ବନ୍ଧୁତ୍ୱ ଏପରି ଗୋଟିଏ ସମ୍ପର୍କ, ଯାହାର ତୁଳନା ନାହିଁ । ରକ୍ତର ସମ୍ପର୍କ ଠାରୁ ବେଶ୍ ଗଭୀର ହେଉଛି ବନ୍ଧୁତାର ସମ୍ପର୍କ । ଏମିତି ଏକ ସମ୍ପର୍କ, ଯାହା ବିନା ଜୀବନ ପୂରା ରଙ୍ଗହୀନ ଲାଗେ । ବିନା ବନ୍ଧୁରେ ବଞ୍ଚିବା କଷ୍ଟକର । ଯିଏ ସର୍ବଦା ଆମ ସାଙ୍ଗରେ ରୁହେ, ସବୁ ପରିସ୍ଥିତିରେ ପାଖେ ପାଖେ ରହି ପ୍ରେରଣା ଦିଏ, ସେ ହେଉଛି ବନ୍ଧୁ । ବନ୍ଧୁଟିଏ କେବଳ ଆମ ହାତ ଧରି ନଥାଏ, ବରଂ ଆମ ହୃଦୟକୁ ପ୍ରତି ମୁହୂର୍ତ୍ତରେ ସ୍ପର୍ଶ କରିଥାଏ । ବନ୍ଧୁ କେବଳ ଏକ ଶବ୍ଦ ନୁହେଁ, ଗୋଟେ ସୁନ୍ଦର ଅନୁଭବ । ବନ୍ଧୁତ୍ୱ ପାଇଁ ଗୋଟିଏ ଦିନ ଯଥେଷ୍ଟ ନୁହେଁ, ତଥାପି ଭାରତ ସମେତ ଏସିଆ ମହାଦେଶରେ ପାଳନ ହେଉଛି ବିଶ୍ୱ ବନ୍ଧୁତ୍ୱ ଦିବସ ।

ବିଶ୍ୱରେ ଭିନ୍ନ ଭିନ୍ନ ତାରିଖରେ ବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ । ୧୯୫୮ ମସିହାରେ ପରାଗୁଆରେ ପ୍ରଥମେ ଅନ୍ତରାଷ୍ଟ୍ରୀୟ ବନ୍ଧୁତ୍ୱ ଦିବସ ପାଳନ ହୋଇଥିଲା । ତେବେ ଏହି ଦିବସର ଶ୍ରେୟ ହଲମାର୍କ କାଡର୍ସର ସଂସ୍ଥାପକ ଜୟସ୍ ହାଲଙ୍କୁ ଦିଆଯାଇଥାଏ । ତେବେ ଜୁଲାଇ ୩୦ ତାରିଖକୁ ସଂଯୁକ୍ତ ରାଷ୍ଟ୍ର ଅନ୍ତରାଷ୍ଟ୍ରୀୟ ବନ୍ଧୁତ୍ୱ ଦିବସ ରୂପେ ମାନ୍ୟତା ଦେଇଥିଲା । ସେହିଦିନଠାରୁ ଜୁଲାଇ ୩୦ ତାରିଖକୁ ଅନ୍ତରାଷ୍ଟ୍ରୀୟ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଏ । କିନ୍ତୁ ଭାରତ ସମେତ ଏସିଆ ମହାଦେଶରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଉଛି । ସେହିପରି ଆର୍ଜେଣ୍ଟିନା ଓ ବ୍ରାଜିଲ୍‌ରେ ଜୁଲାଇ ୨୦ ତାରିଖକୁ ବନ୍ଧୁତ୍ୱ ଦିବସ ପାଳନ କରାଯାଉଥିବାବେଳେ କୋଲୋମ୍ବିଆରେ ମାର୍ଚ୍ଚ ମାସର ଦ୍ୱିତୀୟ ଶନିବାରକୁ ବନ୍ଧୁତ୍ୱ ଦିବସ ପାଳନ କରାଯାଉଛି । ଭେନେଜୁଏଲାରେ ଜୁଲାଇ ୧୪, ସ୍ପେନ୍‌ରେ ଜୁଲାଇ ୨୦, ବୋଲିଭିଆରେ ଜୁଲାଇ ୨୩ ଓ ଆର୍ବାଲିନ୍‌, ଓହିୟୋରେ ଏପ୍ରିଲ୍ ୮ ତାରିଖକୁ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଉଛି । ବନ୍ଧୁତ୍ୱର ରଙ୍ଗରେ ବଲିଉଡ୍ ବେଶ୍ ରଙ୍ଗୀନ୍ । ବଲିଉଡ୍‌ରେ ବନ୍ଧୁତ୍ୱ ବା ଦୋସ୍ତିକୁ ନେଇ ଅନେକ ସିନେମା ତିଆରି ହୋଇଛି । ପ୍ରତି ଫିଲ୍ମରେ ବନ୍ଧୁତ୍ୱକୁ ଏକ ନିଆରା ଢଙ୍ଗରେ ଉପସ୍ଥାପନା କରାଯାଇଥାଏ । ତେବେ ଦୋସ୍ତି ବା ବନ୍ଧୁତ୍ୱକୁ ନେଇ ବଲିଉଡ୍‌ର ଅନେକ ହିଟ୍ ଫିଲ୍ମ ରହିଛି । ବନ୍ଧୁତ୍ୱ ଦିବସ ଅବସରରେ ବଲିଉଡ୍ ରେ ଦୋସ୍ତିକୁ ନେଇ ଛୋଟ ଆଲେଖ ।

