ଆଜି ହେଉଛି ପହିଲି ରଜ । ପଲ୍ଲୀଠୁ ସହର - ସବୁଠି ଚାଲିଛି ରଜ ମଉଜ । ଘରେ ଘରେ ପିଠା ଆଉ ମିଠାର ମହକ । ମାଟି ଓ ମୌସୁମୀର ମିଳନର ପର୍ବ ହେଉଛି ଏହି ରଜ ପର୍ବ । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ଉତ୍ସବମୁଖର ଚାରିଆଡ । ଆନନ୍ଦ ଉଲ୍ଲାସର ପର୍ବ ହେଉଛି ଏହି ରଜ ପର୍ବ । କୃଷିକୁ ଭିତ୍ତି କରି ଆମ ଓଡ଼ିଆ ସଂସ୍କୃତି ପରିପୃଷ୍ଟ । ଏହି କୃଷିଭିତ୍ତିକ ରଜ ପର୍ବ ସୃଷ୍ଟି ଓ ସର୍ଜନାର ସଂକେତ ବହନ କରିଥାଏ । ଜ୍ୟୋତିଷ ଶାସ୍ତ୍ର ଆନୁଯାୟୀ, ଯେଉଁ ଦିନ ସୂର୍ଯ୍ୟ ବୃଷ ରାଶିରୁ ମିଥୁନ ରାଶିକୁ ପ୍ରବେଶ କରନ୍ତି ତା ପର ଦିନକୁ ମିଶାଇ ମୋଟ ତିନିଦିନ ରଜ ପର୍ବ ପାଳନ କରାଯାଏ ।

ଓଡ଼ିଶାର ବାର ମାସର ତେର ପର୍ବ ମଧ୍ୟରୁ ରଜ ପର୍ବ ବେଶ ନିଆରା । ତିନିଦିନ ଧରି ଏହି ପର୍ବ ପାଳିତ ହେଉଥିବାବେଳେ ପହିଲି ରଜର ପୂର୍ବ ଦିନକୁ ସଜବାଜ କୁହାଯାଏ । ଏହି ଦିନ ରଜ ତିନି ଦିନ ପାଇଁ ସବୁ ପ୍ରସ୍ତୁତି ବା ସଜଡା ହୋଇ ରଖାଯାଏ । ଜ୍ୟେଷ୍ଠ ମାସର ଶେଷଦିନକୁ ପହିଲି ରଜ କୁହାଯାଏ । ଆଉ ଆଷାଢ ମାସର ପ୍ରଥମ ଦିନକୁ ରଜ ସଙ୍କ୍ରାନ୍ତି ଓ ତା'ପର ଦିନକୁ ଶେଷ ରଜ ବା ଭୂମିଦହନ କୁହାଯାଏ । ଆଷାଢ ମାସର ପ୍ରଥମ ବର୍ଷା ପରେ ପୃଥିବୀମାତା ରଜବତୀ ହୁଅନ୍ତି ବା ଉତ୍ପାଦନ କ୍ଷମ ହୋଇ ଧରିତ୍ରୀକୁ ଶସ୍ୟଶ୍ୟାମଳା କରିଥାନ୍ତି । ସେଥିପାଇଁ ରଜ ତିନି ଦିନ ଭୂମି ଖନନ ଓ ଚାଷ କାମ ବନ୍ଦ ରହିଥାଏ । ଧରିତ୍ରୀ ମାଆଙ୍କୁ ବିଶ୍ରାମ ଦିଆଯାଏ । ଏହି ଦିନରେ ମାଟିରେ ଖାଲିପାଦରେ ଚାଲିବା ମନା । ରଜ ତିନି ଦିନ ପରେ ଚତୁର୍ଥ ଦିନ ସକାଳୁ କାଠ ପିଢା ଉପରେ ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ କଳସରେ ଆମ୍ବଡାଳ ରଖି ହଳଦୀ ପାଣିରେ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ତିନିଦିନ ରଜସ୍ୱଳା ହୋଇ ଧରିତ୍ରୀ ମାତା ଅଶୁଦ୍ଧ ରହିବା ପରେ ଏହି ଦିନ ତାଙ୍କୁ ସ୍ନାନ କରାଯାଇ ଶୁଦ୍ଧ କରାଯାଏ । ଏହି ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଏ । ଏହାପରେ କୃଷକ ଚାଷ କାମ କରିବାକୁ ତତ୍ପର ହୁଏ ।

