ଫଟୋ ଶ୍ରେୟ: ରମାକାନ୍ତ ସାମନ୍ତରାୟ

ମୁଁ ଭାବିଲି ହେବି ନଈ।

ମୋ ଲୋମକୁପରୁ ବାହାରି ବହି ଚାଲିଲା ସ୍ରୋତ।

ବାଟରେ ଅନେକ ପଥର ଖଣ୍ଡ ସହ ଧକ୍କା ଖାଇ

ମୁଁ ବହିଚାଲିଲି, କିଛି ପଥର ବୁହାଇ ନେଲି ସାଥିରେ

କିଛି ପଡ଼ିରହିଲା ପଛରେ।


ଏମିତି ମୁଁ ଭାବିଲି ହେବି ବସନ୍ତ ଋତୁ

ଆମ୍ବଗଛ ମାନଙ୍କରେ ବଉଳ ହେଇ ଫୁଟିଲି

କିଛି ଗଛ ବସନ୍ତରେ ବଉଳିଲେ ନାହିଁ

ମୁଁ ସେମାନଙ୍କ ପାଇଁ ନିଜକୁ ଦୋଷୀ କଲି ନାହିଁ

ପବନରୁ ବଉଳର ବାସ ବାରିଲି ଓ ମହକିଲି।


ଏମିତି ଦିନେ ମୁଁ ଭାବିଲି ହେବି ଶୂନ୍ୟ

ଗୋଟେ ଶୂନ୍ୟ ଫୋଟକା ରୁ ଫାଟି ବାହାରି ଆସିଲି ଓ ମହାଶୂନ୍ୟରେ ମିଳେଇ ଗଲି

ସୂର୍ଯ୍ୟାଲୋକ ରେ ପହଁରିଲି ଓ କିରଣ ପରି ହସିଲି।


ଏମିତି ମୁଁ ଦିନ ଭାବିଲି ଜିଁଇବି ଜୀବନ

ମହାଜୀବନ ଭିତରେ କୋଉଠି ହଜେଇ ଦେଲି ନିଜକୁ

ମତେ ବିଷାଦ ର ଅନ୍ଧାର ଗୁମ୍ଫା ରୁ

ଆଲୋକ ବିନ୍ଦୁ ଆଡ଼କୁ ଘୋଷାରି ଘୋଷାରି ଆଣିଲା ମୋର ପାଦ

କୋଶ କୋଶ ର ଥକା ପଣ

ଧୂଳି ଧୂସର ସତ୍ତ୍ୱେ ଦେଖ ମୋ ପାଦ

କେତେ ସ୍ଥିର ଯେମିତି ସୂର୍ଯ୍ୟ ର ଲୟ ରେ ଦରଫୁଟା ପଦ୍ମ। 


ଭାବିଲି ହେବି ମାଟି

ଗର୍ଭ ବିଦାରି ବେଦନା ସହି ଉପୂଜେଇଲି ଫସଲ

କେତେ କାହାର ଭୋକିଲା ପେଟରେ ଏବେ ମୋର ସୁଖର କୁହାଟ।


କିଏ ଡରଉଚ ମତେ?

ମୋ ଜୀବନର ଆଯୋଗ୍ୟପତ୍ର ଧରି ଠିଆ ମୋ ପାଖରେ,

ଯାଅ, ମୁଁ ଏବେ ମୋ ଘରର ପ୍ରବେଶ ପଥରେ ଲେଖିଛି

ବିନା ଅନୁମତିରେ ତୁମର ପ୍ରବେଶ ନିଷେଧ।