ବ୍ରହ୍ମପୁର ସହର ଚଳଚ୍ଚିତ୍ର ମାୟାରେ ଦୀର୍ଘଦିନରୁ ଆବଦ୍ଧ । ଏଠାରେ ରାଜ୍ୟର ପ୍ରଥମ ସ୍ଥାୟୀ ପ୍ରେକ୍ଷାଳୟ ‘ଶ୍ରୀ ସୀତାରାମ ବିଳାସ ଟକିଜ’ ୧୯୨୮ରେ ପ୍ରତିଷ୍ଠିତ ହୋଇଥିଲା । ଏଥିପୂର୍ବରୁ ତମ୍ୱୁ ଟାଣି ଚଳଚ୍ଚିତ୍ର ପ୍ରଦର୍ଶନର ବ୍ୟବସ୍ଥା କରାଯାଉଥିଲା । ଏସଏସଭିଟିରେ ପ୍ରଥମେ ମୂକ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିଲା । ରୂପେଲି ପରଦା ପାର୍ଶ୍ୱରେ ଏକ ବ୍ୟାଣ୍ଡ ବାଦକ ଦଳ ଆବହ ସଂଗୀତ ପରିବେଷଣ କରୁଥାନ୍ତି । ଜଣେ ସ୍ଥାନୀୟ ଭାଷ୍ୟକାର ଲାଉଡ଼ସ୍କିକର ଯୋଗେ ମୂକ ଚଳଚ୍ଚିତ୍ରରେ ପ୍ରଦର୍ଶିତ ଦୃଶ୍ୟାବଳୀ ସଂପର୍କରେ ଟୀପ୍ପଣି ପ୍ରଦାନର ବ୍ୟବସ୍ଥା ରହିଥାଏ । କ୍ରମେ ମୂକ ଚଳଚ୍ଚିତ୍ର ପ୍ରଦର୍ଶନରୁ ସବାକ ଚଳଚ୍ଚିତ୍ର ପ୍ରଦର୍ଶନ ଏବଂ ପରେ ସିନେମାସ୍କୋପ ସ୍କ୍ରିନର ବ୍ୟବସ୍ଥା ହେଲା । ତେବେ ଥ୍ରୀ-ଡ଼ି, ଆଇ-ମାସ୍କ ସ୍କ୍ରିନ ଆଡ଼କୁ ଯାଇପାରି ନାହିଁ ।

ବ୍ରହ୍ମପୁରରେ ଚଳଚ୍ଚିତ୍ର ପ୍ରଦର୍ଶନରେ ଅନୁପ୍ରାଣିତ ହୋଇ କେତେକ ସ୍ଥାନୀୟ ଯୁବକ ଚଳଚ୍ଚିତ୍ର ନିର୍ମାଣ ଓ ନିର୍ଦ୍ଦେଶନା ପ୍ରତି ଆଗ୍ରହ ପ୍ରକାଶ କରିଆସିଛନ୍ତି । ସେମାନଙ୍କ ମଧ୍ୟରେ ଗଣେଶ ମହାପାତ୍ର, ଶିଶିର ମିଶ୍ର, ଜଲାଲ ଆଦେନୀ ଓ ରଘୁ ମିଶ୍ର ପ୍ରମୁଖ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ଖ୍ୟାତ । ଗଣେଶ ମହାପାତ୍ର ଓ ଶିଶିର ମିଶ୍ର ମୁମ୍ୱାଇରେ ଅବସ୍ଥାପିତ ହୋଇଥିବା ସ୍ଥଳେ ଜଲାଲ ଆଦେନୀ କିଛି କାଳ ମୁମ୍ୱାଇ ଓ କଟକ ବାସିନ୍ଦା । କେବଳ ରଘୁ ମିଶ୍ର ବ୍ରହ୍ମପୁର ଭାପୁର ବଜାର ପାନବିକା ସାହିରେ ବସବାସ କରୁଥିଲେ । ସଂଯୋଗବଶତଃ ଗଣେଶ ମହାପାତ୍ର ଓ ଜଲାଲ ଆଦେନୀ ତାଲିମପ୍ରାପ୍ତ ଟେକ୍ସଟାଇଲ ଓ ଇଲେକ୍ତ୍ରିକାଲ ଇଞ୍ଜିନିୟର ଥିଲେ ଏବଂ ଶିଶିର ମିଶ୍ର ରସାୟନ ଶାସ୍ତ୍ର ଅଧ୍ୟାପକ ଓ ରଘୁ ମିଶ୍ର ଚିକିତ୍ସକ ଭାବେ କାର୍ଯ୍ୟ କରିଥିଲେ । ଗଣେଶ ମହାପାତ୍ର ଓ ରଘୁ ମିଶ୍ରଙ୍କ ବିୟୋଗ ଘଟିଥିବା ସ୍ଥଳେ ଜଲାଲ ଆଦେନୀ ୮୫ ବର୍ଷ ବୟସରେ ୨୦୨୧ ମାର୍ଚ୍ଚ ୨୯ ତାରିଖ ହୋଲି ଦିନ ଭୋରରେ ହୃଦଘାତରେ କଟକ ବାସଭବନରେ ପରଲୋକ ଗମନ କରିଛନ୍ତି ।

