ପ୍ରକୃତି କୋଳରେ ପ୍ରାଚୀନ କଳିଙ୍ଗର ଅଂଶ: ଗଂଜାମ

ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଗଞ୍ଜାମରେ ରହିଛି ପ୍ରକୃତିକୁ ଉପଭୋଗ କରିବାର ସମସ୍ତ ଉପାଦାନ । ଶ୍ୟାମଳ ସବୁଜିମା ସହ ବେଳାଭୂମି ପୁଣି ପର୍ବତର ତୁଙ୍ଗ ଶିଖର ଆଉ ରହିଛି ପ୍ରାଚୀନ ମନ୍ଦିର ଓ ନଦୀ ମୁହାଣ ।


ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଗଞ୍ଜାମରେ ରହିଛି ପ୍ରକୃତିକୁ ଉପଭୋଗ କରିବାର ସମସ୍ତ ଉପାଦାନ । ଶ୍ୟାମଳ ସବୁଜିମା ସହ ବେଳାଭୂମି ପୁଣି ପର୍ବତର ତୁଙ୍ଗ ଶିଖର ଆଉ ରହିଛି ପ୍ରାଚୀନ ମନ୍ଦିର ଓ ନଦୀ ମୁହାଣ । ଚକ୍ରବର୍ତ୍ତୀ ସମ୍ରାଟ ଅଶୋକଙ୍କ ଠାରୁ ଆରମ୍ଭ କରି ଇଂରେଜଙ୍କ ଶାସନରେ ଶାସିତ ହୋଇ ଗଞ୍ଜାମ ସୃଷ୍ଟି କରିଛି ଇତିହାସ । ପ୍ରାଚୀନ ଇତିହାସରେ ଗଞ୍ଜାମର ଭୂମିକା ଅନନ୍ୟ । ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ରେଶମ ସହର ବ୍ରହ୍ମପୁର ପୁଣି ଏହାର ଆଉ ଏକ ଆକର୍ଷଣ । ତେବେ ଆସନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ କିଛି ଜାଣିବା ଆଉ ଦେଖିଆସିବା ଏହି ଜିଲ୍ଲାର କିଛି ପର୍ଯ୍ୟଟନ ସ୍ଥାନ ।

ଓଡିଶାର ଦକ୍ଷିଣଭାଗରେ ଅବସ୍ଥିତ ଲୋକପ୍ରିୟ ଜିଲ୍ଲା ହେଉଛି ଗଞ୍ଜାମ । ସାଧାରଣତଃ ଗଞ୍ଜାମ 'ଗଂଜ'ରୁ ସୃଷ୍ଟି ବୋଲି କୁହାଯାଏ; ଗଂଜ ଅର୍ଥାତ୍ କୌଣସି ସ୍ଥାନ ବା ଅଞ୍ଚଳ । ଅନ୍ୟ ମତରେ ଗଂଜା ବା ଗଂଜ ଶବ୍ଦର ଅର୍ଥ ହେଲା ଗୋଦାମ, ଭଣ୍ଡାର ଇତ୍ୟାଦି । ଅନ୍ୟ କେତେକ ଗବେଷକଙ୍କ ମତରେ ସପ୍ତମ ଶତାବ୍ଦୀ ବେଳର କଂଗୋଦ ଶବ୍ଦରୁ ଗଞ୍ଜାମ ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟବର୍ତ୍ତୀ ଜଉଗଡ଼ଠାରେ ରହିଥିବା ଶିଳାଲିପିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଗଞ୍ଜାମ ପ୍ରାଚୀନ ଦକ୍ଷିଣ କଳିଙ୍ଗ ପ୍ରଦେଶର ଏକ ଅଂଶବିଶେଷ ଥିଲା ।

