ଫଟୋ - ୱିକିପିଡିଆ

ନାଆଁରେ କ'ଣ ଅଛି ?

ହୁଏତ କିଛି ଅଛି ।

ଜଣକୁ ଗୋଟିଏ ନାଆଁ ଦେବା ପଛରେ କିଛି ସାର ଆଉ କିଛି ଅସାର ଏମିତି ଉଭୟ କଥା ରହିଥାଏ ଆଉ ସେହି ଉଭୟ କଥାକୁ ଆଧାର କରି ଆମ ପାଖରେ ଦେଖିବେ ମହଜୁଦ୍ ଥାଏ ବହୁତ ଗୁଡିଏ ଆପ୍ତ ବାକ୍ୟ । ସେଥିରୁ ସବୁଠୁ ପ୍ରିୟ ଆପ୍ତବାକ୍ୟ ଆମର, ଉଦାହରଣ ସ୍ୱରୂପ ହେଉଛି, ନାଆଁରେ କ'ଣ ଅଛି ଗଣ୍ଠିଧନ, ତମେ ଗୋଲାପକୁ ଯେଉଁ ନାଆଁରେ ଡାକିଲେ ସେଥିରୁ କେବଳ ଗୋଲାପର ବାସ୍ନା ଆସିବା ଥୟ ।

କିନ୍ତୁ ତମେ ଯଦି ଏମିତି କହିବ ତେବେ ଯେଉଁମାନେ କୌଣସି ପାର୍ଥିବ ତର୍କର ଧାର ଧରନ୍ତି ନାହିଁ ସେମାନେ ନିଜର ଅପାର୍ଥିବ ତର୍କରେ କବିତାସୁଲଭ ଭାଷାରେ ହୁଏତ କହିପାରନ୍ତି, ହଇହୋ ପଣ୍ଡିତେ, ତମେ ଯଦି ଗୋଲାପକୁ ପୋକସୁଂଘା ବୋଲି ଡାକିବ ତେବେ ହଁ ସେଥିରୁ ଗୋଲାପର ବାସ୍ନା ତ ଆସିବ ଆଉ ତା ସହିତ ପୋକସୁଂଘାର ବାସ୍ନା ନିଶ୍ଚେ ତମର ନାକରେ ବାଜିବା କଥା ହିଁ ବାଜିବ ।

ତେଣୁ ନାଆଁ ଦେବା ବିଷୟରେ ଯେଉଁ ଆପ୍ତବାକ୍ୟମାନ ରହିଛି ସେଥିରୁ ଦେଖିଲେ ଢେର ଏମିତି ପେଞ୍ଚ ବାହାରିବ, ଅବଶ୍ୟ ଯଦି ପେଞ୍ଚ ପାଞ୍ଚୁଥିବା ଲୋକଟି ଉପଲବ୍ଧ ରହିଥାଏ ତେବେ । ଆଜିକାଲି ଏମିତି ଲୋକ ଅର୍ଥାତ୍ ସବୁକଥାକୁ ଶଗଡଗୁଳାରେ ମାନିନେବାକୁ ବସିଥିବା ଲୋକ ଯେ ବଜାର ସାରା ହାଉଜାଉ ହେଉଛନ୍ତି ସେ କଥା ନୁହଁ । ବରଂ ଶଗଡଗୁଳା ଦେଖିଲେ ଆଗ ପ୍ରଶ୍ନ ଉଠିବ ତମେ ସତୁରି ବର୍ଷ ହେଲା ଖାଲି ଶଗଡଗୁଳା ପକେଇଛ । ତମର ସୋଚ୍ ରେ ସରାସର୍ ଖୋଟ୍ । ଆମର ମଟରଗାଡି ନଚାଲିବା ପାଇଁ ତମର ଏହା ଏକ ସୁପରିକଳ୍ପିତ ଷଡଯନ୍ତ୍ର ।

ଆମର ଆପ୍ତବାକ୍ୟକୁ ନେଇ ସବୁବେଳେ ବାଦୀପାଲା ଭାରି ପସନ୍ଦର ଜିନିଷ । ଆଉ ସେଥିରେ ତ ଆପଣମାନେ ସବୁବେଳେ ଖୁସି ଥାଆନ୍ତି । ଆଉ ସେହି ଖୁସିକୁ ଅବ୍ୟାହତ ରଖିବା ପାଇଁ ଆମେ ପାଲା ସରିବା ପରେ ବୈଷ୍ଣବ ଅବତାର ନେଉ । ଏହି ବୈଷ୍ଣବ ତତ୍ତ୍ୱଟି ହେଉଛି ସର୍ବକାଳୀନ ଶ୍ରେଷ୍ଠ ତତ୍ତ୍ୱ । ମମତାର ସହ ଏଇ କଥାଟି ସର୍ବତ୍ର ବୁଝାଇବାର ଆବଶ୍ୟକତା ରହିଛି ।

