ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୫)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ସୁକନ୍ୟାର ବିଛଣାରେ ସ୍ନେହା ଆଖିବୁଜି ପଡ଼ିଥିଲେ । ତାଙ୍କୁ ନିଦ ହେଉନଥିଲା । ସୁକନ୍ୟାର ନିଦ ଭାଙ୍ଗିସାରିଥିଲା । ସେ ଆଉ ଶୋଇବାକୁ ଚାହୁଁନଥିଲା । ସ୍ନେହାଙ୍କ ଆଡ଼କୁ ମୁହଁ ବୁଲେଇ ସୁକନ୍ୟା କହିଲା, "ମମି, ମୋତେ ନିଦ ଲାଗୁନି । ମୁଁ ଯାଉଛି ଡ୍ରଇଂ ରୁମ୍ ରେ ଇତିହାସ ପଢ଼ିବି । ଆଜି କୋଚିଂରେ ଇତିହାସ ରିଭିଜନ୍ ହେବ ଆଉ ପଚରାଯିବ । ତୁମେ ଶୋଇଥାଅ, ମୁଁ ଯାଉଛି ।"

ସୁକନ୍ୟା କବାଟ ଠେଲି ଡ୍ରଇଂ ରୁମ୍ କୁ ଚାଲିଆସିଲା ଓ ତା' ପଛେ ପଛେ ସ୍ନେହା ଉଠିଆସିଲେ । ମାଧବୀ ସେତେବେଳକୁ ଦାଣ୍ଡ କବାଟ ଖୋଲି ଗେଟ୍ ପାଖରେ ଯାଇ ଠିଆ ହେଲେଣି । ସ୍ନେହା ତାଙ୍କୁ ଦୀପୁ କଥା ପଚାରିବାରୁ ସେ କହିଲେ, "ଦୀପୁ ଶୋଇଛି, ମୁଁ କବାଟ ଆଉଜେଇଦେଇ ଆସିଛି।"

ସୁକନ୍ୟା ଓ ସ୍ନେହା ମଧ୍ୟ ମାଧବୀଙ୍କ ପାଖକୁ ଯାଇ ଠିଆ ହେଲେ । ସେଦିନ ଭୋରୁ କଲୋନୀର ପ୍ରାୟ ସମସ୍ତଙ୍କ ଘର କବାଟ ଖୋଲିସାରିଥିଲା । କିଛି ଲୋକ ଆଗକୁ ଯାଉଥିଲେ ଓ କିଛି ଲୋକ ନିଜ ଘରକୁ ଫେରୁଥିଲେ । ଯେଉଁ ପଡୋଶୀମାନେ ଫେରୁଥିଲେ ସେମାନେ ପରସ୍ପର ଭିତରେ କଥାବାର୍ତ୍ତା ହେଉଥିଲେ, "ଏଇଟା ବିଲକୁଲ ମର୍ଡର୍ ନୁହେଁ । ହଣ୍ଡ୍ରେଡ୍ ପରସେଣ୍ଟ୍ ସୁସାଇଡ୍ ।" ଆଉ କେହି କେହି କହୁଥିଲେ, "କ'ଣ କଲା ଚଣ୍ଡାଳି ? ପୁଅ ତ ଏତେ ବଡ଼ ହେଇଯାଇଥିଲା, ଆଉ କିଛି ଦିନ ଅପେକ୍ଷା କରିଥିଲେ ସବୁ ଠିକ୍ ହେଇଯାଇଥାନ୍ତା ।"

ସକାଳୁ ସକାଳୁ ପୁଲିସ୍ ଗାଡି ଓ ଆମ୍ବୁଲାନ୍ସ୍ ଆସି ପହଞ୍ଚିଲା । ପ୍ରତିମାଙ୍କ ନିଷ୍ପ୍ରାଣ ଶରୀରକୁ ଗାଡିରେ ଉଠାଇ ନିଆଗଲା । କ୍ଷୀରୋଦ୍ ଙ୍କୁ ପୁଲିସ୍ ସହ ଯିବାକୁ ପଡିଲା । ବିକି ତାର ମାମୁଁ ଓ ଅଜାଙ୍କ ପାଖରେ ବସି କାନ୍ଦୁଥିଲା । କ୍ଷୀରୋଦ୍ ଓ ତାଙ୍କ ସମ୍ପର୍କୀୟମାନେ ସବୁ ଫର୍ମାଲିଟିଜ୍ ପୂରଣ କରି ଫେରିଆସିଲା ପରେ ପ୍ରତିମା ସ୍ୱର୍ଗଦ୍ୱାରକୁ ଶେଷଯାତ୍ରା କଲେ ।