ଶୋଲେ: ବନ୍ଧୁତ୍ୱର କଥା ପଡ଼ିଲେ ସର୍ବପ୍ରଥମେ ଆମକୁ ବୀରୁ ଓ ଜୟଙ୍କ କଥା ମନେପଡ଼େ । ଶୋଲେ ଫିଲ୍ମର ଏହି ଦୁଇ ଚରିତ୍ର ସବୁବେଳେ ଆଦର୍ଶ ବନ୍ଧୁ ହୋଇ ରହିଛନ୍ତି ଓ ଆଗକୁ ରହିବେ ମଧ୍ୟ । ୧୯୭୫ ମସିହାରେ ଆସିଥିବା ଏହି ଫିଲ୍ମଟି ବ୍ଲକବ୍ଲଷ୍ଟର ରହିଥିଲା । ଏହି ଫିଲ୍ମରେ ଦୁଇ ବନ୍ଧୁଙ୍କ ଯାତ୍ରାକୁ ଚିତ୍ରାୟିତ କରାଯାଇଥିଲା । ଜୟ ଏବଂ ବୀରୁ ନାମ୍ନୀ ଦୁଇ ବନ୍ଧୁଙ୍କ ଜୀବନକୁ ନେଇ ଏହି ଫିଲ୍ମଟି ଗତିଶୀଳ ହୋଇଥିବାବେଳେ ଏଥିରେ ଥିବା ଦୋସ୍ତିଗୀତଟି ଆଜି ବି ସୁପରହିଟ୍ । ଏହି ଫିଲ୍ମରେ ଥିବା ସୁପରହିଟ୍ ଗୀତଟି ହେଉଛି ‘ୟେ ଦୋସ୍ତି ହମ୍ ନେହୀ ତୋଡେଙ୍ଗେ' । ଏହି ଗୀତଟି ପରବର୍ତ୍ତୀ ସମୟରେ ବନ୍ଧୁତ୍ୱର ପ୍ରତିଶବ୍ଦ ପାଲଟି ଯାଇଥିଲା । ଏହି ଫିଲ୍ମରେ ଜୟ ଏବଂ ବୀରୁ ଚରିତ୍ରରେ ମିଲେନିୟମ୍ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ହିଟ୍ ମ୍ୟାନ୍ ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ମିଳିଥିଲା । ସଲିମ୍‌ - ଜାଭେଦ୍‌ଙ୍କ ଦ୍ୱାରା ଲିଖିତ ଏହି କାହାଣୀର ନିର୍ଦ୍ଦେଶନା ଦେଇଥିଲେ ରମେଶ ସିପ୍ପି । ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଫିଲ୍ମ ମଧ୍ୟରେ ଶୋଲେ ଅନ୍ୟତମ ।