ଆପ୍ତବାକ୍ୟରୁ ଆରଂଭ କରି ବୈଷ୍ଣବ ହୋଇଯିବା ପଛରେ କେବଳ ନିରାସକ୍ତିକୁ ପ୍ରକାଶ କରିବା ଏଇ ଲେଖାର ଏକମାତ୍ର ଉଦ୍ଦେଶ୍ୟ ।

ସେ ଯାହା ହେଉ ଏଇମିତି ଅନେକ ଆପ୍ତ ବାକ୍ୟମାନ ରହିଛି, ଯାହାକୁ ଖାଲି ଅଳ୍ପ ଟିକିଏ ପରିଶ୍ରମ କରି ଖୋଜିଲେ ହେଲା । ଏମିତିରେ ଆପ୍ତବାକ୍ୟମାନ ଆମର ଆଖିକୁ କାନକୁ ଭାରି ସୁନ୍ଦର ଦେଖାଯାଆନ୍ତି । ଭାରି ସହଜ ସରଳ ଲାଗନ୍ତି । ଆଉ ଆମ ଚିନ୍ତାକୁ ଆଉ କେହି କହିବାର ବଡପଣରେ ଆପ୍ତବାକ୍ୟଟି କହିପାରିବା ପରେ ଆମେ ଚାରିଆଡକୁ ଚାହିଁ ବେଶ୍ ଉଲ୍ଲସିତ ହୋଇପଡୁ । ଆଉ ଟିକିଏ ସରଳ ଭାବରେ କହିଲେ ଆପଣା କଥାରେ ଆପେ ତାଳି ବଜାଇବା ଭଳି କାରକ ହେଉଛି ଆମେ କହୁଥିବା ଆପ୍ତବାକ୍ୟ ।

ଆପ୍ତବାକ୍ୟ ଉପରେ ଏସବୁ କଥା କହିବା ପଛରେ ରହିଛି ଗୋଟିଏ ମାତ୍ର କଥା । ସେଇଥିପାଇଁ ଏତିକି ଗୌରଚନ୍ଦ୍ରିକା । ସେଇ କଥାଟି ହେଉଛି ଆମେ ଗୋଟିଏ ଆପ୍ତବାକ୍ୟ ମାର୍ଫତ୍ ରେ ଯାହା କହିବାକୁ ଚାହିଁଥାଉ ସେହିଭଳି କହିବା ଦ୍ୱାରା ଅସଲରେ ତାହାଠାରୁ ଅଧିକ କିଛି କଥା ଘୋଡାଇ ପକାଇଥାଉ । ଏମିତି କହିଲେ କଥାଟି ସେତେ ଭୁଲ ହୋଇଯିବ ନାହିଁ ଯେ ଆମର ଢେର୍ କଥାକୁ ଘୋଡାଇପକାଇବାର ପ୍ରୟୋଜନ ପଡିଲା ବେଳେ ଆମେ ଆପ୍ତବାକ୍ୟର ସହାୟତା ଲୋଡୁଥାଉ।ଟିକିଏ ପ୍ରାପ୍ତବୟସ୍କ ପୁରୁଷାମୀ ରସିକତା କରି ସେକଥାକୁ କୁହାଯାଇପାରିବ,ଗୋଟିଏ ବିକିନି ଯାହା ଦେଖାଏ ତାହା ସୁନ୍ଦର କିନ୍ତୁ ଯାହାକୁ ଘୋଡାଇ ରଖିଥାଏ ତାହା ନିଶ୍ଚିତ ଅପୂର୍ବ ।