ସୁକନ୍ୟା ଏକଦମ୍ ଗୁମସୁମ୍ ହେଇଯାଇଥିଲା । ଶେଷଥର ପାଇଁ ପ୍ରତିମା ଆଣ୍ଟିଙ୍କ ସହ ସେ ହୋଇଥିବା କଥା ତା'ର ମନେପଡିଯାଉଥିଲା । ସେ ଅସହାୟ ଆଖି ଦୁଇଟି ତାକୁ ବାରମ୍ବାର ତା' ଆଖପାଖରେ ଦିଶିଯାଉଥିଲା । ସେଦିନ ସନ୍ଧ୍ୟାରେ ସୁକନ୍ୟା ସ୍ନେହାଙ୍କୁ କହିଲା, "ମମି, ମୁଁ ଆଉ କୋଚିଂକୁ ଯିବିନି । ଘରେ ରହି ପଢ଼ିବି ।"

-- ନା ନା, କୋଚିଂ ଯାଆ । ସେଠିକୁ ଗଲେ ପଢିବାରେ ଆଗ୍ରହ ରହୁଛି । ଆଉ ତ ଅଳ୍ପଦିନ ରହିଲା । ଯାଉଥାଆ ।

-- ମମି ଯିବାରେ ଅସୁବିଧା ନାହିଁ, କିନ୍ତୁ ମୋତେ ଏକ୍ଲା ଫେରିବାକୁ ଡର ଲାଗୁଚି ।

-- ଡର ? ଏଠି ଡର କ'ଣ ? ତୁ ତ ସନ୍ଧ୍ୟାରେ ଫେରିଆସୁଛୁ !

-- ହଁ, ତଥାପି ଡର ଲାଗୁଛି ।

-- କାହଁକି ? କୋଚିଂରୁ କେହି ତୋ ପିଛା କରୁଛି କି ?

-- ନା ମମି, ପ୍ରତିମା ଆଣ୍ଟି ମନେପଡ଼ୁଛନ୍ତି ।

-- ହେତ୍, ବେକାର୍ କଥା କହନି । ହଉ ଯଦି ତୁ ଡରୁଛୁ ମୁଁ ତୋର ଛୁଟି ବେଳକୁ ଚାଲିଯିବି ତୋ ଇନଷ୍ଟିଚ୍ଯୁଟ୍ ପାଖକୁ । ହେଲା ।

-- ହଉ ଠିକ୍ ଅଛି ମମି ।

ମାଟ୍ରିକ୍ ପରୀକ୍ଷା ପାଖେଇ ଆସିଲା । ସୁକନ୍ୟା ପଢ଼ାପଢି କରୁଥିଲା । କୋଚିଂ ସେଣ୍ଟର୍ ବି ଯାଉଥିଲା, କିନ୍ତୁ ଗଲା ଆସିଲା ବେଳେ ସେ ପ୍ରତିଥର ନିଜ ଅଜାଣତରେ ପ୍ରତିମାଙ୍କ ଘର ଆଡ଼କୁ ଅନେଇ ଦେଉଥିଲା । ତାକୁ ଲାଗୁଥିଲା ପ୍ରତିମା ଘର ଭିତରେ ଅଛନ୍ତି ଓ ସୁକନ୍ୟାକୁ ଦେଖି ବାହାରକୁ ବାହାରି ଆସି ପଚାରୁଛନ୍ତି, "ମାଆରେ ଏତିକି ଟିକେ ବୁଝିକି କହିବୁ ପ୍ଲିଜ୍ ।" ସେଇଠି ସୁକନ୍ୟା ଆଖି ବୁଜି ଦେଉଥିଲା ।

ପ୍ରତିମା ଗୋଟାଏ ବୋତଲ୍ ବିଷ ଶେଷ କରି ଦେଇ ନିରବରେ ଶୋଇପଡିଥିଲେ । ଗୀତାଞ୍ଜଳିକୁ କି ଅମୃତ ମିଳିଲା ଜଣାନାହିଁ । ସେ ସେହି ଅଳ୍ପ କିଛି ଦିନ ଭିତରେ କୋଚିଂ ସେଣ୍ଟରର ରିସେପ୍ସନିଷ୍ଟ୍ ଚାକିରି ଛାଡ଼ି, ସେ ସହର ଛାଡ଼ି ଚାଲିଗଲା ।

