ରୋଷେଇ ଘରେ ଖାଇବା ତେଲ ବା କୁକିଙ୍ଗ୍ ଅଏଲ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଡାଲି ହେଉ କିମ୍ୱା ତରକାରି ସବୁ ପାଇଁ ତେଲ ଜରୁରୀ । ରାନ୍ଧିବା ପାଇଁ ଆମ ପାଖରେ ବିଭିନ୍ନ ପ୍ରକାରର ତେଲର ବିକଳ୍ପ ରହିଛି । ଗ୍ରୋସରୀ ଷ୍ଟୋରର ଥାକରେ ରହିଥିବା ଭିନ୍ନ ଭିନ୍ନ ପ୍ରକାର ତେଲ ଯଥା ଅଲିଭ ତେଲ, ନଡିଆ ତେଲ କିମ୍ବା ଆଭୋକାଡୋ ତେଲକୁ ନେଇ ଆମେ ଚିନ୍ତାରେ ପଡୁ । ଏତେ ସଂଖ୍ୟକ ରନ୍ଧନ ତେଲ ମଧ୍ୟରୁ କେଉଁଟି ସର୍ବୋତ୍ତମ ଏବଂ ପ୍ରତ୍ୟେକ ତେଲ କ’ଣ ପାଇଁ ବ୍ୟବହାର କରାଯାଇପାରିବ ଏହାକୁ ନେଇ ଆମେ ଦ୍ଵନ୍ଦ୍ଵରେ ପଡିବା ସ୍ଵାଭାବିକ । ରାନ୍ଧିବା ପାଇଁ ସର୍ବୋତ୍ତମ ତେଲ ଚୟନ କରିବା ପୂର୍ବରୁ, ଆମକୁ ସର୍ବପ୍ରଥମେ ପ୍ରତ୍ୟେକ ପ୍ରକାରର ରୋଷେଇ ପାଇଁ ସ୍ମୋକ ପଏଣ୍ଟକୁ ଜାଣିବାକୁ ପଡିବ ।

ସ୍ମୋକ ପଏଣ୍ଟ କ’ଣ ?

ଯେଉଁ ତାପମାତ୍ରାରେ ତେଲ ମୁଖ୍ୟତଃ ଜଳିବା ଆରମ୍ଭ କରିଥାଏ ତାହାକୁ ସ୍ମୋକ ପଏଣ୍ଟ ବା ଧୂଆଁ ବିନ୍ଦୁ କୁହାଯାଏ । ଥରେ ତେଲ ଜଳିବା ଆରମ୍ଭ କଲା ପରେ ଏହା ଖାଦ୍ୟରେ ଏକ ଜ୍ୱଳନ୍ତ ସ୍ବାଦ ଯୋଗ କରେ । ଏହି ସ୍ଵାଦକୁ କେହି ପସନ୍ଦ କରନ୍ତି ନାହିଁ । ତେଲର ସ୍ମୋକ ପଏଣ୍ଟ ୩୭୫ ଡିଗ୍ରୀ ଫାରେନ୍ହାଇଟ୍ ଠାରୁ ୫୨୦ ଡିଗ୍ରୀ ଫାରେନ୍ହାଇଟ୍ ଭିତରେ ହୋଇପାରେ ।

ପ୍ରତ୍ୟେକ ପ୍ରକାରର ରୋଷେଇରେ ଏକ ତଥାକଥିତ ସ୍ମୋକ ପଏଣ୍ଟ ରହିଥାଏ । ଏହା ରନ୍ଧା ହୋଇଥିବା ପ୍ରତ୍ୟେକ ବ୍ୟଞ୍ଜନରେ ଏକ ଅଲଗା ସ୍ୱାଦ ଯୋଗାଇଥାଏ ।

ଫ୍ରାଇଙ୍ଗ୍ - ଏଥିପାଇଁ ୩୭୫ଡିଗ୍ରୀ ଫାରେନ୍ହାଇଟ୍ କିମ୍ବା ଅଧିକରୁ ଅଧିକ ସ୍ମୋକ ପଏଣ୍ଟ ଆବଶ୍ୟକ । ଯଦି ଏଥିପାଇଁ ଆପଣ ସଠିକ ରନ୍ଧନ ତେଲର ବ୍ୟବହାର ନ କରନ୍ତି ତେବେ ତେଲରେ ଭଜା କିମ୍ବା ଛଣା ହୋଇଥିବା କୌଣସି ବି ଖାଦ୍ୟର ସ୍ୱାଦ ମିଳିପାରିବ ନାହିଁ ।

