ଫଟୋ - ୱିକିପିଡିଆ

କୁହାଯାଏ ଯାହାକୁ ଯିଏ ରସିଲା ତାକୁ କିଆ ଫୁଲ ପରି ବାସିଲା ।

ସତକଥା । କାହାକୁ କିଏ କେତେବେଳେ ଭଲ ଲାଗିବ କହିହେବନି । ଏଇ ଭଲ ଲାଗିବା ଭଲପାଇବା ପାଇଁ କ’ଣ କମି କେଳେଙ୍କାରୀ । ଆମ ଇତିହାସର ଅଧା କାହାଣୀ ତ ଏଇ କଥାକୁ ନେଇ । ଲୋକକଥାଠୁ ଆରମ୍ଭ କରି ପୁରାଣ କଥା ଯାଏଁ, ସବୁଠି ତ ପ୍ରେମ ଓ ନାରୀ ସୌନ୍ଦର୍ଯ୍ୟର ବର୍ଣ୍ଣନା । ସେଥିରେ ଥାଏ କିଏ କାହାକୁ ଭଲପାଇଲା, କିଏ କାହାକୁ ଅପହରଣ କଲା, କିଏ କୋଉଠି ପୁଣି ଆପଣା ପ୍ରେମ ପାଇଁ ଆଉ କାହାକୁ ଯୁଦ୍ଧଂ ଦେହି ଡାକରା ଦେଲାଣି । ପ୍ରେମ ଓ ବିରହର ବିଷୟ ହିଁ ସାରା ପୃଥିବୀର କବିଙ୍କ କବିତାର ପ୍ରଥମ ପସନ୍ଦ । ଆଉ ସିନେମା କଥା କ’ଣ କହିବାକୁ ପଡିବ? ପ୍ରେମ ପ୍ରସଙ୍ଗ ନଥିଲେ ଆମ ବଲିଉଡିଆ ସିନେମା ଚାଲେନି ।

ଲୈଲା କୁଆଡେ କାଳୀ ଅସୁନ୍ଦରୀ ଥିଲା । କିନ୍ତୁ ମଜୁନୁ ଆଖିରେ ଲୈଲାଠାରୁ ବଡ଼ ସୁନ୍ଦରୀ କେହି ନଥିଲେ । କବି ଓ ସୌନ୍ଦର୍ଯ୍ୟ ଶାସ୍ତ୍ରୀମାନେ ଜଣେ ନାରୀ ପାଖରେ କ’ଣ କ’ଣ ଥିଲେ ସେ ସୁନ୍ଦରୀ ହେବ ସେ ନେଇ କେତେ କଥା କହି ସାରିଛନ୍ତି । କାଳିଦାସଙ୍କଠାରୁ ଆରମ୍ଭ କରି ଆମ ରୀତିଯୁଗୀୟ କବିଙ୍କ ପର୍ଯ୍ୟନ୍ତ ସୁଯୋଗ ପାଇଲା ମାତ୍ରେ ନାରୀର ପାଦରୁ ମୁଣ୍ଡ ଯାଏଁ ଟିକିନିଖି ବର୍ଣ୍ଣନା କରିବାକୁ ପଛେଇନାହାନ୍ତି । ଖଞ୍ଜନ ପକ୍ଷୀ ଅବା ଚିରା ପୋଟଳ ପରି ଆଖି, ପାଚିଲା ବିମ୍ବ ଫଳ ପରି ରକ୍ତିମ ଓଠ, ପଦ୍ମ ନାଡ଼ ପରି ବାହୁ, ପଦ୍ମ କୋରକ ପରି ଆଙ୍ଗୁଳି, ଡାଳିମ୍ବ ମଞ୍ଜି ପରି ଦାନ୍ତ, ଓଲଟ କଦଳୀ ଗଛ ପରି ଜାନୁ, କଳସ ପରି ଉରଜ ଓ ଦୁଧ ଅଳତା ପରି ଦେହର ରଙ୍ଗ ଇତ୍ୟାଦି ଇତ୍ୟାଦି ।