ଦୋସ୍ତି: ୧୯୬୪ ମସିହାରେ ରିଲିଜ୍ ହୋଇଥିବା କଳାଧଳା ସିନେମା ‘ଦୋସ୍ତି' ବନ୍ଧୁତାର ପରିଭାଷାକୁ ପରଦାରେ ବୁଝାଇଥିଲା । ସତ୍ୟେନ୍ ବୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଥିଲେ ତାରାଚାନ୍ଦ ବଡଜାତ୍ୟା । ଦୁଇ ଦିବ୍ୟାଙ୍ଗ ବନ୍ଧୁଙ୍କ ନିଆରା ବନ୍ଧୁତାକୁ ନେଇ ଫିଲ୍ମଟି ଗଢିଉଠିଥିବାବେଳେ ଏଥିରେ ସୁଧୀର କୁମାର ସାୱନ୍ତ ଓ ସୁଶିଲ୍ କୁମାର ସୌମ୍ୟ ଓ ସଞ୍ଜୟ ଖାନ୍ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମଟି ଚତୁର୍ଥ ମସ୍କୋ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଫିଲ୍ମଟି ମାଲାୟାଲମ୍ ରେ ମଧ୍ୟ ନିର୍ମିତ ହୋଇଥିଲା ।

ହାଥୀ ମେରେ ସାଥୀ: ୧୯୭୧ ମସିହାରେ ପରଦାକୁ ଆସିଥିବା ‘ହାଥୀ ମେରେ ସାଥୀ'ରେ ମଣିଷ ଓ ପଶୁର ଅନାବିଳ ବନ୍ଧୁତ୍ୱକୁ ପ୍ରଦର୍ଶନ କରାଯାଇଥିଲା । ଏହି ଫିଲ୍ମଟି ରାଜୁ ଓ ତା'ର ଚାରୋଟି ହାତୀକୁ ନେଇ ଗତିଶୀଳ ହୋଇଛି । ଏହି ଫିଲ୍ମରେ ସୁପରଷ୍ଟାର୍ ରାଜେଶ ଖାନ୍ନା ଓ ତନୁଜା ଅଭିନୟ କରିଥିଲେ ।

ଜୋ ଜିତା ୱହି ସିକନ୍ଦର: ୧୯୯୨ ମସିହାରେ ପରଦାକୁ ଆସିଥିବା ଆମୀର ଖାନ୍‌ଙ୍କ ଅଭିନୀତ ଏହି ଫିଲ୍ମଟି ସୁପରହିଟ୍ ରହିଥିଲା । ଏହି ଫିଲ୍ମରେ ବନ୍ଧୁର ପ୍ରକୃତ ସଂଜ୍ଞା ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଆମୀର ଖାନ୍‌, ଆୟେଶା ଝୁଲକା ପ୍ରମୁଖ ଅଭିନୟ କରିଥିଲେ ।

ଅନ୍ଦାଜ ଅପ୍‌ନା ଅପ୍‌ନା: ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ତଥା ସଲମାନ୍ ଖାନ୍ ଓ ଆମୀର ଖାନଙ୍କ ଦ୍ୱାରା ଅଭିନୀତ ଏହି ଫିଲ୍ମଟି ୧୯୯୪ ମସିହାରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ଦୁଇ ବନ୍ଧୁଙ୍କର ଖିଟ୍‌ପିଟ୍ ଦେଖିବାକୁ ମିଳିଥିଲା ।

କୁଛ୍ କୁଛ୍ ହୋତା ହୈ: ୧୯୯୮ ମସିହାରେ ପରଦାକୁ ଆସିଥିବା ତଥା କରନ୍ ଜୋହର ନିର୍ଦ୍ଦେଶିତ ଏହି ଫିଲ୍ମରେ ନିଆରା ଦୋସ୍ତି ବା ବନ୍ଧୁତ୍ୱକୁ ଦେଖିବାକୁ ମିଳିଥିଲା । ପୁଅ ଝିଅଙ୍କ ବନ୍ଧୁତ୍ୱକୁ ଏକ ନିଆରା ଢଙ୍ଗରେ ପ୍ରଦର୍ଶନ କରାଯାଇଥିଲା ଏହି ଫିଲ୍ମରେ । ବନ୍ଧୁତ୍ୱ ଓ ପ୍ରେମକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଥିବାବେଳେ ଏଥିରେ ଶାହରୁଖ ଖାନ୍‌, କାଜୋଲ୍ ଓ ରାଣୀ ମୁଖାର୍ଜୀଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ରାହୁଲ୍‌-ଅଞ୍ଜଳିଙ୍କ ବନ୍ଧୁତ୍ୱ ଓ ପ୍ରେମକାହାଣୀ ଆଜି ବି ସୁପରହିଟ୍ । ଲୋକପ୍ରିୟ ଯୋଡ଼ି ଯତୀନ୍‌-ଲଲିତ ଦ୍ୱାରା ଏହି ଫିଲ୍ମର ଗୀତଗୁଡ଼ିକୁ ସ୍ୱରବଦ୍ଧ କରାଯାଇଥିବାବେଳେ ଏଥିରେ ଉଦିତ୍ ନାରାୟଣ, ଅଲ୍‌କା ୟାଗ୍ନିକ୍‌, କବିତା କ୍ରିଷ୍ଣମୂର୍ତ୍ତି, ଶଙ୍କର ମହାଦେବନ୍‌, କୁମାର ସାନୁ ପ୍ରମୁଖ କଣ୍ଠଦାନ କରିଥିଲେ ।

