ଭ୍ରମଣ କରିବାକୁ କିଏ ବା ଭଲ ନ ପାଏ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଭାରତରେ ଅନେକ ଆକର୍ଷଣୀୟ ସ୍ଥାନ ରହିଛି । ତେବେ ଏହି ସମସ୍ତ ସ୍ଥାନକୁ ଯିବା ପାଇଁ ଆମେ ଭିନ୍ନ ଭିନ୍ନ ପଥ ର ସାହାରା ନେଉ । ରେଳପଥ, ସଡ଼କପଥ, ଆକାଶ ପଥ କିମ୍ବା ଜଳପଥ । ତେବେ ରେଳଯାତ୍ରା ସବୁଠୁ ଅଧିକ ସୁଖଦକର ଭ୍ରମଣର ଅନୁଭୂତି ଦେଇଥାଏ । ଭାରତରେ ଅନେକଗୁଡ଼ିଏ ରେଳ ଷ୍ଟେସନ୍ ରହିଛି, ଯାହାର ସ୍ଥାପତ୍ୟ ଅତି ଚମତ୍କାର । ଭାରତୀୟ ରେଳ ନେଟୱାର୍କ ହେଉଛି ବିଶ୍ୱର ସର୍ବବୃହତ ରେଳ ନେଟୱାର୍କ ମଧ୍ୟରେ ଅନ୍ୟତମ । ତେବେ ଆସନ୍ତୁ ଜାଣିବା ଭାରତରେ ଥିବା ଏହିପରି କିଛି ରେଳ ଷ୍ଟେସନ୍ ସମ୍ପର୍କରେ, ଯାହାର ସୌନ୍ଦର୍ଯ୍ୟ କୌଣସି ଦର୍ଶନୀୟ ସ୍ଥାନଠାରୁ କମ ନୁହେଁ ।

ଛତ୍ରପତି ଶିବାଜୀ ଟର୍ମିନସ୍ (ମୁମ୍ବାଇ)

ଭାରତର ଐତିହାସିକ ରେଳ ଷ୍ଟେସନ୍ ରୂପେ ପରିଗଣିତ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍ ଟି ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା ପାଇଛି । ୧୮୮୭ ମସିହାରେ ନିର୍ମିତ ଏହି ରେଳ ଷ୍ଟେସନ୍ ର ପୁରାତନ ନାମ ଭିକ୍ଟୋରିଆ ଟର୍ମିନସ୍ ରହିଥିଲା । ୧୯୯୬ରେ ଏହି ରେଳ ଷ୍ଟେସନ୍ ର ନାମ ଛତ୍ରପତି ଶିବାଜୀ ଟର୍ମିନସ୍ କୁ ପରିବର୍ତ୍ତିତ ହୋଇଥିଲା । ଇଣ୍ଡୋ - ସାରାସେନିକ୍ ଶୈଳୀରେ ନିର୍ମିତ ଏହି ରେଳ ଷ୍ଟେସନ୍ ର ଡିଜାଇନ୍ ପ୍ରସ୍ତୁତ କରିଥିଲେ ସ୍ଥପତି ଫ୍ରେଡରିକ୍ ଷ୍ଟିଭେନ୍ସ ଓ ଆକ୍ସେଲ୍ ହେଗ୍ । ଇଟାଲୀୟ ଗୋଥିକ ଶୈଳୀରେ ପ୍ରସ୍ତୁତ ଏହି ରେଳ ଷ୍ଟେସନ୍ ର ସ୍ଥାପତ୍ୟ ଦୁନିଆର ସର୍ବୋତ୍ତମ ରେଳ ଷ୍ଟେସନ୍ ମଧ୍ୟରେ ଅନ୍ୟତମ ।

ଘୁମ୍ ରେଳ ଷ୍ଟେସନ୍ (ପଶ୍ଚିମବଙ୍ଗ)