ପ୍ରତିମାଙ୍କ ଘରେ ପୂର୍ବପରି ସନ୍ଧ୍ୟା ନହେଉଣୁ ଆଲୁଅ ଜଳୁଥିଲା । ବିକି ତାଙ୍କ ଘର ଆଗ ଚଉଁରାରେ ତା' ମାଆ ଭଳି ସଞ୍ଜବତୀ ଥୋଉଥିଲା, ବାରଣ୍ଡାରେ ବହି ଧରି ବସୁଥିଲା, ଗେଟ୍ ପାଖରେ ଠିଆ ହୋଇ ଆକାଶକୁ ଦେଖୁଥିଲା । କ୍ଷୀରୋଦ୍ ସ୍କୁଟର୍ ଧରି ଅଫିସ୍ ଯାଉଥିଲେ । ହୋଟେଲରୁ ଭାତ, ଡାଲି, ତର୍କାରୀର ପାର୍ସଲ୍ ଧରି ଫେରୁଥିଲେ ।

ଦିନେ ଖରାବେଳେ ଭୂପେଶ୍ ର ମାଆ ମିନାକ୍ଷୀଦିଦି ତାଂକ ବଡ଼ପୁଅ ରାକେଶ୍ କୁ ସାଙ୍ଗରେ ଧରି କ୍ଷୀରୋଦଙ୍କ ଘରେ ଆସି ପହଞ୍ଚିଲେ । ବିକି ଗୋଟେ ବଡ଼ ବ୍ୟାଗ୍ ଧରି ସେମାନଙ୍କ ସହ ବାହାରିଗଲା । ବିକି ଗଲାବେଳକୁ କ୍ଷୀରୋଦଙ୍କ ସହ ମିନାକ୍ଷୀଙ୍କର ବହୁତ ପାଟିଗୋଳ ହେଲା । ପଡୋଶୀ ନିନାମାଉସୀ କହୁଥିଲେ ପ୍ରତିମା ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ବଡ଼ଯା' ମିନାକ୍ଷୀଙ୍କୁ ଫୋନ୍ କରିକହିଥିଲେ ବିକିର ଦାୟିତ୍ୱ ନେବାପାଇଁ । ସେ ଗୋଟେ ଚିଠି ମଧ୍ୟ ମିନାକ୍ଷୀଙ୍କୁ ପଠେଇଥିଲେ, ଯେଉଁଥିରେ ସେ ଲେଖିଥିଲେ, "ନାନୀ ମୁଁ ତୁମ ଭଳି ଭଲ ମାଆ ହେଇପାରିଲିନି । ବିକିକୁ ଏକା ଛାଡ଼ି ଚାଲିଯାଉଛି । ସେ ତା ବାପା ପାଖରେ ରହିଲେ ତା'ର ଭବିଷ୍ୟତ ଅନ୍ଧାର ହେଇଯିବ । ତୁମେ ପ୍ଲିଜ୍ ତାକୁ ତୁମ ପାଖକୁ ନେଇଯିବ । ଭୂପେଶ୍, ରାକେଶ୍ ଙ୍କ ଭଳି ସେ ବି ତୁମର ଆଉ ଗୋଟେ ପୁଅ, ଏୟା ଭାବି ତାକୁ ତୁମ ଅନୁଶାସନ ଭିତରେ ରଖିବ । ବ୍ୟସ୍ତ ହେବନି, ତା'ର ଯାବତୀୟ ଖର୍ଚ୍ଚ ତୁମ ଦିଅର ହିଁ କରିବେ । ମୁଁ ସବୁ ବ୍ୟବସ୍ଥା କରିଦେଇ ଯିବି ।" ନିନା କହୁଥିଲେ ମିନାକ୍ଷୀ ସେ ଚିଠିକୁ କ୍ଷୀରୋଦଙ୍କୁ ଦେଖେଇ କହିଲେ, "ବିକିକୁ ମୋ ସାଙ୍ଗରେ ଭଲରେ ଭଲରେ ଯିବାକୁ ଦିଅ, ନଚେତ୍ ଏ ଚିଠି ଯିବ ଥାନାକୁ ।"

