ଛୋଟ ପିଲା ହେଉ କି ବଡ଼ ଲୋକ ହେଉ ସମସ୍ତଙ୍କୁ ଚକୋଲେଟ୍‌ ବହୁତ ପସନ୍ଦ । କାହାର ମାନଭଂଜନ ପାଇଁ ହେଉ ଅଥବା ଗିଫ୍ଟ ପାଇଁ ହେଉ ଚକୋଲେଟ୍‌ ସବୁଠୁ ଭଲ ଉପହାର । ଆଜି ହେଉଛି ବିଶ୍ଵ ଚକୋଲେଟ୍‌ ଦିବସ । ଅବଶ୍ୟ ଫେବୃଆରୀର ପ୍ରେମ ସପ୍ତାହରେ ଫେବୃଆରୀ ୯ ତାରିଖକୁ ଚକୋଲେଟ୍‌ ଦିବସ ରୂପେ ପାଳନ କରାଯାଇଥାଏ । କିନ୍ତୁ ଜୁଲାଇ ୭ ତାରିଖ ହେଉଛି ବିଶ୍ଵ ଚକୋଲେଟ୍‌ ଡେ’ । ୨୦୦୯ ମସିହାରୁ ଜୁଲାଇ ୭ ତାରିଖକୁ ବିଶ୍ଵ ଚକୋଲେଟ୍‌ ଦିବସ ରୂପେ ପାଳନ କରାଯାଉଛି । ତେବେ ୧୫୫୦ ମସିହାରେ ୟୁରୋପରେ ପ୍ରଥମଥର ପାଇଁ ଚକୋଲେଟ୍‌ ପରିଚିତି ହୋଇଥିଲା । ଏହା ପରଠାରୁ ଜୁଲାଇ ୭ ତାରିଖକୁ ଅନ୍ତର୍ଜାତୀୟ ଚକୋଲେଟ୍‌ ଦିବସ ରୂପେ ପାଳନ କରାଯାଉଛି ।

କୁହାଯାଏ, ଯେ ପ୍ରଥମଥର ପାଇ ଚକୋଲେଟ୍‌ ଗଛ ଆମେରିକାରେ ଦେଖାଯାଇଥିଲା । ତେବେ ବିଶ୍ଵରେ ପ୍ରଥମ ଥର ପାଇଁ ଆମେରିକା ଓ ମେକ୍ସିକୋରେ ଚକୋଲେଟ୍‌ର ପ୍ରଚଳନ ଘଟିଥିଲା । ୧୫୨୮ ମସିହାରେ ସ୍ପେନ୍‌ର ତତ୍କାଳୀନ ରାଜା ମେକ୍ସିକୋକୁ ନିଜ ଅଧୀନରେ କରିନେଇଥିଲେ। ସେହି ସମୟରେ ମେକ୍ସିକୋର କୋକୋ ବହୁତ ଲୋକପ୍ରିୟ ଥିଲା । ଏହାପରେ ସ୍ପେନ୍‌ର କେକୋ ସାରା ବିଶ୍ଵରେ ପ୍ରସିଦ୍ଧ ହୋଇଥିଲା । ତଥାପି ଚକୋଲେଟର ଇତିହାସ ହଜାର ହଜାର ବର୍ଷ ପୁରୁଣା । 'ଚକୋଲେଟ୍' ଶବ୍ଦଟି ଶାସ୍ତ୍ରୀୟ ନାହୁଆଟ୍ ଶବ୍ଦ ଚକୋଲଟଲ (chocolātl) ରୁ ଆସିଛି । କୋକୋରୁ ଚକୋଲେଟ୍‌ ପ୍ରସ୍ତୁତ ହୋଇଥାଏ । ଏହା ତରଳ, ପେଷ୍ଟ କିମ୍ବା ଏକ ବ୍ଲକ୍ ଆକାରରେ ତିଆରି ହୋଇଥାଏ । ଏହାକୁ ଅନ୍ୟ ଖାଦ୍ୟରେ ସ୍ୱାଦଯୁକ୍ତ ଉପାଦାନ ଭାବରେ ମଧ୍ୟ ବ୍ୟବହାର କରାଯାଏ । ବିଶ୍ଵର ପ୍ରାୟ ଦୁଇ - ତୃତୀୟାଂଶ କୋକୋ ପଶ୍ଚିମ ଆଫ୍ରିକାରେ ଉତ୍ପାଦିତ ହୁଏ । ତେବେ କୋକୋ ମଞ୍ଜିକୁ ନେଇ ବହୁ ଲୋକକଥା ରହିଛି । କାକୋ ମଞ୍ଜି ଭଗବାନଙ୍କଠାରୁ ଏକ ଉପହାର ବୋଲି ଆଜେଟିଆମାନେ ବିଶ୍ଵାସ କରୁଥିଲେ । ଏହାକୁ ଜ୍ଞାନର ପ୍ରତୀକ ବୋଲି ବିବେଚନା କରିବା ସହ ସେମାନେ ମୁଦ୍ରା ଭାବରେ ଏହାର ବ୍ୟବହାର କରୁଥିଲେ ।