ମୁଖ୍ୟ ପ୍ରସଂଗଟି ନାମକରଣର , ନାଆଁ କୁ ନେଇ ଏକ ଅବସର ବିନୋଦର । ସେଇଠି ବି ଅର୍ଥାତ୍ ନାଆଁ ଦେବା ପଛରେ ବି ଆପ୍ତବାକ୍ୟ ଭଳି ଆମେ ନାଆଁଟିଏ ଦେଇ କିଛି ଉଜ୍ଜଳ କରୁ ଆଉ କିଛିକୁ ଅନୁଜ୍ଜଳ କରି ରଖିଥାଉ । ଶ୍ରୀରାଧା ଙ୍କର ଏମିତିରେ କବି ରମାକାନ୍ତ ତ ପସନ୍ଦ ନମ୍ବର ଏକ୍, ଯଦି ତାହାପରେ ଶ୍ରୀରାଧାଙ୍କର ଆଉ କେବେ ଶ୍ରୁତଲିଖନ ପାଇ ଆଉ କାହାକୁ ମାନେ ଏକ୍ସଟ୍ରା ହାଣ୍ଡ ଲୋଡାପଡିବ ତେବେ ଉପସ୍ଥିତ ଲେଖକ ତାହାର ସିଭି ରଖୁଛି । ପିତାମାତାଙ୍କ ବିବାହର ଗୋଟିଏ ଦଶନ୍ଧି ପରେ ଜନ୍ମିତ ଏଇ ପ୍ରଥମ ସଂତାନ ପାଇଁ ସେମାନେ ଯେଉଁ ବିକଳ୍ପ ନାଆଁଟି ରଖିଥିଲେ ତାହା ହେଉଛି ଜ୍ୟୋତି ମଞ୍ଜରୀ । ତେଣୁ ଅଦୃଶ୍ୟ ଭାବରେ ଯେଉଁ ମଞ୍ଜରୀଟି ଉପସ୍ଥିତ ଲେଖକ ସହ ଆଜନ୍ମ ରହିଛି ତାହା ହୁଏତ ଶ୍ରୀରାଧାଙ୍କର ବେଶ୍ ପସନ୍ଦ ହୋଇପାରେ ।

ଆମେ ଯେତେବେଳେ ପାକିସ୍ଥାନ ବୋଲି ଏକ ନାଆଁକୁ ଭେଟିବୁ ସେତେବେଳେ କ'ଣ ସେହି ନାଆଁ ଭିତରେ ଦୁଃଖ, ଯନ୍ତ୍ରଣା, ପ୍ରେମ ଆଦି ଆବେଗ କି ଦାରିଦ୍ର୍ୟ ଅସଫଳତା ଆଦି ରହିଥିବାର କଥା କେବେବି ଭାବି ପାରିବୁ ? ସେଠାରେ ଆମକୁ ଦେଖାଯିବ କେବଳ କିଛି ଅଧିବାସୀଙ୍କର ଏକ ଏକକ ଭୂଖଣ୍ଡ ଯେଉଁ ଅଧିବାସୀମାନଙ୍କର ଆଖିମାନ ଲାଲ ଟକ୍ ଟକ୍ ପ୍ରତିହିଂସାରେ । ହାତରେ କେବଳ ଧାରୁଆ ଅସ୍ତ୍ର ଧରି ସେମାନେ ଖାଇବା ପିଇବା ଆଉ ରହିବା ଭଳି ଆବଶ୍ୟକତାକୁ ଭୁଲି ଉଗ୍ର ହୋଇ ପ୍ରସ୍ତୁତ ରହିଛନ୍ତି ଆମ ଉପରକୁ ଝାଂପି ପଡିବା ପାଇଁ । ଆମକୁ ତେଣୁ ପ୍ରସ୍ତୁତ ରହିବାକୁ ପଡିବ । ଆମର ଅସ୍ତ୍ରମାନଙ୍କୁ ଯେତେ ସମ୍ଭବ ଶାଣିତ କରି ରଖିବାକୁ ପଡିବ । ଆମେ ଯେଉଁ ଧାରଣା ସେମାନଙ୍କ ଉପରେ ରଖିଛୁ ସେମାନେ ବି ସେହିଭଳି ସମାନ ଧାରଣା ଆମ ସଂପର୍କରେ ପୋଷଣ କରୁଥିବେ । ଧାରଣାରେ ଯେଉଁ ଶତ୍ରୁର ଜନ୍ମ ନେଇଥାଏ ତାହାପାଇଁ ମିତ୍ରଟିଏ ଆସିବ କାହୁଁ ?

