ଖବରର ଶୀର୍ଷକ ଥିଲା – “ଚାଲିଗଲେ ନିଜ ବହି ନିଜେ ବିକୁଥିବା ଲେଖକ” । ଶୀର୍ଷକ ତୁଳନାରେ ଖବରଟି ଆଉ ଟିକେ ଦାରୁଣ । “ଲିଙ୍ଗରାଜ ଥାନା ପୁଲିସ ଆଜି ଅଜିତ କୁମାର ବୀରଙ୍କ ମୃତଦେହକୁ ତାଙ୍କ ଘର କୂଅରୁ ଉଦ୍ଧାର କରିଛି । ପୁଲିସର ସୂଚନା ମୁତାବକ ତାରାସୁନ୍ଦରୀ ରୋଡ, ଲିଙ୍ଗରାଜ ନଗର, ୬୬୨ ବୀର ନିବାସରେ ଅଜିତ ରହୁଥିଲେ । ଘର ପରିବେଶ ପୂରା ଜଙ୍ଗଲ । ଗେଟ ମୁହଁରୁ ମୁଖ୍ୟ ଦୁଆରକୁ ଯିବାକୁ ରାସ୍ତା ନାଇଁ । ଅନାବନା ଗଛ ଭର୍ତ୍ତି । ବାହାର ରାସ୍ତାରେ ଛିଡା ହେଲେ ବି ଘର ଦିଶେନି । ପାଣି କାଢିବାକୁ ଯାଇ କୂଅରେ ପଡି ତାଙ୍କର ମୃତ୍ୟୁ ଘଟିଛି । ସେ ନିଜ ଘରେ ଅନେକ ବର୍ଷ ହେଲା ଏକୁଟିଆ ରହୁଥିଲେ । “

ଖବରଟି ଏତିକି ମାତ୍ର । ଅଜିତ କୁମାର ବୀର ନାମରେ କେହିଜଣେ ଲେଖକ ଥିବା କଥା ମୋର କାଇଁ ମନେ ନଥିଲା । ତେବେ ଖବର କାଗଜର ଫଟୋ ଟି ଦେଖି ମୁଁ ଚମକି ପଡିଲି । ଆରେ, ଇଏ ତ ବୀର ବାବୁଙ୍କ ସାନଭାଇ । ବୀର ବାବୁ ମାନେ ଅପୂର୍ବ କୁମାର ବୀର । ଭାରତୀୟ ସିନେମାର ଚର୍ଚ୍ଚିତ ନିର୍ମାତା, ନିର୍ଦ୍ଦେଶକ ଓ ସିନେମାଟୋଗ୍ରାଫର ଅପୂର୍ବ କୁମାର ବୀର । ଏବେ କଥା ଆଉ ଟିକେ ସ୍ପଷ୍ଟ ହୋଇଗଲା । ଅଜିତ କୁମାର ବୀର ହେଉଛନ୍ତି ଅପୂର୍ବ କୁମାର ବୀରଙ୍କ ସାନଭାଇ । ତାଙ୍କୁ ମୁଁ ଜାଣିଛି । ଜାଣିଛି ମାନେ, ଅନେକ ଥର ତାଙ୍କ ସହ ଦେଖା ହେଇଛି ଜୟଦେବ ଭବନ ସାମ୍ନା ଆମ ସକାଳୁଆ ଖଟିରେ ।

