ପ୍ରଫେସର ଗଣେଶ୍ଵର ମିଶ୍ର, ଓଡିଆ କଥା ସାହିତ୍ୟର ଅନନ୍ୟ ସ୍ଵର

ଭକ୍ତ

ଆମ କଲୋନୀରେ ଏବେ ନିର୍ମିତ ହୋଇଛି ଜଗନ୍ନାଥ ମନ୍ଦିରଟିଏ - ଆମ ଘରର ଖୁବ ନିକଟରେ । ପ୍ରତି ସନ୍ଧ୍ୟାରେ ସେଠାକୁ ମୁଁ ଯାଏ ଠାକୁର ଦର୍ଶନ ପାଇଁ । ମନ୍ଦିରଟିରେ ଥା'ନ୍ତି ଜଣେ କି ଦୁଇଜଣ ଭକ୍ତ । ପ୍ରତିଦିନ କିନ୍ତୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁ ତ୍ରିପାଠୀ ଏକ ଲୟରେ ଉଚ୍ଚ ସ୍ଵରରେ ପଢିବାରେ ଲାଗିଥାନ୍ତି ‘ବିଷ୍ଣୁ ସହସ୍ରନାମ’ ବା ସେହିପରି କୌଣସି ଧର୍ମଗ୍ରନ୍ଥ ।

ଆଜି ସନ୍ଧ୍ୟାଟି କିନ୍ତୁ ଥିଲା ଭିନ୍ନ । ମନ୍ଦିରଟିରେ ଭର୍ତ୍ତି ହୋଇଥିଲେ ଭକ୍ତମାନେ - ମନ୍ଦିର ସାମ୍ନା ଗେଟ ପାଖରେ ଅନେକ ସ୍କୁଟର ଓ କାର । ଆଜି ତ କୌଣସି ପର୍ବ ପର୍ବାଣି ନଥିଲା । ଏତେ ଭକ୍ତ କାହିଁକି ? ପଚାରିଲି । ‘ଆଜି ଦର୍ଶନ ପାଇଁ ଚିଫ ସେକ୍ରେଟାରୀ ଆସିଛନ୍ତି’ । ସେ କହିଲେ ।

ଆପଣ ଧର୍ମଗ୍ରନ୍ଥ ପାଠ କରୁନାହାନ୍ତି କାହିଁକି ?

“ଆଜି ସେମାନେ ନୂଆ ଜଣେ ବ୍ରାହ୍ମଣ ଆଣିଛନ୍ତି । ତାଙ୍କର ସଂସ୍କୃତ ଉଚ୍ଚାରଣ ଭଲ । “ମୁଁ ଆଉ ମନ୍ଦିର ଭିତରକୁ ଗଲି ନାହିଁ । ଆଜି ମୋର ଠାକୁର ଦର୍ଶନ ନୋହିଲା ।

ସମ୍ପର୍କ

ପୁରୀ ଜଗନ୍ନାଥ ମନ୍ଦିର ଆନନ୍ଦ ବଜାରରେ ଶୁଖିଲା ଭୋଗ ବିକେ ମାଗୁ । ମୋତେ ଦେଖିଲେ ତାଳପତ୍ର ଭୋଗେଇରେ ଭୋଗ ରଖି କଦଳୀ ପଟୁଆରେ ବାନ୍ଧି ମୋ ହାତକୁ ବଢାଇ ଦିଏ । ଦରଦାମ ଛିଣ୍ଡେ ନାହିଁ । ମୁଁ ତା ହାତକୁ ବଢାଇ ଦିଏ କୋଡିଏ ଟଙ୍କା ।

କୋଡିଏ ଟଙ୍କାରେ ସେ ମୋତେ ଯେତେ ଭୋଗ ଦିଏ, ଅନ୍ୟମାନଙ୍କୁ ତା ଠାରୁ କମ ଦେଉଥିବ ନିଶ୍ଚୟ - ମୁଁ ଭାବେ । ମୁଁ ଅନ୍ୟମାନଙ୍କଠାରୁ ଭିନ୍ନ - ମାଗୁ ଏକଥା ଭାବୁଥିବ ନିଶ୍ଚୟ । ପଚାଶ ବର୍ଷ ତଳେ ଆମେ ପଢୁଥିଲୁ ଗୋଟିଏ ସ୍କୁଲରେ - ସେଇ ପୁରୁଣା ସମ୍ପର୍କର ପରିଣତି ଏଇ କିଣାବିକା ।

ପ୍ରତିଥର ଆନନ୍ଦ ବଜାରକୁ ଗଲେ ମୁଁ ମାଗୁର ଦୋକାନ ଆଗରେ ଠିଆ ହୁଏ । ଆଜି କିନ୍ତୁ ସେ ବସି ନଥିଲା । ଜଣେ ତରୁଣ ହଠାତ ଦେଖି ଠିଆ ହୋଇପଡି ପଚାରିଲା, ‘ସାର, ଭୋଗ ନେବେ ?’ ।

‘ମାଗୁ ?’ ପଚାରିଲି ।
‘ବାପା ଆଉ ନାହାନ୍ତି । ଦି’ ମାସ ହୋଇଗଲା । ‘
‘କଣ ହେଲା ?’
‘ଶୁଣି ନାହାନ୍ତି ? ତାଙ୍କୁ ପରା ହାଣି ଦେଲେ । ଭାଇ ଭଗାରି କଥା ।

ସେ ମୋ ଆଡକୁ ବଢାଇ ଦେଲା ଭୋଗ ଭୋଗେଇ କଦଳୀ ପଟୁକାରେ ବନ୍ଧା । ଦରଦାମ ଛିଣ୍ଡିଲା ନାହିଁ । ମୁଁ ତା ହାତକୁ ବଢାଇ ଦେଲି କୋଡିଏ ଟଙ୍କା ।

ମାଗୁ ନଥିଲା । କିନ୍ତୁ ଅତୁଟ ରହିଲା ଆମର ସମ୍ପର୍କ ।

(ସୌଜନ୍ୟ: ଗଣେଶ୍ଵର ମିଶ୍ର ସୃଜନ ସମଗ୍ର, ତୃତୀୟ ପର୍ବ, ଟାଇମ୍ ପାସ୍, ଭୁବନେଶ୍ୱର)