ଆମେ ସମସ୍ତେ ବିଶ୍ୱସାରା ଅର୍ଥାତ୍ ତାହା ଭାରତ ହେଉ କି ପାକିସ୍ଥାନ ଆଉ ଯେଉଁଠିକାର ଯିଏ ହେଉ ଆମେ ସମସ୍ତେ ପିଲାଟି ଦିନରୁ ଯେଉଁ ଇତିହାସ ପଢି ଆସିଲୁ ସେଥିରେ ନିଜ ରାଜ୍ୟ ଆଉ ନିଜ ଦେଶକୁ ସବୁ କଥାରେ ଏକପ୍ରକାର ଯାଥାର୍ଥ୍ୟ ବା ଜଷ୍ଟିଫିକେସନ୍ ଦେବାର ଧାରଣା ଆମ ଭିତରେ ପୋତି ଦିଆଗଲା । ଏବଂ ଆମର ଚିନ୍ତାଧାରାରେ ତିଆରି ହୋଇଗଲା ଯେ ଆମେ ଯେଉଁ ଭୂଖଣ୍ଡରେ ଜନ୍ମିଛୁ ତାହା ଶ୍ରେଷ୍ଠ ଆଉ ସେଇଥିପାଇଁ ଆମେ ଏକ ପ୍ରକାର ଶ୍ରେଷ୍ଠତ୍ୱବୋଧରେ ଜନ୍ମରୁ ଆଚ୍ଛନ୍ନ ହୋଇ ରହିଥାଉ । ଆଉ ବୟସ ବଢିଲେ ଇତିହାସର ଏଇ ଆଚ୍ଛନ୍ନତା ଟି ଆମକୁ ଆକ୍ରାନ୍ତ କରିଥାଏ । ଆମେ ଯେମିତି ଶ୍ରେଷ୍ଠତ୍ୱର ଅଧିକାରୀ ଅନ୍ୟ ମାନେ ବି ସେମିତି ସେମାନଙ୍କ ନିଜ ବିଚାରରେ ଶ୍ରେଷ୍ଠତ୍ୱର ଅଧିକାରୀ । ନିଜ ନିଜ ବିଚାରରେ ନିଜ ମାନଦଣ୍ଡରେ ଯେତେବେଳେ ସମସ୍ତ ଶ୍ରେଷ୍ଠ ମାନେ ଏକାଠି ହୁଅନ୍ତି ସେତେବେଳେ ନୈମିଷାରଣ୍ୟରେ ଉପଗତ ସମସ୍ତ ୠଷି ଙ୍କର ଯେଉଁ ସମସ୍ୟା ତାହା ବସ୍ତୁତଃ ଏଠାରେ ଉପଗତ ହୋଇଥାଏ । କସ୍ମୈ ଦେବାୟ ? କେଉଁ ଦେବତାକୁ ଆମେ ପ୍ରଥମେ ଅର୍ଘ୍ୟ ସଂପ୍ରଦାନ କରିବା ? ଆମେ ଯେଉଁ ଶ୍ରେଷ୍ଠ ସମୂହ ଏକାଠି ହୋଇଛୁ ତାହା ଭିତରୁ କିଏ ପୁଣି ଅଧିକ ଶ୍ରେଷ୍ଠ ବୋଲି କିଏ କେଉଁପରି ବିଚାର କରିବ ? ସେମିତି କିଛି ଶ୍ରେଷ୍ଠତ୍ୱର ପରିମାପକ ଆମ ଭିତରେ ପ୍ରସ୍ତୁତ ହୋଇପାରେନା ବୋଲି ଆମେ ନିଜ ନିଜ ବାଟରେ ନିଜକୁ ଶ୍ରେଷ୍ଠ ବୋଲି ଭାବୁ ଆଉ ଏହି ଭାବନା ପଛରେ ଉଗ୍ରତା ଆସେ, ହିଂସା ଆସେ, ଯେହେତୁ ଆମର ଶ୍ରେଷ୍ଠତ୍ୱକୁ ଆଉ ଜଣେ ଯଦି ସେ ଆମର ଅଧୀନସ୍ଥ ନୁହଁ ତେବେ ସେ ଏହାକୁ ମାନିନେଉ ନାହିଁ କାହିଁକି, ସେଇ ପ୍ରତିକ୍ରିୟାରୁ । ଆମେ ନିଜର ଶ୍ରେଷ୍ଠତ୍ୱ ସହ ଅନ୍ୟର ଶ୍ରେଷ୍ଠତ୍ୱ ଦେଖିପାରିବା ଭଳି ବିଶ୍ୱଦୃଷ୍ଟି ଟିଏ ଆମ ଭିତରେ ବିକଶିତ କରିପାରିନାହୁଁ।ଆମେ ଇତିହାସରୁ କେବଳ ସତ୍ତା-ସଂଘର୍ଷ କୁ ଦେଖିଲୁ, ସାମାଜିକ ବିବର୍ତ୍ତନକୁ ଉପେକ୍ଷା କଲୁ । ଏ ସବୁ ହିଂସକ ଉନ୍ମାଦନା କେବଳ ତାହାର ପରିଣାମ ।