ଇତିହାସକୁ ଅଵଲୋକନ କଲେ ଜଣାଯାଏ ଯେ, ଗଞ୍ଜାମ ଅଞ୍ଚଳ ପ୍ରାଚୀନ କଳିଙ୍ଗର ଅଂଶ ବିଶେଷ ଥିଲା ଯାହା ଖ୍ରୀଷ୍ଟପୂର୍ବ ୨୬୧ରେ ମହାରାଜା ଅଶୋକଙ୍କ ଦ୍ଵାରା ଅଧିକୃତ ହୋଇଥିଲା । ୧୭୫୭ ଖ୍ରୀଷ୍ଟାବ୍ଦରେ ଏହା ଫରାସୀ କମାଣ୍ଡର ବୁସିଙ୍କ ଦ୍ବାରା ଶାସିତ ହୋଇଥିଲା । ମାତ୍ର ୧୭୫୯ ଖ୍ରୀଷ୍ଟାବ୍ଦରେ ଏହି ଫରାସୀ ଶାସକ ଇଂରେଜମାନଙ୍କ ଦ୍ବାରା ପରାସ୍ତ ହେବା ପରେ ଏହା ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇଥିଲା । ଏହି ଜିଲ୍ଲା ମାଡ୍ରାସ ପ୍ରେସିଡ଼େନ୍ସିଠାରୁ ପୃଥକ ହୋଇ ୧୯୩୬ ମସିହା ଏପ୍ରିଲ ୪ ତାରିଖରେ ନୂତନ ଭାବେ ଗଠିତ ଓଡ଼ିଶା ପ୍ରଦେଶର ଏକ ଅଂଶବିଶେଷ ହୋଇଥିଲା । ଏହି ଜିଲ୍ଲାର ସଦର ମହକୁମାଗୁଡ଼ିକ ହେଲା, ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର । ଗଞ୍ଜାମ ଜିଲ୍ଲାର ଅଧିବାସୀଙ୍କ ପ୍ରଧାନ ତଥା ପାରମ୍ପରିକ ଜୀବିକା ହେଉଛି କୃଷି । ଏହି ଜିଲ୍ଲାର ଉର୍ବର ମୃତ୍ତିକା କୃଷି ଉତ୍ପାଦନ ପାଇଁ ବେଶ୍ ପରିଚିତ ।

ଏହି ଜିଲ୍ଲା ବହୁ ବିଶ୍ବବିଖ୍ୟାତ ବ୍ୟକ୍ତିତ୍ବଙ୍କ ଜନ୍ମସ୍ଥଳୀ । ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଭି. ଭି. ଗିରି, ବିଶ୍ବନାଥ ଦାଶ, ବିନାୟକ ଆଚାର୍ଯ୍ୟ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଶଶିଭୂଷଣ ରଥ, କବିସୂର୍ଯ୍ୟ ବଳଦେବ ରଥ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଳିଙ୍ଗବୀର ବିଜୁ ପଟ୍ଟନାୟକ, ରାଜବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଚକରା ବିଷୋୟୀ ତଥା ପଦ୍ମଶ୍ରୀ ଭଗବାନ ସାହୁଙ୍କ ପରି ବ୍ୟକ୍ତିଵିଶେଷମାନେ ଏହି ମାଟିରେ ଜନ୍ମଗ୍ରହଣ କରିଥିଲେ ।

ବହୁ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀରେ ପରିପୂର୍ଣ୍ଣ ଗଞ୍ଜାମ ବର୍ଷସାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ସମୁଦ୍ର, ପାହାଡ଼, ନଈ, ଝରଣା, ହ୍ରଦ ଓ ବିଶେଷ କରି ପ୍ରାକୃତିକ ସବୁଜିମାରେ ପୂର୍ଣ୍ଣ ଏହି ଅଞ୍ଚଳଟି ଓଡିଶା ରାଜନୀତିରେ ମଧ୍ୟ ବେଶ୍ ସକ୍ରିୟ ଯୋଗଦାନ ରଖିଛି ।

ଆସନ୍ତୁ ନଜର ପକାଇବା ଗଞ୍ଜାମର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଉପରେ । ଏଠାରେ ରହିଛି ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ, ଗୋପାଳପୁର ବେଳାଭୂମି, ଭୈରବୀ ମନ୍ଦିର, ଭେଟନଇ, ବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ା, ଖଲିକୋଟ ନାରାୟଣୀ, ବୁଦ୍ଧଖୋଲ, ରମ୍ଭାର ଚିଲିକା ତଥା ପାନ୍ଥ ନିବାସ, ନିର୍ମଳଝର, ଚିକିଟି ଗିରିସୋଲା ପରି ବହୁ ଆକର୍ଷଣୀୟ ସ୍ଥାନ ।

