ଫଟୋ: ଅଜୟ ସ୍ଵାଇଁ

ଅଜୟ ସ୍ଵାଇଁ, ଓଡିଆ ଗପରେ ଏକ ବିରଳ ପ୍ରଜାତିର କଥକ । ହଁ, ସେ କଥା କହନ୍ତି, କଥା ଭିତରେ କାହାଣୀ ଗଢନ୍ତି । କାହାଣୀ ଭିତରେ ସମୟ ଓ ଜୀବନକୁ ନେଇ ଖେଳ କରନ୍ତି । ତାଙ୍କ ଗପ, କେବେ କବିତା, ପୁଣି କେବେ ନିରୁତା ଜୀବନ କାହାଣୀ । ହଁ, ତାଙ୍କ କଥାରେ ଗୋଟେ ଖାସ ଠାଣି ଅଛି । ଅଜୟ ସ୍ଵାଇଁଙ୍କ ଗପ ଓ ଉପନ୍ୟାସର ନିଜସ୍ଵ ବାସ୍ନା ଅଛି । "ନାବାଳକ", "ବୋଉର ଗୀତାଖାତା", ଦୁଃଖ ଦୋହା", "ଶିରିଶ ଗଛର ଛାଇ ଗୋ", "ଛପି ଛପି ବାସନ୍ତୀ ରାତି" ଇତ୍ୟାଦି ଗପ ଓ ଉପନ୍ୟାସ ବହିର ଲେଖକ ଅଜୟ ସ୍ଵାଇଁ, ଏବେ ବି ତାରୁଣ୍ୟର ତୀରେ ତୀରେ । କେବେ ବି ବୟସ୍କ ହେଉ ନଥିବା ଅଜୟ ସ୍ଵାଇଁଙ୍କ ସହିତ କେଦାର ମିଶ୍ରଙ୍କର ଏକ ଅନ୍ତରଙ୍ଗ କଥାବାର୍ତ୍ତା ।

ଗପ କାହିଁକି ଲେଖାହୁଏ କହିଲେ ! ଏତେ ଗପ ତ କୁହାଯାଇଛି, ଲେଖାଯାଇଛି - ତଥାପି ଆପଣ କାହିଁକି ଭାବିଲେ ଯେ ମୁଁ ବି ଗପ ଲେଖିବା ଦରକାର ?

କେତେ ଗୁଡ଼େ କାହାଣୀ ପଛର କାହାଣୀ, ଚରିତ୍ର ପଛର ଚରିତ୍ର ଉସକାଏ ଲେଖିବାକୁ । ଯାହା ଆଗରୁ ଲେଖା ହୋଇଛି, ତାର ହାତଗୋଡ଼ କଅଁଳେ । ଡେଣା ଲାଗେ ଓ ଗପ ଉଡ଼ିବାକୁ ଇଚ୍ଛା କରେ । ମୁଁ ସେଇ ଚରିତ୍ରମାନଙ୍କଠି, ଗପମାନଙ୍କଠି ଡେଣା ଲଗେଇ, ଉଡେଇ ଦିଏ । ସେଥିରୁ ଅଧିକାଂଶ ଝଡ଼ିପୋକ ପରି ଝଡ଼ି ପଡ଼ନ୍ତି । ଆଉ କିଛି ଉଡ଼ନ୍ତି ।

ପିଲାବେଳେ ଗପ, କବିତା, କି ସାହତ୍ୟ କଥା କେବେ ଭାବିଥିଲେ ? କେମିତି ଥିଲା ସେ ନାବାଳକ (ଆପଣଙ୍କ ଉପନ୍ୟାସ ନୁହେଁ) ବେଳର ଗପ କଥା ?

ସେଦିନ ଗୁଡ଼ା ଥିଲା ମୋର ଗପର ଦିନ । ଥିଲେ ବାପା, ଜଇ ବଡ଼ବାପା, ଥିଲା ଆମ ରଇତ ଝୁଲିଆ କକା, ଥିଲା ବୋଉର ଗପ କୁହା ଦିନ ସବୁ । ଏତେ ଗୁଡ଼େ ଦିନ ମତେ ଲାଗିଥିଲା ନିମିଷେ । ଏବେ ଝୁରି ହଉଚି । ସେ ସବୁ ତାରାଭର୍ତ୍ତି ରାତି ଓ ବୋଉର ହାତରୁଆ ମଲ୍ଲୀ ବାସ୍ନାର ଅଗଣା । କେତେ ସବୁ ପରୀମାନେ ମୋ ସହ ଗପସପ ହଉହଉ ପାହି ଯାଉଥିଲା ରାତି ଓ ସେ ପରୀମାନେ ଆଉ ଫେରି ପାରୁନଥିଲେ । ମୁଁ ସେମାନଙ୍କୁ ଅନେକ ଦିନ ଯାଏ ସାଇତି ରଖିଥିଲି ମୋ ଚିତ୍ରମାନଙ୍କରେ । କୁଆଡ଼େ ଗଲେ ସେମାନେ ? ଛବି ବହି ପରି ଅଲୋଡ଼ା ହୋଇଗଲେ ।

