ଓଡିଆ ଖାଦ୍ୟର ମହକ

୧୯୨୯ ମସିହାରେ ମୟୁରଭଞ୍ଜ ରଜା ଶ୍ରୀ ପୂର୍ଣଚନ୍ଦ୍ର ଭଞ୍ଜ ସରକାରୀ କାମରେ ପାରିଷଦ ଓ କର୍ମଚାରୀ ବେଷ୍ଟିତ ହୋଇ ବମ୍ବେଇ ଯାଇଥିଲେ । ସେଠି ଖିଅର ହେବା ସମୟରେ ଖୁର ମୁନରେ ସାମାନ୍ୟ ଆଘାତ ପାଇଲେ । ତହିଁରୁ ଧନୁଷ୍ଟଙ୍କାର ହୋଇ ସେ ଅପ୍ରେଲ ୨୩ ତାରିଖରେ ପରଲୋକ ଚାଲିଗଲେ । ସେତେବେଳକୁ ମହାରାଜାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥାଏ । ଟ୍ରେନରେ ଶବ ମୟୁରଭଞ୍ଜ ଆସିବା ପାଇଁ ଚାରି ଦିନ ଲାଗିଗଲା । ଓଡ଼ିଶାର ପ୍ରଖ୍ୟାତ ଗାଳ୍ପିକ ଶ୍ରୀ ବସନ୍ତ ଶତପଥୀ ସେ ସମୟରେ ଫ୍ରେଜର୍ ହଷ୍ଟେଲରେ ରହି ବାରିପଦାର ମୟୁରଭଞ୍ଜ ଇଂରାଜୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥାଆନ୍ତି । ଏବେ ସେ ସ୍କୁଲର ନାଁ ଏମ୍.କେ.ସି. ଉଚ୍ଚ ବିଦ୍ୟାଳୟ ।

ରଜାଙ୍କର ଏଗାର ଦିନ ଭୋଜି ପାଇଁ ମୟୁରଭଞ୍ଜ ଯାକର ନିମନ୍ତ୍ରିତ ଶାସନୀ ବ୍ରାହ୍ମଣ, ବାଟକଟିଆ ଓ ଦକ୍ଷିଣା ବ୍ରାହ୍ମଣ, ବୋର୍ଡିଙ୍ଗିର ବ୍ରାହ୍ମଣ ପିଲା, ସମସ୍ତେ ଚିତା, ପଇତା, ଚଇତନ ଜଡ଼ିତ ହୋଇ ଭୋଜି ଖାଇ ଆସିଲେ । ଏହି ଦଳରେ ଥିଲେ ଶ୍ରୀ ଶତପଥୀ । ପଂକ୍ତି ପଡ଼ିଲା ରାଜବାଟୀର ଛାତର ଦୋତାଲା ଉପରେ । ଅସମ୍ଭବ ଭିଡ଼ । ଗୋସେଇଁମାନଙ୍କ ଆଗରେ ପ୍ରଥମେ ମାଟି ଗିଲାସରେ ପାଣି ଓ ଖଲି ପତର ଲାଗିଗଲା ।

ପ୍ରଥମେ ଲାଗି ହେଲା ଚୁଡ଼ାଭଜା । ତାହା ପରେ ଉଖୁଡ଼ା । ତା’ ପିଠିକି ବସାଦହି । ନୁଣନଙ୍କା ଖଲିରେ ଲାଗୁ ନ ଲାଗୁଣୁ ଭୋଜନ ଆରମ୍ଭ ହେଲା । ବାପାମାନେ ପୁଅମାନଙ୍କୁ ଏ ଦେଶୀ ଜିନିଷରେ ପେଟ ଭର୍ତ୍ତି ନ କରି ଅସଲ ରଜାଘର ଖାନା ପାଇଁ ଅନିସା କରି ପେଟ ଖାଲି ରଖିବା ପେଇଁ କହିଲେ । ବସାଦହି ପଛକୁ ଲାଗିଲା ପୁରୀ ଆଉ ସୋଲା-କଖାରୁ ତରକାରୀ । ତାହା ପରେ ଜିଲାପି ଓ ଫେଣି ।