ତାରାତାରିଣୀ ମନ୍ଦିର: ଶ୍ୟାମଳ ବନାନୀ ଘେରା ପାହାଡ଼ର ଶୀର୍ଷ ଭାଗରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି - ସ୍ୱରୂପିଣୀ ଦେବୀ ତାରାତାରିଣୀଙ୍କ ଶକ୍ତିପୀଠ । ଆମ ଦେଶରେ ଥିବା ବିଭିନ୍ନ ୫୧ ଶକ୍ତିପୀଠ ମଧ୍ୟରୁ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ଏହି ପୀଠ ବୌଦ୍ଧ, ବୈଷ୍ଣବୀ, ତନ୍ତ୍ର ଓ ଶକ୍ତିପୀଠ ଭାବରେ ପ୍ରସିଦ୍ଧି ଲାଭ କରିଛି ।

ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକ଼ଟସ୍ଥ ପବିତ୍ର ଋଷିକୁଲ୍ୟା ନଦୀର ତଟରେ ଏକ ସଦୃଶ୍ୟ ପାହାଡ଼ର ଶୀର୍ଷଦେଶରେ ଅବସ୍ଥିତ ଏହି ପବିତ୍ର ଶକ୍ତିପୀଠ । ଏହି ସ୍ଥାନର ଏକ ବିଶେଷ ତାତ୍ପର୍ଯ୍ୟ ହେଉଛି ପ୍ରତିବର୍ଷ ଚୈତ୍ର ମାସର (ମାର୍ଚ୍ଚର ଦ୍ଵିତୀୟ ସପ୍ତାହଠାରୁ ଏପ୍ରିଲ ମାସର ଦ୍ଵିତୀୟ ସପ୍ତାହ) ପ୍ରତି ମଙ୍ଗଳବାରମାନଙ୍କରେ ଏଠାରେ ବିଶେଷ ପୂଜାର୍ଚ୍ଚନା ହୁଏ । ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଉପାସକ ପୂଜା ତଥା ମାନସିକ ବ୍ରତ ପାଇଁ ଏଠାକୁ ଆସିଥାନ୍ତି । ଏହା ତାରାତାରିଣୀ ମେଳା ନାମରେ ପ୍ରସିଦ୍ଧ । ଏହି ମନ୍ଦିରକୁ ଯିବାକୁ ହେଲେ ୯୯୯ ପାହାଚ ଚଢ଼ିବାକୁ ପଡେ, ମାତ୍ର ଏବେ ମନ୍ଦିର ଉପରକୁ ଯିବାପାଇଁ ସୁନ୍ଦର ରାସ୍ତା ଓ ରୋପ୍‌ୱେର ବ୍ୟବସ୍ଥା କରାଯାଇଛି । ଏଠାକାର ପରିବେଶ ଶାନ୍ତ, ସୁନ୍ଦର ଏବଂ ମନୋମୁଗ୍ଧକର ଅଟେ । ଏହିପୀଠ ହଜାର ହଜାର ଭକ୍ତ ପର୍ଯ୍ୟଟକ ତଥା ଦର୍ଶକଙ୍କୁ ଆକର୍ଷିତ କରେ । ବର୍ଷର ସବୁ ସମୟରେ ଏଠାକୁ ପର୍ଯ୍ୟଟକ ଆସିଥାନ୍ତି କାରଣ ବଣଭୋଜି ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ।

