ଫଟୋ - ୱିକି କମନ୍ସ

(ଆଇଜାକ୍ ବାଶେଭିସ୍ ସିଙ୍ଗର୍ ବିଶ୍ବ ସାହିତ୍ୟର ଅତୁଳନୀୟ ପ୍ରତିଭା । ନିଜ ଲେଖାରେ ସାଧାରଣ ଲାଗୁଥିବା ବର୍ଣ୍ଣନାଶୈଳୀ ଭିତରେ ସୂକ୍ଷ୍ମାତିସୂକ୍ଷ୍ମ ଅନୁଭବ ସବୁକୁ ପାଠକ ସାମ୍ନାରେ ରଖିବାର ଯେଉଁ ସାମର୍ଥ୍ୟ ସିଙ୍ଗରଙ୍କର ଅଛି , ତାହା ଏକବାରେ ବିରଳ । ପଢ଼ନ୍ତୁ ୧୯୭୮ ମସିହାରେ ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ସେହି ଲେଖକଙ୍କର ଏକ ଅବିସ୍ମରଣୀୟ ଗପ , "The Key"ର ଓଡ଼ିଆ ଅନୁବାଦ । ଚତୁର୍ଥ ଓ ଅନ୍ତିମ ଭାଗ ।)

ମୂଳ ୟିଦ୍ଦିଶ୍ - ଆଇଜାକ୍ ବାଶେଭିସ୍ ସିଙ୍ଗର୍
ଇଂରାଜୀ ଅନୁବାଦ - ଆଇଜାକ୍ ବାଶେଭିସ୍ ସିଙ୍ଗର୍ ଏବଂ ଇଭଲିନ୍ ଟର୍ଟନ୍ ବେକ୍
ଓଡ଼ିଆ ଅନୁବାଦ - ନିଖିଳେଶ ମିଶ୍ର

(ପୂର୍ବ ପ୍ରକାଶିତ ଉତ୍ତାରୁ)

ରାତିର ଅବଶିଷ୍ଟାଂଶ ଯେ ଏମିତି ବିତିଗଲା ତା' ନୁହେଁ । ବେଶ୍ କିଛି ଘଟିଲା । ପ୍ରଥମେ ବେସି ଗୋଟିଏ ଧଳା ପ୍ରଜାପତି ଉଡ଼ିଯାଉଥିବାର ଦେଖିଲେ । କିଛି ସମୟ ରାସ୍ତାକଡେ଼ ଥୁଆହେଇଥିବା ଗୋଟେ କାର୍ ଉପରେ ଚକ୍କର କାଟିଲା ପରେ ପ୍ରଜାପତିଟି ଉଡ଼ିଗଲା । ବେସି ଜାଣିପାରିଲେ ଯେ ଏ ପ୍ରଜାପତିଟି ଏକ ନବଜାତକର ଆତ୍ମା କାରଣ ସତସତିକା ପ୍ରଜାପତିମାନେ ରାତିରେ ଉଡ଼ନ୍ତି ନାହିଁ । ତାଙ୍କ ଆଖି ଲାଗିଯାଉଥିଲା । କିଛି ସମୟ ପରେ ଯେତେବେଳେ ପୁଣି ସେ ଆଖି ଖୋଲିଲେ, ଦେଖିଲେ ଯେ ଗୋଟିଏ ଜଳନ୍ତା ପାଣିଫୋଟକା ଗୋଟିଏ ଛାତ ଉପରୁ ଉଡ଼ି ଆଉ ଗୋଟିଏ ଛାତ ଉପରକୁ ଗଲା ଆଉ ମିଳେଇଗଲା । ସେ ଜାଣିପାରିଲେ ଯେ ଏ ନିଶ୍ଚୟ ଗୋଟିଏ ଏବେ ଏବେ ମରିଥିବା ଲୋକର ଆତ୍ମା ।