ଅଜୟ ସ୍ୱାଇଁ ନିଜେ କେବେ କଥା ବି କବିତାର ନାୟକ ହେବାର ଇଚ୍ଛା ରଖିଥିଲେ କି ? ଆଉ ଟିକେ କଷ୍ଟ କହିଲେ, ନିଜକୁ ନାୟକ କରି କିଛି ଲେଖିଛନ୍ତି କି ?

ଯାହା ଯାହା ଲେଖିଲେ ବି, ଯାହାକୁ ଚରିତ୍ର କଲେ ବି, ମୁଁ ତ ନିଶ୍ଚୟ ଥାଏ କୋଉଠି ନା କୋଉଠି । କେତେବେଳେ ବିଫଳ ପ୍ରେମିକ ହୋଇ, କେତେବେଳେ ସନ୍ଦେହୀ ସ୍ୱାମୀ ହୋଇ, କେତେବେଳେ ମାତାଲ୍ ହୋଇ, କେତେବେଳେ ସନ୍ନ୍ୟାସୀ ହୋଇ । କେତେବେଳେ ଗୋଟେ ଲମ୍ବା ରେଳଗାଡ଼ିରେ ଏକ୍‌ଲା ଯାତ୍ରୀ ହୋଇ, କେବେ ମାଲଭାଇ ହୋଇ ପୋଡ଼ିଛି ନିଜର ଶବ । ମୁଁ ଜାଣିଶୁଣି କରିନାହିଁ ବିଶ୍ୱାସ କର । କେମିତି କେଜାଣି ମୁଁ ନାୟକ, ପ୍ରତିନାୟକ, ଖଳନାୟକ ହୋଇ ପଶି ଯାଇଛି ମୋ ଲେଖା ଭିତରେ ।

ଆପଣଙ୍କ ଲେଖାରେ ବାପା, ବୋଉ ଗାଁ ଏପରିକି ନଈ ଓ ଗଛକୁ ନେଇ ଆପଣ ବେଶ୍ ବିଶ୍ୱସ୍ତ । ହେଲେ ପ୍ରେମିକାକୁ ନେଇ ଏତେ ହାଲୁକା ଓ ଅବିଶ୍ୱାସୀ କାହିଁକି ?

ମୁଁ ସମସ୍ତଙ୍କ ପ୍ରତି ବିଶ୍ୱସ୍ତ । ପୁଣି ସମସ୍ତଙ୍କ ପ୍ରତି ଫୁଲାଫାଙ୍କିଆ । ସିରିୟସ୍ ମଣିଷମାନେ ମତେ ଜୋକର୍ ପରି ଲାଗନ୍ତି । ମୁଁ ପ୍ରେମ, ଘୃଣା, ସନ୍ଦେହ, ସ୍ନେହ ସବୁ ଅଙ୍ଗେ ନିଭେଇଛି । ଅନ୍ୟମାନଙ୍କ ପରି । ପ୍ରେମିକ ହେବା ପାଇଁ ମୋ ପାଖେ ବିଶେଷ କିଛି ଯୋଗ୍ୟତା ନାହିଁ । ଯେତିକି ଅଛି ତା' ହେଲା ମିଛ କହିବା । ଏ ଗପ ଗଢିବା ତ ବଡ଼ ମିଛ ସବୁଠୁ । ପ୍ରେମିକାମାନେ ସବୁବେଳେ ଶିମିଳି ତୁଳା । ଏତେ ଟିକେ ହାଲ୍‌କା ପବନରେ ବି ସେମାନେ ହାତରୁ ଉଡ଼ିଯିବା ଥୟ ।

‘ନାବାଳକର ନାୟକକୁ ଏବେ କେତେ ବର୍ଷ ହେଲାଣି ? ତା'ର ବୟସ କ'ଣ ବଢିବନି ?