ବୁଦ୍ଧଖୋଲ: ବୌଦ୍ଧ ଏବଂ ଶୈବ ଧର୍ମର ସଙ୍ଗମସ୍ଥଳୀ ହେଉଛି ବୁଦ୍ଧଖୋଲ । ପ୍ରତନତାତ୍ତ୍ୱିକ ଖନନ ବେଳେ କିଛି ଧ୍ୟାନମଗ୍ନ ବୁଦ୍ଧ ପ୍ରତିମା ଆବିଷ୍କୃତ ହୋଇଥିବାରୁ ଏହି ସ୍ଥାନର ନାମ ବୁଦ୍ଧଖୋଲ ହୋଇଛି । ଅନ୍ୟ ଏକ ମତ ଅନୁସାରେ ଗୁମ୍ଫାରେ ବୁଢ଼ୀଖୋଲ ନଈ ପ୍ରବାହିତ ହେଉଥିବାରୁ ଏପରି ନାମ ରଖାଯାଇଛି । ଗଞ୍ଜାମର ବୁଗୁଡ଼ାଠାରୁ ତିନି କିଲୋମିଟର ଉତ୍ତରରେ ଗଲେ ପଡେ ବୁଦ୍ଧଖୋଲ । ଏହାର ଚତୁର୍ପାଶ୍ୱରେ ସବୁଜ ପାହାଡ଼ ରହିଛି । ଏକ ପର୍ବତର ଶିଖରରେ ପାଞ୍ଚଗୋଟି ମନ୍ଦିର ରହିଅଛି ଯଥା ମକରେଶ୍ୱର, ଗଙ୍ଗାଧରେଶ୍ୱର, ଜଗଦ୍ଧେଶ୍ୱର, ସିଦ୍ଧେଶ୍ୱର ଓ ବୁଦ୍ଧେଶ୍ୱର ଯାହାକି ପଞ୍ଚୁମହାଦେବ ମନ୍ଦିର ନାମରେ ପରିଚିତ । ବୁଦ୍ଧଖୋଲରେ ଏକ ଚିରସ୍ରୋତା ଝର ରହିଛି ଯାହା ଉପରଭାଗରୁ ବହି ଆସି ଏକ ପ୍ରାକୃତିକ ଜଳପ୍ରପାତ ସୃଷ୍ଟି କରିଛି । ଏହି ସ୍ଥାନଟି ବଣଭୋଜି ପାଇଁ ମଧ୍ୟ ବେଶ୍ ପ୍ରସିଦ୍ଧ । ପ୍ରାକୃତିକ ପରିବେଶ ମଧ୍ୟରେ ଆଧ୍ୟାତ୍ମିକ ଚିନ୍ତନ ଏହି ସ୍ଥାନର ବୈଚିତ୍ର୍ୟ ।

ବିରଂଚି ନାରୟଣ ମନ୍ଦିର: ବୁଗୁଡ଼ାର ଅନ୍ୟତମ ଆକର୍ଷଣ ହେଉଛି ବିରଂଚି ନାରାୟଣ ମନ୍ଦିର । ଏହି ମନ୍ଦିରକୁ କାଠର କୋଣାର୍କ ବୋଲି କୁହାଯାଏ । ପୂରା ମନ୍ଦିରଟି କାଠରେ ତିଆରି ହୋଇଛି । ୧୭୭୭ ଖ୍ରୀଷ୍ଟାବ୍ଦରେ ଭଞ୍ଜ ବଂଶୀୟ ରାଜା ଶ୍ରୀକର ଭଞ୍ଜ ଏହି ମନ୍ଦିର ନିର୍ମାଣ କରିଥିବାର ସୂଚନା ରହିଛି । ଏହି ମନ୍ଦିରର ଇଷ୍ଟଦେବ ବିରଂଚି ନାରାୟଣ ପଶ୍ଚିମମୁଖା । ମନ୍ଦିରଟି ଏପରି ଭାବେ ତିଆରି ହୋଇଛି ଯେ ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣ ପ୍ରଭୁ ବିରଂଚି ନାରାୟଣଙ୍କ ପାଦପଦ୍ମରେ ପଡେ । ସୂର୍ଯ୍ୟଙ୍କ ରଥ ଆକୃତିରେ ଏହି ମନ୍ଦିରଟି ଏକ ଚକ ବିଶିଷ୍ଟ । ଏଥିରେ ସାତୋଟି ଅଶ୍ୱ ମୂର୍ତ୍ତି ରହିଛି । ପ୍ରାଚୀନ ଶୈଳୀରେ ଏହି ମନ୍ଦିରର କାନ୍ଥରେ ଓଡ଼ିଆ କାରିଗରୀର ଚାରୁ ଓ କାରୁକଳା ଦେଖିବାକୁ ମିଳେ ।