ଆମେ କାଳକୁ , ପାତ୍ରକୁ କେବଳ ଏକ ନାଆଁରେ ବାନ୍ଧିଲୁ । ଦେଶ ବୋଲି ଆମର ଯେଉଁ ସ୍ୱଚ୍ଛନ୍ଦ ଆଉ ମୁକ୍ତ ନିଃଶ୍ୱାସ ନେବାର ଚିର ଅଭିଳଷିତ ସ୍ଥାନ ତାହାକୁ ଜମା ଖୋଜିଲୁ ନାହିଁ ।

ଏବେ ଗୋଟିଏ ଦେଶକୁ ଯିବାର ହେଉ ସୁଧୀଜନ !!

ଆଜକୁ ପ୍ରାୟ ଚାଳିଶ ବର୍ଷ ତଳେ ବିହାରର ଜଣେ ରାଜସ୍ୱ ଅଧିକାରୀ ବିହାରର ଏକ ଗ୍ରାମାଞ୍ଚଳରେ ଶାସନ ବ୍ୟବସ୍ଥାର ତନଖି କରିବା ପାଇଁ ବାହାରିଲେ । ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ଶ୍ରୀନଗର ବୋଲି ଗୋଟିଏ ଗ୍ରାମ ପଂଚାୟତରେ ସିଙ୍ଘିଆ ବୋଲି ଗୋଟିଏ ଗାଆଁ । ସେହି ଗାଆଁ ପାଖରେ ନଈ ଆରପଟେ ଧାନବିଲ ଭିତରେ ଗାଆଁଟିଏ ସବୁଜ ସାଗର ଭିତରେ ଦ୍ୱୀପ ଭଳି ଦେଖାଯାଉଥାଏ । ରାଜସ୍ୱ ଅଧିକାରୀଙ୍କର ଏକା ଜିଦ୍ ସେ ସେହି ଗାଁକୁ ଯିବେ । ସେତେବେଳେ ସେଇ ନଈରେ ଆଜିକାଲି ଭଳି ପୋଲ ହୋଇ ନଥାଏ । ସେତେବେଳେ ପୁଣି ବର୍ଷା ଦିନ । ଚାରି ଆଡ ପାଣି କାଦୁଅରେ ପଚପଚ । ସମସ୍ତେ ରାଜସ୍ୱ ଅଧିକାରୀଙ୍କୁ ବାରଣ କଲେ । ଆପଣ ବେଶ୍ ଜାଣନ୍ତି ଆମର ଅଧିକାରୀମାନଙ୍କର ଲକ୍ଷଣ । ସେମାନଙ୍କର ଜିଦ୍ ମାନେ ଚାରି ଲକ୍ଷ ହେଉ କି ଚାଳିଶ ଲକ୍ଷ ହେଉ ସେତିକି ଦାମର ହୀରା ଖଚିତ ମଶାରୀ ନିଜ ଘରେ ଟାଙ୍ଗିବା ମାନେ ଅଲବତ୍ ଟାଙ୍ଗିବେ । ଦୁର୍ନୀତି ନିବାରଣ ରୂପୀ ମଶା ଭିତରକୁ ପଶିପାରିବାର ଟିକିଏ ବୋଲି ଫାଙ୍କ ରହିବ ନାହିଁ । ତେଣୁ ବିହାରର ସେହି ରାଜସ୍ୱ ଅଧିକାରୀ ପାଇଁ ଡଙ୍ଗା ବନ୍ଦୋବସ୍ତ ହେଲା । ଗମ୍ ବୁଟ୍ ଆସିଲା । ଯିବା ପଥରେ ଅଗମ୍ୟ କାଦୁଅ ପଡିଲେ ଚାରିଦୋଳା କରି ନେବାପାଇଁ ଲସ୍କର ମାନେ ପ୍ରସ୍ତୁତ ହୋଇ ରହିଲେ । ଏବଂ ଏହିପରି ଭବ୍ୟ ଆୟୋଜନ ଉପରାନ୍ତେ ସେହି ରାଜସ୍ୱ ଅଧିକାରୀ ଜଣକ ସେହି ସବୁଜଦ୍ୱୀପ କୁ ଯାତ୍ରା କଲେ । ଅଳ୍ପ କେତୋଟି