ଜଲାଲ ଆଦେନୀଙ୍କ ପରିବାର ଭଞ୍ଜନଗର ସ୍ଥାୟୀ ବାସିନ୍ଦା । ବ୍ରହ୍ମପୁର ଭୀମାରାଓ ପେଟାରେ କିଛିକାଳ ବସବାସ କରିଥିଲେ । ଜଲାଲ କୁଇନ ମିସନ ହାଇସ୍କୁଲ ଓ ଖଲ୍ଲିକୋଟ କଲେଜରେ ଶିକ୍ଷା ସାରି କୋଲକତାର ଯାଦବପୁର ଇଂଜିନିୟରିଂ କଲେଜରୁ ଶିକ୍ଷାର୍ଜନ କରିଥିଲେ । ସେ କିଛି କାଳ ରେଳ ବିଭାଗରେ ନିଯୁକ୍ତି ପାଇ ଚାକିରୀ କରିବାପରେ ଚାକିରୀ ଛାଡ଼ି ବିଦ୍ୟୁତ ଠିକାଦାର ଭାବେ କାର୍ଯ୍ୟ କରିଥିଲେ ।

ସେ ବ୍ରହ୍ମପୁରରେ ସପ୍ତମ ଦଶକ ଆରମ୍ଭ ବେଳକୁ ‘କିଏ ବୁଝିବ’ଶୀର୍ଷକ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ପ୍ରାଥମିକ କାର୍ଯ୍ୟ ଆରମ୍ଭ କରିଥିଲେ । କମାପଲ୍ଲୀ ଛକରେ ଏକ ଦୁଇ ମହଲା କୋଠାରେ ତାଙ୍କରି ଚଳଚ୍ଚିତ୍ର କମ୍ପାନୀ କାର୍ଯ୍ୟାଳୟ ଖୋଲିଥିଲା । ତେବେ ଚଳଚ୍ଚିତ୍ର ନିର୍ମାଣ କାମ ବିଶେଷ ଅଗ୍ରଗତି ନ କରି ପାରିବାରୁ ଏକ ଥିଏଟର ଦଳ ଗଢ଼ି ନାଟକ ପରିବେଷଣ କରିଥିଲେ । ଗୋଟିଏ ମଞ୍ଚର ଦୁଇଗୋଟି ଦୃଶ୍ୟ ଉପସ୍ଥାପନ ଭଳି ପରୀକ୍ଷାନିରୀକ୍ଷା ସେ ସମୟରେ ବେଶ ଚହଳ ସୃଷ୍ଟି କରିଥିଲା । ଚଳଚ୍ଚିତ୍ର କିମ୍ୱା ନାଟକ କେଉଁଥିରେ ସଫଳତା ନ ମିଳିପାରିବାରୁ ସେ ବ୍ରହ୍ମପୁରରୁ କଟକ ସ୍ଥାନାନ୍ତରିତ ହୋଇଥିଲେ । ସେଠାରେ ବକ୍ସି ବଜାର ପେନସେନ ଲେନରେ ଘର କରି ରହିଥିଲେ । ୧୯୭୭ରେ ତାଙ୍କରି ପ୍ରଯୋଜନା ଓ ନିର୍ଦ୍ଦେଶନାରେ ‘ଅନୁତାପ’ ନିର୍ମିତ ହୋଇଥିଲା । ପରେ ‘ହୀରା-ମୋତି-ମାଣିକ’ ଓ ‘ବାସନ୍ତୀ ଅପା’ ନାମକ ଦୁଇଗୋଟି ଚଳଚ୍ଚିତ୍ର  ରିଲିଜ ହୋଇଥିଲା । ତେବେ ‘ପୂଜାରିଣୀ’ ଚଳଚ୍ଚିତ୍ର ନିର୍ମାଣ ସଂପୂର୍ଣ୍ଣ ହୋଇ ରିଲିଜ ହୋଇପାରି ନଥିଲା।