ଅକସ୍ମାତ ଦିନେ ସକାଳେ ପହଞ୍ଚିଲାବେଳକୁ ଆମ ଖଟିରେ ଗୋଟେ ଇଜେଲ ଓ ଇଜେଲରେ ଝୁଲୁଛି ଗୋଟେ ବଡ କାନଭାସ । ରଙ୍ଗତୂଳି ଧରି କେହିଜଣେ ଘୋଡାର ଚିତ୍ର ଆଙ୍କୁଛନ୍ତି । ପାଖରେ ଥିବା ପ୍ରଫୁଲ୍ଲ ଭାଇଙ୍କୁ କହୁଛନ୍ତି - ମୁଁ ହୁସେନ ଠାରୁ ଭଲ ଘୋଡା ଆଙ୍କିପାରେ । (ମାଇଁ ଷ୍ଟ୍ରୋକ୍ସ ଆର ବେଟର ଦେନ ହୁସେନ୍ସ) ବାବା, କି ଆତ୍ମବିଶ୍ଵାସ । ଏମଏଫ ହୁସେନଙ୍କ ତୁଳନାରେ ସେ ଯେ ବଡ କଳାକାର, ସେ ତ ଭିନ୍ନ କଥା, ହେଲେ ତାଙ୍କ ରେଖାରେ ପରିଚ୍ଛନ୍ନତା ବାରି ହୋଇ ପଡୁଛି । ଲାଗୁଛି, ସେ ଅଭିଜ୍ଞ ଚିତ୍ରକର । ପାଞ୍ଚ ମିନିଟରେ ପ୍ରସ୍ତୁତ ହୋଇଗଲା ତାଙ୍କର ଛବି । ବେଶ ପରିମିତ ଓ ପରିପକ୍ଵ ଛବି । ରଙ୍ଗ ଓ ରେଖାରେ ଦୌଡୁଥିବା ଘୋଡାର ଗତିଶୀଳ ଦେହ ।

ଲୋକଟା ଦେଖିବାକୁ ଅଦ୍ଭୁତ । ବାଙ୍ଗରା ଦାଢିଆ ବୟସ୍କ ଲୋକ । ଚଷମାର ଗୋଟେ ଫ୍ରେମ ଭଙ୍ଗା । ସୂତାରେ ବନ୍ଧା ହୋଇଛି । ଅଲରା ହୋଇ ଲଂବିଛି ଦାଢି ଓ ବାଳ । ପିନ୍ଧିଛନ୍ତି ଚିରି ଯାଇଥିବା ଗୋଟେ ଲମ୍ବା ଖଦଡ କୁର୍ତ୍ତା । ପେଣ୍ଟ କୁର୍ତ୍ତା ମଇଳା । ଆଖି ଦୁଇଟି କିନ୍ତୁ ବେଶ ଉଜ୍ଜଳ । ପ୍ରଫୁଲ୍ଲ ଭାଇ କହିଲେ - ଇଏ ଜଣେ ଚିତ୍ରକର ଓ ଲେଖକ । ସେ ଆନନ୍ଦରେ ହାତ ମିଳାଇଲେ । ସାଙ୍ଗେ ସାଙ୍ଗେ କହିଲେ ମୋର ଗୋଟେ ବହି କିଣନ୍ତୁ । ପାଖ ବେଞ୍ଚରେ ଥୋଇଥିବା ଝୁଲାମୁଣିରୁ ବାହାର କଲେ ଗୋଟେ ବହି । ଇଂରାଜୀରେ ଲେଖା – “ଦ ଫିଲୋସଫର କିଙ୍ଗ” । ରୋକଠୋକ ଦାବୀ - ବହିର ଦାମ ଅଢେଇ ଶହ ଟଙ୍କା । ମୁଁ କହିଲି, ମୋ ପାଖେ ୨୦୦ ଟଙ୍କା ଅଛି । ସେ କହିଲେ - ଚଳିବ । “ଆପଣ କିନ୍ତୁ ବହି ପଢି ନିଶ୍ଚୟ କହିବେ “ - ଗଲାବେଳେ ଏତକ କହି ସେ ଚାଲିଗଲେ ।