ବେସି ପୁଣି ଶୋଇପଡ଼ିଥିଲେ । ହଠାତ୍ ଚମକି ପଡ଼ି ଉଠିଲେ ସିଏ । ସକାଳ ହେଇଆସୁଥିଲା । ସେଣ୍ଟ୍ରାଲ ପାର୍କ୍ ପଟୁ ସୂର୍ଯ୍ୟ ଉଠୁଥିଲା । ବେସି ଯୋଉଠି ବସିଥିଲେ ସେଠୁ ସୂର୍ଯ୍ୟ ଦିଶୁନଥିଲା କିନ୍ତୁ ବ୍ରଡୱେ ଉପରର ଆକାଶ ଗୋଲାପୀ ଆଉ ଲାଲ ରଙ୍ଗର ହେଇଯାଇଥିବାର ସିଏ ଦେଖିଲେ । ବାଁ ପଟେ ଥିବା କୋଠା ସବୁ ଝରକା ଭିତରୁ ରୋଷେଇ ପାଇଁ ଜଳୁଥିବା ମିଞ୍ଜିମିଞ୍ଜି ନିଆଁ ସକାଶେ ଏମିତି ଦିଶୁଥିଲା ଯେମିତି ଗୋଟେ ବଡ଼ ଜାହାଜର ବଖରା ସବୁ ଦିଶେ । ପାରାଟିଏ ଆସି ତାଙ୍କ ପାଖର ଫୁଟପାଥରେ ଓହ୍ଲେଇଲା । ନିଜ କୁନି କୁନି ନାଲି ଗୋଡ଼ ଦିଓଟିରେ ଡେଇଁଡେଇଁ ସେ ମାଟିରେ ପଡ଼ିଥିବା କଣ ଗୋଟେ ଜିନିଷକୁ ଖୁମ୍ପିଲା । ହୁଏତ ବାସି ପାଉଁରୁଟି ଖଣ୍ଡେ କି ଶୁଖିଯାଇଥିବା ମେଞ୍ଚେ କାଦୁଅକୁ । ବେସି କାବା ହେଇ ସେଇଆଡ଼େ ଚାହିଁ ରହିଲେ । ଏ ଚଢ଼େଇମାନେ କେମିତି ବଞ୍ଚନ୍ତି ? ରାତିରେ ଶୁଅନ୍ତି କୋଉଠି ? ବର୍ଷା, ଶୀତ, ବରଫ ସବୁ ସହନ୍ତି କେମିତି ? ମୁଁ ନିଶ୍ଚେ ଘରକୁ ଯିବି । ଲୋକମାନେ ମତେ ନିଶ୍ଚେ ଏଠି ରାସ୍ତାକଡ଼ରେ ପଡ଼ିବାକୁ ଛାଡ଼ିଦେବେ ନାହିଁ ।

ଉଠିବାକୁ ବଡ଼ କଷ୍ଟ ହେଲା ବେସିଙ୍କୁ । ତାଙ୍କ ଶରୀରଟା ସାରା ଯେମିତି ସେ ବସିଥିବା ପାହାଚରେ ଅଠା ଦେଇ ଭିଡ଼ାହେଲା ପରି ଲାଗିଯାଇଥିଲା । ତାଙ୍କ ପିଠି ଭୀଷଣ ବିନ୍ଧୁଥିଲା ଏବଂ ଗୋଡ଼ ଥରୁଥିଲା । ତଥାପି ସେ ଉଠିଲେ ଆଉ ଧୀରେଧୀରେ ଘର ଆଡ଼କୁ ଚାଲିବାକୁ ଆରମ୍ଭ କଲେ । ସକାଳର ଓଦାଓଦା ପବନକୁ ବେସି ପେଟ ଭରି ପ୍ରଶ୍ବାସରେ ଶୋଷିନେଲେ । ଏ ପବନରେ ଘାସର ବାସ୍ନା ଥିଲା, ବାସ୍ନା ଥିଲା କଫିର । ଏବେ ଆଉ ସେ ଏକୁଟିଆ ନଥିଲେ । କଡ଼ରୁ ସବୁ ଗଳିରୁ ମଣିଷମାନେ ବାହାରୁଥିଲେ, ପୁରୁଷ ଲୋକମାନେ ଆଉ ସ୍ତ୍ରୀ ଲୋକମାନେ ବି । ସେମାନେ କାମକୁ ଯାଉଥିଲେ । ସେମାନେ ରାସ୍ତାକଡ଼ରୁ ଖବରକାଗଜ କିଣୁଥିଲେ ଆଉ ଅଣ୍ଡରଗ୍ରାଉଣ୍ଡ ଭିତରକୁ ଉଭେଇ ଯାଉଥିଲେ । ସେମାନେ ସମସ୍ତେ ଏକବାରେ ନୀରବ ଥିଲେ ଆଉ ଶାନ୍ତ ବି, ସତେ ଯେମିତି ସେମାନେ ବି ନିଜ ଆତ୍ମାକୁ ଖୋଜି ପାଇସାରିଥିଲେ ଗଲାରାତିରେ, ସତେ ଯେମିତି ସେମାନେ ସମସ୍ତେ ବି ଗଲାରାତି ଭିତରୁ ଆଜିର ସକାଳକୁ ବାହାରିଲାବେଳକୁ ଧୋଇସାରିଥିଲେ ନିଜ ଆତ୍ମାକୁ । ଏମାନେ ଯଦି ଏତେ ଜଲଦି କାମକୁ ବାହାରିଯାଉଚନ୍ , ତାହେଲେ କେତେ ସକାଳୁ ଉଠିଯାଉଥିବେ, ବେସି ନିଜକୁ ନିଜେ ଖୁସିରେ ପଚାରିଲେ । ନା, ଜମା ନୁହଁ, ଏ ଗଳିରେ ରହୁଥିବା ସବୁ ଲୋକ ଗ୍ୟାଙ୍ଗଷ୍ଟର କି ଖୁନୀ ନୁହଁ । ଜଣେ ଯୁବକ ତ ମୁରୁକି ହସି ମୁଣ୍ଡ ନୁଆଁଇ ବେସିଙ୍କୁ ଶୁଭ ସକାଳ ବି କହିଲା । ବେସି ବି ତା'ଆଡ଼େ ଚାହିଁ ମୁରୁକି ହସିବାକୁ ଚେଷ୍ଟା କଲେ ଆଉ ଅନୁଭବ କଲେ ସେ ନିଜର ନାରୀସୁଲଭ ହସକୁ ଏକବାରେ ଭୁଲିଯାଇସାରିଥିଲେ । ସେଇ ହସ ଯାହା ତାଙ୍କ ଯୁବାବେଳର ଅଭିନ୍ନ ଉପାଦାନ ଥିଲା, ସେଇ ହସ ଯାହା ବେସିଙ୍କ ମା' ତାଙ୍କୁ ପ୍ରଥମେ ଶିଖେଇଥିଲେ ।