ଘର ସେଇଠି । ହିସାବରେ ପ୍ରାୟ ଚାଳିଶ ଘର ଖଣ୍ଡେ ହେବ । ରାଜସ୍ୱ ଅଧିକାରୀ ସେଠାରେ ପହଂଚିଗଲେ ପରେ ଉପସ୍ଥିତ ସେଠିକାର କିଛି କୌତୁହଳୀ ଗ୍ରାମବାସୀଙ୍କୁ ପଚାରିଲେ, ଏଇ ଗାଆଁ ର ନାଆଁ କ'ଣ ? ସେଠିକାର ଜଣେ ଗ୍ରାମବାସୀ ର ମୁହଁରୁ ଯେଉଁ ନାଆଁ ବାହାରିଲା ତାହାକୁ ଶୁଣିବା ପରେ ରାଜସ୍ୱ ଅଧିକାରୀଙ୍କ କ୍ରୋଧ ଯେମିତି ବ୍ରହ୍ମଚଣ୍ଡାଳ । ସେ ଆବଶ୍ୟକତା ଠାରୁ ଅଧିକ ଗର୍ଜନ କରି କହିଲେ , ଏ ନାଆଁ ଏଠାରେ ଚଳିବ ନାହିଁ । ଆଜିଠୁ ଏହାର ମୁଁ ନାମକରଣ କଲି ଅମୁକପୁର । ମନେରଖିଲ ସମସ୍ତେ, ଅମୁକପୁର । ସମସ୍ତେ ତିନିଥର କୁହ, ଅମୁକପୁର, ଅମୁକପୁର, ଅମୁକପୁର । ଗ୍ରାମବାସୀମାନେ ସେହି ରାଜସ୍ୱ ଅଧିକାରୀଙ୍କ ସହ ଶପଥ ପାଠ କଲା ଭଳି କହିଥିଲେ, ଅମୁକପୁର, ଅମୁକପୁର । ଏହା ପରେ ଅଧିକାରୀଙ୍କର କ୍ରୋଧ ଶାନ୍ତ ପଡିଥିଲା । ସେ ଗାଆଁଟିର ଯେଉଁ ଅମୁକପୁର ବୋଲି ନାମକରଣ କରିଥିଲେ ସେଥିରେ ପ୍ରକୃତରେ ତାଙ୍କର ପ୍ରାଣପ୍ରିୟା ପତ୍ନୀଙ୍କ ନାଆଁ ସହିତ ପୁର ଯୋଗାଯାଇଥିଲା । ସବୁ ଅଧିକାରୀମାନେ ପତ୍ନୀଗତ ପ୍ରାଣ ବୋଲି ଆମେ ଗୋପୀବାବୁଙ୍କ "ଦାନାପାଣି"ରୁ ପଢିଛୁ । ତେଣୁ ଆମେ ବଳୀଦତ୍ତ ମାନେ ଘୁଷୁରିଆପଲ୍ଲୀରୁ ଘୁଷୁରୀଗୁହ ଭାରରେ ଆଣୁ । ସେହି ଘୁଷୁରିଗୁହ ଅଧିକାରୀଙ୍କ ଗୋଲାପ କୁଣ୍ଡରେ ପଡେ । ଭଲ ଜାତିର ଗୋଲାପ ତେଣୁ ବେଶ୍ ବଡ ଆକାରରେ ଫୁଟେ । ଆଉ ସେହି ବେଶ ବଡ ଗୋଲାପଫୁଲଟିଏ ପତ୍ନୀଙ୍କ ଗଭାରେ ଶୋଭିତ ମାନେ ଅଧିକାରୀ ଜଣକ ପ୍ରସନ୍ନ ଆଉ ଅଧିକାରୀ ଜଣକ ପ୍ରସନ୍ନ ମାନେ ଆମ ଭଳି ବଳୀଦତ୍ତ ମାନଙ୍କର କଚେ ପୁଅ ବାଆର । ପତ୍ନୀଙ୍କ ନାଆଁରେ ପୁର ଟି ଆଜିଠୁ ଖାତା କଲମରେ ହେଲା ବୋଲି ନିଜର ଷ୍ଟେନୋକୁ ଏକ ତୁରନ୍ତ ଡିକ୍ଟେସନ୍ ଦେବାପରେ ଅଧିକାରୀ ଜଣକ ଭାରି ପ୍ରଫୁଲ୍ଲ ଦିଶିଲେ ।

