି ପରୀକ୍ଷାର କ’ଣ ସବୁ ପ୍ରଭାବ ଥାଏ ସେ ବିଷୟରେ କିଛି କହିବାକୁ ଚାହୁଁଛି ।

ଥୋମାସ୍ ଆମଷ୍ଟ୍ରଙ୍ଗ୍ “ହ୍ୱାଏ ଟେଷ୍ଟସ ଆର୍ ୱର୍ଥଲେସ୍” ବିଷୟରେ କହିଛନ୍ତି:

ପିଲା ଯେହେତୁ ଜାଣିଥାଏ ଯେ ପରୀକ୍ଷାର ସ୍କୋର୍ ତା’ ଜୀବନକୁ ପ୍ରଭାବିତ କରିବ ତେଣୁ ସେ ପାସ୍ କରିବା ଲାଗି କିଛି ବି କରିବାକୁ ପଛାଏନି (ଠକେଇବାକୁ ବି ପଛାଏନି) ।

ଶିକ୍ଷକମାନେ ଯେହେତୁ ଜାଣିଥାନ୍ତି ଯେ, ପିଲାଙ୍କର ଫଳାଫଳ ତାଙ୍କ ଦରମା ଓ ଚାକିରି ଉପରେ ପ୍ରଭାବ ପକାଇବ, ସେମାନେ ମଧ୍ୟ କିଛି ଅଗ୍ରହଣୀୟ ବାଟ ଆପଣେଇ ଥାଆନ୍ତି ।

ପରୀକ୍ଷା ବ୍ୟବସ୍ଥା କେବେ ବି ସମାଧାନ (କେମିତି ଭଲ କରିହେବ ବା ଭଲ ଜାଣିହେବ) ର ବାଟ ବତାଏନି । ଏହି ବ୍ୟବସ୍ଥା ସୃଜନଶୀଳତାକୁ ମୂଲ୍ୟ ଦିଏନି । କାହିଁକି ନା ପରୀକ୍ଷା ଖାତାଗୁଡ଼ିକ ହୁଏତ ଯନ୍ତ୍ର ଦେଖେ ନ ହେଲେ ଯନ୍ତ୍ର ପରି ଚାଲୁଥିବା (ଉତ୍ତର ପତ୍ର ସାମ୍ନାରେ ପକାଇ), ଭାବୁଥିବା ଓ ସମୟରେ ବନ୍ଧା ହୋଇଥିବା କିଛି ମଣିଷ ।

ଏହା ବିଭିନ୍ନତାକୁ ବି ମୂଲ୍ୟ ଦିଏନି । କାରଣ ପିଲାମାନେ ଭିନ୍ନ ଭିନ୍ନ ସାଂସ୍କୃତିକ ପରିବେଶରୁ ଆସିଥା’ନ୍ତି; ଭିନ୍ନ ଭାଷା, ଭିନ୍ନ ଭିନ୍ନ ଶିଖିବା ଓ ଭାବିବାର ସାମର୍ଥ୍ୟ ଥାଏ ସମସ୍ତଙ୍କର । କିନ୍ତୁ ଆମ ବ୍ୟବସ୍ଥାରେ ସମସ୍ତଙ୍କ ପାଇଁ ସମାନ ମାନଦଣ୍ଡ ଥାଏ ।

(ମୋ ମନରେ ପ୍ରଶ୍ନ ଉଠେ, ସତରେ କ’ଣ ପାଣି - ପଥର - ଦୂରତ୍ୱ ସବୁକୁ ମାପିବା ଲାଗି ଗୋଟିଏ ମାନଦଣ୍ଡ ସମ୍ଭବ କି ?) ପରୀକ୍ଷାର ଲକ୍ଷ୍ୟ ସାମ୍ନାରେ ଥାଏ ବୋଲି, ଶିକ୍ଷକ ବେଶୀ ସମୟ ନିର୍ଦ୍ଧିଷ୍ଟ ବିଷୟଟିକୁ ହିଁ ପଢ଼ାଏ । ପିଲା ପାଇଁ ଆବଶ୍ୟକ ଓ ପୃଥିବୀ ବିଷୟରେ ଆଗ୍ରହଦାୟକ କଥାସବୁ ଅଳିଆ ପେଡ଼ି ଭିତରେ ପଡ଼ି ରହେ । ଶ୍ରେଣୀଗୃହର ସମୟ ସବୁ ହୁଏତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାରେ ନ ହେଲେ ପରୀକ୍ଷା ଦେବାରେ ବିତେ ।

ଶିକ୍ଷକର କୃତ୍ରିମ ପରିବେଶରେ ସମୟ ସବୁ ନିର୍ଦ୍ଧାରିତ । ସେଠି ପିଲାକୁ ଜାଣିବାକୁ, ପ୍ରକୃତ ଜୀବନର କଥା ସବୁ କହିବାକୁ କି ପୃଥିବୀର ପ୍ରକୃତ ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରିବାକୁ ସମୟ ନଥାଏ । ତଥାପି କୁହାଯାଏ, 'ଏଜୁକେସନ୍ ମସ୍ଟ ପ୍ରିପେୟାର୍ ଲରନର୍ ଫର୍ ଦ ରିଏଲ୍ ୱାର୍ଲଡ' ।