ବେସି ତାଙ୍କ ଆପାର୍ଟମେଣ୍ଟ ଥିବା କୋଠା ପାଖରେ ପହଞ୍ଚିଲେ । କୋଠା ବାହାରେ ଆଇରିଶ୍ ସୁପରିଟେଣ୍ଡେଣ୍ଟ ଠିଆ ହେଇଥିଲା, ବେସିଙ୍କର ସବୁଠୁ ବଡ଼ ଶତ୍ରୁଙ୍କ ଭିତରୁ ଜଣେ । ସେଇଠି ଠିଆହେଇ ସେ ଅଳିଆ ସଫାକରୁଥିବା ଲୋକଙ୍କ ସହ କଥା ହଉଥିଲା । ସେ ଗୋଟେ ବିଶାଳ ଆକାରର ଲୋକ ଥିଲା । ତା' ନାକ କିନ୍ତୁ ଥିଲା ଅତି ଛୋଟ । ତା' ଉପର ଓଠ ଥିଲା ଅତି ଲମ୍ବା, ଗାଲ ଭିତରକୁ ପଶିଯାଇଥିଲା ଆଉ ଚିବୁକ ମୂନିଆ ହେଇ ବାହାରିଥିଲା । ହଳଦିଆ ଚୁଟି ତା' ମୁଣ୍ଡର ଚନ୍ଦାପଣକୁ ଘୋଡେ଼ଇ ରଖିଥିଲା । ବେସିଙ୍କୁ ଦେଖି ସେ ଚମକି ପଡ଼ିଲା ଆଉ କହିଲା, "କଣ ହେଇଚି ଜେଜେମା ?"

ବେସିଙ୍କ ପାଟି ଖନି ମାରିଗଲା । ବଡ଼ କଷ୍ଟରେ ସିଏ ସୁପରିଟେଣ୍ଡେଣ୍ଟକୁ ଗଲାରାତିର କଥା କହିଲେ ଆଉ ଚାବିର ସେଇ ଭଙ୍ଗା ଖଣ୍ଡଟି ଦେଖେଇଲେ ଯୋଉଟିକୁ ସେ ସାରାରାତି ହାତମୁଠାରେ ଚାପି ଧରିଥିଲେ ।

"ହେ ପ୍ରଭୁ !" ସୁପରିଟେଣ୍ଡେଣ୍ଟ କହିଲା ।
"ମୁଁ ଏବେ କଣ କରିବି ?" ବେସି ପଚାରିଲେ ।
"ମୁଁ ଆପଣଙ୍କ କବାଟ ଖୋଲି ଦେବି ।"
"କିନ୍ତୁ ତମ ପାଖରେ ତ ନକଲି ଚାବି ନାହିଁ ।"
"ନିଆଁ ଲାଗିଲେ ତ ପୁଣି ଆମେ ସବୁ କବାଟ ଫିଟେଇପାରିବା ଦରକାର ।"