ଅଳ୍ପ ସମୟ ପରେ ସେହି ରାଜସ୍ୱ ଅଧିକାରୀ ଜଣକ ସେହି ସବୁଜ ଦ୍ୱୀପ ଭଳି ଗାଆଁରୁ ଫେରିଆସିଥିଲେ । ସେ ଫେରି ଆସିବା ପରେ ତାଙ୍କର ନିଜ ପତ୍ନୀଙ୍କ ନାଆଁରେ ସେଇ ଗାଆଁର ନାମକରଣ କରିଥିବାର ଖୁସି ବି ଫେରିଆସିଥିଲା ସହରକୁ ସେଇଠୁ । ସେହି ସବୁଜଦ୍ୱୀପର ଲୋକେ ଭୁଲି ଯାଇଥିଲେ ଅମୁକପୁର ବୋଲି ଦିଆଯାଇ ଥିବା ନାଆଁଟି ଆଉ ଠିକ୍ ସମାନ ଭାବରେ ଖାତା ଖତିଆନ୍ ରେ ସେହି ଗାଆଁ କୁ ଅମୁକ ପୁର ବୋଲି ନାଆଁରେ ପରିବର୍ତ୍ତନ କରିବା ନିଜର ଷ୍ଟେନୋଙ୍କୁ ଡିକ୍ଟେସନ୍ ଦେବା ଭଳି ସହଜ କାମ ନଥିଲା । ଏକଥାକୁ ସମସ୍ତେ କିଛି ଦିନ ପରେ ଭୁଲିଗଲେ ।

ତେଣୁ ସବୁଜ ଦ୍ୱୀପ ଭଳି ସେହି ଗାଆଁ ର ନାଆଁଟି ରେ କୌଣସି ପରିବର୍ତ୍ତନ ହେଲା ନାହିଁ । ସେଇ ଗାଆଁଟି ତାହାର ଯାହା ନାଆଁ ଥିଲା ସେଇ ନାଆଁରେ ଆଜି ବି ପରିଚିତ ଲୋକମୁଖରେ ।

ଉଣେଇଶ ସତଚାଳିଶର ଦେଶ ଭାଗ ପରେ ବିହାରର ପୂର୍ଣ୍ଣିଆ ଜିଲ୍ଲାର ନିକଟରେ ରହିଲା ପାକିସ୍ଥାନର ଗୋଟିଏ ଅଂଶ ଯାହାକୁ ପୂର୍ବ ପାକିସ୍ଥାନ ବୋଲି କୁହାଯାଉଥିଲା । ସେହି ପୂର୍ବ ପାକିସ୍ଥାନ ପରେ ଉଣେଇଶ ଏକସ୍ତରୀରେ ସ୍ୱାଧୀନ ହେଲାପରେ ନୂତନ ନାଆଁରେ ପରିଚିତ ହୋଇଛି , ବାଙ୍ଗଲା ଦେଶ । ସେ ଯାହାହେଉ ସତଚାଳିଶର ଦେଶ ଭାଗ ପରେ ପୂର୍ଣ୍ଣିଆ ରୁ ଅନେକ ମୁସଲମାନ ଭାରତ ଛାଡି ପୂର୍ବ ପାକିସ୍ଥାନର ବାସିନ୍ଦା ହେଲେ । ସେଠିକାର ହିନ୍ଦୁ ମାନଙ୍କ ସହ ଏଠିକାର ମୁସଲମାନମାନଙ୍କ ଭିତରେ ସମ୍ପତ୍ତିର ଅଦଳବଦଳ ଘଟିଥିଲା ।

ତାହାପରଠାରୁ ସେହି କଥିତ ସବୁଜ ଦ୍ୱୀପରେ ଯେଉଁମାନେ ଆସି ବସତି କଲେ ସେମାନେ ସବୁ ମୁଖ୍ୟତଃ ପୂର୍ବ ପାକିସ୍ଥାନରୁ ଆସିଛନ୍ତି । ଯେହେତୁ ସେମାନେ ଚବିଶ ମାର୍ଚ୍ଚ ଉଣେଇଶହ ଏକସ୍ତରୀ ପୂର୍ବରୁ ଆସିଛନ୍ତି ତେଣୁ ସେମାନଙ୍କ ନାମ ନେସନାଲ୍ ରେଜିଷ୍ଟର ଫର୍ ସିଟିଜେନ୍ ଅଫ୍ ଇଣ୍ଡିଆ ବା ଭାରତୀୟ ନାଗରିକ ପଂଜିକାରେ ନିଶ୍ଚିତ ଦର୍ଜ ହୋଇ ରହିଥିବ ।