ଦିଲ୍ ଚାହତା ହୈ: ଫରହାନ୍ ଅଖତର୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦୦୧ ମସିହାରେ ପରଦାକୁ ଆସିଥିଲା । ତିନି ବନ୍ଧୁଙ୍କ ନିଆରା କାହାଣୀକୁ ନେଇ ଏହି ଫିଲ୍ମଟି ଗତିଶୀଳ ହୋଇଥିଲା । ଏହି ଫିଲ୍ମରେ ଆମୀର ଖାନ୍‌, ସୈଫଅଲ୍ଲୀ ଖାନ୍ ଓ ଅକ୍ଷୟ ଖାନ୍ନ୍ନା ଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟିରେ ବନ୍ଧୁତ୍ୱରେ ଆସୁଥିବା ଦୂରତାକୁ ବେଶ୍ ନିଖୁଣ ଭାବରେ ପ୍ରଦର୍ଶନ କରାଯାଇଥିଲା । ଫିଲ୍ମଟି ୨୦୦୧ ମସିହାରେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରର ସମ୍ମାନ ହାସଲ କରିଥିଲା ।

କଲ୍ ହୋ ନା ହୋ: ନିଖିଲ୍ ଆଡ଼ଭାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦୦୩ ମସିହାରେ ପରଦାକୁ ଆସିଥିଲା । ନିଖିଲ୍ ଏହି ଫିଲ୍ମ ଜରିଆରେ ବଲିଉଡ୍ ପଦାର୍ପଣ କରିଥିବାବେଳେ ଫିଲ୍ମଟି ସୁପରହିଟ୍ ରହିଥିଲା । ତ୍ରିକୋଣୀୟ ପ୍ରେମ, ବନ୍ଧୁତ୍ୱକୁ ନେଇ ଫିଲ୍ମଟି ଗତିଶୀଳ ହୋଇଥିଲା । ଏଥିରେ ଶାହରୁଖ ଖାନ୍‌, ପ୍ରୀତି ଜିଣ୍ଟା ଓ ସୈଫ୍‌ଅଲ୍ଲୀ ଖାନ୍ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।

ମୁଝ୍‌ସେ ଦୋସ୍ତି କରୋଗୀ: ୟଶ୍‌ରାଜ ବ୍ୟାନରରେ ପ୍ରସ୍ତୁତ ମ୍ୟୁଜିକାଲ୍ ହିଟସ୍ ଫିଲ୍ମ ‘ମୁଝ୍‌ସେ ଦୋସ୍ତି କରୋଗୀ' ୨୦୦୨ ମସିହାରେ ପରଦାକୁ ଆସିଥିଲା । ବନ୍ଧୁତା ଓ ତ୍ରିକୋଣୀୟ ପ୍ରେମକୁ ନେଇ ଗତିଶୀଳ ହୋଇଥିବା ଏହି ଫିଲ୍ମଟିରେ ରାଣୀ ମୁଖାର୍ଜୀ, କରୀନା କପୁର୍ ଓ ହ୍ରିତିକ୍ ରୋଶନଙ୍କୁ ଦେଖିବାକୁ ମିଳିଥିଲା ।

ମୁନ୍ନା ଭାଇ ଏମ୍‌. ବି. ବି. ଏସ୍: ୨୦୦୩ ମସିହାରେ ରିଲିଜ୍ ହୋଇଥିବା କମେଡ଼ି ରୋମାଣ୍ଟିକ୍ ଫିଲ୍ମ ‘ମୁନ୍ନ।ଭାଇ ଏମ୍‌. ବି. ବି. ଏସ୍' ରେ ନିଆରା ବନ୍ଧୁତ୍ୱକୁ ଦେଖିବାକୁ ମିଳିଥିଲା । ଏଥିରେ ମୁନ୍ନା ଭାଇ-ସର୍କିଟ୍‌ର ଯୋଡ଼ି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଓ ଅର୍ଶଦ ୱାର୍ସିଙ୍କ ଅଭିନୟ ବେଶ୍ ଉଚ୍ଚକୋଟୀର ଥିଲା । ସିନେମାରେ ଦୁଇ ବନ୍ଧୁଙ୍କର ଟପୋରୀ ଡାଇଲଗ୍ ଦର୍ଶକଙ୍କୁ ଦିୱାନା କରିଥିଲା । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିର ପ୍ରଯୋଜନା କରିଥିଲେ ବିଧୁ ବିନୋଦ ଚୋପ୍ରା ।