ବେକିଂ - ଏହା ସାଧାରଣତଃ ୩୫୦ଡିଗ୍ରୀ ଫାରେନ୍ହାଇଟ୍ ରୁ ୪୦୦ଡିଗ୍ରୀ ଫାରେନ୍ହାଇଟ୍ ମଧ୍ୟରେ କରାଯାଏ, ଯଦିଓ ବେକିଂରେ ବ୍ୟବହୃତ ତେଲ ପାଇଁ ସ୍ମୋକ ପଏଣ୍ଟ ୩୦୦ଡିଗ୍ରୀରୁ ଆରମ୍ଭ ହୋଇଥାଏ ।

ସଟେଇଙ୍ଗ୍ - ଏଥିପାଇଁ ଅଧିକ ସ୍ମୋକ ପଏଣ୍ଟର ଆବଶ୍ୟକତା ପଡେ ନାହିଁ । ସଟେଇଙ୍ଗ୍ ବା ହାଲ୍କା ଭଜା ପାଇଁ ବ୍ୟବହୃତ ତେଲରେ ୩୦୦ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ସ୍ମୋକ ପଏଣ୍ଟ ରହିଥାଏ ।

ଡ୍ରେସିଂ - ଏହି ପ୍ରକ୍ରିୟାରେ ଯେହେତୁ ରାନ୍ଧିବା ବା ଗରମ କରିବା ଆବଶ୍ୟକ ପଡେ ନାହିଁ, ଏଥିପାଇଁ ତେଲର ସର୍ବନିମ୍ନ ସ୍ମୋକ ପଏଣ୍ଟ ରୁହେନାହିଁ । କେବଳ ସୁଗନ୍ଧିତ ତେଲ ସହିତ ଖାଦ୍ୟକୁ ଡ୍ରେସିଂ କରାଯାଏ ଏବଂ ସାଲାଡ ଉପରେ ସଜାଇବା ପାଇଁ ବ୍ୟବହାର କରାଯାଏ ।

ଏବେ ଆମେ ସ୍ମୋକ ପଏଣ୍ଟ କଣ ଓ ବିଭିନ୍ନ ପ୍ରକାର ରୋଷେଇ ପାଇଁ ଏହା କେତେ ଜରୁରୀ ତାହା ବୁଝିସାରିଛେ । ଏବେ ଆସନ୍ତୁ ଜାଣିବା ଉତ୍ତମ ରନ୍ଧନ ତେଲ ସମ୍ପର୍କରେ ।

ଉତ୍ତମ ରନ୍ଧନ ତେଲ ଏବଂ ଏହାର ବ୍ୟବହାର

କାନୋଲା ତେଲ - କାନୋଲା ତେଲ ବା ଧଳା ସୋରିଷ ତେଲରେ ଏକ ନିଆରା ସ୍ବାଦ ରହିଛି, ଯାହା ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପାଇଁ ବ୍ୟବହୃତ ହୋଇଥାଏ । ୪୦୦ - ୪୫୦ଡିଗ୍ରୀ ଉଚ୍ଚ ସ୍ମୋକ ପଏଣ୍ଟ ସହିତ, ଏହି ତେଲ ଅନେକ ରନ୍ଧନ ପ୍ରଣାଳୀରେ ବ୍ୟବହାର କରାଯାଇପାରିବ । ବେକିଂ, ସଟେଇଙ୍ଗ୍, ଫ୍ରାଇଙ୍ଗ୍, ଗ୍ରିଲିଙ୍ଗ୍ ପାଇଁ ଏହି ତେଲ ସର୍ବୋତ୍ତମ । ଏହି ବହୁମୁଖୀ ବିକଳ୍ପ ବହୁତ ଭଲ ଯଦି ଆପଣ ବାରମ୍ବାର ଆପଣଙ୍କର ଭୋଜନ ବିକଳ୍ପ ବଦଳାଇବାକୁ ପସନ୍ଦ କରନ୍ତି ଏବଂ ପ୍ରତିଦିନ କେଉଁ ପ୍ରକାରର ଖାଦ୍ୟ ରନ୍ଧାଯିବ ସେ ବିଷୟରେ ନିଶ୍ଚିତ ନୁହନ୍ତି ।

ବଟର (ଲହୁଣୀ) - ଯଦିଓ ଏହାର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ, ତେବେ ଏହା ଖାଦ୍ୟର ସ୍ଵାଦ ବଢାଇଥାଏ । ଏହାକୁ ରନ୍ଧନରେ ଭିନ୍ନ ଭିନ୍ନ ପ୍ରକାରର ଉପଯୋଗ କରାଯାଇଥାଏ । ବେକିଂ, ସଟେଇଙ୍ଗ୍ ଅଥବା ରୋଷ୍ଟିଙ୍ଗ୍ ପାଇଁ ଏହାକୁ ବ୍ୟବହାର କରାଯାଏ । ଏଥିରେ ସ୍ମୋକ ପଏଣ୍ଟ 300 - 350 ଡିଗ୍ରୀ ଫାରେନ୍ହାଇଟ୍ ରହିଥାଏ । ଏଥିରେ ପ୍ରସ୍ତୁତ ଖାଦ୍ୟ ସ୍ଵାଦିଷ୍ଟ ହେବା ସହିତ ଏଥିରେ ରନ୍ଧନ କରିବା ଉତ୍ତମ ରହିଥାଏ ।

