ଫଟୋ - ୱିକି କମନ୍ସ

ଇତିମଧ୍ୟରେ ୪ ମାସ ବିତିଗଲାଣି । ହେଲେ ଚଳିତ ବର୍ଷ (ବାସ୍ତବରେ ୨୦୨୦ ବର୍ଷ) ଓଡିଆ ସାହିତ୍ୟ ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇ ପାରୁନାହିଁ । ଗତ ମାର୍ଚ୍ଚ ୧୨ ତାରିଖରେ ୨୦ଟି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ୨୦୨୦ ମସିହା ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ବୋଲି ଘୋଷଣା କରାଗଲା। କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରତିବର୍ଷ ଡିସେମ୍ବର ୨୦ ରୁ ୨୫ ତାରିଖ ମଧ୍ୟରେ ଏହି ପୁରସ୍କାର ଘୋଷଣା କରିଥାନ୍ତି। ଗତବର୍ଷ କରୋନା ଲକ ଡାଉନ କାରଣରୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇ ପ୍ରାୟ ୩ ମାସ ଡେରିରେ ପୁରସ୍କାର ଘୋଷିତ ହେଲା । ସେତେବେଳେ ଯୁବ ସାହିତ୍ୟିକ ଭାବରେ ଚନ୍ଦ୍ରଶେଖର ହୋତା ତାଙ୍କର ପ୍ରବନ୍ଧ ପୁସ୍ତକ “ଚେତନାର ଅନ୍ଵେଷଣ” ପାଇଁ ଓ ଶିଶୁ ସାହିତ୍ୟିକ ଭାବରେ ରାମଚନ୍ଦ୍ର ନାୟକ ଗଳ୍ପ ପୁସ୍ତକ “ବନ ଦେଉଳରେ ସୁନା ନେଉଳ” ପାଇଁ ପୁରସ୍କୃତ ହେବେ ବୋଲି ଘୋଷଣା କରାଗଲା। ତେବେ ମୂଳ ଏକାଡେମୀ ପୁରସ୍କାର ପାଇଁ କୌଣସି ଓଡିଆ ଲେଖକଙ୍କ ନାମ ଘୋଷଣା କରା ଯାଇ ନଥିଲା।

ସେତେବେଳେ ଏକାଡେମୀ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ସେଥିରେ ୨୦ଟି ଭାଷାର ଲେଖକଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିବା ସହିତ ଓଡିଆ, ନେପାଳୀ, ମାଲାୟାଲାମ ଓ ରାଜସ୍ଥାନୀ ଭାଷା ପାଇଁ ପରବର୍ତ୍ତୀ ସମୟରେ ପୁରସ୍କାର ଘୋଷଣା କରାଯିବ ବୋଲି କୁହା ଯାଇଥିଲା । ଏଠି ପ୍ରଶ୍ନ ଉଠୁଛି, “ପରବର୍ତ୍ତୀ ସମୟ” ମାନେ କେବେ ? ୨୦୨୦ ବର୍ଷ ପରେ ୨୦୨୧ ବର୍ଷର ସାଢେ ଛଅ ମାସ ବିତି ସାରିଲାଣି । ତଥାପି ଓଡିଆ ଭାଷା ଲାଗି ପୁରସ୍କାର ଘୋଷିତ ହେଉନାହିଁ । ଏହାର କାରଣ କଣ ? ଏ ପ୍ରସଙ୍ଗରେ ଓଡିଆ ସାହିତ୍ୟିକ ମହଲରେ ପ୍ରାୟ କୌଣସି ପ୍ରତିକ୍ରିୟା ନାହିଁ । ଛୋଟ ଛୋଟ କଥାରେ ବଡ ବିତର୍କ ସୃଷ୍ଟି କରୁଥିବା ଆମ ଲେଖକମାନେ ଏ ପ୍ରସଙ୍ଗରେ ସଂପୂର୍ଣ୍ଣ ନୀରବ । ସତେକି ଓଡିଆ ସାହିତ୍ୟ ପୁରସ୍କାର ଲାଗି ଯୋଗ୍ୟ ନୁହେଁ କିମ୍ବା ଆମ ସାହିତ୍ୟ ଲାଗି ଏ ପୁରସ୍କାରର ଆବଶ୍ୟକତା ହିଁ ନାଇଁ !!