ଏତିକି କହି ସୁପରିଟେଣ୍ଡେଣ୍ଟ କେଇ ମିନିଟ୍ ପାଇଁ ତା' ନିଜ ଆପାର୍ଟମେଣ୍ଟ ଭିତରକୁ ଅଦୃଶ୍ୟ ହେଇଗଲା । ତା'ପରେ ପୁଣି କିଛି ଯନ୍ତ୍ରପାତି ଆଉ ଗୋଟେ ବଡ଼ କଡ଼ିଆରେ ଲାଗିଥିବା ପୁଳେ ଚାବି ଧରି ତା'ଭିତରୁ ବାହାରିଲା । ବେସିଙ୍କ ସହ ସେ ବି ଲିଫ୍ଟରେ ଉପରକୁ ଗଲା । ଖାଇବା ଜିନିଷ ଥିବା ବ୍ୟାଗଟି ଏବେ ବି ବେସିଙ୍କ କବାଟ ବାହାରେ ଥୁଆ ହେଇଥିଲା କିନ୍ତୁ କେମିତି ଗୋଟେ ଖାଲି ଖାଲି ଦିଶୁଥିଲା । ସୁପରିଟେଣ୍ଡେଣ୍ଟ ତାଲା ଖୋଲିବାକୁ ଚେଷ୍ଟା କଲା । ପଚାରିଲା, "ଏଠି ଯୋଉ କାର୍ଡ ସବୁ ଲାଗିଚି, ଏସବୁ କଣ ?"

ବେସି କିଛି କହିଲେନି ।

"ଆପଣ ସେତିକିବେଳେ ଆସି ମତେ କାହିଁକି କହିଲେନି କଣ ହେଇଚି ବୋଲି ? ଏ ବୟସରେ ରାତିସାରା ବାହାରେ ବୁଲିଲେ ! ହେ ପ୍ରଭୁ !" ନିଜ ଯନ୍ତ୍ରପାତିରେ ତାଲା ଖୋଲିବାକୁ ଚେଷ୍ଟା କରୁକରୁ ସୁପରିଟେଣ୍ଡେଣ୍ଟ କହିଲା । ଏତିକିବେଳେ ପାଖ କବାଟ ଖୋଲି ଜଣେ ସ୍ତ୍ରୀ ଲୋକ ବାହାରିଲେ । ସେ ରାତିପୋଷାକ ଆଉ ସ୍ଲିପର ପିନ୍ଧିଥିଲେ ଆଉ ତାଙ୍କ ଚୁଟି ବ୍ଲିଚ୍ କରାହେଇ କୁଞ୍ଚକୁଞ୍ଚିଆ ହେଇ ବନ୍ଧା ହେଇଥିଲା । ବେସିଙ୍କୁ ଦେଖି ସେ କହିଲେ, "ଆପଣଙ୍କର କଣ ହେଇଥିଲା ? କାଲି ମୁଁ ଯେତେଥର କବାଟ ଖୋଲିଲି, ଦେଖିଲି ଏ ବ୍ୟାଗ୍ ଏମିତି ବାହାରେ ଥୁଆହେଇଚି । ଆପଣଙ୍କ ବ୍ୟାଗରୁ କ୍ଷୀର ଆଉ ଲହୁଣୀ କାଢ଼ି ମୁଁ ମୋ ରେଫ୍ରିଜରେଟରରେ ରଖି ଦେଇଚି । ଖରାପ ହେଇଯାଇଥାନ୍ତା ନହେଲେ ।"

ବେସି କାନ୍ଦକାନ୍ଦ ହେଇଗଲେ । "ଭଲ ମଣିଷମାନେ... ମୋ' ଭଲ ମଣିଷମାନେ..." ସେ ଗୁଣୁଗୁଣେଇ କହିଲେ, "ମୁଁ ଜମା ଜାଣିନଥିଲି..."