ଅଲିଭ୍ ତେଲ - ଏହା ଏପରି ଏକ ତେଲ ଯାହା କେବଳ ରାନ୍ଧିବା ପାଇଁ ନୁହେଁ ବରଂ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ । ରନ୍ଧନ ପାଇଁ ବିଭିନ୍ନ ପ୍ରକାରର ଅଲିଭ୍ ତେଲ ରହିଛି । ପ୍ରତ୍ୟେକଙ୍କର ନିଆରା ସ୍ଵାଦ ଓ ସ୍ମୋକ ପଏଣ୍ଟ ରହିଛି । ତେବେ ଅଲିଭ ତେଲର ଦୁଇଟି ମୁଖ୍ୟ ପ୍ରକାରର ତେଲ ରହିଛି । ଗୋଟିଏ ହେଉଛି। ଏକ୍ସଟ୍ରା ଭର୍ଜିନ ଓ ଅନ୍ୟଟି ବିଶୋଧିତ ବା ରିଫାଇଣ୍ଡ ।

ଏକ୍ସଟ୍ରା ଭର୍ଜିନ ଅଲିଭ୍ ତେଲ - ଏହି ପ୍ରକାରର ଅଲିଭ୍ ତେଲର ସ୍ମୋକ ପଏଣ୍ଟ ୩୨୫ରୁ ୪୧୦ ଡିଗ୍ରୀ ଫାରେନ୍ହାଇଟ୍ ରହିଥାଏ । ଏହି ତେଲକୁ ବେକିଂ, ସଟେଇଙ୍ଗ ପରି ରନ୍ଧନ ପ୍ରଣାଳୀରେ ବ୍ୟବହାର କରାଯାଇପାରିବ । ସେହିପରି ଅଲିଭ ତେଲକୁ ମ୍ୟାରିନେଟ ଏବଂ ସାଲାଡର ଡ୍ରେସିଂରେ ମଧ୍ୟ ଉପଯୋଗ କରାଯାଇଥାଏ ।

ବିଶୋଧିତ ଅଲିଭ୍ ତେଲ - ବିଶୋଧିତ ଅଲିଭ୍ ତେଲର ସ୍ମୋକ ପଏଣ୍ଟ ୪୨୫-୪୬୫ ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ । ଏହି ତେଲ କେବଳ ରାନ୍ଧିବା ପାଇଁ ନୁହେଁ ବରଂ ଡ୍ରେସିଂ ଓ ମ୍ୟାରିନେଟ ପାଇଁ ମଧ୍ୟ ସର୍ବୋତ୍ତମ । ବେକିଂ, ସଟେଇଙ୍ଗ୍, ଏବଂ ଗ୍ରିଲିଙ୍ଗ୍ ପାଇଁ ଏହି ତେଲ ସର୍ବୋତ୍କୃଷ୍ଟ ।

ରାଶି ତେଲ: ଏହି ତେଲ ଉପରୋକ୍ତ ତେଲ ପରି ବହୁମୁଖୀ ନୁହେଁ, ତଥାପି ଖାଦ୍ୟରେ ଏହି ତେଲ ଚମତ୍କାର ସ୍ଵାଦ ଦେଇଥାଏ । ଏସୀୟ ଅନୁପ୍ରାଣିତ ଭୋଜନ ପାଇଁ ଏହି ତେଲ ବ୍ୟବହାର କରନ୍ତୁ ଯାହା ପ୍ୟାନ୍-ଫ୍ରାଇଙ୍ଗ୍ କିମ୍ବା ସଟେଇଙ୍ଗ୍ ଆବଶ୍ୟକ କରେ ।

ବିଭିନ୍ନ ପ୍ରକାରର ରନ୍ଧନ ତେଲ ମଧ୍ୟରୁ ସଠିକ ତେଲ ଚୟନ କରିବା ଯଦିଓ କଷ୍ଟସାଧ୍ୟ ବ୍ୟାପାର ତେବେ ଅସମ୍ଭବ ନୁହେଁ । ଉପରୋକ୍ତ ଆଲୋଚନାରୁ ଆପଣ ସହଜରେ ସଠିକ ରନ୍ଧନ ତେଲ ବାଛିପାରିବେ । ଉତ୍ତମ ତେଲରେ ଖାଦ୍ୟ ପ୍ରସ୍ତୁତ କରି ସୁସ୍ଥ ରହିବା ଆଜିର ସମୟର ବଡ ଆବଶ୍ୟକତା ।