ଓଡିଆ ଭାଷା ପାଇଁ ପୁରସ୍କାର ବିଳମ୍ବିତ ହେବାର କାରଣ କଣ ? ପ୍ରଥମ ପର୍ଯାୟରେ ଏହି ପୁରସ୍କାର ଘୋଷଣା ତିନି ମାସ ବିଳମ୍ବିତ ହୋଇ ସାରିଥିଲା । ତା ପରେ ଆହୁରି ଚାରିମାସ ଗଲାଣି । ତଥାପି ଓଡିଆ ଭାଷା ସାହିତ୍ୟ ପାଇଁ ନିଷ୍ପତ୍ତି ନିଆଯାଇ ପାରୁନାହିଁ । ଏ ସମ୍ପର୍କରେ ଏକାଡେମୀ କିମ୍ବା ଏହାର କର୍ମକର୍ତ୍ତା କିଛି ସ୍ପଷ୍ଟ କାରଣ ଉଲ୍ଲେଖ କରୁ ନାହାନ୍ତି । ଓଡିଆ ଉପଦେଷ୍ଟା ପରିଷଦ ମଧ୍ୟ ଏ ସଙ୍କ୍ରାନ୍ତ ମାର୍ଚ୍ଚ ମାସରେ ନୀରବ ଥିଲେ, ଆଜି ମଧ୍ୟ ନୀରବ ରହିଛନ୍ତି । କେବଳ ବିଭିନ୍ନ ସୂତ୍ରରୁ ଜଣାପଡୁଛି ଯେ ପୁରସ୍କାର ପାଇଁ ଗଠିତ ବିଚାରକ ମଣ୍ଡଳୀର ଚୂଡାନ୍ତ ବୈଠକ ବସିବାରେ ବିଳମ୍ବ ହୋଇଥିବାରୁ, ନିଷ୍ପତ୍ତି ବିଳମ୍ବିତ ହେଉଛି । ତିନିଜଣ ବିଚାରକ ବସି ଗୋଟେ ବହିକୁ ଚୂଡାନ୍ତ ଭାବରେ ବାଛିବା ଲାଗି କଣ ଷାଠିଏ ମହଣ ଘିଅ ଲୋଡା ହେଉଛି କି ? ଗୋଟେ ଭାଷାକୁ ଓ ତାର ସମଗ୍ର ସାହିତ୍ୟିକ ଗୋଷ୍ଠୀଙ୍କୁ ଏହା ଅପମାନ ନୁହେଁ କି?

ଓଡିଆ ସାହିତ୍ୟ ପାଇଁ କେନ୍ଦ୍ର ଏକାଡେମୀ ପୁରସ୍କାର ଘୋଷଣା ହେବା ଆଗରୁ ସବୁବେଳେ ଏହାକୁ ନେଇ ବିବାଦ ଚାଲିଥାଏ । ସୋସିଆଲ ମିଡିଆ ଆସିବା ପରଠୁ ଏହି ବିବାଦ ଟିକେ ଅଧିକ ତୀବ୍ର ହୋଇ ଯାଇଛି । ଚୟନ ଓ ବିଚାର ସମୟ ଆସନ୍ନ ହେଲେ ପୁରସ୍କାରକୁ ନେଇ କିଛି ଲେଖକ ରୀତିମତ ଏକ ଅଭିଯାନରେ ବାହାରି ପଡନ୍ତି । କେଉଁ ଲେଖକର ବହି କେଉଁ ଭାବରେ ଓ କେଉଁ ମାଧ୍ୟମରେ କେଉଁ ପର୍ୟାୟରେ ପହଞ୍ଚିଲା, ତାର ବିଶେଷ ସୂଚନା ଫେସବୁକ ରୁ ମିଳି ଯାଉଥାଏ। ମୂଳତଃ ପୁରସ୍କାର ପ୍ରକ୍ରିୟାଟି ଅତ୍ୟନ୍ତ ଗୋପନୀୟ ବୋଲି କୁହା ଯାଉଥିଲେ ମଧ୍ୟ, ଏ ସମ୍ପର୍କିତ ସମସ୍ତ ତଥ୍ୟ ଓ ସୂଚନା ହାଟରେ ପଡି ଦାଣ୍ଡରେ ଗଡୁଥାଏ । ଉତ୍ସାହୀ ଓ ଉଚ୍ଚାଭିଳାଷୀ ଲେଖକ/ଲେଖିକାମାନେ ଏ ବିଷୟରେ ସବୁ ତଥ୍ୟ ଜାଣିଥାନ୍ତି । ସବୁଠୁ ମଜା କଥା ହେଉଛି, ଆଗରୁ ଏ ସମ୍ପର୍କରେ ବହୁତ ପାଟିତୁଣ୍ଡ କରୁଥିବା ଲେଖକ ଏବେ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି । ଅତି ସାଧାରଣ ଓ ଛୋଟ ଛୋଟ କଥାରେ ଖଣ୍ଡା ଧରି ଯୁଦ୍ଧ କରିବାକୁ ବାହାରି ପଡୁଥିବା ଆମ ଲେଖକମାନେ କୁଆଡେ ଅଛନ୍ତି କେଜାଣି !!