ଭାରତର ସର୍ବୋଚ୍ଚ ରେଳ ଷ୍ଟେସନ୍ । ୭୪୦୭ ଫୁଟ୍ ଉଚ୍ଚରେ ରହିଥିବା ଏହି ରେଳ ଷ୍ଟେସନ୍ ଟି ବିଶ୍ୱର ୧୪ତମ ଉଚ୍ଚତମ ରେଳ ଷ୍ଟେସନ୍ ଭାବରେ ଜଣାଶୁଣା । ଏହା ଦାର୍ଜିଲିଂର ଟୟ ଟ୍ରେନ୍ ରେଲ୍‌ୱେଜ୍‌ ର ଏକ ଅଂଶ । ଏହା ଏକ ଛୋଟ ରେଳ ଷ୍ଟେସନ୍ ହୋଇଥିବା ବେଳେ ଏହା ଭାରତର ସବୁଠୁ ସୁନ୍ଦର ରେଳ ଷ୍ଟେସନ୍ ଭାବରେ ପରିଗଣିତ ।

ଦିଲ୍ଲୀ ରେଳ ଷ୍ଟେସନ୍ (ଦିଲ୍ଲୀ)

ଭାରତର ବ୍ୟସ୍ତ ବହୁଳ ରେଳ ଷ୍ଟେସନ୍ ମଧ୍ୟରେ ଏହି ରେଳ ଷ୍ଟେସନ୍ ଟି ଅନ୍ୟତମ । ୧୯୧୧ ମସିହାରେ ସ୍ଥାପିତ ଏହି ରେଳ ଷ୍ଟେସନ୍ ଟି ଭାରତର ପୁରାତନ ରେଳ ଷ୍ଟେସନ୍ ରୂପେ ପରିଚିତ । ନାଲି ଇଟାରେ ନିର୍ମିତ ଏହି ରେଳ ଷ୍ଟେସନ୍ ଟି ନିଜ ସୌନ୍ଦର୍ଯ୍ୟରେ ପର୍ଯ୍ୟଟକଙ୍କୁ ଅଭିଭୂତ କରୁଛି ।

କଟକ ରେଳ ଷ୍ଟେସନ୍ (ଓଡ଼ିଶା)

ଐତିହ୍ୟ ସହର କଟକର ରେଳ ଷ୍ଟେସନ୍ ଟି ପୁରାତନ ଐତିହ୍ୟର ସ୍ମାରକୀ ବହନ କରେ । ଏହି ରେଳ ଷ୍ଟେସନ୍ ଟି ଦୁର୍ଗର ଭ୍ରମ ସୃଷ୍ଟି କରେ । ବାରବାଟୀ ଦୁର୍ଗ ଢାଞ୍ଚାରେ ନିର୍ମିତ ଏହି ରେଳ ଷ୍ଟେସନ୍ ଟି ଭାରତର ଶ୍ରେଷ୍ଠ ରେଳ ଷ୍ଟେସନ୍ ମଧ୍ୟରେ ନିଜର ସ୍ଥାନ ଅକ୍ତିଆର କରିଛି । ୧୮୯୩ - ୧୮୯୬ ମସିହା ମଧ୍ୟରେ ନିର୍ମିତ ଏହି ରେଳ ଷ୍ଟେସନ୍ ଟି ୧୮୯୯ ମସିହାରେ ଭାରତୀୟ ରେଳ ନେଟୱାର୍କ ସହିତ ସଂଯୋଗ ହୋଇଥିଲା । ଏହି ରେଳ ଷ୍ଟେସନ୍ର ଚମତ୍କାର ସ୍ଥାପତ୍ୟ ସାରା ବିଶ୍ୱବାସୀଙ୍କ ଦୃଷ୍ଟି ଆଲୋଡ଼ନ କରେ ।

ଚାର୍‌ବାଗ୍ ରେଳ ଷ୍ଟେସନ୍ (ଲକ୍ଷ୍ନୌ)