ନାବାଳାକର ନାୟକ ସେମିତି ଦଳୁଆ ଗଡ଼ିଆରେ ଚିତିପହଁରା ପହଁରି ତୋଳୁଛି କଇଁଫୁଲ । ସେମିତି ବର୍ଷା ରାତିରେ ଶୁଣୁଚି ବେଙ୍ଗ ରଡ଼ି ଘର ଅନ୍ଧାର କରି । ତା'ର ବୟସ ବଢୁନି । ନ ବଢୁ । ଖେଳୁଥାଉ ।

ଗପ ଭିତରେ କୁହୁକ ଖୋଜାର ଗୋଟେ ପ୍ରକ୍ରିୟା "ଶିରିଷ ଗଛ ଛାଇ"ର ଘୋ'ରେ ରହିଛି । ସେ କୁହୁକ କେତେ ଦେଶୀ କେତେ ବିଦେଶୀ ? (ମାନେ ଭାବିପାରନ୍ତି, ମୁଁ ମ୍ୟାଜିକ୍ ରିଏଲିଜମ୍ କଥା ପଚାରୁଛି)

ହେଃ ! ମୋ କାମ ହେଲା ଗପ ଗଢିବା । ଯୋଉ ଘଟଣା, ଚରିତ୍ର ମତେ କବଳିତ କଲା । ମୁଁ ତା' ପଛରେ ଟିଙ୍କ ପରି ଲାଗିବି । ଆମ ଜୀବନରେ ଆମେ କ'ଣ କମ୍ ରହସ୍ୟ, କମ୍ କୌତୁକ ଭୋଗିଛେ ? ହେଲେ ଆମେ ମାନିବାକୁ ନାରାଜ । ମୋ ଉପରେ ଗୋଟେ ବଡ଼ଭାଇ ମରିଯିବାରୁ, ବୋଉ ମତେ ଜଣେ ହରିଜନଙ୍କୁ ବିକିଦେଲା । ସେବେଠୁ ମତେ କାଳେ କିଛି ରୋଗ ବୈରାଗ୍ୟ ହୋଇନି । ଏସବୁକୁ ବୋଉ ତ ମିଛ ବୋଲି ଭାବେନି । ମୁଁ କିଆଁ ଭାବିବି ? ମ୍ୟାଜିକ୍ ରିଏଲିଜମ୍ କ'ଣ ମୁଁ ଜାଣିନି । ତେବେ ଏତେ ବିରୋଧାଭାସ ଭିତରେ ମୁଁ ବଞ୍ଚିଛି । ଖୁସି ରହୁଚି ଓ ଲେଖିପାରୁଚି । ଏ କ'ଣ କମ୍ କୁହୁକ ?

‘ଦୁଃଖ ଦୋହା'ରେ ଗପ ଓ କବିତା ହାତ ଧରାଧରି ହୋଇ ଚାଲନ୍ତି । ଆପଣ ସବୁବେଳେ କବି ହୋଇ ରହିଯାଇ ନାହାନ୍ତି ତ !

ମୁଁ ତ ସବୁବେଳେ କବି । କବି ନ ହେଲେ କିଛି ଲେଖିବା ଅସମ୍ଭବ ଲାଗେ । ଆଉ ବିନା କବିତାର ଲେଖା ଶୁଖିଲା ଲାଗେ । ମତେ କବି କହିଲେ, ଖୁସି ଲାଗେ । "ଦୁଃଖ ଦୋହା" ଲେଖିବାକୁ ତିନିବର୍ଷ ଲାଗିଥିଲା । ମୁଁ ଏବେ ତାକୁ ପଢିଲେ ମଜା ଲାଗେ । ଲାଗେ, ମୋ ଭିତରେ କବିତା ବଞ୍ଚିଛି ।

ଆଧୁନିକ ସାହିତ୍ୟରେ ‘ରୋମାଣ୍ଟିସିଜମ'କୁ ନେଇ ଆଲୋଚକମାନେ ଢେର୍ ନାକ ଟେକନ୍ତି । ହେଲେ ଆପଣଙ୍କ ଗପ ଓ କବିତାରେ ରୋମାନ୍ସ ସବୁଠୁ ବଡ଼ ଶକ୍ତି । ତେବେ ଆପଣ କ'ଣ କହିବେ ?

