ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ସତରେ ଅଦ୍ଭୁତ । ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ‘ନୀଳାଦ୍ରିବିଜେ’। ଶ୍ରୀଗୁଣ୍ଡିଚା ମନ୍ଦିରରେ ରହଣି ପରେ, ବାହୁଡ଼ା ଦଶମୀ ଦିନ ଠାକୁରମାନେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରନ୍ତି । ସୁନାବେଶ ଓ ଅଧରପଣା ପରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏଣୁ ଏହାକୁ ‘ନୀଳାଦ୍ରି ବିଜୟ’ ବା ‘ନୀଳାଦ୍ରିବିଜେ’ କୁହାଯାଏ । ପୂର୍ବେ ଏହା ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେଉଥିଲା । ଏବେ ସାଧାରଣତଃ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଛି । ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ । ରଥ ଉପରୁ ରତ୍ନସିଂହାସନକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।

ସଂଧ୍ୟା ଧୂପ ସରିବା ପରେ ବିଜେ କାହାଳୀ ବାଜି ଗୋଟି ପହଣ୍ଡି ଆରମ୍ଭ ହୁଏ । ପହଣ୍ଡି ଆରମ୍ଭ ହେବା ପୂର୍ବରୁ ରତ୍ନସିଂହାସନର ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ହୁଏ ଓ ଅଖଣ୍ଡ ବଇଠା ବସିଥାଏ । ଠାକୁରମାନେ ଆସିଲାବେଳେ ଜଗମୋହନ ଓ ଶୁଆଶାରୀ ଦେଉଳରେ ପ୍ରସାଦ ଲାଗି, ଘଷା ବିଡ଼ିଆ ମଣୋହି ଓ ବନ୍ଦାପନା ହୁଏ ।

ଶ୍ରୀଜଗନ୍ନାଥ ରଥରୁ ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଦେବଦାସୀଙ୍କ ସହ ଭୋଗ ମଣ୍ଡପକୁ ଆସି ଡମ୍ବରୁ ଉପରେ ବିଜେ କରନ୍ତି । ରଥରେ ଜଗନ୍ନାଥଙ୍କ ବନ୍ଦାପନା ହେଲେ ଲକ୍ଷ୍ମୀଙ୍କ ବନ୍ଦାପନା ହୁଏ । ସେଠାରୁ ଲକ୍ଷ୍ମୀ ଭଣ୍ଡାର ଘରକୁ ବିଜେ କରନ୍ତି । ଶ୍ରୀଜଗନ୍ନାଥ ସିଂହଦ୍ୱାରକୁ ଆସିବା ପୂର୍ବରୁ ଦେବଦାସୀ ଲକ୍ଷ୍ମୀଙ୍କ ପ୍ରତିନିଧି ଭାବରେ ଯାଇ ସିଂହଦ୍ୱାର ବନ୍ଦ କରନ୍ତି । କିନ୍ତୁ ଠାକୁର ଆସିବା ପରେ ତାହା ଖୋଲି ଦିଆଯାଏ ଓ ଜୟବିଜୟ ଦ୍ୱାରଠାରେ ପହଞ୍ଚିବା ବେଳେ ଦ୍ୱାର ବନ୍ଦ ହୁଏ । ନୀଳାଦ୍ରିବିଜେରେ ରହିଛି ସବୁଠାରୁ ରୋଚକ ଲକ୍ଷ୍ମୀନାରାୟଣ କଳି । ଏହି ସମୟରେ ମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ସେବକଙ୍କ ମଧ୍ୟରେ ପରମ୍ପରାଗତ ବଚନିକା ପରେ ଦ୍ୱାର ଫିଟେ ଓ ଜଗନ୍ନାଥ ଭଣ୍ଡାର ଘର ନିକଟରେ ପହଞ୍ଚିଲେ ସେଠାରେ ବିଜେ କରିଥିବା ଲକ୍ଷ୍ମୀ ଠାକୁରାଣୀଙ୍କର ସମ୍ମୁଖୀନ ହୁଅନ୍ତି । ଏହି ସମୟରେ ରୁକ୍ମିଣୀ ବିବାହ କାଳର ଗଇଁଠାଳ ଫିଟେ । ବନ୍ଦାପନା ଓ ଭୋଗ ହୁଏ । ଏହିଠାରେ ଘଷା ବିଡ଼ିଆ ମଣୋହି ସରିଲେ ଶ୍ରୀଜଗନ୍ନାଥ ରତ୍ନସିଂହାସନ ଉପରକୁ ବିଜେ କରନ୍ତି । ଏହି ଗୋଟିଏ ଦିନ ଶ୍ରୀମନ୍ଦିରରେ ଠାକୁରଙ୍କଠାରେ ରସଗୋଲା ଭୋଗ ଲାଗିଥାଏ ।

