ମଠମନ୍ଦିରର ପରମ୍ପରା ଆଉ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀକ୍ଷେତ୍ର ସାରା ବିଶ୍ବରେ ପରିଚିତ । ଶ୍ରୀକ୍ଷେତ୍ରରେ ଜଗନ୍ନାଥ ସଂସ୍କୃତି ଯେତିକି ପୁରାତନ ତା’ଠୁ ସେତିକି ପୁରୁଣା ମଠ ପରମ୍ପରା । ପୂର୍ବରୁ ପୁରୀରେ ୭୫୨ଟି ମଠ ରହିଥିବାର ସୂଚନା ରହିଛି । ଏବେ ବି ପୁରୀରେ ୮୦ ରୁ ଊର୍ଦ୍ଧ୍ଵ ମଠ ରହିଥିବା ସ୍ଥଳେ ଶୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ସହର କରିବା ନେଇ ସରକାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟାରେ ବହୁ ମଠ ଉଚ୍ଛେଦ ହୋଇଛି । ମାତ୍ର ଶ୍ରୀଜଗନ୍ନାଥଙ୍କ ସେବାରେ କିଛି ମଠ ପ୍ରତ୍ୟକ୍ଷ ରୂପେ ଯୋଗଦାନ କରୁଛନ୍ତି । ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ସମ୍ପ୍ରଦାୟର ମଠମାନଙ୍କ ସହିତ ଶ୍ରୀମନ୍ଦିରର ବିଭିନ୍ନ ପ୍ରକାର ସେବା - ସମ୍ପର୍କ ରହିଛି । ଅମୃତ ମଣୋହି ଭୋଗଠାରୁ ଆରମ୍ଭ କରି ଶ୍ରୀବିଗ୍ରହଙ୍କ ବିଭିନ୍ନ ବେଶ ଓ ନୀତି ପାଇଁ ବିଭିନ୍ନ ସେବା ଯୋଗାଇଥାନ୍ତି। ସମ୍ପ୍ରତି ଏହି ସେବାରୁ ଅଳ୍ପ ସଂଖ୍ୟକ ମଠ ବିଚ୍ୟୁତ ହୋଇଯାଇଥିଲେ ହେଁ, ଏବେ ମଧ୍ୟ ଅନ୍ୟ କେତେକ ମଠ ଶ୍ରୀମନ୍ଦିରରେ ସେବାପୂଜା, ଯାନିଯାତ୍ରା ସହିତ ସଂଶ୍ଳିଷ୍ଟ ରହି ଆସୁଛନ୍ତି । ବିଶେଷ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥ ଓ ବାହୁଡ଼ା ଯାତ୍ରାରେ କେତେକ ନିର୍ଦ୍ଦିଷ୍ଟ ମଠମାନଙ୍କର ସେବା ଓ ଦ୍ରବ୍ୟ ଯୋଗାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ପୁରୀର ସର୍ବ ପ୍ରାଚୀନ ମଠ ରୂପେ ଗୋବର୍ଦ୍ଧନ ମଠକୁ ମାନ୍ୟତା ମିଳିଛି । ଆଦି ଶଙ୍କାରାଚର୍ଯ୍ୟାଙ୍କ ଦ୍ଵାରା ଏହି ମଠ ନିର୍ମାଣ ହୋଇଥିଲା । ସେହିପରି ଶ୍ରୀଜଗନାଥ ବଲ୍ଲଭ ମଠ , ଗଙ୍ଗମାତା ମଠ, ରାଧାବଲ୍ଲଭ ମଠ, ସିଦ୍ଧବକୁଳ ମଠ, ଶଙ୍କରାନନ୍ଦ ମଠ, ଛତା ମଠ ଆଦି ଅନ୍ୟତମ । ଆସନ୍ତୁ ଜାଣିବା ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ମଠମାନଙ୍କର ସେବା ସମ୍ପର୍କରେ ।

