ପିଲାଙ୍କ ସହ ଏକ ସମନ୍ବିତ ଶିକ୍ଷଣ କ୍ଲାସ୍ - ୧

ଶିକ୍ଷାର ବିକଳ୍ପ ବ୍ୟବସ୍ଥାକୁ ନେଇ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।


ଫଟୋ - ସୁମିତ୍ରା ପାଢୀ

ବିଦ୍ୟାଳୟ ଜନ୍ମଦିନ ପରର ପ୍ରଥମ କ୍ଲାସ, ନର୍ସରୀରୁ ଆରମ୍ଭ କରି ଦଶମ ଶ୍ରେଣୀ ଯାଏ ସବୁ ପିଲା ବସି ରାଜାଠାରୁ ଗପ ଶୁଣୁଥାଆନ୍ତି । କିଛି ପିଲା ଆଜିର କ୍ଲାସ୍ ଟିକେ ନୂଆ ରକମର ହେବ ବୋଲି ଯଦିଓ ଅନୁମାନ କରିନେଇଥାଆନ୍ତି ଅନ୍ୟମାନେ କିନ୍ତୁ କିଛି ଜାଣିନଥାନ୍ତି । କେହି ବି କିନ୍ତୁ ଠିକ୍ କରି କିଛି ଜାଣିନଥାନ୍ତି ।

ଗତକାଲି ଯାଏ ଟିକିଏ ଭିନ୍ନ ପ୍ରକାରର ଚାଲିଥିଲା କ୍ଲାସ । ଆଠଟା ବେଳେ ବଡ ସାନ ସମସ୍ତେ ଏକାଠି ହୁଅନ୍ତି ଆଠଟା ରୁମ ଥିବା ଗୋଟେ ଗୋଲାକାର ବିଲଡିଂରେ । "'କ' ଦଳ ମୋ ସାଙ୍ଗରେ ପଡିଆକୁ ଆସ" ବା 'ଖ' ଦଳ ମୋ ପାଖକୁ ଆସ କହି ଡାକିନଉଥାନ୍ତି ବଡମାନେ ପିଲାମାନଙ୍କୁ । ସମୁଦାୟ ଚାରୋଟି ଦଳ ଥାଏ । ମୁଁ ସେଦିନ ଦୁଇଟି ଦଳ ପିଲାଙ୍କୁ ମୋ ପାଖକୁ ଆସିବାକୁ କହିଲି । ସେମାନେ ଖୁସି ହୋଇ ଦଉଡି ଆସି ମୋ ଚାରିପାଖେ ମହୁ ପୋକ ପରି ଘେରିଯାଇ ପଚାରିଲେ, “ତୁ ସତରେ ଆମ କ୍ଲାସ୍ ନେବୁ ତ ?” ମୁଁ 'ହଁ' ଭରିବାରୁ ଦଉଡାଦଉଡି କରି ଯାଇ ନିଜ ବହି ଖାତା ଧରି ଚାଲିଆସିଲେ ।

ଦୁଇଟି ଦଳର ପିଲା ମିଶି ହେଲେ ବାଇଶି ଜଣ । ସେମାନଙ୍କର ବୟସ ପୁଣି ଆଠରୁ ତେର ବର୍ଷ ଯାଏ । ଭାରତରେ ପ୍ରଚଳିତ ଗତାନୁଗତିକ ଶିକ୍ଷା ବ୍ୟବସ୍ଥା ଅନୁସାରେ ସେମାନେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପଢୁଥିବା ପିଲା । ଅର୍ଥାତ୍ ଛଅଟି ଶ୍ରେଣୀର ପିଲା ଏକାଠି ବସିଲେ ।