କୋଇ ମିଲ୍ ଗୟା: ୨୦୦୩ରେ ପରାଦକୁ ଆସିଥିବା ସାଇନ୍ସ ଫିକ୍ସନ୍ ‘କୋଇ ମିଲ୍‌ ଗୟା'ରେ ମଣିଷ ଓ ଏଲିଏନଙ୍କ ବନ୍ଧୁତାକୁ ଦର୍ଶାଯାଇଥିଲା । ରାକେଶ୍ ରୋଶନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରୀତି ଜିଣ୍ଟା ଓ ହ୍ରିତିକ୍ ରୋଶନ୍ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ।

ରଙ୍ଗ ଦେ ବସନ୍ତୀ: ୨୦୦୬ ମସିହାରେ ପରଦାକୁ ଆସିଥିବା ଦେଶାତ୍ମବୋଧକ ଏହି ଫିଲ୍ମଟିରେ ପାଞ୍ଚ ବନ୍ଧୁଙ୍କର କାହାଣୀକୁ ଚିତ୍ରାୟନ କରାଯାଇଥିଲା । ରାକେଶ ଓମ୍‌ପ୍ରକାଶ ମେହେରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆମୀର ଖାନ୍‌, ସିଦ୍ଧାର୍ଥ, ଶର୍ମନ ଯୋଶୀ, ଅତୁଲ୍ କୁଲ୍‌କର୍ଣ୍ଣୀ, କୁନାଲ୍ କପୁର୍‌, ସୋହାଅଲ୍ଲୀ ଖାନ୍ ଓ ବ୍ରିଟିଶ୍ ଅଭିନେତ୍ରୀ ଆଲିସ୍ ପାଟନ୍ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ରକ୍‌ ଅନ୍: ଚାରିଜଣ ବନ୍ଧୁ ଓ ସେମାନଙ୍କ ସଂଘର୍ଷର କାହାଣୀକୁ ନେଇ ରଚିତ ଏହି ଫିଲ୍ମଟି ୨୦୦୮ ମସିହାରେ ପରଦାକୁ ଆସିଥିଲା । ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ତଥା ଫରହାନ୍ ଅଖତର୍‌ଙ୍କ ପ୍ରଯୋଜିତ ଏହି ଫିଲ୍ମର କାହାଣୀରେ ଚାରିବନ୍ଧୁଙ୍କର ସଫଳତାର କାହାଣୀକୁ ଦର୍ଶାଯାଇଛି । ଏହି ଫିଲ୍ମରେ ଫରହାନ୍ ଅଖତର, ଅର୍ଜୁନ୍ ରାମପାଲ୍‌, ଲକିକେନି, ପୂରବ କୋହଲୀ ଓ ପ୍ରାଚୀ ଦେଶାଇ ପ୍ରମୁଖ ଅଭିନୟ କରିଥିଲେ ।

ଥ୍ରୀ ଇଡିଅଟସ୍: ୨୦୦୯ ମସିହାରେ ପରଦାକୁ ଆସିଥିବା ବ୍ଲକବ୍ଲଷ୍ଟର ଫିଲ୍ମ ‘ଥ୍ରୀ ଇଡିଅଟସ୍‌'ରେ ବନ୍ଧୁତ୍ୱର ଏକ ନିଆରା ସଂଜ୍ଞା ଦେଖିବାକୁ ମିଳିଥିଲା । ତିନିି ବନ୍ଧୁଙ୍କୁ ନେଇ ଗତିଶୀଳ ହୋଇଥିବା ଏହି ଫିଲ୍ମଟିରେ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସ୍‌, ଦୋସ୍ତି, ମଜା-ମସ୍ତିକୁ ଦେଖିବାକୁ ମିଳିଥିଲା । ଚେତନ୍ ଭଗତ୍‌ଙ୍କ ଉପନ୍ୟାସ ‘ଫାଇଭ୍ ପଏଣ୍ଟ ସମୱାନ୍‌' ଛାୟାରେ ନିର୍ମିତ ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଥିଲେ ରାଜକୁମାର ହିରାନୀ । ଏହି ଫିଲ୍ମରେ ଆମୀର ଖାନ୍‌, ମାଧବନ୍‌, ଶର୍ମନ ଯୋଶୀ, ବୋମନ ଇରାନୀ, ଓମି ବୈଦ୍ ଓ କରୀନା କପୁର୍ ପ୍ରମୁଖ ଅଭିନୟ କରିଥିଲେ ।