ପୂର୍ବ ଲାଟିନ୍ ଆମେରିକାର ଏକ ରିପୋର୍ଟ ଅନୁଯାୟୀ, ଚକୋଲେଟ୍କୁ ପୂର୍ବରୁ କେବଳ ପାନୀୟ ଭାବରେ ବ୍ୟବହାର କରାଯାଉଥିଲା, କାରଣ ଏହାର ସ୍ଵାଦଟି ଟିକେ କଡ଼ା ରହିଥିଲା । ତେବେ ଷୋଡଶ ଶତାବ୍ଦୀରେ ଏଥିରେ ଚିନି ମିଶାଯିବା ପରେ ଏହାର ସ୍ଵାଦରେ ପରିବର୍ତ୍ତନ ହେଲା । ପରେ ଏହା ବେଶ ଲୋକପ୍ରିୟ ହେଲା । ବିଂଶ ଶତାବ୍ଦୀରେ ଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ରର ସୈନିକମାନଙ୍କୁ ଖାଦ୍ୟରେ ବିଶେଷ ରୂପେ ଚକୋଲେଟ୍‌ ଦିଆଯାଉଥିଲା ।

ଆଜି ଚକୋଲେଟ୍ ଆମ ସଂସ୍କୃତିର ଏକ ଅଂଶ ହୋଇପାରିଛି । ଯେକୌଣସି ଉତ୍ସବ ହେଉ ଅଥବା ଆମ ଜୀବନର କିଛି ସ୍ମରଣୀୟ ମୁହୂର୍ତ୍ତ ଚକୋଲେଟ୍‌ ଖୁସିର ଫୁଆର ସୃଷ୍ଟି କରୁଛି ।

ବିଶ୍ଵରେ ବିଭିନ୍ନ ପ୍ରକାରର ଚକୋଲେଟ୍ ଅଛି । ମିଲ୍କ ଚକୋଲେଟ୍‌, ଡାର୍କ ଚକୋଲେଟ୍‌, ଆଇସକ୍ରିମ୍‌ ଚକୋଲେଟ୍‌, କେକ୍‌ ଚକୋଲେଟ୍‌ । ତେବେ ଚକୋଲେଟ୍‌ କେବଳ ଖାଇବାକୁ ଭଲ ଲାଗିଥାଏ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ ହୋଇଥାଏ । ଏହା ଆମ ମୁଡ୍‌କୁ ସତେଜ ରଖିଥାଏ । ଏହାକୁ ଆଣ୍ଟିଅକ୍ସିଡାଣ୍ଟର ଶକ୍ତିଶାଳୀ ଉତ୍ସ ଭାବରେ ବିବେଚନା କରାଯାଏ । ସନ୍‌ସ୍କ୍ରିନ୍‌ ରୂପେ ମଧ୍ୟ ଚକୋଲେଟ୍‌ କାର୍ଯ୍ୟ କରିଥାଏ ।