ତା ପର ଦିନ, ଦେଖୁ ଦେଖୁ ପଚାରିଲେ, ପଢିଲେ ମୋ ବହି । ସତ କହିଲେ, ତାଙ୍କ ବହି ପଢିବାର ସେମିତି କିଛି ଆଗ୍ରହ ମୋର ନଥିଲା । କେବଳ ତାଙ୍କ ମନ ରଖିବା କଥା । ବହିର ଇଂରାଜୀ ପୁରୁଣାକାଳିଆ । ବାକ୍ୟ ସବୁ ଆଖାଡୁଆ ଓ ଅନେକାଂଶରେ ଅର୍ଥହୀନ । ତାଙ୍କର କିନ୍ତୁ ଧାରଣା, ସେ ଏ ବହି ପାଇଁ ନୋବେଲ ପୁରସ୍କାର ନିହାତି ପାଇବା ଉଚିତ । ମୋତେ କହିଲେ, ଯଦି ନାଇପଲ ନୋବେଲ ପୁରସ୍କାର ପାଇଲା, ମୁଁ କାହିଁକି ନୁହେଁ । ମୋତେ ହସ ଲାଗୁଥିଲା, ହେଲେ ତାଙ୍କ ଗାମ୍ଭୀର୍ଯ୍ୟକୁ ବିଦ୍ରୁପ କରିବାକୁ ମୁଁ ଚାହୁଁ ନଥିଲି । ସେ ସବୁବେଳେ ନିଜକୁ ପୃଥିବୀର ଶ୍ରେଷ୍ଠମାନଙ୍କ ସହିତ ପ୍ରତିଯୋଗିତାରେ ଠିଆ କରାଉଥିଲେ । ତାଙ୍କ ନିଜ କଳ୍ପନାରେ ଚିତ୍ରକଳାରେ ଏମଏଫ ହୁସେନ ଓ ସାହିତ୍ୟରେ ଭିଏସ ନାଇପଲ ଥିଲେ ତାଙ୍କର ପ୍ରତିଯୋଗୀ । ସେ ନିଜକୁ ସେମାନଙ୍କ ସହିତ ରଖିଥିଲେ ଓ ସେମାନଙ୍କ ସହିତ କଳ୍ପନା ଜଗତରେ ଦୌଡୁଥିଲେ ।

ଆମେ ଭାବୁଥିଲୁ, ସେ ଟିକେ ଆଡ ବାଇଆ । ଆମର ପ୍ରତିକ୍ରିୟା, ଉପେକ୍ଷା ବା ବିଦ୍ରୁପ ତାଙ୍କ ଉପରେ କିଛି ପ୍ରଭାବ ପକାଉ ନଥିଲା । ସେ ତାଙ୍କର ଗପୁଥିଲେ, ଚା ପିଉଥିଲେ ଓ ଚାଲି ଯାଉଥିଲେ । ଏମିତି କିଛିଦିନ ଯିବା ଆସିବା କରିବା ଭିତରେ ସେ ଆମ ଲାଗି ଏକପ୍ରକାର “ଆଡବାୟା” ହୋଇ ଯାଇଥିଲେ । ତାରି ଭିତରେ ଆମେ ଜାଣିଥିଲୁ ଯେ ସେ ଦିଲ୍ଲୀର ପ୍ରସିଦ୍ଧ ସେଣ୍ଟ ଷ୍ଟିଫେନ୍ସ କଲେଜର ପୋଷ୍ଟ ଗ୍ରାଜୁଏଟ । ପ୍ରଫେସର ଥିଲେ । ଚିତ୍ରକଳାରେ ଉଚ୍ଚତର ତାଲିମ ପାଇଥିଲେ । ସିନେମାରେ ବି କିଛି କିଛି କାମ କରିଥିଲେ । କୋଡିଏ ବର୍ଷ ହେଲା ସବୁ ଛାଡିଛୁଡି ସେ ପୁରୁଣା ଭୁବନେଶ୍ବରର ନିଜ ଘରେ ଏକାକୀ ରହୁଛନ୍ତି । ତାଙ୍କୁ ଲାଗୁଛି, ସାରା ଜଗତ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛି । ତାଙ୍କଠୁ ତାଙ୍କର ପ୍ରାପ୍ୟ ଛଡେଇ ନିଆଯାଉଛି । ତାଙ୍କ ପୁରସ୍କାର ଆଉ କେହି ପାଇଯାଉଛି। ତାଙ୍କ ଛବିର ପଇସା ଆଉ କିଏ ମାରି ଖାଇଯାଉଛି । ସେ ପୃଥିବୀର ସର୍ବଶ୍ରେଷ୍ଠ ଶିଳ୍ପୀ ଓ ଲେଖକ । ସବୁ ଷଡଯନ୍ତ୍ରକାରୀ ଓ ଈର୍ଷାଳୁମାନଙ୍କୁ ସେ ଡରୁଥିଲେ । ତାଙ୍କର ଅଭିଯୋଗ ଥିଲା, ଏ ଦୁନିଆଁ ତାଙ୍କୁ ଚିହ୍ନି ପାରୁନି । ହେଲେ ତାଙ୍କୁ ନୋବେଲ ପୁରସ୍କାର ଦିନେ ନିଶ୍ଚୟ ମିଳିବ, ଏ ଆଶା ତାଙ୍କର ଅବଶ୍ୟ ରହିଥିଲା !!