ରାଘବଦାସ ମଠ: ରଥଯାତ୍ରାର ଅୟମାରମ୍ଭ ପୂର୍ବରୁ ଶ୍ରୀମନ୍ଦିରର ଅଣସର ପିଣ୍ଡିରେ ଗୋଟିଏ କାଠର କନକମୁଣ୍ଡି ଓ ପ୍ରକ୍ତା ଏହି ମଠ ଦ୍ୱାରା କରାଯାଇଥାଏ । ଅଣସରବିଧି ସମୟରେ ମଠ ପକ୍ଷରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପଣା ଓ ଚକଟା ଭୋଗ (ଧୁଆମୁଗ, ପଣସ) ଓ ଖଞ୍ଜା ମୁତାବକ ସାତ ସେର ରାଶି ତେଲ ଯୋଗାଇଥାନ୍ତି । ଖଡ଼ିଲାଗି ଏକାଦଶୀ ଦିନ ଶ୍ରୀବିଗ୍ରହମାନଙ୍କ ସର୍ବାଙ୍ଗ ନିମନ୍ତେ ଚନ୍ଦନ କାଠ, କର୍ପୁର, କେଶର ଇତ୍ୟାଦି ଏବଂ ଭିତର ପନ୍ତି ଭୋଗ ଜିନିଷାମାନ ମଠ ତରଫରୁ ଯୋଗାଇ ଦିଆଯାଇଥାଏ । ଏତଦ୍ ବ୍ୟତୀତ ସେନାପଟା ଲାଗି ନୀତି ପାଇଁ ଶୁକ୍ଳ ସଜ ଯୋଗାଇଥାନ୍ତି । ଶ୍ରୀଗୁଣ୍ଡିଚା ଦିନ ରଥକୁ ବିଜେ କରିବା ବେଳେ ବାଉଁଶପାତିଆ, ସୋଲ, ବିଭିନ୍ନ ପୁଷ୍ପ (ତୁଳସୀ, ଦୁବ) ଇତ୍ୟାଦିରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଚାରିଗୋଟି ବଡ଼ ଟାହିୟା ମଠ ତରଫରୁ ଯୋଗାଇଥାନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ଧୂପରେ ମଠର ଖେଚୁଡ଼ି ଭୋଗ ହୋଇଥାଏ । ଏପରିକି ଗୁଣ୍ଡିଚା ମନ୍ଦିର ମଧ୍ୟରେ ଥିବା ରୋଷ ଚୁଲିରେ ପିଠା ତିଆରି କରିବା ପରମ୍ପରା ରାଘବଦାସ ମଠ ବ୍ୟତୀତ ଅନ୍ୟ କୌଣସି ମଠର ଅଧିକାର ନାହିଁ । ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟ ରଥ ଉପରେ ଠାକୁରମାନଙ୍କ ପ୍ରସିଦ୍ଧ ସୁନା ବେଶ ସମୟରେ ମଠ ପକ୍ଷରୁ ପୁରି, ସୋଲା, ମୋହନ ଭୋଗ ଇତ୍ୟାଦି ଭୋଗ ହୋଇଥାଏ । ସେହିପରି ଜଗମୋହନରେ ‘ଲକ୍ଷ୍ମୀ ନାରାୟଣ’ ଗଇଁଠାଳ ଫିଟିବା ସମୟରେ ଭିତର ମଠ ତରଫରୁ ରସଗୋଲା ଭୋଗ ହୋଇଥାଏ ।

ଗୋବର୍ଦ୍ଧନ ମଠ: ରଥଯାତ୍ରା ଦିନ ଶ୍ରୀମନ୍ଦିରର ବାଇଶି ପାହାଚ କାଶୀ ବିଶ୍ୱନାଥ ମନ୍ଦିରସ୍ଥ ମଠର ଏକ ସରଘର ଠାରେ ଗୋବର୍ଦ୍ଧନ ମଠ ପକ୍ଷରୁ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ସମୟରେ ପନ୍ତି ଭୋଗ ହୋଇଥାଏ । ସେହିପରି ଗୁଣ୍ଡିଚା ମନ୍ଦିର ଓ ବାହୁଡ଼ା ପହଣ୍ଡି ସମୟରେ ମଧ୍ୟ ପନ୍ତି ଭୋଗ କରାଯାଇଥାଏ । ରଥଯାତ୍ରା ଦିନ ଠାକୁରମାନେ ରଥାରୂଢ଼ ହେଲାପରେ ଶଙ୍କରାଚାର୍ଯ୍ୟ ପରମ୍ପରା ଅନୁଯାୟୀ ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଦର୍ଶନ କରିଥାନ୍ତି ।