ଚକୋଲେଟ୍‌ ଡେ’ ପାଳନ ଅବସରରେ ଆସନ୍ତୁ ଜାଣିବା ଡାର୍କ ଚକୋଲେଟ୍‌ ଆମ ଶରୀର ପାଇଁ କେତେ ଲାଭଦାୟକ । ଗବେଷଣାରୁ ଜଣାପଡ଼ିଛି ଯେ, ଡାର୍କ ଚକୋଲେଟ୍‌ରେ ଥିବା ମ୍ୟାଗ୍ନେିସିୟମ୍‌ ରକ୍ତ ଚାପକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ୨୦୧୨ ମସିହାରେ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ଲୋକମାନେ ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ ଡାର୍କ ଚକୋଲେଟ୍‌ ଖାଇଥା’ନ୍ତି ତାଙ୍କର ରକ୍ତ ଚାପ ନର୍ମାଲ୍‌ ରହିଥାଏ ।

କଲେଷ୍ଟ୍ରୋଲ୍‌ ସ୍ତର କମାଇଥାଏ: ଡାର୍କ ଚକୋଲଟ୍‌ କଲେଷ୍ଟ୍ରୋଲ୍‌ ସମସ୍ୟାରୁ ମୁକ୍ତ କରିବା ସହ ଭଲ (ଗୁଡ୍‌ କଲେଷ୍ଟ୍ରୋଲ୍‌) ବଢାଇଥାଏ । ଏହା ଫଳରେ ଷ୍ଟ୍ରୋକ୍‌ ବା ହୃଦ୍‌ରୋଗ ଆଶଙ୍କା କମ୍‌ ହୋଇଥାଏ ।

ପେଟର ଚର୍ବିକୁ ହ୍ରାସ କରିଥାଏ: ଡାର୍କ ଚକୋଲେଟ୍‌ ଖାଇବା ଦ୍ଵାରା ବହୁ ସମୟ ପର୍ଯ୍ୟନ୍ତ ଭୋକ ହୋଇନଥାଏ । ଏଥିରେ ପ୍ରଚୁର ପରିମାଣରେ ମୋନୋଅନସାଟୁରେଟେଡ୍ ଫ୍ୟାଟି ଏସିଡ୍‌ ମିଳିତାଏ, ଯାହା ମେଟାବଲିଜିମ୍‌କୁ ଦୃଢ କରିବା ସହ ଫ୍ୟାଟ୍‌ ବର୍ନ ବା ଚର୍ବି ଜାଳିଥାଏ । ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଖାଦ୍ୟ ଖାଇବା ପରେ ଡେଜର୍ଟ୍ ବା ମିଠାରେ ଚକୋଲେଟ୍‌କୁ ସାମିଲ୍‌ କଲେ ଏହା ଓଜନ ନିୟନ୍ତ୍ରଣ କରିଥାଏ ।

ସ୍ମୃତି ଶକ୍ତି ବୃଦ୍ଧି କରିଥାଏ: ଡାର୍କ ଚକୋଲେଟ୍‌ ଖାଇବା ଦ୍ଵାରା ସ୍ମୃତି ଶକ୍ତିରେ ବୃଦ୍ଧି ହୋଇଥାଏ । ଡାର୍କ ଚକୋଲେଟ୍‌ ଖାଇବା ଦ୍ଵାରା ରକ୍ତ ସଂଚାଳନ ଭଲରେ ହୋଇଥାଏ । ଏହାଦ୍ଵାରା ଆପଣଙ୍କ ସ୍ମୃତିଶକ୍ତିରେ ଉନ୍ନତି ହୋଇଥାଏ ।