ଗତକାଲି, ମାର୍ଚ୍ଚ ୧୨ ତାରିଖରେ ୨୦ଟି ଭାଷାର ସାହିତ୍ୟିକଙ୍କୁ ୨୦୨୦ ମସିହା ଲାଗି କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିବ ବୋଲି ଘୋଷଣା କରାଗଲା । କେନ୍ଦ୍ର ସାହିତ୍ୟ ଏକାଡେମି ପ୍ରତିବର୍ଷ ଡିସେମ୍ବର ୨୦ ରୁ ୨୫ ତାରିଖ ମଧ୍ୟରେ ଏହି ପୁରସ୍କାର ଘୋଷଣା କରିଥାନ୍ତି । ଗତ ବର୍ଷ କରୋନା ଲକଡାଉନ୍ କାରଣରୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇ ପ୍ରାୟ ୩ ମାସ ଡେରିରେ ଏହି ପୁରସ୍କାର ଘୋଷିତ ହୋଇଛି । ତେବେ ଯୁବ ସାହିତ୍ୟିକ ଭାବରେ ଚନ୍ଦ୍ରଶେଖର ହୋତା ତାଙ୍କର ପ୍ରବନ୍ଧ ପୁସ୍ତକ “ଚେତନାର ଅନ୍ଵେଷଣ” ପାଇଁ ଓ ଶିଶୁ ସାହିତ୍ୟିକ ଭାବରେ ରାମଚନ୍ଦ୍ର ନାୟକ ଗଳ୍ପ ପୁସ୍ତକ “ବନ ଦେଉଳରେ ସୁନା ନେଉଳ” ପାଇଁ ପୁରସ୍କୃତ ହେବେ । ତେବେ ମୂଳ ଏକାଡେମି ପୁରସ୍କାର ପାଇଁ କୌଣସି ଓଡିଆ ଲେଖକଙ୍କ ନାମ ଘୋଷଣା କରାଯାଇ ନାହିଁ । ଏକାଡେମି ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିରେ ୨୦ଟି ଭାଷାର ଲେଖକଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିବା ସହିତ ଓଡିଆ, ନେପାଳୀ, ମାଲାୟାଲାମ ଓ ରାଜସ୍ଥାନୀ ଭାଷା ପାଇଁ ପରବର୍ତ୍ତୀ ସମୟରେ ପୁରସ୍କାର ଘୋଷଣା କରାଯିବ ବୋଲି କୁହା ଯାଇଛି । 

ଓଡିଆ ଭାଷା ପାଇଁ ପୁରସ୍କାର ବିଳମ୍ବିତ ହେବାର କାରଣ କଣ ? ପ୍ରଥମତଃ ଏହି ପୁରସ୍କାର ଘୋଷଣା ତିନି ମାସ ବିଳମ୍ବିତ ହୋଇ ସାରିଛି । ତା ପରେ ବି ଓଡିଆ ପାଇଁ ନିଷ୍ପତ୍ତି ନେବାରେ ଏତେ ଡେରି ହେଉଛି କାହିଁକି ? ଏ ସମ୍ପର୍କରେ ଏକାଡେମି କିଛି ସ୍ପଷ୍ଟ କାରଣ ଉଲ୍ଲେଖ କରି ନାହାନ୍ତି । ଓଡିଆ ଉପଦେଷ୍ଟା ପରିଷଦ ମଧ୍ୟ ଏ ସଙ୍କ୍ରାନ୍ତରେ ନୀରବ । ତେବେ ଜନୈକ ସଭ୍ୟଙ୍କ କହିବା କଥା ହେଲା, ପୁରସ୍କାର ପାଇଁ ଗଠିତ ବିଚାରକ ମଣ୍ଡଳୀର ଚୂଡାନ୍ତ ବୈଠକ ବସିବାରେ ବିଳମ୍ବ ହୋଇଥିବାରୁ, ନିଷ୍ପତ୍ତି ବିଳମ୍ବିତ ହେବା ସ୍ଵାଭାବିକ । 

ତେବେ ଓଡିଆ ସାହିତ୍ୟ ପାଇଁ ଏକାଡେମି ପୁରସ୍କାର ଘୋଷଣା ହେବା ଆଗରୁ ସବୁବେଳେ ଏହାକୁ ନେଇ ବିବାଦ ଚାଲିଥାଏ । ସୋସିଆଲ ମିଡିଆ ଆସିବା ପରଠୁ ଏହି ବିବାଦ ଟିକେ ଅଧିକ ତୀବ୍ର ହୋଇଯାଇଛି । ଚୟନ ଓ ବିଚାର ସମୟ ଆସନ୍ନ ହେଲେ ପୁରସ୍କାରକୁ ନେଇ କିଛି ଲେଖକ ରୀତିମତ ଏକ ଅଭିଯାନରେ ବାହାରି ପଡନ୍ତି । କେଉଁ ଲେଖକର ବହି କେଉଁ ଭାବରେ ଓ କେଉଁ ମାଧ୍ୟମରେ କେଉଁ ପର୍ଯ୍ୟାୟରେ ପହଞ୍ଚିଲା, ତାର ବିଶେଷ ସୂଚନା ଫେସବୁକ ରୁ ମିଳି ଯାଉଥାଏ । ମୂଳତଃ ପୁରସ୍କାର ପ୍ରକ୍ରିୟାଟି ଅତ୍ୟନ୍ତ ଗୋପନୀୟ ବୋଲି କୁହା ଯାଉଥିଲେ ମଧ୍ୟ, ଏ ସମ୍ପର୍କିତ ସମସ୍ତ ତଥ୍ୟ ଓ ସୂଚନା ହାଟରେ ପଡି ଦାଣ୍ଡରେ ଗଡୁଥାଏ । ଉତ୍ସାହୀ ଓ ଉଚ୍ଚାଭିଳାଷୀ ଲେଖକ/ଲେଖିକାମାନେ ଏ ବିଷୟରେ ସବୁ ତଥ୍ୟ ଜାଣିଥାନ୍ତି। 