ଶଙ୍କରାନନ୍ଦ ମଠ: ରଥଯାତ୍ରା ଓ ନିଳାଦ୍ରି ବିଜେ ପହଣ୍ଡି ସମୟରେ ମଠ ପକ୍ଷରୁ ଶ୍ରୀମନ୍ଦିରର ଭିତର ବେଢ଼ାରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପନ୍ତି ଭୋଗ କରାଯାଇଥାଏ । ସେହିପରି ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରଠାରେ ୪ଟି ପନ୍ତି ଭୋଗ ଉକ୍ତ ମଠ ତରଫରୁ ହୋଇଥାଏ ।

ଜଗନ୍ନାଥବଲ୍ଲଭ ମଠ: ରଥଯାତ୍ରା ଓ ଗୁଣ୍ଡିଚା ଯାତ୍ରା ସମୟରେ ଏହି ମଠ ତରଫରୁ ବିଭିନ୍ନ ସ୍ଥାନରେ ସର୍ବମୋଟ ୨୩ଟି ପନ୍ତି ଭୋଗ ହୋଇଥାଏ । ରଥ ଉପରକୁ ମଠ ତରଫରୁ ଠାକୁରମାନଙ୍କ ଲାଗି ଉଦ୍ଦେଶ୍ୟରେ ମାଳ, ଚୂଳ ଇତ୍ୟାଦି ପଠାଯାଇଥାଏ ।

ବଡ଼ ଓଡ଼ିଆ ମଠ: ମହାପ୍ରଭୁଙ୍କ ଅଣସରରେ ଗୁପ୍ତ ସେବା ପାଇଁ ଫୁଲରି ତେଲ ଏହି ମଠ ତରଫରୁ ଯୋଗାଇଦିଆଯାଇଥାଏ । ଅଣସର ପଞ୍ଚମୀ ବା ଫୁଲରି ନୀତି ପାଇଁ ଦୁଇଟି କୁଡୁଆରେ ୫ ସେର ରାଶି ତେଲ ଯୋଗାଯାଇଥାଏ । ଅଣସର ବିଧି ସମୟରେ ଏହି ମଠ ତରଫରୁ ଚକଟା ଭୋଗ ଓ ଗୁଣ୍ଡିଚା ଘରେ ଷଷ୍ଠୀ ଦିନ ସର୍ବାଙ୍ଗ ନୀତି ନିମନ୍ତେ ଚନ୍ଦନ ଇତ୍ୟାଦି ସାମଗ୍ରୀ ଏହି ମଠ ଯୋଗାଇଥାଏ । ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେଉଥିବା ଅଧରପଣା ସାମଗ୍ରୀ ମଧ୍ୟ ଏହି ମଠ ଯୋଗାଇଥାଏ । ପରମ୍ପରା ଅନୁଯାୟୀ ଏହି ମଠ ରତ୍ନସିଂହାସନ ଉପରେ ବନ୍ଧା ହେବା ପାଇଁ ପ୍ରତି ବର୍ଷ ନୂତନ ଭାବେ ତ୍ରିମୁଣ୍ଡି ଚାନ୍ଦୁଆ ଓ ଚକା ଅପସର ନୀତି ପାଇଁ ପାଟକନା ଯୋଗାଏ ।

ଛାଉଣୀ ମଠ: ରଥଯାତ୍ରା ଦିନ ଶ୍ରୀମନ୍ଦିରର ବଣିଆ ସେବକମାନଙ୍କ ଘରୁ ସୋଲ ଚିତା ଅଣାଯାଇ ଏହି ମଠର ବିଜେସ୍ଥଳୀଠାରେ ରଖାଯାଇଥାଏ । ଠାକୁରମାନେ ରଥାରୂଢ଼ ହେବାପରେ ଏହି ସୋଲ ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଲଗାଯାଇଥାଏ । ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ ଦିନ ଏହି ମଠରେ ଠାକୁରମାନଙ୍କ ପହଣ୍ଡି ସମୟରେ ପନ୍ତି ଭୋଗ କରାଯାଇଥାଏ ।

ମହୀପ୍ରକାଶ ମଠ: ଅଣସର ସମୟରେ ଏହି ମଠ ମଇଲମ ଓ ଚକଟା ଭୋଗ ଯୋଗାଇଥାଏ ।

ଶ୍ରୀରାମ ଦାସ (ଦକ୍ଷିଣ ପାଶ୍ୱର୍) ମଠ: ଏହି ମଠ ତରଫରୁ ଗୁଣ୍ଡିଚା ଘରଠାରେ ପନ୍ତି ଚାଳି ନିର୍ମାଣ କରାଯାଇଥାଏ । ରଥଯାତ୍ରାରେ ଉକ୍ତ ମଠର ମଠାଧୀଶ ଚାମର ଓ ଆଲଟ ସେବା କରିବାର ଅଧିକାର ରହିଛି ।

ଏମାର ମଠ: ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ଭିତରୁ ଗୋଟିଏ । ଏହି ମଠ ତରଫରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା, ଆଡ଼ପ ବିଜେ, ହେରା ପଞ୍ଚମୀ, ନୀଳାଦ୍ରି ବିଜେ ଦିନ ପନ୍ତି ଭୋଗ ହୋଇଥାଏ । ଅଣସର ସମୟରେ ମଠ ପକ୍ଷରୁ ଚକଟା ଭୋଗ କରାଯାଏ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ମଠକୁ ଗୁଣ୍ଡିଚା ମନ୍ଦିରରେ ସାମୟିକ ଭାବେ ପନ୍ତିଚାଳି ନିର୍ମାଣ କରିବା ପାଇଁ ଅନୁମତି ଦିଆଯାଇଥାଏ । ଏହ ମଠର ମହନ୍ତ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ଚାମର ଓ ଆଲଟ ସେବା କରିବାର ଅଧିକାର ରହିଛି ।

ନେବଳ ଦାସ ମଠ: ଏହି ମଠ ଗୁଣ୍ଡିଚା ଘରେ ପନ୍ତି ଚାଳି କରିବା ପାଇଁ ଶ୍ରୀମନ୍ଦିରରୁ ଅନୁମତି ପାଇଥାଏ । ଗୁଣ୍ଡିଚା ଯାତ୍ରା ଦିନ ଅର୍ଥାତ୍ ଆଡ଼ପ ବିଜେ ଦିନ ଏହିଠାରେ ମଠ ତରଫରୁ ପନ୍ତିଭୋଗ ହୋଇଥାଏ ।

ଗଙ୍ଗାମାତା ମଠ: ଆଡ଼ପ ବିଜେ ସମୟରେ ଓ ବାହୁଡ଼ା ଯାତ୍ରା ଦିନ ଉକ୍ତ ମଠ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପନ୍ତିଭୋଗ ହୋଇଥାଏ । ଅନ୍ୟ ମଠ ଭଳି ଏହି ମଠକୁ ମଧ୍ୟ ଗୁଣ୍ଡିଚା ଘରେ ପନ୍ତି ଚାଳି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନୁମତି ଦିଆଯାଇଥାଏ ।

ଶ୍ରୀ ଜଗନ୍ନାଥଙ୍କ ରୀତିନୀତି ଓ ଯାନିଯାତ୍ରା ଆଦି ସହିତ ମଠମାନଙ୍କର ସମ୍ପର୍କ ବହୁପ୍ରାଚୀନ କାଳରୁ ରହି ଆସିଛି । ବର୍ତ୍ତମାନ ସେହି ପରମ୍ପରା କେତେକାଂଶରେ ଲୋପ ପାଇଯାଇଥିଲେ ମଧ୍ୟ କେତେକ ରୀତିନୀତି, ବେଶ, ଯାନିଯାତ୍ରା ସହ ନିର୍ଦ୍ଦିଷ୍ଟ ମଠ ମାନଙ୍କର ସମ୍ପର୍କ ଏବେ ବି ଅକ୍ଷୂର୍ଣ୍ଣ ରହିଛି ।