ମୁଁ, ମୋର ଜଣେ ସହଯୋଗୀ ଶିକ୍ଷକ ଓ ସମସ୍ତ ପିଲା ଗୋଲ କରି ବସିଗଲୁ ବିଲଡିଂ ମଝିରେ ଥିବା ସେଇ ଖୋଲା ପ୍ରାଙ୍ଗଣ ଚାରିକଡରେ । ପ୍ରଥମେ ଖେଳିବା ଲାଗି ପିଲାଙ୍କର ଆଗ୍ରହ ଦେଖ୍ ମୁଁ ପଣ୍ଡିତ ଖେଳଟି ଆରମ୍ଭ କଲି । ଭାଷାର ମାଧ୍ୟମ କିନ୍ତୁ ଇଂରାଜୀ ଥିଲା ଖେଳରେ । ମୁଁ left କହିଲା ବେଳକୁ କିଏ right ବୁଝୁଥାଏ ତ କିଏ right କହିଲା ବେଳେ left । ଖେଳଟିରେ ମୁଁ କେବଳ body parts ସବୁ ଦେଖାଇବାର ସୂଚନା ଦେଉଥାଏ । Eye, nose, knee କି upper lip ର ସୂଚନା ଦେବାବେଳେ କିଏ ୟାକୁ ତାକୁ ଅନାଉଥାଏ ତ କିଏ ଦ୍ବନ୍ଦରେ କିଛି କରିନପାରି ଠିଆ ହୋଇ ଯାଉଥାଏ । ଆଉ କିଏ ମୁଁ ଭୁଲ୍ ଭାଲ୍ କରି ଦେଖାଉଥିବା ସୂଚନା ଗୁଡିକୁ ଦେଖ୍ ଭୁଲ୍ କରିପକାଉଥାଏ । ସବୁଠୁ ଖୁସିର କଥାଟି ହେଲା, ଶେଷ ଯାଏଁ ଯେଉଁ ପିଲାଟି ସବୁ ସୂଚନାକୁ ଠିକ୍ ଠିକ୍ ଭାବେ ଦର୍ଶାଇ ରହିଥିଲା, ସେ ଥିଲା ସବୁଠୁ ତଳ age groupର ଅର୍ଥାତ୍ ଆଠ ବର୍ଷର ଝିଅଟି । ଖେଳ ସରୁସରୁ କିଛି ପିଲା ଝରକା ବାଟେ ବାହାରକୁ ଅନେଇଥିବାର ଦେଖି ପଚାରିଲି, କ'ଣ ସବୁ ଦିଶୁଛି କି ବାହାରେ ? "ସମସ୍ତେ ଏକସଙ୍ଗେ କହିଉଠିଲେ, "ଘାସ, ସବୁଜ ଗଛ, ବଡ ବଡ ଗଛ, ବୁଦା ଗଛ ଇତ୍ୟାଦି । ଏବଂ ନିଜ ନିଜ ଭିତରେ ଟଣାଓଟରା ଲାଗିସାରି ସବା ଶେଷରେ ମୋତେ ଏକାସଙ୍ଗେ ଯେଉଁଟା କହିଲେ ସେଇଟା ଥିଲା ସବୁଜ ଗଛ" । ମୋର ପରବର୍ତ୍ତୀ ପ୍ରଶ୍ନ ଥିଲା “ଆମର ଯେମିତି parts of bodyକୁ ଚିହ୍ନାଇଲ ଗଛର ବି କ'ଣ ସେମିତି ଅଛି କି ?" ସମସ୍ତେ ଜୋରରେ 'ହଁ ' ବୋଲି କହିଲାରୁ ଆମେ ସମସ୍ତେ ସେଇ ଗୋଲରେ ବସି ଗୋଟିଏ ଲେଖାଏଁ ଗଛର ଅଙ୍ଗପ୍ରତ୍ୟଙ୍ଗ ନାଁ କହିଚାଲିଲୁ । ଜଣେ କହିସାରିଥିବା ଶବ୍ଦକୁ କେହି ପୁନରାବୃତ୍ତି କରୁନଥା'ନ୍ତି । କେହି ଯଦି ଭୁଲ୍‌ରେ ବି କହିଦେଉଥାଏ ସମସ୍ତେ "ଏଇଟା ସରିଛି" କହି ଚିଲାଉଥାନ୍ତି । ତେଣୁ ମୋତେ ଆଉ ଖେଳର ନିୟମଟେ ତିଆରି କରି "ଏଇ ସବୁ କଥା ହେବନି ବୋଲି କହିବାକୁ ପଡିନାହିଁ । କହିବାର ଏହି ଅବସରଟି ପାଇବା ଭିତରେ ଶବ୍ଦ ବିଷୟରେ କିଛି ଧାରଣା ଆସିଗଲା ସମସ୍ତଙ୍କର, ଏଥିର ଆମେ ସାଙ୍ଗ ହେଇ ବସିଗଲୁ ଗଛ ସଂପର୍କିତ ଶବ୍ଦ ସବୁ ଲେଖିବାରେ, ଦଶ ମିନିଟ୍ ଭିତରେ ସର୍ବାଧୂକ ଏକାଅଶୀଟି ଶବ୍ଦ ଯାଏ ପିଲାଏ ଲେଖିଦେଲେ । କେତେ ଶବ୍ଦ ଲେଖିଲେ ସେଇଟା ଯେତେ ଗୁରୁତ୍ବପୂର୍ଣ୍ଣ ନଥିଲା, ତାଙ୍କର ଆଗ୍ରହରେ ଲାଗିରହିବାଟା ସେତେ ଗୁରୁତ୍ବପୂର୍ଣ୍ଣ ଥିଲା ।