ଚଳିତ ବର୍ଷ ଏକ ମାସିକ ଓଡିଆ ପତ୍ରିକାର ସମ୍ପାଦକଙ୍କୁ ଏହି ପୁରସ୍କାର ଦିଆଇବାକୁ ପ୍ରବଳ ଉଦ୍ୟମ ଚାଲିଥିବା କଥା ଚର୍ଚ୍ଚା ହେଉଥିଲା । ଅନ୍ତିମ ପର୍ୟାୟରେ ଏ ସମ୍ପର୍କିତ ବିବାଦ ଯୋଗୁଁ ପୁରସ୍କାର ସମ୍ପର୍କିତ ନିଷ୍ପତ୍ତି ବିଳମ୍ବିତ ହୋଇଥିବାର କେହି କେହି କହୁଛନ୍ତି । ଏଠି ଆମେ ପୁରସ୍କାର ପାଇଁ ଯୋଗାଡ ଯନ୍ତ୍ର ଓ ଲବି କଥା ଶୁଣୁଥିବା ବେଳେ ମରାଠୀ ସାହିତ୍ୟରେ ଏହାର ଠିକ ବିପରୀତ ଘଟଣା ଘଟୁଛି । ଗତକାଲି ପୁରସ୍କାର ଘୋଷଣା ହେବାର ମାତ୍ର ଘଣ୍ଟାକ ଭିତରେ ମରାଠୀ ଉପନ୍ୟାସ “ଉଦ୍ୟା” ପାଇଁ ଏହା ପାଇଥିବା ପ୍ରଖ୍ୟାତ ଲେଖକ ନନ୍ଦ ଖରେ, ଏହାକୁ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଥିଲେ । “ନିଜ ଲେଖା ପାଇଁ ମୁଁ ମୋ ପାଠକ ଓ ସମାଜଠାରୁ ବହୁତ ସମ୍ମାନ ପାଇଛି । ତେଣୁ କୌଣସି ପୁରସ୍କାର ମୁଁ ଆଉ ଗ୍ରହଣ କରୁନାହିଁ ବୋଲି ଶ୍ରୀ ଖରେ କହିବା ସହିତ ଏକାଡେମି ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି”। 

ସବୁ ବାଦ ବିବାଦ ସତ୍ତ୍ୱେ ଚଳିତ ବର୍ଷ ଦେଶର ବହୁ ଖ୍ୟାତନାମା ଲେଖକ ଏହି ପୁରସ୍କାର ପାଇଛନ୍ତି । ସବୁଠୁ ଚକିତ କଳା ଭଳି ଖବର ଟି ହେଉଛି, ବଙ୍ଗଳା ସାହିତ୍ୟର ସର୍ବାଧିକ ଲୋକପ୍ରିୟ ଲେଖକ ମଣିଶଙ୍କର ବନ୍ଦୋପାଧ୍ୟାୟ ଓରଫ ଶଙ୍କରଙ୍କୁ ୮୭ ବର୍ଷ ବୟସରେ ଏହି ପୁରସ୍କାର ଦିଆ ଯାଇଛି । ଶଙ୍କର ହେଉଛନ୍ତି ସେହି ଲେଖକ ଯାହାଙ୍କ ବହି ଶତାଧିକ ସଂସ୍କରଣ ଛପି ବିକ୍ରି ହୁଏ। ଏହି ପୁରସ୍କାର ଘୋଷଣା ହେବା ପରେ, ଅନେକ ପଚାରିଥିଲେ- କଣ, ତାଙ୍କୁ ଏ ପୁରସ୍କାର ମିଳି ନଥିଲା? ହିନ୍ଦୀ କବିତାର ଶକ୍ତିଶାଳୀ କବି ଅନାମିକା, ଇଂରାଜୀ କବି ଅରୁନ୍ଧତୀ ସୁବ୍ରମନ୍ୟମ, ଗୁଜରାଟୀ କବି ହରିଶ ମିନାଶ୍ରୁ, ତେଲୁଗୁ କବି ନିଖିଳେଶ୍ବର, କନ୍ନଡ କବି, କଥାକାର ତଥା ପୂର୍ବତନ ମନ୍ତ୍ରୀ ବିରାପ୍ପା ମୋଇଲି ପ୍ରମୁଖଙ୍କୁ ଏହି ପୁରସ୍କାର ମିଳିଛି।