ଜିଲାପି ପରେ ନାଗିଲା ଅସଲ ରଜାଘର ଚିଜ – କଲିକତି ଆମଦାନୀ । ସେତେବେଳେ ବାରିପଦାରେ ଖାଲି ରସଗୋଲା ଓ ଲେଡି କେନିଙ୍ଗ୍ – ଯାହାକୁ ଏବେ ଆମେ ପାନ୍ତୁଆ କହୁଚୁ, ମିଳୁଥିଲା । ଭୋଜିରେ ପରସା ଗଲା ଟିଣଖୋଲା ପ୍ରସିଦ୍ଧ ଭୀବନାଗର ସନ୍ଦେଶ ଓ ବାଘ ବଜାରର ସନ୍ଦେଶ । ଯିଏ ଯାହା ଖାଇଲେ ଖାଇଲେ, ଓ ଗାମୁଛାରେ ଘର ପାଇଁ ବାନ୍ଧିଲେ । ଟଙ୍କାଏ ଲେଖାଏଁ ଦକ୍ଷିଣା (ସେତେବେଳେ ଦୁଇ ପଇସାରେ ଶେରେ ବା ପାଖାପାଖି କିଲେ ଚାଉଳ ମିଳୁଥିଲା) ନେଇ ଘରକୁ ବାହାରିଲା ବେଳକୁ ଦୁଇ ଦିନ ପରେ ମହାରାଜାଙ୍କର ଶଶୁର, ୱାଙ୍କାନୀର୍ ମହାରାଜାଙ୍କ ତରଫରୁ ଆଉ ଏକ ଭୋଜି ପାଇଁ ଗୋସେଇଁମାନଙ୍କୁ ନିମନ୍ତ୍ରଣ ଦିଆଗଲା ।

ସେଦିନ ଦୁଇ ବାଜିଲା ବେଳକୁ ରାଜବାଟୀର ଛାତରେ ଥାଟପଟାଳି । ଏଥର ଖଲିରେ ସେବା ପାଇଁ ଲାଗିଲା ଗଜା, ବାଲୁସାଇ, ନୂଆବସାଣି ମିଠେଇ, ପୁରୀ ଓ କଲିକତି ରସଗୋଲା । ହେଲେ ବ୍ରାହ୍ମଣ ଗୋସାଇଁମାନେ ସେବା ଆରମ୍ଭ କରିଛନ୍ତିକି ନାହିଁ ଗୋଟିଏ ମାନୁଗଳିଆ, କଳାପାହାଡ଼ିଆ ମେଘ ଶିମିଳିପାଳ ଆଡ଼ୁ ଘୋଟି ଆସିଲା । ଖୁବ୍ ଅଳ୍ପ ସମୟରେ ବର୍ଷା ପବନରେ ଭୋଜିର ସତ୍ତା ରହିଲା ନାହିଁ । ଗୋସେଇଁମାନେ ଯେ ଯାହା ପାରିଲେ କାନିରେ ବାନ୍ଧି ସ୍ୱଗୃହକୁ ଫେରିଗଲେ । ଶ୍ରୀ ଶତପଥୀଙ୍କର ଜଣେ ସାଙ୍ଗ ବର୍ଷା ବିତ୍ପାତରୁ ଗୋଟିଏ ରସଗୋଲା ଟିଣକୁ ଉଦ୍ଧାର କରି ଆଣି ଥାଆନ୍ତି । ସାଙ୍ଗମାନେ ସେସବୁ ସେବା କରି ଗୋଟିଏ ଅଶୁଭ ଦିନକୁ ଶୁଭରେ ରୂପାନ୍ତରିତ କଲେ ।

ବି.ଦ୍ର. : ଆଲେଖ୍ୟଟିର ବିଷୟବସ୍ତୁ ଭୁବନେଶ୍ୱରସ୍ଥ ଶିକ୍ଷାସନ୍ଧାନ ସଂସ୍ଥା ୨୦୦୮ ମସିହାରେ ଛପାଇଥିବା ବସନ୍ତ କୁମାର ଶତପଥୀଙ୍କ ଦ୍ୱାରା ଲିଖିତ ଓ ସୁମନ୍ୟୁ ଶତପଥିଙ୍କ ଦ୍ୱାରା ସମ୍ପାଦିତ ଆତ୍ମଜୀବନୀ ‘ମନେ ପଡ଼େ’ ରୁ ଆହୃତ ।