ଉଣେଇଶ ସତଚାଳିଶ ପରେ ସେହି ସବୁଜ ଦ୍ୱୀପ ର ଗାଁଆରେ ଗୋଟିଏ ବୋଲି ଘର ମୁସଲମାନ ନାହାଁନ୍ତି । ଏବେ ସେଠିକାର ଲୋକ ସଂଖ୍ୟା ପ୍ରାୟ ତିନିଶ ଖଣ୍ଡେ ହେବ । ସେଇ ଗାଆଁ କୁ ଯିବା ପାଇଁ ଏବେ ନଈରେ ପୋଲ ହୋଇଛି ।ଏହା ଛଡା ଆଉ କୌଣସି ବିକାଶ ହୋଇନାହିଁ । ସେହି ଗାଁଆରେ କାହାରି ପାଖରେ ଟେଲିଭିଜନ୍ ସେଟ୍ ନାହିଁ କି କାହାରି ପାଖରେ ମୋବାଇଲ୍ ନାହିଁ । ଆଗ ଯାହା ଥିଲା ସେଇ ଗାଆଁଟି ପ୍ରାୟତଃ ସେମିତି ରହିଛି । ସେଇଠି ରହୁଛନ୍ତି ଏବେ ଗୁରୁ ବେସରା,ଦୁଲ୍ଲା ଟୁଡୁ ଆଦି ଆଦିବାସୀ ସଂପ୍ରଦାୟର ଲୋକ ।

ବିହାରର ପୂର୍ଣ୍ଣିଆ ଜିଲାଠୁ ପ୍ରାୟ ତିରିଶ କିଲୋମିଟର ଗଲା ପରେ ଶ୍ରୀନଗର ବୋଲି ଏକ ବ୍ଲକ ଆଉ ଏଇ ବ୍ଳକ୍ ର ଅନ୍ତର୍ଗତ ସିଙ୍ଘିଆ ଗ୍ରାମ ପଂଚାୟତରେ ଅନ୍ତର୍ଭୁକ୍ତ ଏଇ ବିଶେଷ ଗାଆଁଟିର ସଂପର୍କରେ ଯାହା ତଥ୍ୟ ଏଠାରେ ଉଦ୍ଧାର କରାଯାଇଛି ତାହା ସାମ୍ବାଦିକ ଶ୍ରୀ ରୂପାଞ୍ଜନ ଗୋସ୍ୱାମୀଙ୍କ ର ଏକ ଲେଖାକୁ ଆଧାର କରି ଲିଖିତ ।

ଏହି ସବୁଜ ଦ୍ୱୀପଭଳି ଥିବା ଗାଆଁର ନାଆଁ ହେଉଛି କାଗଜ କଲମରେ, ପାକିସ୍ଥାନ । ସେଠିକାର ଲୋକେ କହନ୍ତି, ପାକିସ୍ଥାନ ଟୋଲା ।

ହୁଏତ ଭାରତ ଭିତରେ ଏଇଭଳି ଗୋଟିଏ ପାକିସ୍ଥାନର ଅସ୍ତିତ୍ୱ ଅନେକଙ୍କୁ ରୁଚିକର ନ ଲାଗିପାରେ ।

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷିତ ଚୌଧୁରୀ ରହମତ୍ ଅଲ୍ଲୀ ସର୍ବ ପ୍ରଥମେ ପାକିସ୍ଥାନ ଶବ୍ଦର ସୃଷ୍ଟି କର୍ତ୍ତା । ସେ ପଂଜାବରୁ "ପ", ଆଫଗାନିସ୍ଥାନରୁ "ଅ" ଆଉ କଶ୍ମୀରରୁ "କ" ,ଏହିଭଳି ତିନୋଟି ସ୍ଥାନ "ପ", "ଅ" ଆଉ "କ" କୁ ମିଶାଇ ପାକିସ୍ଥାନ ଶବ୍ଦଟି ପ୍ରସ୍ତୁତ କରିଥିଲେ । ଆଜି ଦେଖିଲେ ଚୌଧୁରୀ ରହମତ ଅଲ୍ଲୀ କୃତ ପାକିସ୍ଥାନରେ "ଅ" ଆଉ "କ"ଦୁଇଟିର ସ୍ଥାନ ରହି ନାହି । ରହିବ ନାହିଁ ମଧ୍ୟ ।

ତେଣୁ ନାମବାଚକ ସ୍ଥାନ କାଳକାଳାନ୍ତରେ ଅସ୍ଥିର ହୋଇପଡେ, ଏଇ କଥାଟି ଆମକୁ ମନେରଖିବାକୁ ପଡିବ।