ମହୁରିକାଳୁଆ: ବ୍ରହ୍ମପୁରଠାରୁ ଦକ୍ଷିଣ ଓଡିଶାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ପାର୍ଶ୍ଵରେ ବ୍ରହ୍ମପୁରଠାରୁ ଅନତି ଦୂରରେ ପଡେ ମହୁରିକାଳୁଆ । ଏଠାରେ ରକ୍ତସିନ୍ଦୁରମଣ୍ଡିତା ମୟୂରପୁଚ୍ଛ ଶୋଭିତ ମା କାଳୀ ବିରାଜିତା । ପର୍ବତ ବେଷ୍ଟିତ ଏହି ପ୍ରାକୃତିକ ପର୍ଯ୍ୟଟନସ୍ଥଳ ବହୁ ପର୍ଯ୍ୟଟନଙ୍କୁ ପ୍ରଲୋଭିତ କରେ । ଏହା ବଣଭୋଜି ପାଇଁ ପ୍ରକୃଷ୍ଟ ସ୍ଥାନ ।

ନାରାୟଣୀ ଦେବୀ ମନ୍ଦିର: ପ୍ରସିଦ୍ଧ ଭାଲେରୀ ପାହାଡ କୋଳରେ ରହିଥିବା ସୁଦୃଶ୍ୟ ତଥା ବୈଭବଯୁକ୍ତ ନାରାୟଣୀ ପୀଠ ପୂର୍ବଘାଟ ପର୍ବତମାଳାର ଏକ ପ୍ରସିଦ୍ଧ ସ୍ଥଳ ଅଟେ । ଆମ୍ରବୃକ୍ଷରାଜ ବେଷ୍ଟିତ ନିର୍ଝର ଶୋଭିତ ଏଠାକାର ମନୋରମ ଦୃଶ୍ୟ ପ୍ରତିଦିନ ବହୁ ଦର୍ଶକଙ୍କୁ ଆକର୍ଷିତ କରେ । ଷଡଭୁଜା ମା ନାରାୟଣୀଙ୍କ ପବିତ୍ର ପୀଠ ଭକ୍ତମାନଙ୍କ ପାଇଁ ଏକ ଆହ୍ଵାନ । ବଣଭୋଜି ପାଇଁ ଏହା ଏକ ଉତ୍ତମ ସ୍ଥାନ ଅଟେ ।

ପଞ୍ଚମାର ସିଦ୍ଧି ବିନାୟକ ମନ୍ଦିର: ଏହା ଗଞ୍ଜାମର ଏକ କ୍ଷୁଦ୍ରଗ୍ରାମ । ବହୁକାଳରୁ ଏଠାରେ ଅଶ୍ୱତଥ ବୃକ୍ଷ ମଧ୍ୟରୁ ଆବିର୍ଭୂତ ଗଣେଶ ମୂର୍ତ୍ତି ପୂଜା ପାଇ ଆସୁଛନ୍ତି । କେଉଁ ଆବାହମାନ କାଳରୁ ଏହି ମନ୍ଦିରରେ ବାମାବର୍ତ୍ତୀ ଦନ୍ତ ବିଶିଷ୍ଟ ଗଣେଶ ମୂର୍ତ୍ତି ପୂଜା ପାଇ ଆସୁଛନ୍ତି ।

ଭୈରବୀ ମନ୍ଦିର: ବ୍ରହ୍ମପୁରଠାରୁ କିଛି ଦୂରରେ ଥିବା ମନ୍ତ୍ରୀଡି ଗ୍ରାମରେ ଆବିର୍ଭୂତ ଦେବୀ ଭୈରବୀଙ୍କ ନାମରେ ପରିଚିତ । ଏହି ସ୍ଥାନଟି ଭୈରବୀ ପୀଠ ନାମରେ ସୁପ୍ରସିଦ୍ଧ । ଏହା ଏକ ପ୍ରସିଦ୍ଧ ଶକ୍ତିପୀଠ । ଓଡିଶାର ବିଭିନ୍ନ ପ୍ରାନ୍ତତଃ ଉତ୍ତର ଆନ୍ଧ୍ରପ୍ରଦେଶରୁ ବହୁ ପର୍ଯ୍ୟଟକ ଏହି ସ୍ଥାନ ପରିଭ୍ରମଣରେ ଆସିଥାନ୍ତି ।