ଲେଖିସାରିବା ପରେ ଆରମ୍ଭ ହେଲା ପଢିବା ପର୍ଯ୍ୟାୟ। ପ୍ରଥମ ଛଅ ଜଣ ପିଲା ନିଜ ନିଜ ଶବ୍ଦ ସବୁ ପଢିବା ବେଳେ ଅନ୍ୟମାନେ କେଉଁ ଶବ୍ଦଗୁଡିକ ଗଛ ସଂପର୍କିତ ନୁହେଁ ବା କେଉଁଗୁଡିକ ପୁନରାବୃତ୍ତି ହୋଇଯାଉଛି ସେଗୁଡିକ କହୁଥିଲେ । ଏ କାମଟି ବି ଆଗ୍ରହୋଦ୍ଦୀପକ ଭାବେ ଚାଲିଥିଲା । ତିନି ଜଣ ପିଲା, ଯେଉଁମାନେ ସବୁବେଳେ ଭଲ କୁହନ୍ତି, ପଢନ୍ତି, ଲେଖନ୍ତି ବୋଲି ନାଁ ଡାକ ଥିଲା ଓ ସେମାନେ ହିଁ ଅଧିକ ଜାଣିଛନ୍ତି ବୋଲି ଭାବନ୍ତି ସେଇମାନେ ହିଁ ବେଶୀ ଆଗ୍ରହରେ ତ୍ରୁଟିଗୁଡିକ ବାଛିବାରେ ଲାଗିପଡ଼ିଲେ, ଯଦିଓ ସେମାନେ ମାତ୍ର ତିରିଶରୁ ଚାଳିଶି ଭିତରେ ଶବ୍ଦ ଲେଖିଥିଲେ । ସବୁଠୁ ଅଧିକ ଶବ୍ଦ ଲେଖିଥିବା ପିଲାଟି ଯଦିଓ ସବୁଠୁ ବଡ ଶ୍ରେଣୀର ପିଲା ଥିଲା, ସେ କିନ୍ତୁ ନିଜ ବିଦ୍ୟାଳୟ କି ବାପା - ମାଆଙ୍କ ନାଁ ବି ଠିକ୍‌ରେ ଲେଖିପାରେନି । ସ୍ଥିର ହୋଇ କ୍ଲାସରେ ବି କେବେ ବସେନି । ତେଣୁ ଶିକ୍ଷକମାନଙ୍କର ହିଟ୍ ଲିଷ୍ଟରେ ଥାଏ ସେ । ପଢା ସରିବା ପରେ ସମସ୍ତେ ତିନୋଟି ଦଳରେ ଭାଗ ହୋଇଗଲୁ । ୫୦ରୁ ଅଧିକ ଶବ୍ଦ ଲେଖିଥିବା ପିଲାଙ୍କୁ (ଛଅ ଜଣ) ନେଇ ପ୍ରଥମ ଦଳ, ୪୦ ରୁ ୫୦ ଭିତରେ ଲେଖିଥିବା ପିଲାଙ୍କୁ (ନଅ ଜଣ) ନେଇ ଦ୍ଵିତୀୟ ଦଳ ଓ ୩୦ ରୁ ୪୦ ଶବ୍ଦ ଲେଖିଥିବା ପିଲାଙ୍କୁ (ସାତ ଜଣ) ନେଇ ତୃତୀୟ ଦଳର ଗଠନ ହେଲା । ପିଲାଙ୍କୁ କିଛି ସୂଚନା ନଦେଇ A4 ସାଇଜ୍‌ର କାଗଜ, କୁନି କୁନି ପାଣି ରଙ୍ଗ ଡବାରେ ଅଠା, କଇଁଚି ସବୁ ବାଣ୍ଟିଦେଲି । ଏତକ ପାଇଯାଇ ସେମାନେ ଚିଲେଇଲେ ଚିତ୍ର କରିବେ ବୋଲି । ମୁଁ "କି ପ୍ରକାର ଚିତ୍ର ଆଙ୍କିବ” ବୋଲି ପଚାରିବାରୁ ସେମାନେ "ଗଛ" ବୋଲି କହିଲେ । ମୁଁ ପ୍ରସ୍ତାବ ଦେଲି, “ଚିତ୍ର ତ ସବୁବେଳେ କରୁଛ, ଆଜି ବି ତୁମେ କହିବା ଅନୁସାରେ ଗଛ ଚିତ୍ର ହିଁ ଆଙ୍କିବ । ସେଗୁଡିକୁ ବିଭିନ୍ନ ତ୍ରିଭୁଜ, ବର୍ଗକ୍ଷେତ୍ର, ଆୟତକ୍ଷେତ୍ର ମଝିରେ ଆଙ୍କିଲେ କେମିତି ହୁଅନ୍ତା ?" ସମସ୍ତେ ଖୁସିରେ ହଁ ଭରିଲେ । ପିଲାଙ୍କର ମତାମତ ଓ ମୋ ସହ ଆଲୋଚନା ପରେ ଆମେ ସ୍ଥିର କଲୁ ଯେ , A4 ସାଇଜ୍ କାଗଜଟିରେ ତ୍ରିଭୁଜ, ବର୍ଗକ୍ଷେତ୍ର, ଆୟତକ୍ଷେତ୍ର ଗୁଡିକ ଏମିତି ଆଙ୍କିବୁ, ଯେମିତି କି ଖାଲି ଜାଗା ଆଉ ବଳିପଡିବନି । ଏବଂ ଚିତ୍ର ସାରି ରଙ୍ଗ ଦେବା ପରେ ଏହି shape ଗୁଡିକୁ କଇଁଚିରେ କାଟି ଅନ୍ୟ ଗୋଟିଏ କାଗଜରେ ଏମିତି ଭାବରେ ଲଗାଇବୁ ଯେ କେଉଁଠି ବି ଦ୍ବିତୀୟ କାଗଜଟିର ଧଳା ଅଂଶ ଦେଖାଯିବନି ।