ଲକ୍ଷ୍ନୌର ଚାର୍‌ବାଗ୍ ରେଳ ଷ୍ଟେସନ୍ କୁ ଭାରତର ସବୁଠୁ ସୁନ୍ଦର ରେଳ ଷ୍ଟେସନ୍ ବୋଲି ଅଭିହିତ କରାଯାଇଛି । ରେଳ ଷ୍ଟେସନ୍ ସାମ୍ନାରେ ଥିବା ଆକର୍ଷଣୀୟ ଚାରୋଟି ବଗିଚା ଯୋଗୁଁ ଏହି ରେଳ ଷ୍ଟେସନ୍ ର ନାମକରଣ ଚାର୍‌ବାଗ୍ ରେଳ ଷ୍ଟେସନ୍ ହୋଇଛି । ଅତ୍ୟାଧୁନିକ ପ୍ରାସାଦ ସହିତ ସାମ୍ନାରେ ମନଲୋଭା ବଗିଚାର ସୌନ୍ଦର୍ଯ୍ୟ ଅନନ୍ୟ । ଏହି ରେଳ ଷ୍ଟେସନ୍ କୌଣସି ରାଜପ୍ରସାଦଠାରୁ କମ୍ ଲାଗେ ନାହିଁ । ଏହି ରେଳ ଷ୍ଟେସନ୍ ର ସ୍ଥାପତ୍ୟରେ ରାଜପୁତ୍‌, ଆୱାଡି ଓ ମୋଗଲ୍‌ଙ୍କ ଶୈଳୀର ସମ୍ମିଶ୍ରଣ ଦେଖିବାକୁ ମିଳେ । ଏହି ଷ୍ଟେସନ୍ ଟି ଦେଖିବାକୁ ଚେସ୍‌ବୋର୍ଡ ପରି ପରିଦୃଶ୍ୟ ହୋଇଥାଏ । ଏହି ରେଳ ଷ୍ଟେସନ୍ ର ଡିଜାଇନ୍ ପ୍ରସ୍ତୁତ କରିଥିଲେ ଜେ.ଏଚ୍‌.ହର୍ଣିମ୍ୟାନ୍ । ମାର୍ଚ୍ଚ ୧୯୧୪ ମସିହାରେ ଏହି ରେଳ ଷ୍ଟେସନ୍ ଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୧୯୨୩ ମସିହାରେ ଶେଷ ହୋଇଥିଲା ।

ଦୁଧସାଗର ରେଳ ଷ୍ଟେସନ୍ (ଗୋଆ)

ପ୍ରାକୃତିକ ସୌନ୍ଦର୍ଯ୍ୟର କଥା ଆସିଲେ, ଦୁଧସାଗର ରେଳ ଷ୍ଟେସନ୍ ଟି ସମସ୍ତ ସୌନ୍ଦର୍ଯ୍ୟକୁ ସତେ ଯେମିତି ଚୋରି କରି ନେଇଯାଏ । ଏହି ଷ୍ଟେସନ୍ ର ସୌନ୍ଦର୍ଯ୍ୟଟି କୌଣସି ଦର୍ଶନୀୟ ସ୍ଥାନରୁ କମ୍ ନୁହେଁ । ଗୋଟିଏ ପଟେ ସୁନ୍ଦର ମନଲୋଭା ଦୁଧସାଗର ଜଳପ୍ରପାତ ଆଉ ଗୋଟିଏ ପଟେ ଘନ ସବୁଜିମା ମଧ୍ୟରେ ରେଳ ଷ୍ଟେସନ୍ । ସତେ ଯେମିତି ଏହା ଏକ ପର୍ଯ୍ୟଟନସ୍ଥଳୀ । ଏହି ରେଳ ଷ୍ଟେସନ୍ ର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ଆଖିକୁ ଚକ୍‌ମା ଦେଇଥାଏ । ଘନସବୁଜିମା ମଧ୍ୟରେ ଏକ ଗ୍ରେ୍ ରଙ୍ଗର ରେଳ ଧାରଣା ସମସ୍ତଙ୍କୁ ଆଖିକୁ ଧୋକା ଦେଇଥାଏ । ଏହି ରେଳ ଷ୍ଟେସନ୍ ଟିର ସୌନ୍ଦର୍ଯ୍ୟ ସତରେ ଅତୁଳନୀୟ । ଦକ୍ଷିଣ ଗୋଆର ଏକ ଛୋଟ ରେଳ ଷ୍ଟେସନ୍ ରୂପେ ଦୁଧସାଗର ରେଳ ଷ୍ଟେସନ୍ ରେ ଗୋଟିଏ ପ୍ଲାଟଫର୍ମ ରହିଛି ।

ହାୱଡା ରେଳ ଷ୍ଟେସନ୍ (ପଶ୍ଚିମବଙ୍ଗ)