କେବଳ ଚାଷ ବା ଉତ୍ପାଦନ ଦୃଷ୍ଟିରୁ ରଜ ପର୍ବ ଗୁରୁତ୍ଵ ବହନ କରେ ତାହା ନୁହେଁ, ବରଂ ଏହି ପର୍ବ ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିଥାଏ । କୁମାରୀମାନଙ୍କ ପାଇଁ ଏହି ପର୍ବ ହେଉଛି ପ୍ରସ୍ତୁତିର ପର୍ବ । ଜଣେ ନାରୀଭାବେ ଆଗାମୀ ଦିନରେ କିପରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା ଏହି ପର୍ବ ଶିଖାଇଥାଏ ।

କୁଆଁରୀ ଝିଅମାନେ ସକାଳୁ ଉଠି ଗାଧେଇ ସାରି ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ରଜ ଦୋଳି ଖେଳନ୍ତି । ରଜର ସଜ ବି ଅନ୍ୟ ଏକ ଆକର୍ଷଣ । କୁମାରୀ ଝିଅମାନେ ମଥାରେ ଧଳା ଟିପି ଟିପି କୁଙ୍କୁମ ଚନ୍ଦନ ଲଗାଇବା ସହିତ ପାଦରେ ନାଲି ଅଳତା ଲଗାଇ ରଜ ଦୋଳିରେ ବସି ରଜ ଗୀତ ଗାଇଥାନ୍ତି ।

"ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ....” ତ ପୁଣି କେତେବେଳେ "ରଜ ଦୋଳି କଟ କଟ, ମୋ ଭାଇ ମଥାରେ ସୁନା-ମୁକୁଟ" ।

ରଜ ଦୋଳିରୁ ଛୁଟି ଆସୁଥିବା କୁଆଁରୀଙ୍କ ରଜଗୀତର ଲହରା ସ୍ଵର ଆଜି ଆଉ ପୂର୍ବ ପରି ଶୁଭୁନି । କିନ୍ତୁ ଆମ ସଂସ୍କୃତିରେ ରଜ ଗୀତ ଆଜି ବି ନିଜ ସ୍ଥାନ ବଜାୟ ରଖିଛି । ତେବେ ରଜରେ ପୋଡ଼ ପିଠା ଓ ପାନ ଖିଆ ମଳିନ ପଡିନି । ଆଜି ବି ପୋଡ଼ ପିଠା ଓ ରଜ ପାନର ବାସ୍ନା ମହକି ଉଠୁଛି ।

ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧନିଆ, ନଡିଆ ଖଣ୍ଡ, ଚେରି, ଲବଙ୍ଗ, ଚୁଆ, ପାନମହୁରି, ସୁବାସିତ ଜାଫ୍ରାନ କେଶର, ଖଇର, ଶୁଖିଲା ଗୋଲାପ ପାଖୁଡା ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହାର ହୋଇଥାଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଭଙ୍ଗାଯାଇଥାଏ । ସେହିପରି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ ।

କେବଳ ପିଠା ଆଉ ପାନରେ ରଜ ସରେ ନାହିଁ । ରଜରେ ଲୁଡୁ ଖେଳ, ତାସ ଖେଳର ଆସର ବି ବେଶ ନିଆରା । ଖାସ୍ ସେଥିପାଇଁ ତ, ବର୍ଷ ବର୍ଷ ଧରି ରହି ଆସିଥିବା ଏଇ ପରମ୍ପରାକୁ ବରଷକ ଥରେ ପାଳିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି । ଆଧୁନିକ ଜୀବନଧାରରେ ବି ଓଡ଼ିଶାର ଏହି ପର୍ବ ତାର ମହତ୍ତ୍ଵ ଓ ମହକକୁ ଆଜି ବି ବଜାୟ ରଖିଛି ।