ଏ ସବୁ ହୁଏତ ତାଙ୍କ ମାନସିକ ସ୍ଥିତି ବିଗିଡିଯିବାର ପରିଣତି ବୋଲି ଆମେ ଭାବିନେବା । ହେଲେ ପୃଥିବୀର ସବୁ କବି ଓ ଶିଳ୍ପୀ ତ ଏମିତି । ବାୟାପଣ ଭିତରେ ସରସ୍ଵତୀଙ୍କର ଗୋଟେ ବିଶେଷ ବସତି ସବୁବେଳେ ରହିଆସିଛି । ଶିଳ୍ପୀ ନିଜର ବାୟାପଣରେ ଏମିତି ନିଜକୁ ନିଃଶେଷ କରିଦିଏ । ଅଜିତ କୁମାର ବୀରଙ୍କ ବହିରେ ସେମିତି ଖାସ ଚମକ ଅବଶ୍ୟ ନଥିଲା । ହେଲେ ଚିତ୍ରକଳାରେ ତାଙ୍କର ଗୋଟେ କୁହୁକ ଚମକ ମୁଁ ଦେଖିଛି । ଗୁମ୍ଫା ଭଳି ତାଙ୍କର ଘର ଭିତରେ ଶହ ଶହ କାନଭାସ କୁଆଡେ ରହିଛି । ସେସବୁ ବି କଣ ତାଙ୍କ ଭଳି ମରିଯିବେ ?

ଅଜିତ ବୀରମାନେ ଏମିତି ଏକୁଟିଆ ଓ ଆଡବାୟା ହୋଇ ରହିବାକୁ ଜନ୍ମ ନେଇଥାନ୍ତି । ତାଙ୍କୁ ଚାହିଁଲେ ବି ଆମେ ସଂସାରୀ କରିପାରିବା ନାଇଁ । ସେମାନେ ଏ ସଂସାର ଲାଗି ଅଯୋଗ୍ୟ । ଏମିତି ବି ହୋଇପାରେ ଯେ ଏ ସଂସାର ସେମାନଙ୍କ ଲାଗି ଅଯୋଗ୍ୟ । ପରିତ୍ୟକ୍ତ, ଅଘରି ଓ ଏକବାଗିଆ ଶିଳ୍ପୀଟିଏ ଗୋଟେ ଘରକୁ ଗୁମ୍ଫା କରି ବଞ୍ଚିବ । ବଗିଚାକୁ ଜଙ୍ଗଲ କରିଦେବ ଓ ସୂର୍ଯ୍ୟକୁ ଅନ୍ଧାର ରଙ୍ଗରେ ରଙ୍ଗେଇବ । ସେ କେଉଁ ଏକ ପରିତ୍ୟକ୍ତ କୂଅ ଭିତରେ ପଡି, ପଚିସଢି ମରିବ । ଅଜିତ ବୀରଙ୍କ ଲାଗି ମରଣ ବି ଗୋଟେ ପ୍ରକାର ଜୀବନ । ସେ ଯେମିତି ବଞ୍ଚୁଥିଲେ, ସେଥିରେ ଏମିତି ମରିବା କିଛି ଗୋଟେ ଦୁର୍ଘଟଣା ନୁହେଁ ।

ହୁଏତ ସେ ଆଜି ଆମକୁ କହୁଥିବେ, ମୁଁ ତମମାନଙ୍କ ଭଳି କାଇଁ ମରିଥାନ୍ତି । ମୋ ମୃତ୍ୟୁର ବି ଗୋଟେ ଅଲଗା କାରିଗରୀ ଅଛି!!!