୧୮୫୪ ମସିହାରେ ନିର୍ମିତ ଏହି ଷ୍ଟେସନ୍‌ ଟି ହେଉଛି ଭାରତର ସର୍ବପୁରାତନ ରେଳ ଷ୍ଟେସନ୍ । ହୁଗୁଳି ନଦୀ କୂଳରେ ଅବସ୍ଥିତ ଏହି ଷ୍ଟେସନ୍‌ ଟି ହାୱାଡା ବ୍ରିଜ୍ ଦେଇ କୋଲକାତା ସହିତ ସଂଯୁକ୍ତ ହୋଇଛି । ଏହି ଷ୍ଟେସନ୍ ରେ ୨୩ଟି ପ୍ଲାଟଫର୍ମ ରହିଛି । ଭାରତର ବ୍ୟସ୍ତବହୁଳ ରେଳ ଷ୍ଟେସନ୍ ମଧ୍ୟରେ ଏହି ଷ୍ଟେସନ୍‌ ଟି ଅନ୍ୟତମ ।

ଦ୍ୱାରକା ରେଳ ଷ୍ଟେସନ୍ (ଗୁଜୁରାଟ)

ଏହି ରେଳ ଷ୍ଟେସନ୍‌ ଟି ଲୋକଙ୍କ ମନରେ ମନ୍ଦିରର ଭ୍ରମ ସୃଷ୍ଟି କରାଏ । ଏହି ରେଳ ଷ୍ଟେସନ୍‌ ଟି ଦେଖିବାକୁ ପୂରା ମନ୍ଦିର ପରି । ଦେବଭୂମି ଦ୍ୱାରକା ଜିଲ୍ଲାରେ ଏହି ରେଳ ଷ୍ଟେସନ୍‌ ଟି ଅପେକ୍ଷାକୃତ ଛୋଟ ରେଳ ଷ୍ଟେସନ୍ ହୋଇଥିବା ବେଳେ ଏଥିରେ ଦୁଇଟି ପ୍ଲାଟଫର୍ମ ରହିଛି ।

ତ୍ରିଭାଣ୍ଡ୍ରମ୍ ସେଣ୍ଟ୍ରାଲ୍ ରେଳ ଷ୍ଟେସନ୍ (କେରଳ)

କେରଳର ସବୁଠାରୁ ବଡ଼ ଏବଂ ବ୍ୟସ୍ତବହୁଳ ରେଳ ଷ୍ଟେସନ୍ ଭାବରେ ଏହି ଷ୍ଟେସନ୍‌ ଟି ଜଣାଶୁଣା । ୧୯୩୧ ମସିହାରେ ନିର୍ମିତ ଏହି ରେଳ ଷ୍ଟେସନ୍‌ ଟି ଭାରତର ସର୍ବ ପୁରାତନ ରେଳ ଷ୍ଟେସନ୍ ମଧ୍ୟରେ ଅନ୍ୟତମ । ଯଦିଓ ଏହି ରେଳ ଷ୍ଟେସନ୍‌ ଟି ବ୍ୟସ୍ତବହୁଳ ତେବେ ଏହାର ସୌନ୍ଦର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ ।

ଚେନ୍ନାଇ ସେଣ୍ଟ୍ରାଲ୍ (ଚେନ୍ନାଇ ରେଳ ଷ୍ଟେସନ୍)

ଏହି ଷ୍ଟେସନ୍କୁ ଦକ୍ଷିଣ ଭାରତର ଦ୍ୱାର ବୋଲି କୁହାଯାଏ । ଦକ୍ଷିଣ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍ ମଧ୍ୟରେ ଏହା ଅନ୍ୟତମ । ୧୪୩ ବର୍ଷ ପୁରୁଣା ଏହି ଷ୍ଟେସନ୍‌ ର ଡିଜାଇନ୍ ପ୍ରସ୍ତୁତ କରିଥିଲେ ହେନେରୀ ଇରୱିନ୍ । ଏହାକୁ ଭାରତର ଗ୍ରାଣ୍ଡ୍ ରେଳ ଷ୍ଟେସନ୍ ବୋଲି କୁହାଯାଏ ।

ଜୈସଲମେର୍ ରେଳ ଷ୍ଟେସନ୍ (ରାଜସ୍ଥାନ)