ପୂର୍ବରୁ ଆମେ ସୂଚନା ଦେଇଥିଲୁ ଯେ, ଚଳିତ ବର୍ଷ ଏକ ମାସିକ ପତ୍ରିକାର ସମ୍ପାଦକଙ୍କୁ ଏହି ପୁରସ୍କାର ଦିଆଇବାକୁ ପ୍ରବଳ ଉଦ୍ୟମ ଚାଲିଥିଲା । ଅନ୍ତିମ ପର୍ୟାୟରେ ଏ ସମ୍ପର୍କିତ ବିବାଦ ଯୋଗୁଁ ପୁରସ୍କାର ସମ୍ପର୍କିତ ନିଷ୍ପତ୍ତି ବିଳମ୍ବିତ ହୋଇଥିବାର ସୂଚନା ମିଳୁଥିଲା । ଏପରିକି ଗତ ଜୁନ ୧୮ ସୁଦ୍ଧା ପୁରସ୍କାର ଚୟନ ପ୍ରକ୍ରିୟା ସାରିବାକୁ ଏକାଡେମୀ କର୍ତ୍ତୃପକ୍ଷ କୁଆଡେ ନିଷ୍ପତ୍ତି ନେଇ ସାରିଥିଲେ । ହେଲେ ଅଜ୍ଞାତ କାରଣରୁ ପୁରସ୍କାର ଏଯାଏ ସ୍ଥଗିତ ରହିଛି । ଆମର ଏଠି ଆମେ ପୁରସ୍କାର ପାଇଁ ଯୋଗାଡ ଯନ୍ତ୍ର ଓ ଲବି କଥା ଶୁଣୁଥିବା ବେଳେ ମରାଠୀ ସାହିତ୍ୟରେ ଏହାର ଠିକ ବିପରୀତ ଘଟଣା ଘଟିଥିଲା । ପୁରସ୍କାର ଘୋଷଣା ହେବାର ମାତ୍ର ଘଣ୍ଟାକ ଭିତରେ ମରାଠୀ ଉପନ୍ୟାସ “ଉଦ୍ୟା” ପାଇଁ ଏହା ପାଇଥିବା ପ୍ରଖ୍ୟାତ ଲେଖକ ନନ୍ଦ ଖରେ, ଏହାକୁ ଗ୍ରହଣ କରିବେ ନାଇଁ ବୋଲି ଘୋଷଣା କରିଥିଲେ । “ନିଜ ଲେଖା ପାଇଁ ମୁଁ ମୋ ପାଠକ ଓ ସମାଜଠାରୁ ବହୁତ ସମ୍ମାନ ପାଇଛି । ତେଣୁ କୌଣସି ପୁରସ୍କାର ମୁଁ ଆଉ ଗ୍ରହଣ କରୁନାହିଁ ବୋଲି ଶ୍ରୀ ଖରେ କହିବା ସହିତ ଏକାଡେମୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ”।

ସବୁ ବାଦ ବିବାଦ ସତ୍ତ୍ୱେ ଚଳିତ ବର୍ଷ ଦେଶର ବହୁ ଖ୍ୟାତନାମା ଲେଖକ ଏହି ପୁରସ୍କାର ପାଇଛନ୍ତି । ସେହି ତାଲିକାରୁ ଓଡିଆ ସାହିତ୍ୟ ବାଦ ପଡିବା ଅପମାନଜନକ ଘଟଣା ନୁହେଁ କି ? ଏଥିଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ତହିଁରେ ପ୍ରତିନିଧି ଭାବେ କାମ କରୁଥିବା ଓଡିଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ଜବାବ ରଖିବା ଉଚିତ ହେବନାହିଁ କି ?