ସୁପରିଟେଣ୍ଡେଣ୍ଟ ତାଲା ଭିତରୁ ବେସିଙ୍କ ଚାବିର ଭଙ୍ଗା ଅଂଶତକ କାଢ଼ିଦେଲା । ତାକୁ ଆହୁରି କାମ କରିବାକୁ ପଡ଼ିଲା । ଶେଷରେ ଗୋଟେ ଚାବି ପୂରେଇ ସେ ତାଲାକୁ ମୋଡ଼ିଦେଲା ଯେ କବାଟ ଖୋଲିଗଲା । କବାଟରେ ଖୋସାହେଇଥିବା କାର୍ଡତକ ଖସିପଡ଼ିଲା । ସେ ବେସିଙ୍କ ସାଙ୍ଗରେ ଘର ହଲ ଭିତରକୁ ଆସିଲା । ବେସି ତାଙ୍କ ନିଜ ଆପାର୍ଟମେଣ୍ଟରୁ କେମିତି ଗୋଟେ ପଚା ଗନ୍ଧ ବାରିପାରୁଥିଲେ । ତାଙ୍କୁ ଏମିତି ଲାଗିଲା ଯେମିତି ଏ ଘରେ ଅନେକ ବର୍ଷ ହେଲା କେହି ମଣିଷ ରହିନାହାନ୍ତି । ସୁପରିଟେଣ୍ଡେଣ୍ଟ କହିଲା, "ଆଗକୁ ଯଦି କେବେ ଏମିତି ହୁଏ, ତାହେଲେ ମତେ ସାଙ୍ଗେସାଙ୍ଗେ ଡାକିବେ । ମୁଁ ତ ଏଇ ସକାଶେ ହିଁ ଅଛି ।"

ବେସି ତାକୁ ବକସିସ୍ ଦବାକୁ ଚାହୁଁଥିଲେ କିନ୍ତୁ ବ୍ୟାଗ୍ ଫିଟେଇବା ପାଇଁ ତାଙ୍କ ହାତରେ ବଳ ନଥିଲା । ପଡ଼ୋଶୀ ସ୍ତ୍ରୀ ଲୋକ ଜଣକ କ୍ଷୀର ଆଉ ଲହୁଣୀ ଆଣି ଦେଇଗଲେ । ବେସି ନିଜ ଶୋଇବାଘରକୁ ଗଲେ ଆଉ ଲଥକିନା ଖଟ ଉପରେ ପଡ଼ିଗଲେ । ତାଙ୍କ ଛାତି ଉପରେ କିଛି ଗୋଟେ ବୋଝ ଥିଲା ଭଳି ତାଙ୍କୁ ଲାଗୁଥିଲା । ବାନ୍ତି ବି ଲାଗୁଥିଲା । ତାଙ୍କ ଗୋଡ଼ଠୁଁ ଛାତି ଯାଏ କିଛି ଗୋଟେ ଶିହରଣ ବାରମ୍ବାର ଦୌଡ଼ିଯାଉଥିଲା । ଟିକେ ବି ବ୍ୟସ୍ତ ନହେଇ ବେସି ସେ ଶିହରଣକୁ ଶୁଣିବାକୁ ଚେଷ୍ଟା କଲେ, ଖାଲି ନିଜ ଶରୀରକୁ ଆଉ ଟିକେ ଭଲ ଭାବରେ ଜାଣିବା ଆଶାରେ । ସୁପରିଟେଣ୍ଡେଣ୍ଟ ଆଉ ପଡ଼ୋଶୀ ସ୍ତ୍ରୀ ଲୋକ କଣ କଥା ହଉଥିଲେ । କିନ୍ତୁ ବେସିଙ୍କୁ ସେମାନଙ୍କ କଥା ଠିକରେ ବୁଝା ପଡ଼ୁନଥିଲା । ଠିକ ଏଇମିତି ତାଙ୍କ ସାଙ୍ଗରେ ତିରିଶ ବର୍ଷ ତଳେ ହେଇଥିଲା ଯେତେବେଳେ ଗୋଟେ ଅପରେସନ ପୂର୍ବରୁ ତାଙ୍କୁ ଆନେସ୍ଥେସିଆ ଦିଆହେଇଥିଲା । ଡାକ୍ତର ଆଉ ନର୍ସ କ,ଣ କଥା ହଉଥିଲେ କିନ୍ତୁ ବେସିଙ୍କୁ ଲାଗୁଥିଲା ଯେମିତି ସେମାନଙ୍କ ସ୍ୱର ଅନେକ ଦୂରରୁ ଆସୁଚି ଆଉ ସେମାନେ ଗୋଟେ ଅଜଣା ଭାଷାରେ କଥା ହଉଚନ୍ତି ।