ରୋମାଣ୍ଟିସିଜିମ୍ ଓ ରୋମାନସ୍ ଏକା କଥା ବୋଲି ମୁଁ ଭାବେନି । କେଉଁମାନେ ଏସବୁକୁ ନାକ ଟେକନ୍ତି, ମତେ ଜଣା ନାହିଁ । ହେଲେ ଏଇ ନାକ ଟେକୁଥିବା ଲୋକେ, ମତେ ବେଶୀ ପଢନ୍ତି । ନିଜ ଭିତରର ଏଇ ରୋମାନ୍ସ ପ୍ରବଣତା ମତେ ଶକ୍ତି ଯୋଗାଏ, ନିଜକୁ ସମର୍ଥ ସମର୍ଥ ଲାଗେ । ନାକଟେକା ଲୋକଙ୍କୁ ‘ଅଣପୁରୁଷା' ବୋଲି କହିବାକୁ ଇଚ୍ଛା ହେଉଛି । ସେମାନେ ପୁଅଝିଅ ପ୍ରେମକୁ ରୋମାନସ୍ ବୋଲି ଭାବନ୍ତି ବୋଧେ ।

ଅନେକ ସମୟରେ ଲାଗେ ଆପଣ ଟିକେ ତରତର ଓ ଅଧୈର୍ଯ୍ୟ । ଅନେକ ସମୟରେ ଲାଗେ, ଆଃ ଗପଟି ସରିଗଲା କେମିତି ! କ'ଣ କହିବେ ?

ତରତର, ଅଧୈର୍ଯ୍ୟ ମୁଁ ତ ଲେଖାରେ ମୋଟେ ନୁହେଁ । ଲେଖାଟି ଯେଉଁଠି ସରିବା କଥା ସରିବ । ଅଯଥା ମୁଁ ଲମ୍ବାଏ ନାହିଁ । ଯେତିକି ଦରକାର, ସେତିକି । ଆଉ ସେ ବର୍ଣ୍ଣନା ଫର୍ଣ୍ଣନା ପଢିବାକୁ କିଏ ଚାହୁଁଚି ? ବାକି ରହିଲା ମୋ କଥା । ମୁଁ ତ ମୋ ପରେ ପଚାଶ ବର୍ଷରୁ ଉର୍ଦ୍ଧ୍ୱ କାଳ ଧରି ଅଛି । ବୋଉ ସାଙ୍ଗେ ଦୁଃଖସୁଖ ହେଉଛି । ସ୍ତ୍ରୀ ପିଲାପିଲିଙ୍କ କଥା ବୁଝୁଛି । ହାଟ ସଉଦା କରୁଚି । ଚାକିରି ବି ଠିକ୍‌ଠାକ୍ କରି ଅବସର ନେଇ ସାରିଛି । ଅଧୈର୍ଯ୍ୟ ତରତର ତ ହେଇନି । ହଁ ! ମୁଁ ଦୀର୍ଘ ସମୟ ବସି ଭାଷଣ ଶୁଣିପାରେନି । ରିପିଟ୍ ମତେ ଭଲ ଲାଗେନି । ଏଣୁ ମୁଁ ସେଠୁ ଖସେ । ଖସିଯାଏ । ଗୋଟେ ବୟସ୍କ ବୁଢା ଦାର୍ଶନିକଙ୍କ ଅପେକ୍ଷା ମତେ ପୁଳେ ଛୋଟପିଲାଙ୍କ ମାଙ୍କଡ଼ାମୀ ଭଲ ଲାଗେ ।

ଅଜୟ ସ୍ୱାଇଁ ‘କାୟାକଳ୍ପ' କଥା କେବେ ନିଜେ ଭାବିଛନ୍ତି ?

ମୁଁ ଯେତେବେଳେ ନିଜ ଚେହେରା ଦର୍ପଣରେ ଦେଖେ, ବିସ୍ମିତ ହୁଏ । ମୁଁ କ'ଣ ସେହି ଲୋକ । ଯିଏ ଏତେ ବର୍ଷ ହେଲା ବଞ୍ଚିଛି ? ବୁଢା ହେଇନି । କାହାକୁ ଉପଦେଶ ଦେଇନି । କାହା ଉପରେ ଅଭିମାନ କରୁନି, ରାଗୁନି । ବେଳେବେଳେ ନିଜ ଛାଇ ସନ୍ନ୍ୟାସୀ ପରି ଦିଶେ । କହେ, ଢେର୍ ହେଲା । ଖସିଯା' ଏସବରୁ । ମୁଁ ତା'ପରେ ଦର୍ପଣ ସାମ୍ନାରୁ ଖସି ଆସେ ।

କେବେ ଲାଗିଛି, ଏକ ନମ୍ବର ହାଟରୁ ବ୍ୟାଗ୍‌ରେ ପରିବା ନୁହେଁ ଆପଣ ପଦେ କବିତା ଓ ଫାଳେ ଗପ ନେଇ ଫେରିଛନ୍ତି !