ପୋତାଗଡ ଦୁର୍ଗ: ପୋତାଗଡ ଦୁର୍ଗ ଋଷିକୁଲ୍ୟା ନଦୀ ଓ ବଙ୍ଗୋପସାଗରର ମୁହାଣ ନିକଟରେ ଅବସ୍ଥିତ । ଏହି ଐତିହାସିକ ଦୁର୍ଗଟିରେ ମୁସଲିମ, ଫ୍ରେଞ୍ଚ ଓ ବ୍ରିଟିଶ କାରୁକାର୍ଯ୍ୟର ଝଲକ ଦେଖିବାକୁ ମିଳେ ।

ନିର୍ମଳଝର: ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିକଟରେ ଅବସ୍ଥିତ ନିର୍ମଳଝର ଏକ ପର୍ଯ୍ୟଟନ ସ୍ଥଳୀ । ଏଠାରେ ଥିବା ବିଷ୍ଣୁଙ୍କର ମନ୍ଦିର ଭକ୍ତକୁ ଆକୃଷ୍ଟ କରେ । ମୁଖ୍ୟ ମନ୍ଦିର ପରିସରରେ ଅନ୍ୟାନ୍ୟ ଦେବଦେବୀ ଯଥା - ଜଗନ୍ନାଥ, ବିମଳା, ରାଧାକୃଷ୍ଣ, ନୀଳକଣ୍ଠେଶ୍ୱର ତଥା ଗଣେଶ ପୂଜା ପାଉଛନ୍ତି । ଇତିହାସ କହେ, ଏସବୁ ମନ୍ଦିର ଖଲ୍ଲିକୋଟର ତତ୍କାଳୀନ ରାଜା ବାଲୁଙ୍କେଶ୍ୱର ମହାରାଜା ସମ୍ଭବତଃ ୧୭୦୦ ମସିହା ବେଳକୁ ନିର୍ମାଣ କରିଥିଲେ । ଏହି ବିଷ୍ଣୁପୀଠର ପାଦଦେଶରେ ଚିରସ୍ରୋତା ଝରଣାଟିଏ ବହିଯାଇଛି । ଏହା ଖଲ୍ଲିକୋଟ ଠାରୁ ୨ କିଲୋମିଟର, ଛତ୍ରପୁର ଠାରୁ ୩୭ କି.ମି. ଓ ଭୁବନେଶ୍ୱର ଠାରୁ ୧୨୬ କିମି ଦୂରରେ ରହିଅଛି ।

ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ସହର । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୬୦ କି.ମି. ଦୂରରେ ବଙ୍ଗୋପସାଗର କୂଳରେ ଥିବା ଗୋପାଳପୁର ବନ୍ଦର ନିକଟରେ ଅବସ୍ଥିତ । ଏଠାରେ ରେଶମ ପାଟ ଶାଢ଼ୀ ତିଆରି କରାଯାଇଥାଏ । ପାଟ ଶାଢ଼ୀର ସୁନ୍ଦର ଓ କମନୀୟ ତଥା ଚାତୁରୀ କାରିଗରୀ ପାଇଁ ଏହି ସହର ଖୁବ୍ ପ୍ରସିଦ୍ଧ ତେଣୁ ଏହାର ଅନ୍ୟ ନାମ "ରେଶମ ସହର"। ପୁରାତନ କାଳରୁ ଏହା “ଓଡ଼ିଶାର ରେଶମ ସହର” ଭାବେ ପରିଚିତ । ଏଠିକାର ଆଚାର, ପାମ୍ପଡ଼ ବେଶ୍ ଲୋକପ୍ରିୟ । ଦକ୍ଷିଣୀ ଭାଷାର ବୋଲି ଓ ଦକ୍ଷିଣୀ ବ୍ୟଞ୍ଜନ ଏହାର ଆଉ ଏକ ନିଆରା ପରିଚୟ । ଗଞ୍ଜାମକୁ ଆନ୍ଧ୍ରପ୍ରଦେଶ ଲାଗିଥିବାରୁ ବ୍ରହ୍ମପୁରର ଚାଲିଚଳଣିରେ ଦକ୍ଷିଣ ଭାରତୀୟ ସଂସ୍କୃତିର ପ୍ରାବଲ୍ୟ ଦେଖିବାକୁ ମିଳେ । ଗୋପାଳପୁର ବେଳାଭୂମି ବ୍ରହ୍ମପୁର ନିକଟସ୍ଥ ଏକ ପର୍ଯ୍ୟଟନ ସ୍ଥଳୀ । ଏହା ବ୍ରହ୍ମପୁରଠାରୁ ପନ୍ଦର କି.ମି. ଦୂରରେ ଅବସ୍ଥିତ । ଗୋପାଳପୁର ବେଳାଭୂମି ପର୍ଯ୍ଯଟକଙ୍କୁ ସର୍ବଦା ଆକର୍ଷିତ କରିଥାଏ ।