ନ’ଦିନର ବିଚ୍ଛେଦ ପରେ ପ୍ରିୟ ପତିଦେବଙ୍କ ସହ ମିଳନାନନ୍ଦର ପ୍ରତୀକ ସ୍ୱରୂପ ମିଠା ଭୋଗ ହୋଇଥାଏ । ଭିତରଚ୍ଛ ମହାପାତ୍ରଙ୍କ ନିଜ ଘରେ ଶୁଦ୍ଧପୁତ ଭାବେ ଏହି ରସଗୋଲା ପ୍ରସ୍ତୁତ ହୋଇଥାଏ । ଦେବୀ ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ, ଭାଇ ଓ ଭଉଣୀଙ୍କୁ ନେଇ ଶ୍ରୀଗୁଣ୍ଡିଚାଯାତ୍ରାରେ ଚାଲି ଯାଇଥିବାରୁ, ଦେବୀ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ପ୍ରତି ରୁଷ୍ଟ ହୋଇଥାଆନ୍ତି । ସେଇଥିପାଇଁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ରତ୍ନସିଂହାସନକୁ ଫେରିବା ସମୟରେ ହୋଇଥାଏ ‘ଲକ୍ଷ୍ମୀ-ନାରାୟଣ କଳି’ । ସାଧାରଣତଃ ଦାମ୍ପତ୍ୟ ଜୀବନରେ ମାନ ଅଭିମାନ ରହିଥିବାବେଳେ ମାନବୀୟ ଲୀଳା ସ୍ୱରୂପ ଜଗନାଥ ମହାପ୍ରଭୁ ଓ ମାତା ଲକ୍ଷ୍ମୀଙ୍କ ମଧ୍ୟରେ ରାଗରୁଷା ଦେଖା ଯାଇଥାଏ । ତେଣୁ ନୀଳାଦ୍ରିବିଜେ ହେଉଛି ତଥାକଥିତ ଦାମ୍ପତ୍ୟ କଳହର ସୁମଧୁର ପରିସମାପ୍ତିର ପ୍ରତୀକ । ସେଥିପାଇଁ ନୀଳାଦ୍ରିବିଜେ ଦିନ ରସଗୋଲା ଓ ଖଣ୍ଡୁଆପାଟ ଦେଇ ଅଭିମାନିନୀ ମା’ ଲକ୍ଷ୍ମୀଙ୍କର ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ ।

ନୀଳାଦ୍ରିବିଜେ ସମୟରେ ମହାପ୍ରଭୁଙ୍କ ନିକଟରେ ରସଗୋଲା ଭୋଗ ହେଉଥିବାରୁ ଏହି ଦିନକୁ ରସଗୋଲା ଦିବସ ରୂପେ ପାଳନ କରାଯାଉଛି ।

ଆଜି ରସଗୋଲା ଦିବସ । ନୀଳାଦ୍ରିବିଜେ ସମୟରେ ଅଭିମାନିନୀ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତୁଷ୍ଟ କରିଥାନ୍ତି ମହାପ୍ରଭୁ । କାହିଁ କେତେ ଦିନରୁ ଏହି ପରମ୍ପରା ରହି ଆସିଥିବାରୁ ସେହି ଦୃଷ୍ଟିରୁ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ଦିନକୁ ସାରା ଓଡିଶାରେ ରସଗୋଲା ଦିବସ ରୂପେ ପାଳନ କରାଯାଇଥାଏ । ରସଗୋଲା ଛେନା ଓ ଚିନିରୁ ତିଆରି ଏକ ସିରାଯୁକ୍ତ ମିଠା । ରସଗୋଲା ଓଡ଼ିଶାର ପୁରୀ ସହରରୁ କ୍ଷୀରମୋହନ ଭାବେ ଜନ୍ମିଥିବାର ଜଣାଯାଏ । ଏହା ପୁରୀରୁ ଆରମ୍ଭ ହୋଇ ପରେ କଟକର ସାଲେପୁର ଓ ଭୁବନେଶ୍ୱରର ପାହାଳଠାରେ ପୁରୁଷ ପୁରୁଷ ଧରି ପରମ୍ପରାଗତ ବେଉସାରେ ପରିଣତ ହୋଇଥିଲା । ଜଗନ୍ନାଥ ମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି । ତେବେ ଏହା କେବେ ଆରମ୍ଭ ହେଲା ତାହା ବାବଦରେ କୌଣସି ସଠିକ ପ୍ରମାଣ ଲିପିବଦ୍ଧ ନାହିଁ । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ରସଗୋଲା ଖୋଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା । ଜଗନ୍ନାଥ ସଂସ୍କୃତି ସହ ରସଗୋଲା ଜଡିତ ରହିଥିବାରୁ ଏହା ଓଡ଼ିଶାର ବୋଲି ଦାବି କରାଯାଏ । ବଳରାମ ଦାସଙ୍କ ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣରେ ରସଗୋଲାର ଉଲ୍ଲେଖ ଦେଖାଯାଏ । ଏଥିପାଇଁ ଏହା ଶ୍ରୀଜଗନ୍ନାଥଙ୍କର ଓ ଓଡ଼ିଶାର ବୋଲି ପ୍ରମାଣିତ ହୋଇଥିଲା ।

୨୦୧୫ ମସିହାରୁ ‘ରସଗୋଲା ଦିବସ’ ପାଳନ ପାଇଁ ‘ସୋସିଆଲ୍‍ ମିଡ଼ିଆ’ରେ ‘କ୍ୟାମ୍ପେନ୍‍’ ଆରମ୍ଭ ହୋଇଥିଲା । ଏହାପରେ ୧୭ ଜୁଲାଇ ୨୦୧୬ଠାରୁ ଏହି ଦିବସ ପାଳନ ହେଉଛି । ସୂଚନାଯୋଗ୍ୟ, ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ବିତର୍କ ସୃଷ୍ଟି ହୋଇଥିଲା । ପଶ୍ଚିମବଙ୍ଗ ରସଗୋଲା ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସିହାରେ କଲିକତାରେ ନବୀନ ଚନ୍ଦ୍ର ଦାଶ ପ୍ରଥମେ ରସଗୋଲା ତିଆରି କରିଥିଲେ ବୋଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ତେବେ ୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା । ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧବେଳକୁ କେଳୁଚରଣ ବେହେରା ପାହାଳଠାରେ ରସଗୋଲା ପ୍ରସ୍ତୁତକରି ବ୍ୟବସାୟ ଆରମ୍ଭ କରିଥିଲେ ବୋଲି ସୂଚନା ରହିଛି । ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ ।