ଇର୍ଫାନ, ଫଟୋ-ୱିକି କମନ୍ସ

ଗତ ବର୍ଷ ଜାନୁଆରୀ ମାସରେ ଯେତେବେଳେ ପ୍ରଖ୍ୟାତ ଅଭିନେତା ଇର୍ଫାନଙ୍କ ପରଲୋକ ଘଟିଲା, ସେତେବେଳେ ମୋର ପ୍ରଥମ ପ୍ରତିକ୍ରିୟା ଥିଲା- “ଲୋକଟାର ଆଖି ଏତେ ଗଭୀର ଆଉ ସୁନ୍ଦର ଯେ ମୃତ୍ୟୁ ବି ସେ ଆଖିର ପ୍ରେମରେ ପଡିଗଲା । ମୃତ୍ୟୁ ସବୁବେଳେ ଏମିତି । ସବୁ ସୁନ୍ଦର ସବୁ ମଧୁରକୁ ଶୀଘ୍ର ନେଇଯିବାକୁ ସେ କେଉଁଠି ଗୋଟେ ଷଡଯନ୍ତ୍ର ବୁଣି ଚାଲିଥାଏ । ସେଇ ଦିବ୍ୟ ଷଡଯନ୍ତ୍ରର ଅଂଶ ହେଉଛି, ଆମ ସମୟର ଅନ୍ୟତମ ମହାନ ଅଭିନେତା ଇର୍ଫାନ ଖାଁଙ୍କ ମୃତ୍ୟୁ । ମାତ୍ର ୫୩ ବର୍ଷ ବୟସରେ ଇର୍ଫାନ ସିନେମା ଜଗତକୁ ବିଦାୟ କହି ଚାଲିଗଲେ।“ ବାସ୍ତବରେ ଆମ ସମୟର ବଲିଉଡରେ ଇର୍ଫାନ ଥିଲେ ସାଧାରଣ ମଣିଷର ସୁପରଷ୍ଟାର । ସେ ରୂପେଲି ପରଦାର ରୋମାଣ୍ଟିକ ନାୟକ ବା ଦୁଃସାହସୀ “ମାଚୋ ମ୍ୟାନ୍ ” ନଥିଲେ, ସେ ଥିଲେ ଆମ ପଡିଶା ଘରର ଅତି ସାଧାରଣ ନାୟକ । ନିଜର ଅସାଧାରଣ ପ୍ରତିଭା ବଳରେ ସାଧାରଣ ମଣିଷର କାହାଣୀକୁ ଜୀବନ୍ତ ଭାବରେ ଫୁଟାଇବାର ଦକ୍ଷତା ତାଙ୍କର ରହିଥିଲା । “ଦ ଲଞ୍ଚ ବକ୍ସ” ସିନେମାର ସାଜନ ଫର୍ଣ୍ଣାଣ୍ଡେଜଙ୍କୁ ଦେଖିଲେ ଆପଣ ତା ଭିତରେ ଯେ କୌଣସି ଭାରତୀୟ ମଧ୍ୟବିତ୍ତର ଏକୁଟିଆପଣ ବାରି ହୋଇପଡିବ ।

ଇର୍ଫାନ ଅଭିନୟ କରନ୍ତି ନାହିଁ, ସେ ଚରିତ୍ର କୁ ବଞ୍ଚନ୍ତି। ଭାରତୀୟ ଟେଲିଭିଜନ ଓ ସିନେମାରେ ତାଙ୍କର ଅଭିନୟ ଇତିହାସ ବହୁତ ଲମ୍ବା। ବଲିଉଡର ବିକଳ୍ପ ତାରକା ହେବା ଲାଗି ତାଙ୍କୁ ବହୁତ ସମୟ ଲାଗିଛି । ମୀରା ନାୟାରଙ୍କ ପ୍ରସିଦ୍ଧ ସିନେମା “ସଲାମ ବମ୍ବେ” (୧୯୮୮) ରେ ଏକ ଛୋଟିଆ ଭୂମିକାରୁ ଆରମ୍ଭ ହୋଇଥିବା ୩୨ ବର୍ଷର ସିନେମା ଯାତ୍ରାରେ ଇର୍ଫାନ ବହୁ ଭୂମିକା ତୁଲାଇଛନ୍ତି। “ଶ୍ରୀକାନ୍ତ”, “ଚାଣକ୍ୟ”, “ଭାରତ ଏକ ଖୋଜ” ଭଳି ଚର୍ଚ୍ଚିତ ଟେଲି ଧାରାବାହିକରେ ସେ ଅଭିନୟ କରିଥିଲେ । ତେବେ ବଲିଉଡ ପୂର୍ବରୁ ହଲିଉଡରେ ତାଙ୍କ ଅଭିନୟର ଯାଦୁକରୀ ପ୍ରଥମେ ପ୍ରତିଷ୍ଠା ପାଇଥିଲା । ତାଙ୍କ ଅଭିନୀତ “ଲାଇଫ ଅଫ ପାଇ” ଏବଂ “ସ୍ଲମ ଡଗ ମିଲେନିୟର” ଓସ୍କାର ପୁରସ୍କାର ପାଇଥିଲା ।

ଇର୍ଫାନଙ୍କର ଲମ୍ବା ଅଭିନୟ ଇତିହାସରେ ତିନୋଟି ଚରିତ୍ର ତାଙ୍କୁ ଶହେ ବର୍ଷ ଧରି ଅମର କରି ରଖିବ । ମୁଁ ତାଙ୍କର ଚର୍ଚ୍ଚିତ “ପାନ ସିଂ ତୋମାର” ବା “ଲାଇଫ ଅଫ ପାଇ” କଥା କହୁନାହିଁ ।  ମୋ ଲାଗି ତାଙ୍କର ତିନୋଟି ଚରିତ୍ର ଭାରତୀୟ ଅଭିନୟ ଜଗତରେ ତିନୋଟି ମାଇଲ ଖୁଣ୍ଟ । ପ୍ରଥମ-  ମ୍ୟାକବେଥ ଆଧାରରେ ବିଶାଲ ଭରଦ୍ବାଜଙ୍କ “ମକବୁଲ” । ଏହି ସିନେମାରେ ବଲିଉଡ ଗ୍ୟାଙ୍ଗଷ୍ଟାରର ପାରମ୍ପରିକ ଚିତ୍ରକୁ  ଭାଙ୍ଗି, ଜୀବନ ପାପ ଓ ନୈତିକତାର ଏକ ଭିନ୍ନ ସ୍ୱରୂପ ଆମେ ଦେଖିଲୁ । ଗ୍ଳାନି, ବିଶ୍ଵାସଘାତକତା ଓ ଅଭିଳାଷ ଭିତରେ ଗୋଟିଏ ସାଧାରଣ ଅପରାଧୀର ମାନସିକ ସଂଘର୍ଷକୁ ଇର୍ଫାନ ଯେମିତି ଫୁଟାଇଛନ୍ତି, ତାହା କେବଳ ତାଙ୍କ ଦ୍ଵାରା ହିଁ ସମ୍ଭବ । ପଙ୍କଜ କପୁର, ନସିରୁଦ୍ଦିନ ଶାହ,  ଓମ ପୁରୀ, ତବବୁଙ୍କ ପରି କଳାକାରଙ୍କ ଭିତରେ ଇର୍ଫାନ ନିଜର ଏକ “କ୍ଳାସ” ତିଆରି କରିଛନ୍ତି, ଯେଉଁ କ୍ଳାସର ମାଷ୍ଟର ସେ ନିଜେ ।

ଦ୍ବିତୀୟରେ “ଦି ଲଞ୍ଚ ବକ୍ସ” ସିନେମାର ସଜ୍ଜନ ଫର୍ଣ୍ଣାଣ୍ଡେଜ । ସେ ପୃଥିବୀର ସିନେମାର ଅଭିନୟକୁ ନେଇ ଏକ ମାଇଲଖୁଣ୍ଟ ତିଆରି କରିଛି । ମଧ୍ୟ ବୟସ୍କ, ଗମ୍ଭୀର, ଚିଡଚିଡା, ଗଭୀର ଆତ୍ମମନସ୍କ ଏବଂ ଡରକୁଳା ଏଇ ଚରିତ୍ରର ବିଚିତ୍ର ପ୍ରେମ କାହାଣୀରେ ଇର୍ଫାନ ଏକ ଇତିହାସ ତିଆରି କରିଛନ୍ତି । ତାଙ୍କର ତୃତୀୟ ଐତିହାସିକ ଚରିତ୍ର “ପିକୁ” ସିନେମାରେ “ରାନା” ଚରିତ୍ର । ଅମିତାଭ ବଚ୍ଚନଙ୍କ ବିପକ୍ଷରେ ଇର୍ଫାନ ଗୋଟେ ଅପୂର୍ବ ସାଧାରଣ ଚରିତ୍ରକୁ ନୂଆ ସଜ୍ଞା ଦେଇଛନ୍ତି ।

ବଲିଉଡର ଗୋଟେ ରୋଗ ଅଛି । ଏହା ବଡଠୁ ବଡ ଅଭିନେତାଙ୍କୁ ଷ୍ଟାର କରିବାକୁ ଯାଇ ନଷ୍ଟ କରି ଦେଇଛି ।ନସିରୁଦ୍ଦିନ ଶାହ, ଓମ ପୁରୀଙ୍କ ଭଳି ଅଭିନୟର ହୀରାମାନଙ୍କୁ ହାଫ ପ୍ୟାଣ୍ଟ ପିନ୍ଧେଇ ବାମନ କରେଇ ଦେବାରେ ବଲିଉଡର ଏକ ଭିନ୍ନ ଭୂମିକା ରହିଛି । ବଲିଉଡ ସବୁ ଅଭିନେତାଙ୍କୁ ଗୋଟେ ଛାଞ୍ଚରେ ପକାଇବାକୁ ଚେଷ୍ଟା କରେ । ଯେମିତି ଆଜିର ସବୁଠୁ ପ୍ରତିଭାବାନ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ କରୁଛି । ଆଜି ନୱାଜ କେବଳ ବନ୍ଧୁକ ଚଳେଇ ଦୋ ଅକ୍ଷରୀ କହନ୍ତୁ ବୋଲି ବଲିଉଡ ଚାହେଁ । ହେଲେ ବଲିଉଡ ଇର୍ଫାନଙ୍କୁ ନିଜ ଛାଞ୍ଚରେ କେବେ ହେଲେ ପକାଇ ପାରିନାହିଁ ।

ଇର୍ଫାନଙ୍କ ଅଭିନୟ ଓ ବ୍ୟକ୍ତିତ୍ବ ସହିତ ଭାରତୀୟ ସିନେମାର ଜଣେ ମାତ୍ର ଅଭିନେତାଙ୍କୁ ତୁଳନା କରିହେବ, ସେ ବଳରାଜ ସାହାନୀ । ଆଜିର ପିଢୀ ହୁଏତ “ଦୋ ବିଘା ଜମିନ” ବା “ଗରମ ହାୱା” ର ବଳରାଜ ସାହାଣୀଙ୍କୁ ଦେଖିନଥିବେ, ହେଲେ ଇର୍ଫାନ ସେହି ପରମ୍ପରାର ଅନ୍ତିମ ନାୟକ ବୋଲି ଆମେ କହି ପାରିବା।