ଗପ ତ ସବୁଠି ମତେ ଦିଶେ । ହେଲେ ସବୁ ଗପ ହୁଏ କି ? ହାଟରୁ ପରିବା ବ୍ୟାଗ୍ ବୋହି ସୀତାରାମ ପଣ୍ଡାଙ୍କ କାଚଗ୍ଲାସ ଦୋକାନକୁ ଆସେ । ସେଠୁ ବୋଉ ପାଇଁ ଗୁଆ, ଗୁଣ୍ଡି କିଣେ । ଶୁଖୁଆ କିଣେ । ଗପ ସହ ଦେଖାହୁଏ । କହେ, ମତେ ନେଇ ଲେଖୁନ ? ମୁଁ କହେ, ହାଟ ସଉଦା ସରୁ । ହାଟବାହୁଡ଼ାର ଦୁଃଖ ଫକୀରମୋହନ ବି ଲେଖିସାରିଛନ୍ତି ।

ଅଜୟ ସ୍ୱାଇଁ ଯଦି ଅଜୟ ସ୍ୱାଇଁ ନ ହୋଇଥାନ୍ତେ । ଆଉ କ'ଣ ହୋଇଥାନ୍ତେ?

ଅଜୟ ସ୍ଵାଇଁ ଯା' ହେଲେ ବି ଚାଲିଥାନ୍ତା । ମୋ ପାଖରେ ଏମିତି କିଛି ବିଶେଷତ୍ଵ ଅଛି ବୋଲି ମୁଁ ଜାଣିପାରେନି । ସମସ୍ତଙ୍କ ସ୍ମୃତିରେ ଏକ ଖୁସମିଜାଜ ମଣିଷ ଭାବେ ମୁଁ ବଞ୍ଚିବାକୁ ଚାହେଁ । ରବର୍ତ୍ତୋ ବେନାନୀଙ୍କ "ଲାଇଫ ଇଜ ବିଉଟିଫୁଲ" ସିନେମାର ସେ ନାୟକ ପରି ।

ବିଶ୍ଵାସଘାତକତା ଓ ପ୍ରେମ ଭିତରେ ଦୂରତା ଥାଏ ନା ସେମାନେ ପରଷ୍ପରର ପରିପୂରକ ବା ପାଖାପାଖି ?

ବିହଶ୍ଵାସଘାତକତା ପ୍ରେମରେ ନଥାଏ । କିଛି କିଛି ବିଶ୍ଵାସ ପ୍ରେମରେ ଅବିଶ୍ଵାସ ପାଲଟିଯାଏ । ତାର କାରଣ ବିଶ୍ଵାସଟା ବହୁତ ସମୟ ଜମିଗଲେ ତାହା ଅବିଶ୍ଵାସ ପାଲଟି ଯାଏ । ତା'ପରେ ତରଳିବା କଷ୍ଟକର ହୋଇପଡେ । ତେବେ ବିଶ୍ଵାସ ଓ ବିଶ୍ଵାସଘାତକତା ଭିତରେ ଫରକ ଅଛି । ତେବେ ଏ ସବୁରେ ମୁଁ ମୁଣ୍ଡ ପୂରାଏ ନାହିଁ । ପ୍ରେମରେ ବିଶ୍ଵାସ ବଡ କଥା ।

ଯଦି କେବେ ଆପଣଙ୍କୁ ବୁଢା ହେବାକୁ ପଡେ ଓ ଗମ୍ଭୀର କଥା ସବୁ କହିବାକୁ ହୁଏ, ତା' ହେଲେ ଆପଣ କଣ କରିବେ ବା କହିବେ ?

ବୁଢା ହୋଇ ଗମ୍ଭୀର କଥା କହିଲେ ସାହିତ୍ୟରେ ପୁରସ୍କାର ଫୁରସ୍କାର ସବୁ ମିଳେ । ସତସଙ୍ଗରେ ପ୍ରବଚନ ଦେବାକୁ ପଡେ । ମୁଁ ତ ସେଇ "ଲାଇଫ ଇଜ ବିଉଟିଫୁଲ"ର ନାୟକ । ମୋତେ ସବୁ ଖେଳ ଲାଗେ । ଜୋକ ଲାଗେ । ମୁଁ ଭାବେ, ଏ ପୃଥିବୀକୁ ଏଇ ଜୋକରମାନେ ଇ ବଞ୍ଚେଇଛନ୍ତି । ଜୋକର କେବେ ବୁଢା ହୁଏନି । ରାଜ କପୁରଙ୍କୁ ଦେଖନ୍ତୁ । ବାଳକୃଷ୍ଣ ଦାଶ ତ ମାରିବା ଯାଏ ଅତର ପାଉଡର ଛାଡି ନଥିଲେ । ଗମ୍ଭୀର କଥା ମୁଁ ଯେଉଁଦିନ କହିବି, ସେଦିନ ମୁଁ ମରିଗଲି ବୋଲି ଜାଣନ୍ତୁ !!