ଏତଦ ବ୍ୟତୀତ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ରହିଛି ଜଗନ୍ନାଥ ମନ୍ଦିର, ନାରାୟଣୀ ଖୋଲ, ମା ବଡ ରାଉଳ, ବରାକୁଦା, ଶକଳେଶ୍ଵର, ବାଙ୍କେଶ୍ଵରୀ ମନ୍ଦିର । ଏଠିକାର ଋଷିକୂଲ୍ୟା ମୁହାଣର ଅଲିଭ ରିଡ଼ଲେ କଇଁଚ ଅନ୍ୟତମ ଆକର୍ଷଣ । ସେହିପରି ଗଞ୍ଜାମର ଭଂଜନଗରରେ ରହିଛି ଭଞ୍ଜନଗର ଡ୍ୟାମ, ବୁଗୁଡ଼ାର କୃଷ୍ଣସାର ମୃଗ ବିହାର, ରମ୍ଭା ପରି ବହୁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ । ଏହି ଜିଲ୍ଲାକୁ ଯିବା ପାଇଁ ସଡକ ଓ ରେଳପଥର ସୁବିଧା ରହିଛି । ରାଜଧାନୀ ଭୁବନେଶ୍ୱରଠାରୁ ଏହା ୧୫୦ କିଲୋମିଟର ଦୂର । ସଡକ ପଥରେ ଗଲେ ୪ ରୁ ୫ ଘଣ୍ଟା ଲାଗେ । ସେହିପରି ଗଞ୍ଜାମର ନିକଟତମ ରେଳଷ୍ଟେସନ ହେଉଛି ଛତ୍ରପୁର । ସେହିପରି ବ୍ରହ୍ମପୁରରେ ମଧ୍ୟ ଏକ ରେଳଷ୍ଟେସନ ରହିଛି ।

ବାରମାସରେ ଏଠି ତେର ପର୍ବ ପାଳନ ହୁଏ । ତେବେ ବ୍ରହ୍ମପୁରର ଠାକୁରାଣୀ ଯାତ୍ରା, ଦଣ୍ଡ ଯାତ୍ରା ଏଠିକାର ପ୍ରମୁଖ ଉତ୍ସବ । ପାହାଡ଼, ସମୁଦ୍ର, ନଦୀ ମୁହାଣ, ମନ୍ଦିର ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟରେ ହଜିଯିବାକୁ ଚାହୁଁଥିଲେ ଗଞ୍ଜାମ ନିଶ୍ଚୟ ବୁଲି ଆସନ୍ତୁ । ଏଠିକାର ସକାଳ ଜଳଖିଆ ବେଶ୍ ଲୋକପ୍ରିୟ । ଏଠାରେ ପୁରୀ ସହିତ ଉପମା, ତରକାରୀ ମିଳେ, ଯାହାର ନିଆରା ସ୍ୱାଦ ଆଉ କେଉଁଠି ମିଳେନାହିଁ । ଏହି ଶୀତଦିନରେ ଗଞ୍ଜାମର ପ୍ରାକୃତିକ ସୌନ୍ଦର୍ଯ୍ୟରେ ହଜିଯିବା ସହ ଏଠିକାର ପାମ୍ପଡ଼ ଆଉ ଆଚାର ନେବାକୁ ଭୁଲନ୍ତୁ ନାହିଁ ।

Report an Error