ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ସମାଜ, ସଂସ୍କୃତି ତଥା ଆଧ୍ୟାତ୍ମିକ ଜୀବନର ପ୍ରାଣକେନ୍ଦ୍ର । ତାଙ୍କ ମାନବୀୟ ଲୀଳା ଅତ୍ୟନ୍ତ ବିଚିତ୍ର । ସ୍ନାନପୂର୍ଣ୍ଣିମାରେ ମହାସ୍ନାନ କରିବା ପରେ ଜ୍ୱରରେ ପଡ଼ିଥିଲେ ଶ୍ରୀଜୀଉ । ଦେହରେ ଫୁଲୁରୀ ତେଲ ଓ ଓସ ଲାଗି ପରେ ବି କମିନଥିଲା ମହାପ୍ରଭୁଙ୍କ ଜ୍ଵର । ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଦଇତାପତି ସେବାୟତମାନେ ଉପଚାର କରିଥିଲେ । ମହାଜ୍ୱର ପାଇଁ କେବଳ ରାଜବୈଦ୍ୟଙ୍କ ଦଶମୂଳ ହେଉଛି ମହୌଷଧୀ । ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଦ୍ୱାରା ଆୟୁର୍ବେଦ ଚେରମୂଳିରେ ପ୍ରସ୍ତୁତ ଦଶମୂଳ ସେବନ ପରେ ହିଁ ଜ୍ୱରରେ ପୀଡ଼ିତ ଥିବା ବିଗ୍ରହ ସୁସ୍ଥତା ଅନୁଭବ କରିଥାନ୍ତି । ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ । ଅନବସର ଦଶମୀ ସନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ । ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଗଜପତି ମହାରାଜାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ରାଜବୈଦ୍ୟ ଦଶମୂଳ ମୋଦକ ପ୍ରସ୍ତୁତ କରିଥାନ୍ତି ।

ଦଶମୂଳ ମୋଦକ କ’ଣ ?

ଏହି ଦଶମୂଳ ମୋଦକ ସଂପୂର୍ଣ୍ଣ ଭାବରେ ଆୟୁର୍ବେଦୀୟ ପଦ୍ଧତିରେ ପ୍ରସ୍ତୁତ ହୋଇଥାଏ । ଏଥିପାଇଁ ଦଶଟି ବୃକ୍ଷର ଚେର, ମୂଳ ଓ ପତ୍ର ଆଦି ଆବଶ୍ୟକ ହୁଏ । ସେହି ଦଶଟି ଦ୍ରବ୍ୟ ହେଉଛି - ବେଲ, ଗମ୍ଭାରୀ, ଅଙ୍କରାନ୍ତି, ଜଟାମାଂସୀ, ଫଣଫଣା, ଆଗବଥୁ, ଗୋଖରା, କୃଷ୍ଣପର୍ଣ୍ଣି (ପ୍ଲଶୀପର୍ଣ୍ଣି), ଶାଳପର୍ଣ୍ଣି ଓ ଲବିଂକୋଳି । ଏହି ଦଶଟି ପ୍ରାକୃତିକ ଔଷଧୀୟ ସାମଗ୍ରୀକୁ ଖରାରେ ଶୁଖାଇ, ସମପରିମାଣରେ ମିଶାଇ ଗୁଣ୍ଡକରି, ନୂଆ ସଫା କନାରେ ଛାଣି ଏବଂ ମହୁ ଓ ଖୁଆରେ ପାଗ କରି ବୈଦ୍ୟ ସେବକ ଓ ତାଙ୍କର ପରିବାର ଦଶମୂଳ ମୋଦକ ପ୍ରସ୍ତୁତ କରିଥା’ନ୍ତି । ଏହାପରେ ଏହାକୁ ଛୋଟ ଛୋଟ ଲଡ଼ୁପରି କରାଯାଇ, ତିନିଟି କୁଡ଼ୁଆରେ ସମ ପରିମାଣରେ ରଖି, ବୈଦ୍ୟ ସେବକ ଦଶମୀ ଦିନ ଶ୍ରୀମନ୍ଦିରର ଗାରଦ ଘରେ ଦିଅନ୍ତି । ଏକାଦଶୀ ଦିନ ତାହା ପ୍ରଭୁଙ୍କୁ ଲାଗି ହେବା ପରେ ସେମାନେ ଜ୍ୱରମୁକ୍ତ ହୋଇ ଶୀଘ୍ର ସୁସ୍ଥ ହୁଅନ୍ତି । ରାଜବୈଦ୍ୟ ଅତି ନିଷ୍ଠା ଓ ପବିତ୍ରତାର ସହ ଏହି ମୋଦକ ପ୍ରସ୍ତୁତ କରିଥାନ୍ତି ।

ସେହିପରି ଏହି ମୋଦକ ପ୍ରସ୍ତୁତିରେ ମଧ୍ୟ ନୀତି ନିୟମ ପାଳନ କରାଯାଇଥାଏ । ସ୍ନାନପୂଣ୍ଣିମା ଠାରୁ ହବିଷାନ୍ନ ଖାଇ ରାଜବୈଦ୍ୟ ଏହି ମୋଦକ ପ୍ରସ୍ତୁତ କରିଥାନ୍ତି । । ଏହି ଔଷଧକୁ ଶ୍ରୀମନ୍ଦିର ଗାରଦଙ୍କ ପାଖରେ ଜମା କରିସାରିବା ପରେ ସେମାନଙ୍କର ହବିଷାନ୍ନ ଶେଷ ହୋଇଥାଏ । ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଉପଚାର ପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେବେ । ଅପର ପକ୍ଷରେ ରଥ ଖଳାରେ ମଧ୍ୟ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥରେ ବସି ଜନ୍ମବେଦୀକୁ ଯାତ୍ରା କରିବେ ମହାବାହୁ ।