ଜଗତର ନାଥ ଜଗନ୍ନାଥ । ତାଙ୍କ ମାନବୀୟ ଲୀଳା ଅପାର । ସାଧାରଣ ମଣିଷ ପରି ମହାପ୍ରଭୁଙ୍କ ଦିନଚର୍ଯା ଆରମ୍ଭ ହୋଇଥାଏ । ପୁଣି ସେ ମଣିଷ ପରି ରୋଗରେ ମଧ୍ୟ ପୀଡିତ ହୁଅନ୍ତି । ଲଗାତର ୨୧ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପ ଖେଳିବା ପରେ ସ୍ନାନପୂର୍ଣ୍ଣିମାରେ ଶ୍ରୀଜୀଉମାନେ ୧୦୮ ଗରା ଜଳରେ ସ୍ନାନ କରିଥାନ୍ତି । ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଜ୍ୱର ହେବାପରେ ଉପଚାର ନିମନ୍ତେ ଶ୍ରୀଜୀଉମାନେ ଏବେ ଅଣସର ପିଣ୍ଡିରେ ବିଜେ କରିଛନ୍ତି । ଅଣସର ଘରେ କେବଳ ଦଇତା ସେବକମାନେ ପ୍ରଭୁଙ୍କ ସେବାକାର୍ଯ୍ୟ କରନ୍ତି । ସେଠାରେ ୧୫ ଦିନ କାଳ ଦଇତାପତି ସେବକମାନେ ରୋଗ ଉପଚାର କାର୍ଯ୍ୟ କରନ୍ତି । ଅନବସର ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର କରାଯାଏ । ଏହି ସମୟରେ ଶ୍ରୀଜୀଉମାନେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ । ଏହାକୁ ଅଣସର ବା ଅନବସର ବୋଲି କୁହାଯାଏ । ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁ ରୂପରେ ଦର୍ଶନ କରିଥାନ୍ତି । ବର୍ଷ ତମାମ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳିଥାଏ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୁଣ୍ୟ ମିଳେ ବୋଲି ବିଶ୍ବାସ କରାଯାଏ ।

ସେହିପରି ଅଣସର ସମୟରେ ଶ୍ରୀମନ୍ଦିରରେ ଦାରୁମୂର୍ତ୍ତୀଙ୍କ ବଦଳରେ ପଟି ଦିଅଁ ପୂଜା ପାଆନ୍ତି । ଶ୍ରୀଜଗନ୍ନାଥଙ୍କୁ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କୁ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ଓ ଶ୍ରୀ ସୁଦର୍ଶନଙ୍କୁ ପତିତପାବନ ଭାବରେ ଆରାଧନା କରାଯାଇଥାଏ । ଏହି ପଟିଦିଅଁଙ୍କ ସମ୍ମୁଖରେ ଖଟ ଉପରେ ଚଳନ୍ତି ପ୍ରତିମା ମଦନ ମୋହନ, ଦୋଳଗୋବିନ୍ଦ, ଶ୍ରୀ ନୃସିଂହ, ଶ୍ରୀ ରାମକୃଷ୍ଣ, ଭୂଦେବୀ ଓ ଶ୍ରୀଦେବୀ ସପ୍ତ ବିଗ୍ରହ ମଧ୍ୟ ପୂଜା ପାଇଥାନ୍ତି ।

ଆଷାଢ କୃଷ୍ଣ ପ୍ରତିପଦାଠାରୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇ ଅମାବାସ୍ୟା ଯାଏଁ ଚାଲିଥାଏ । ଶ୍ରୀଜଗନ୍ନାଥଙ୍କ ଅଣସର ଦୁଇପ୍ରକାରରେ ପାଳିତ ହୋଇଥାଏ ।

  1. ସାଧାରଣ ଅଣସର: ପ୍ରତିବର୍ଷ ଗୁଣ୍ଡିଚା ପୂର୍ବରୁ ୧୫ ଦିନ ପାଇଁ ପାଳିତ ହୁଏ ।
  2. ମହା ଅଣସର: ନବକଳେବର ପୂର୍ବରୁ ୪୫ଦିନ ପାଇଁ ପାଳିତ ହୁଏ ।

ଏହି ସମୟରେ ଅଣସର ନୀତିମାନ ଅନୁଷ୍ଠିତ ହୋଇଥାଏ । ଏହି ନୀତିଗୁଡିକ ମଧ୍ୟରେ କରାଳ କର୍ମ, ଶ୍ରୀଅଙ୍ଗ ଫିଟା ନୀତି, ଫୁଲରି ତେଲ ଲାଗି, ପଟ୍ଟାବନ୍ଧନ, ମସୃଣ ଲେପନ, ଚକା ବିଜେ, ଚନ୍ଦନ ଲାଗି, ଖଡ଼ି ଲାଗି, ଓଷୁଅ ଲାଗି, ବନକ ଲାଗି ଆଦି ନୀତି କରାଯାଇଥାଏ । ଅନବସରର ଶେଷଦିନରେ ଚକା ଅସରପ ନୀତି କରାଯାଇଥାଏ । ୧୫ ଦିନର ଅନବସର ପରେ ଆଷାଢ ଅମାବାସ୍ୟା ତିଥିରେ ଶ୍ରୀଜୀଉ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହାକୁ ନବଯୌବନ ଦର୍ଶନ କୁହାଯାଏ । ଏହାପରେ ଚତୁର୍ଦ୍ଧାମୂର୍ତ୍ତୀ ୯ ଦିନ ପାଇଁ ଯାତ୍ରା କରିଥାନ୍ତି, ଏହାକୁ ରଥଯାତ୍ରା କୁହାଯାଏ ।