ଅଷ୍ଟମ ଦଶକ ଆରମ୍ଭରୁ ସେ ମୁମ୍ୱାଇକୁ ନିଜର କର୍ମକ୍ଷେତ୍ର ରୂପେ ବାଛିଥିଲେ । ବଲିଉଡ଼ରେ ପ୍ରାୟ ପନ୍ଦର ବର୍ଷ ରହଣୀ କାଳରେ ‘ଜମାନା-କ୍ୟା-କହେଗା’ (୧୯୮୨), ‘ହମନେ ପ୍ୟାର କିୟା’ (୧୯୯୨), ‘ପ୍ରେମ ଉପହାର’ ଓ ‘ପ୍ରେମ କୁମାର’ (୧୯୯୪) ଭଳି ହିନ୍ଦି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି କଟକ ଫେରି ଆସି ମୁଖ୍ୟତଃ ସଂଗୀତ ଚର୍ଚ୍ଚାରେ ବାକିତକ ଜୀବନ କଟାଇଥିଲେ । ତାଙ୍କରି ଝିଅ ଜଣେ କଣ୍ଠ ଶିଳ୍ପୀ ଓ ପୁଅ ତବଲା ବାଦକ । ସ୍କୁଲରେ ପଢ଼ିଲା ବେଳେ ନାରୀ ଭୂମିକାରେ ନାଟକରେ ଅଭିନୟଠାରୁ ଆରମ୍ଭ କରି ଶେଷ ଜୀବନ ଯାଏଁ ମ୍ୟୁଜିକ ଆଲବମ, ଇଭେଣ୍ଟ ଓ ସୋସିଆଲ ମିଡ଼ିଆରେ ଉପସ୍ଥିତି ଭଳି ସଦାସର୍ବଦା କଳାସଂସ୍କୃତି ସହ ସଂଯୁକ୍ତ ରହିଆସିଥିଲେ ... ବିଫଳତା ତାଙ୍କରି ବାଟ ଓଗାଳି ପାରିନଥିଲା ।

ଜଲାଲ ଆଦେନୀଙ୍କ ହାଇସ୍କୁଲ, କଲେଜ ଓ ସିନେମା-ଥିଏଟର ଜୀବନର ଆଦ୍ୟଭାଗ ବ୍ରହ୍ମପୁରରେ କଟିଥିଲା । ସହରର ସାଂସ୍କୃତିକ ପରିବେଶ ତାଙ୍କୁ ବିମୋହିତ କରିଥିଲା । ଘରେ ବଡ଼ପୁଅ ହିସାବରେ ବାପା ମାଆ ଜଲାଲ ଇଞ୍ଜିନିୟର ହେଉ ବୋଲି ଚାହୁଁଥିଲେ । ସେ ଇଂଜିନିୟରିଂ ଶିକ୍ଷାଲାଭ କରି ନିଯୁକ୍ତି ଏବଂ ଠିକାଦାର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତେବେ ସିନେମା ଓ ସଙ୍ଗୀତର ମାୟା କେବଳ ତାଙ୍କୁ କାହିଁକି ତାଙ୍କରି ପରିବାରକୁ ସୃଜନ କ୍ଷେତ୍ରକୁ ଟାଣି ଆଣିଥିଲା । ଜଲାଲଙ୍କ ସଂଘର୍ଷର କାହାଣୀ ପ୍ରତିକୂଳ ପରିବେଶରେ କଳାକାରଭାବେ ନିଜକୁ ପ୍ରତିଷ୍ଠିତ କରିବାଲାଗି ଉଦ୍ୟମରତ ବ୍ରହ୍ମପୁରର ସଂସ୍କୃତିପ୍ରେମୀଙ୍କୁ ସବୁବେଳେ ଉଦବୁଦ୍ଧ କରିବ ।