କିଛି ପିଲାଙ୍କର ମାନସିକ ଚାପ ବଢ଼ିବା ଦ୍ୱାରା ସେମାନେ ଏତେ ନର୍ଭସ୍ ହୋଇଯାଆନ୍ତି ଯେ ଆଦୌ ଭଲ ପ୍ରଦର୍ଶନ କରିପାରନ୍ତି ନାହିଁ କି ନିଜ ଜ୍ଞାନର ପ୍ରକୃତ ପରିଚୟ ଦେଇପାରନ୍ତିନି, ଯେତେବେଳେ କି ବର୍ଷ ସାରା ନ ପଢ଼ି ବା ନ ବୁଝି କେବଳ ଶେଷ ମୁହୂର୍ତ୍ତରେ ବହିଟିକୁ ବା ଖାସ୍ ବଛା ବଛା ପ୍ରଶ୍ନଗୁଡ଼ିକୁ ପଢ଼ି ମନେରଖିଥିବା ପିଲାମାନେ ଭଲ କରିଦିଅନ୍ତି । ବୁଝିଥିବା ଓ ଆଗ୍ରହ ଥିବା ପିଲା ଆମ ଆଖିରେ ଅଯୋଗ୍ୟ ଓ ଘୋଷି ମନେରଖିଥିବା ପିଲାଟି ଆମ ଲାଗି ବୁଦ୍ଧିମାନ ହୋଇଯାଏ । ତେଣୁ ସେମାନଙ୍କ ଭିତରେ ମାନସିକ ଓ ଉଦବେଗଜନିତ ସମସ୍ୟା ସବୁ ଦେଖାଯାଏ ।

ପିଲା ଶିଖିବା ଉପରେ ପ୍ରାଧାନ୍ୟ ନ ଦେଇ ପାସ୍ କରିବା ଉପରେ ଦିଏ ।

ମଣିଷ ଜୀବନର ଅନୁଭୂତି ସମଗ୍ର ଏବଂ ଶିକ୍ଷାର ମୂଲ୍ୟ ଖୁବ୍ ତଳକୁ ଖସି ଆସି କେବଳ କିଛି ନମ୍ବରରେ ସୀମିତ ହୋଇଯାଏ । ହୁଏତ ପିଲାର ଏକ ନିର୍ଦ୍ଦିଷ୍ଟ ବିଷୟରେ ଗଭୀର ଜ୍ଞାନ ଥାଇପାରେ, କିନ୍ତୁ ସାମଗ୍ରିକ ମାର୍କ ପାଇ ସେହି ବିଷୟଟିରେ ଆଗକୁ ପଢ଼ି ପାରିବାର ସୁଯୋଗରୁ ସେ ବଞ୍ଚିତ ହୁଏ । ହୁଏତ କାଗଜ, କଲମର ପରୀକ୍ଷାକୁ ବାଦ୍ ଦେଇ ଯଦି ଚିତ୍ର, ପ୍ରୋଜେକ୍ଟ, ସମୂହ ଆଲୋଚନା ଆଦି ମାଧ୍ୟମରେ ନିଜକୁ ଉପସ୍ଥାପିତ କରିବାର ସୁଯୋଗ ଦିଆଯାଇଥାନ୍ତା, ତେବେ ସେ ନିଶ୍ଚୟ ନିଜ ବୋଧଗମ୍ୟତାକୁ ସୁଚାରୁ ରୂପେ ଉପସ୍ଥାପିତ କରିବା ସହ ନିଜ ଦକ୍ଷତାକୁ ଖୁବ୍ ଭଲଭାବେ ପ୍ରମାଣିତ କରିପାରିଥା’ନ୍ତା ।

ଏହି ପରୀକ୍ଷା ପଦ୍ଧତି କେତୋଟି ମାମୁଲି ବା ମଧ୍ୟମ ଧରଣ ମସ୍ତିଷ୍କ ଦ୍ୱାରା ତିଆରି ହୋଇଛି, ପ୍ରତିଭାବାନ୍ ମାନଙ୍କ ଦ୍ୱାରା ନୁହେଁ ।
ଏହା ଉଭୟ ପିଲା ଓ ଅଭିଭାବକମାନଙ୍କୁ ଏକ ମିଛ ପ୍ରତିଶୃତି ଦିଏ । ଅଧିକ ମାର୍କ ରଖିଲେ ସମସ୍ତେ ଭାବନ୍ତି ଯେ, ପିଲାଟି ସବୁ ଜାଣିଛି । କିନ୍ତୁ ପ୍ରକୃତରେ ତାହା ହୋଇନଥାଏ । ହୁଏତ ସେ ପାଠଟିକୁ ଘୋଷି ଦେଇଥାଏ, ନ ହେଲେ କୌଶଳଟିଏ ପାଇଯାଇଥାଏ ।

ନିକଟ ଅତୀତରେ ବିଶ୍ୱବିଖ୍ୟାତ୍ ହାଭାର୍ଡ ବିଶ୍ୱବିଦ୍ୟାଳୟର ଗ୍ରାଜୁଏଟ୍ ମାନଙ୍କୁ ଗୋଟିଏ ପରୀକ୍ଷାରେ ପଚରା ଯାଇଥିଲା ଯେ, ଶୀତ ଋତୁରେ ଅଧିକ ଥଣ୍ଡା ଓ ଗ୍ରୀଷ୍ମ ଋତୁରେ ଅଧିକ ଗରମ ହୁଏ କାହିଁକି ? ସେମାନଙ୍କ ମଧ୍ୟରେ ଅଧିକାଂଶ ପିଲା ଏହା ଏକ ଭୁଲ୍ ପ୍ରଶ୍ନ ବୋଲି କହିଥିଲେ । ସେମାନେ ସମସ୍ତେ ନିଶ୍ଚୟ ଭଲ ପରୀକ୍ଷାର୍ଥୀ ହୋଇଥିବେ, କିନ୍ତୁ ପ୍ରଶ୍ନଟିକୁ ବୁଝିବା ଲାଗି ଓ ଗଭୀର ଧୀଶକ୍ତି ଲାଗି ଯେଉଁ ମୌଳିକ ଜ୍ଞାନ ଦରକାର, ତାହା ସେମାନଙ୍କ ପାଖରେ ନ ଥିଲା ।

ଏହି ବ୍ୟବସ୍ଥା ବିଜେତା ଓ ପରାଜିତର ଦୁଇଟି ଶ୍ରେଣୀ ତିଆରି କରେ । ପରାଜିତ ନିଜର ଆତ୍ମ ସମ୍ମାନ ହରାଇବା ସହ ନିଜଠାରୁ କମ୍ ପ୍ରତ୍ୟାଶା କରିବାର ଅଭ୍ୟାସର ଶିକୁଳିରେ ବାନ୍ଧି ହୋଇ ନିଜକୁ କ୍ଷତି ପହଞ୍ଚାଇ ଚାଲେ । ଏବଂ ବିଜୟୀ ନିଜ ଆତ୍ମାକୁ ହରାଏ । ନିଜ ଭିତରର ମଣିଷ ସହ ଯୋଗସୂତ୍ରଟିର ଅଭାବ ଘଟେ ତା’ ପାଖରେ । ସେ ନୈତିକତା, ସୌନ୍ଦର୍ଯ୍ୟବୋଧ, ଆସ୍ପୃହା, ଉଦାରତା, ସୃଜନଶୀଳତା ଓ ଜୀବନ ପ୍ରତି ପ୍ରତିଶୃତିବଦ୍ଧତାକୁ ମଧ୍ୟ ହରାଏ ।

ପରୀକ୍ଷା ଲାଗି ଗୋଟିଏ ସ୍ଥାନରେ ବସୁଥିବା ଓ ନଷ୍ଟ ହେଉଥିବା ସମୟରେ ପରୀକ୍ଷାର୍ଥୀ ହୁଏତ ଏହାଠୁ ଖୁବ୍ ଅଧିକ ମୂଲ୍ୟବାନ (ସତକୁ ସତ କିଛି ନୂଆ ଓ ଆଗ୍ରହଦାୟକ କଥା) କିଛି ଶିଖି ପାରିଥାନ୍ତା ।

ଫେଲ୍ ହେବା ବା ହାରିବାଟା ଅନେକଙ୍କର ନିଜସ୍ୱ ହୋଇଯାଏ । ଯେଉଁମାନଙ୍କୁ ବାରମ୍ବାର ଚାପରେ ପଡ଼ି ପରୀକ୍ଷା ଦେବାକୁ ପଡେ଼, ସେମାନେ ନିଜକୁ ‘ଖରାପ’ ବା ‘ମୂଲ୍ୟହୀନ’ ବୋଲି ଭାବିବାକୁ ଆରମ୍ଭ କରନ୍ତି ।

ପିଲାର କଳ୍ପନା କରିବାର ସାମର୍ଥ୍ୟ ଓ ସ୍ୱତଃସ୍ଫୁର୍ତ କୌତୁହଳକୁ ଏହା ଦ୍ୱାରା ସୀମିତ କରିଦିଆଯାଏ । କିଛି ପିଲା ଫେଲ୍ ହେବା ଡରରେ ପଢ଼ିବା ମଧ୍ୟ ଛାଡ଼ି ଦିଅନ୍ତି । ବହିର ବିଷୟବସ୍ତୁ କମି କମି ଯିବା ସହିତ କୌଣସି ବିଷୟରେ ପୂର୍ଣ୍ଣାଙ୍ଗ ଧାରଣା ବି ଆସେନି ।