ସ୍ନେହା ଆଶ୍ଚର୍ଯ୍ୟ ହେଲେ ଏ ଚିଠି ବାବଦରେ ଜାଣି । ଯେଉଁ ପ୍ରତିମା ମିନାକ୍ଷୀଙ୍କୁ ଚରିତ୍ରହୀନା କହି ଆତ୍ମସନ୍ତୋଷ ପାଉଥିଲେ ସେହି ପୁଣି ଆତ୍ମହତ୍ୟା କରିବା ପୂର୍ବରୁ ନିଜ ଏକମାତ୍ର ପୁଅକୁ ତାଙ୍କରି ହାତରେ ଟେକି ଦେଇ ଚାଲିଗଲେ ! ସ୍ନେହା ମନେ ମନେ କହିହେଲେ, "ପ୍ରତିମା ତେବେ ନିଶ୍ଚୟ ଜାଣିଥିଲେ ମିନାକ୍ଷୀ କେତେ ଦକ୍ଷ ମାଆ ।"

ସୁକନ୍ୟାର ପରୀକ୍ଷା ମୁଣ୍ଡ ଉପରେ । ଘରେ ଟିଭି ବନ୍ଦ, ବଡ଼ ପାଟିରେ କଥାବାର୍ତ୍ତା ହେବା ବନ୍ଦ, ମାର୍କେଟ୍ ଆଡ଼େ ବୁଲିଯିବା ବନ୍ଦ । ପରୀକ୍ଷା ପନ୍ଦର ଦିନ ଆଗରୁ ସୁବ୍ରତ ଆସି ଘରେ ପହଞ୍ଚିଲେ । ସୁକନ୍ୟାକୁ ପରୀକ୍ଷାରେ ଭଲ କରିବାର ବିଭିନ୍ନ ଉପାୟ ବତାଇଲେ । ମାର୍କେଟ୍ ଯାଇ ସୁକନ୍ୟା ପାଇଁ ନୂଆ ପେନ୍, ପେନସିଲ୍ ଆଉ କିଛି ଦର୍କାରୀ ଜିନିଷ ନେଇଆସିଲେ । ସୁକନ୍ୟାର ପରୀକ୍ଷା ସେଣ୍ଟର୍ ଯେଉଁଠି ଥିଲା ତାହା ପ୍ରମୋଦଙ୍କ ଘରଠାରୁ ପାଞ୍ଚ କିଲୋମିଟର ଓ ସୁକନ୍ୟାର ମମିଙ୍କ କ୍ୱାର୍ଟର୍ସ୍ ଠାରୁ ନଅ କିଲୋମିଟର ଦୂର । ସୁକନ୍ୟା କିନ୍ତୁ ଆଦୌ ରାଜିନଥିଲା ପ୍ରମୋଦ ମାମୁଁଙ୍କ ଘରେ ରହି ପରୀକ୍ଷା ଦେବା ପାଇଁ । ସୁବ୍ରତ ତାଙ୍କର ଜଣେ ସାଙ୍ଗ ପାଖରୁ ବାଇକ୍ ଟେ ମାଗିଆଣିଲେ ଓ ସୁକନ୍ୟାକୁ ପରୀକ୍ଷା ସେଣ୍ଟରକୁ ସେହି ବାଇକରେ ବସେଇ ନେବା ଆଣିବା କଲେ ।

ସବୁଦିନ ସକାଳ ନଅ ପୂର୍ବରୁ ସୁକନ୍ୟାକୁ ସୁବ୍ରତ ସେଣ୍ଟରରେ ପହଞ୍ଚେଇ ଦେଉଥିଲେ । ସୁକନ୍ୟାର ସ୍କୁଲର ରୋଜି, ଭୂପେଶ୍ ଓ ଆଉ କିଛି ପିଲା ଗୋଟେ କାର୍ ଭଡ଼ା କରି ପରୀକ୍ଷା ଦେବାକୁ ଆସୁଥିଲେ । ଆଉ ଅନ୍ୟ ପିଲାମାନେ ବାଇକ୍ ଓ ଅଟୋରେ ଯିବା ଆସିବା କରୁଥିଲେ ।

ସୁକନ୍ୟାର ସବୁ ପରୀକ୍ଷା ଭଲ ହେଉଥିଲା । ସୁକନ୍ୟାର ଦୁଇଟି ବେଞ୍ଚ୍ ଆଗରେ ରୋଜିର ସିଟ୍ ପଡିଥିଲା । ରୋଜି ପାଖରୁ ଇତିହାସ ପରୀକ୍ଷା ଦିନ ଗୋଟେ ଚିରକୁଟି ମିଳିଲା । ତାକୁ ତାର କାର୍ଡ୍ ମଗାହେଲା । ସେ ଭୟରେ ଆଉ ଗୋଟେ କାଗଜ ପଛକୁ ପକେଇଦେଇଥିଲା । ସେହି କାଗଜଟି ଉଡ଼ିଆସି ସୁକନ୍ୟାର ଗୋଡ଼ ପାଖରେ ପଡିଲା । ଚେକିଂ ବେଳେ ସୁକନ୍ୟାଠାରୁ ମଧ୍ୟ ତା'ର କାର୍ଡ୍ ନିଆଯାଇଥିଲା । କିନ୍ତୁ ସୁକନ୍ୟାକୁ ସେତେବେଳେ ସେ ସେଣ୍ଟରର ପ୍ରାୟ ସମସ୍ତ ପରୀକ୍ଷକ ଜାଣିସାରିଥିଲେ ଯେ ସେ ଖୁବ୍ ଭଲ ଷ୍ଟୁଡେଣ୍ଟ୍ । ସୁକନ୍ୟାର କଥାକୁ ବିଶ୍ୱାସ କରି ତାକୁ ତା'ର କାର୍ଡ୍ ସେମାନେ ଫେରେଇଦେଲେ । କିନ୍ତୁ ରୋଜିକୁ ଫେରେଇଲେନି । ରୋଜି ବହୁତ କାନ୍ଦିଲା ପରେ ତାକୁ ଫେରେଇଲେ ତା' କାର୍ଡରେ ମାଲ୍ ପ୍ରାକ୍ଟିସ୍ ଉଲ୍ଲେଖ ନକରି ।

ଶେଷ ପରୀକ୍ଷା ଦିନ ସ୍କୁଲର ସବୁ ପିଲାଙ୍କର ସେହି ସେଣ୍ଟର୍ ଆଗରେ ଗୋଟେ ଗ୍ରୁପ୍ ଫୋଟୋ ଉଠାଗଲା । ସମସ୍ତେ ବହୁତ କନ୍ଦାକଟା କଲେ । ସୁକନ୍ୟା ଓ ରୋଜି ମଧ୍ୟ ପରସ୍ପରକୁ ଧରି କାନ୍ଦିଲେ । ସୁକନ୍ୟା ରୋଜିକୁ ତା' ବାପାଙ୍କ ସହ ପରିଚୟ କରେଇଦେଲା । ପରୀକ୍ଷା ପରେ ସେମାନେ ସମସ୍ତେ ସେହି ସ୍କୁଲ୍ ପାଖ ଗୋଟେ ଛୋଟ ହୋଟେଲରେ ସାଙ୍ଗ ହୋଇ ଖାଇସାରିଲା ପରେ ନିଜ ନିଜ ଘରକୁ ଫେରିଲେ ।

ପରୀକ୍ଷା ସରିଲା ପରେ ସୁକନ୍ୟାର ପରିବାର ପୁରୀ, କୋଣାର୍କ ବୁଲିବାକୁ ଗଲେ । ସ୍ନେହା ଅନେକ ଦିନ ପରେ ଦୀପୁକୁ ଧରି ତାଙ୍କ ବାପଘରକୁ ଦୁଇଦିନ ପାଇଁ ଗଲେ । ସୁକନ୍ୟା କିନ୍ତୁ ସୁବ୍ରତଙ୍କ ସହ ଘରେ ରହିଲା ଓ ପ୍ଲସ୍ ଟୁ ସାଇନ୍ସ୍ ପଢ଼ିବାକୁ ଇଚ୍ଛା କରି ଆଗୁଆ ଟ୍ୟୁସନ୍ ହେବା ପାଇଁ ବାପାଙ୍କ ସହ କୋଚିଂ ସେଣ୍ଟର୍ ଯାଇ ବୁଝାବୁଝି କଲା ।