ଖୁବଶୀଘ୍ର ସେତକ କଥାବାର୍ତ୍ତା ବି ଅପସରିଗଲା । ରହିଲା ଖାଲି ନୀରବତା । ଆଉ ସେଇ ନୀରବତା ଭିତରେ ଆସିଲେ ସାମ୍ । ନା ଦିନ ହେଇଥିଲା, ନା ରାତି - ଗୋଟେ ଅଦ୍ଭୁତ ଗୋଧୂଳି ଖାଲି । ତାଙ୍କ ସ୍ୱପ୍ନରେ ବେସି ଜାଣିପାରୁଥିଲେ ଯେ ସାମ୍ ମରିସାରିଚନ୍ତି ଅଥଚ କେମିତି ଗୋଟେ ଚୁପଚାପ ଭାବରେ ସେ କବର ଭିତରୁ ବାହାରି ଆସିଚନ୍ତି , ବେସିଙ୍କୁ ଭେଟିବା ପାଇଁ । ସାମ୍ ଭାରି ପତଳା ଦିଶୁଚନ୍ତି ଆଉ ଲାଜକୁରା ବି । କଥା ବି କହିପାରୁନାହାନ୍ତି । ସେମାନେ ଦିହେଁ ଏକାଠି ବୁଲିଯାଉଚନ୍ତି ଆକାଶ ନଥିବା, ମାଟି ନଥିବା ଗୋଟେ ସୁଡ଼ଙ୍ଗ ଦେଇ ଯୋଉଠି ଖାଲି ଭଗ୍ନାବଶେଷ ପଡ଼ିଚି ଗୋଟେ ଅଜଣା କୋଠାର । ଏମିତି ଗୋଟେ ଅନ୍ଧାରୁଆ ଆଉ ବଙ୍କାଟଙ୍କା ବାରଣ୍ଡା ଦେଇ ସେମାନେ ଚାଲିଯାଉଚନ୍ତି ଯୋଉ ବାରଣ୍ଡାଟି ଝାପସା ଚିହ୍ନାଚିହ୍ନା ଲାଗୁଚି ବେସିଙ୍କୁ । ସେମାନେ ଆସି ପହଞ୍ଚୁଚନ୍ତି ଏମିତି ଗୋଟେ ଜାଗାରେ ଯୋଉଠି ଦୁଇଟି ପାହାଡ଼ ମିଶିଚନ୍ତି, ଯୋଉଠୁ ସୂର୍ଯ୍ୟ ଦିଶେ ଉଦୟ କି ଅସ୍ତ ହେଲାବେଳେ । ସେମାନେ ସେଇଠି ଠିଆହେଇ ରହୁଚନ୍ତି, ଅଳ୍ପ ଟିକେ ଅପ୍ରସ୍ତୁତ ହେଇ, ଅଳ୍ପ ଟିକେ ଲାଜର ସହିତ । ଠିକ ତାଙ୍କ ମଧୁଚନ୍ଦ୍ରିକା ରାତି ପରି ଯେତେବେଳେ ସେମାନେ କ୍ୟାଟସ୍କିଲସ ପର୍ବତରେ ଥିବା ଏଲେନ ଭିଲା ଯାଇଥିଲେ ଆଉ ହୋଟେଲ ମାଲିକ ତାଙ୍କୁ ବାଟ କଢ଼େଇ ନେଇଥିଲା ତାଙ୍କ ପ୍ରଶସ୍ତ ସୁଇଟକୁ । ବେସି ତାଙ୍କ କାନରେ ପୁଣି ଥରେ ସେଇ କଥାତକ ଶୁଣିପାରିଲେ ଯାହା ତାଙ୍କୁ ସେଦିନ ସେ ହୋଟେଲ ମାଲିକ କହିଥିଲା, "ଆପଣଙ୍କୁ ଏଠି ଚାବି ଦରକାର ନାହିଁ । ଆସନ୍ତୁ । ମାଜେଲ୍ ଟଭ୍ !"

(ସମାପ୍ତ)

(ବି.ଦ୍ର. 'ମାଜେଲ୍ ଟଭ୍' ୟିହୁଦୀ ଲୋକମାନଙ୍କ ମଧ୍ୟରେ ବହୁ ପ୍ରଚଳିତ ଶୁଭକାମନାର ଉକ୍ତିଟିଏ, ଯାହାର ଆକ୍ଷରିକ ଅର୍ଥ 'ଶୁଭେଚ୍ଛା' ବା 'ଗୁଡ୍ ଲକ୍' ।)