ଏତକ କଥା ସ୍ଥିର କରିସାରି ବଡ - ସାନ ସଭିଏଁ ଲାଗିପଡ଼ିଲୁ ଚିତ୍ର ଆଙ୍କିବାରେ । ସାନ ପିଲାମାନେ ତାଙ୍କଠୁ ଟିକେ ବଡ ପିଲାଙ୍କର ଓ ବଡମାନେ ମଧ୍ୟ ସାନମାନଙ୍କର ସହଯୋଗ ନେଉଥା'ନ୍ତି ମଝିରେ ମଝିରେ; କେତେବେଳେ ବର୍ଗକ୍ଷେତ୍ର ବା ତ୍ରିଭୁଜକୁ ସ୍କେଲରେ ମାପିବେ ବୋଲି ତ କେତେବେଳେ ସବୁଗୁଡ଼ିକୁ କଇଁଚିରେ କାଟିଦେଇସାରି ଅନ୍ୟ କାଗଜରେ ଲଗାଇବେ କେମିତି ଜାଣିନପାରି । ସମସ୍ତଙ୍କ ହାତରେ ସ୍କେଲ୍, ପେନ୍‌ସିଲ୍, ରବର୍ ଥାଏ । ଆଉ କେତେଜଣ ସେଟ୍ସସ୍କୋୟାର ପକାଇ ଖୁବ୍‌ ସହଜରେ ଆଙ୍କିଦେଉଥାନ୍ତି ତ୍ରିଭୁଜ, ସ୍କେଲରେ ବାହୁଗୁଡିକ ମାପି ଲେଖୁଥାଆନ୍ତି ବି ସମସ୍ତେ । ମାପଚୁପ ସାରି ସମସ୍ତେ ଲାଗିପଡିଲେ ଗଛ ଆଙ୍କିବାରେ । କେତେଜଣ ପଚାରିଲେ ସବୁ ଏକା ପ୍ରକାରର ଗଛ (ବର, ଓସ୍ତ, କାମ, ଆକାଶି ) କ'ଣ ଆଙ୍କିବୁ ? ଏମିତି ହେଲେ ତ ସବୁ ଚିତ୍ର ଏକା ଭଳି ଦିଶିବ, କିଛି ଜଣାପଡିବନି । "ତେବେ ଅଲଗା କ'ଣ କରିପାରିବ ଭାବୁଛ ?" ବୋଲି ପଚାରିଦେଇ ମୁଁ ରହିଗଲି । ପିଲାଙ୍କୁ ସବୁବେଳେ ଭାବିବାକୁ ଦେବା, ନିଜ ସମସ୍ୟାର ସମାଧାନ ବାହାର କରିବାକୁ ଦେବାରେ ମୁଁ ବିଶ୍ବାସ କରେ ।