ସୁବ୍ରତ୍ ଆସାମ୍ ଫେରିଗଲେ । ସୁକନ୍ୟା ଘରଠାରୁ ଅଳ୍ପ ଦୂର ଏକ କୋଚିଂ ସେଣ୍ଟରକୁ ସମର୍ କୋର୍ସ୍ କରିବାକୁ ଗଲା । ପ୍ରତିଦିନ ଲାଇନ୍ ଅଟୋରେ ଯିବା ଆସିବା କରେ । ତାକୁ ନୂଆ କୋଚିଂ ଯିବାର ବାର ଦିନ ହେଇଛି, ସେ ଦେଖିଲା ଭୂପେଶ୍ ମଧ୍ୟ ସେହି ଇନଷ୍ଟିଚ୍ଯୁଟ୍ ଜଏନ୍ କରିଛି ।

ଦିନେ ସୁକନ୍ୟା ଅଟୋ ପାଇଁ ଅପେକ୍ଷା କରିଛି ଭୂପେଶ୍ କୁ ତା ଆଡ଼କୁ ଆସୁଥିବାର ଦେଖିଲା । ଭୂପେଶ୍ ହସି ହସି କହିଲା, "ତୁମ ଘର ଏହି ପାଖରେ ନା ?"

-- ହଁ ଏଇ ଆଗରେ ଷ୍ଟାଚ୍ୟୁ ଛକ ପାଖରେ । ତୁମେ କୋଉଠି ରହୁଛ ?

-- ମୋ କାକାଙ୍କ ଘର ଏଇଠି ଯେ, ମୁଁ କିନ୍ତୁ ସେଠି ରହୁନି । ଡେଲି ଯିବା ଆସିବା କରୁଛି ବସ୍ ରେ । ଏବେ ଅଟୋରେ ବସ୍ ଷ୍ଟାଣ୍ଡ୍ ଯିବି ।

-- ଓହୋ, ଆଚ୍ଛା । ତୁମ ବିକେଶ୍ ଭାଇ କେମିତି ଅଛନ୍ତି ?

-- ସେମିତି, ଦୁଃଖରେ । ଏବେ ଟିକେ ଟିକେ ଦୁଃଖ ଭୁଲିଲାଣି । ସେ ତୁମ କଥା କୁହେ ।

-- ଆଚ୍ଛା, କ'ଣ କୁହନ୍ତି ?

-- କୁହନ୍ତି ତୁମକୁ ଖୁଡୀ ବହୁତ ପାଉଥିଲେ, ନିଜ ଝିଅ ଭଳି ।

ସୁକନ୍ୟା ଅଳ୍ପ ହସିଲା, ଷ୍ଟାଚ୍ୟୁ ଛକ ଲାଇନରେ ଅଟୋ ବି ଆସିଯାଇଥିଲା, ସେ ଭୂପେଶ୍ ଠାରୁ ବିଦାୟ ନେଇ ଅଟୋରେ ବସିଲା ।

ମାଟ୍ରିକ୍ ରେଜଲ୍ଟ୍ ବାହାରିବା ପୂର୍ବ ଦିନ ରାତିରେ ସୁକନ୍ୟା ବିଲକୁଲ୍ ଶୋଇନାହିଁ । ସକାଳୁ ସକାଳୁ ଗାଧୋଇ ପାଧେଇ ଦୀପଟିଏ ଜାଳି ଠାକୁର ଘରେ ବସିଥିଲା । ତାଙ୍କ ଲ୍ୟାଣ୍ଡ୍ ଫୋନ୍ ବାଜିଉଠିଲା । ସ୍ନେହା ଫୋନ୍ ଉଠେଇଲେ । ସୁକନ୍ୟାକୁ ଆସି କହିଲେ, "ଆରେ ଏ ତନ୍ମୟ ପିଲାଟା କିଏ ? ତୁମ କୋଚିଂ ସେଣ୍ଟର୍ ର କି ? ତୋ ରେଜଲ୍ଟ୍ ସେ ଦେଖିଦେଇଛି । ୬୬୬ ମାର୍କ୍ସ୍ ଆସିଛି ତୋର । କୋଉଥିରେ କେତେ ଅଛି ସବୁ କହିଲା, ମୁଁ ଟିପି ରଖିଛି ଆ ଦେଖିବୁ । ଆରେ ଆସେ । ଭଲ ତ କରିଛୁ, ଆଉ ମନ ଦୁଃଖ କ'ଣ ? ୮୮% ମାର୍କସ୍ କ'ଣ କମ୍ ନା କ'ଣ ? ।"

କ୍ରମଶଃ...
ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୧୪)

Report an Error