କାଇ ପୋ ଚେ: ୨୦୧୩ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଚେତନ୍ ଭଗତ୍‌ଙ୍କ ଅନ୍ୟତମ ଉପନ୍ୟାସ ‘ଥ୍ରୀ ମିଷ୍ଟେକସ ଅଫ୍ ଲାଇଫ୍‌’ ଊପରେ ଆଧାରିତ ଥିଲା । ଅଭିଷେକ କପୁର୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିରେ ସୁଶାନ୍ତ ସିଂ ରାଜପୁତ୍‌, ଅମିତ୍ ସାଧ, ରାଜକୁମାର ରାଓ ପ୍ରମୁଖ ଅଭିନୟ କରିଥିଲେ । ତିନି ବନ୍ଧୁଙ୍କ କାହାଣୀକୁ ନେଇ ଗତିଶୀଳ ହୋଇଥିବା ଏହି ଫିଲ୍ମଟି ସୁପରହିଟ୍ ରହିଥିଲା । ଗୁଜୁରାଟୀ ପୃଷ୍ଠଭୂମି ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମରେ ଦୋସ୍ତି, ପ୍ରେମ, ଜୀବନର ଲକ୍ଷ୍ୟକୁ ନେଇ ଏକ ନିଆରା ଫ୍ୟୁଜନ୍ ଦେଖିବାକୁ ମିଳିଥିଲା ।

ଷ୍ଟୁଡେଣ୍ଟ ଅଫ୍ ଦି ୟର: ୨୦୧୨ ମସିହାରେ ପରଦାକୁ ଆସିଥିବା 'ଷ୍ଟୁଡେଣ୍ଟ ଅଫ୍ ଦି ୟର'ରେ ବନ୍ଧୁତା, ପ୍ରେମ ଓ କଲେଜ ଜୀବନର ମଜାମସ୍ତିକୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଜରିଆରେ ଆଲିଆ ଭଟ୍ଟ, ସିଦ୍ଧାର୍ଥ ମଲହୋତ୍ରା ଓ ବରୁଣ ଧୱନ ବଲିଉଡ୍ ପଦାର୍ପଣ କରିଥିଲେ । ଫିଲ୍ମଟି କଲେଜ ବନ୍ଧୁଙ୍କ ମଧ୍ୟରେ ଚାଲୁଥିବା ସମ୍ପର୍କ ଉପରେ ଆଧାରିତ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାର ସିକ୍ୱେଲ୍ ସିନେମା ମଧ୍ୟ ନିର୍ମାଣ ହୋଇଥିଲା । ଏହି ସିକ୍ୱେଲ୍ ସିନେମାରେ ତାରା ସୁତାରିଆ, ଅନନ୍ୟା ପାଣ୍ଡେ ଓ ଟାଇଗର ଶ୍ରଫ୍‌ଙ୍କୁ ଦେଖିବାକୁ ମିଳିଥିଲା ।

ୟୈ ଜୱାନୀ ହୈ ଦିୱାନୀ: ୨୦୧୩ ମସିହାରେ ପରଦାକୁ ଆସିଥିବା 'ୟେ ଜୱାନୀ ହୈ ଦିୱାନୀ' ଫିଲ୍ମଟିରେ ପ୍ରେମ, ବନ୍ଧୁତ୍ୱକୁ ନିଆରା ଢଙ୍ଗରେ ଦେଖିବାକୁ ମିଳିଥିଲା । ଆୟନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର୍‌, ଦୀପିକା ପାଦୁକୋନ୍‌, କଲ୍‌କି କୋଚଲିନ୍‌, ଆଦିତ୍ୟ ରୟ କପୁର୍ ପ୍ରମୁଖ ଅଭିନୟ କରିଥିଲେ । ଏହି ଫିଲ୍ମର ଗୀତଗୁଡ଼ିକ ବେଶ୍ ହିଟ୍ ରହିଥିଲା ।