ଭାରତର ସବୁଠୁ ଆକର୍ଷଣୀୟ ରେଳ ଷ୍ଟେସନ୍ ଭାବେ ଏହି ରେଳ ଷ୍ଟେସନ୍ ପରିଚିତ । ଏହି ରେଳ ଷ୍ଟେସନ୍‌ ଟି ରେ ରାଜସ୍ଥାନର ସବୁଠୁ ସୁନ୍ଦର ସହର ଜୈସଲମେର୍ ର ସଂସ୍କୃତି, ଇତିହାସର ପ୍ରତିଫଳନ ଦେଖିବାକୁ ମିଳେ । ଏହାକୁ ଗୋଲ୍ଡେନ୍ ଟାଉନ୍ ମଧ୍ୟ କୁହାଯାଏ । ଏହି ରେଳ ଷ୍ଟେସନ୍‌ ରେ ଦେଶର ସବୁଠୁ ମହଙ୍ଗା ରେଳଗୁଡ଼ିକ ରହିଥାଏ ।

ଜମ୍ମୁ ତୱୀ ରେଳ ଷ୍ଟେସନ୍ (ଜମ୍ମୁ ଓ କାଶ୍ମୀର)

ଜମ୍ମୁ ଓ କାଶ୍ମୀରର ସବୁଠୁ ବଡ଼ ରେଳ ଷ୍ଟେସନ୍ ହେଉଛି ଏହି ରେଳ ଷ୍ଟେସନ୍ । ୧୮୯୭ ମସିହାରେ ନିର୍ମିତ ଏହି ରେଳ ଷ୍ଟେସନ୍‌ ଟି ଭାରତ - ପାକିସ୍ତାନ ବିଭାଜନ ହେବା ପରେ ନୂତନ ଜମ୍ମୁ ତୱୀ ରେଳ ଷ୍ଟେସନ୍ ୧୯୭୫ ମସିହାରେ ଆରମ୍ଭ ହୋଇଥିଲା । ଏହି ରେଳ ଷ୍ଟେସନ୍‌ ରେ ପୂର୍ବରୁ ସିଆଲକୋର୍ଟ ଜଙ୍କସନ ପର୍ଯ୍ୟନ୍ତ ଟ୍ରେନ୍ ସେବା ଉପଲବ୍ଧ ଥିଲା । ମାତ୍ର ବିଭାଜନ ପରେ ଏହି ରେଲ୍ ଲିଂକ୍‌କୁ ଧ୍ୱଂସ କରାଯାଇଛି । କାଶ୍ମୀର ଘାଟର ଅନନ୍ୟ ସୌନ୍ଦର୍ଯ୍ୟ ମଧ୍ୟରେ ଏହି ରେଳ ଷ୍ଟେସନ୍‌ ଟି ପର୍ଯ୍ୟଟକକୁ ବେଶ୍ ଆକୃଷ୍ଟ କରେ ।

କାରୱାର ରେଳ ଷ୍ଟେସନ୍ (କର୍ଣ୍ଣାଟକ)

କର୍ଣ୍ଣାଟକରେ ରହିଥିବା କାରୱାର ରେଳ ଷ୍ଟେସନ୍‌ ଟି ର ସୌନ୍ଦର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ପ୍ରାକୃତିକ ଶୋଭାରାଜିରେ ପରିପୃଷ୍ଟ ଏହି ରେଳ ଷ୍ଟେସନ୍‌ ଟିର ସୌନ୍ଦର୍ଯ୍ୟ ଅନନ୍ୟ । ସବୁଜ ଷ୍ଟେସନ୍ ରୂପେ ପରିଚିତ ଏହି ଷ୍ଟେସନ୍‌ ଟିରେ ମାତ୍ର ୨ଟି ପ୍ଲାଟଫର୍ମ ରହିଛି ।

କେଭାଡିଆ ରେଳ ଷ୍ଟେସନ୍ (ଗୁଜୁରାଟ)

ଭାରତର ପ୍ରଥମ ସବୁଜ ରେଳପଥ ଭାବରେ ପଞ୍ଜୀକୃତ ହୋଇଥିବା ଏହି ରେଳ ଷ୍ଟେସନ୍‌ ଟି ଗୁଜୁରାଟର ଏକ ଛୋଟ ସହର କେଭାଡ଼ିଆରେ ଅବସ୍ଥିତ । ‘ଷ୍ଟାଚ୍ୟୁ ଅଫ୍ ୟୂନିଟି’ ଠାରୁ ମାତ୍ର ପାଞ୍ଚକିଲୋମିଟର ଦୂରରେ ଅବସ୍ଥିତ ଏହି ରେଳ ଷ୍ଟେସନ୍‌ ଟିରେ ୩ଟି ପ୍ଲାଟଫର୍ମ ରହିଛି ।