ଏଇଠି ଯେଉଁ ଫଟୋ ଦୁଇଟି ଦିଆଯାଇଛି ସେଇଟି ଦୁଇଜଣ ରାଜକୁମାରୀଙ୍କର । ରାଜକୁମାରୀମାନେ ସଚରାଚରରେ ସୁନ୍ଦରୀ ହେବା କଥା । ଆମ ଗପ ଓ ସିନେମାମାନଙ୍କରେ ରାଜକୁମାରୀମାନେ ସବୁବେଳେ ସୁନ୍ଦରୀ ଓ ସୁକୁମାରୀ । ତେଣୁ ପିଲାଦିନରୁ ରାଜକୁମାରୀ ମାନଙ୍କ ବିଷୟରେ ବେଜାଏ ଗପ ପଢିଥିବା ଓ ଶୁଣିଥିବା ଆମମାନଙ୍କ ପରି ଗାଉଁଲି ମଳିମୁଣ୍ଡିଆଙ୍କ ମୁଣ୍ଡରେ ରାଜକୁମାରୀମାନଙ୍କ ପ୍ରତି ଯୁଗପତ୍ ସମ୍ଭ୍ରମତା ଓ ପ୍ରେମ ଲୁଚି ରହିଥାଏ । ହାଏ, କେବେ ଗୋଟେ କୋଉ ରାଜକୁମାରୀଙ୍କ ସହ ଦେଖା ମିଳିଯାଆନ୍ତା କି । ଆହାଃ, ରାଜକୁମାରୀମାନେ କେତେ ଭଲ । ପରେ ଅବଶ୍ୟ ଉପସ୍ଥିତ ଲେଖକକୁ ଦୁଇ ଚାରିଜଣ ରାଜକୁମାରୀଙ୍କୁ ପାଖରୁ ଦେଖିବାର ଓ ମିଶିବାର ସୁଯୋଗ ମିଳିଛି । ସେମାନେ କିନ୍ତୁ ନାମକୁ ମାତ୍ର ରାଜକୁମାରୀ ଥିଲେ ଓ ପିଲାଦିନର ଗପମାନେ ରାଜକୁମାରୀଙ୍କର ଯେଉଁ ରୂପରେଖ ମନରେ ଆଙ୍କିଥିଲେ, ତା’ ସାଙ୍ଗରେ ଆଦୌ ମିଶୁ ନଥିଲେ ।

ଫଟୋରେ ଥିବା ରାଜକୁମାରୀ ଦୁହେଁ ହେଲେ ପର୍ସିଆର । ପର୍ସିଆ ହେଲା ଆଜିର ଇରାନ୍ । ରାଜକୁମାରୀ ଦୁହିଁଙ୍କ ପୂରା ନାମ ହେଲା ଇସମତ ଅଲ୍-ଦୈଲା (୧୮୫୫ - ୧୯୦୫) ଓ ଜାରା ଖାନୋମ୍ ତାଜ୍ ସଲତାନେ (୧୮୮୪ - ୧୯୩୬) । କାଜାର ରାଜ ପରିବାରରେ ଜନ୍ମ ହେଇଥିବାରୁ ଦୁହେଁ ରାଜକୁମାରୀ କାଜାର ନାମରେ ମଧ୍ୟ ପରିଚିତ ଥିଲେ । ରାଜା ନସେର ଆଲ୍-ଦିନ୍ ସାହାଙ୍କର ବାର ନମ୍ବର ଝିଅ ଥିଲେ ଜାରା ଓ ଇସମତ ଥିଲେ ଦୁଇ ନମ୍ବର । ବାପା ସମାନ ଥିଲେ ମଧ୍ୟ ଦୁହିଁଙ୍କର ମା’ ଅଲଗା ଥିଲେ । ନସେର ୧୮୪୮ରୁ ୧୮୯୬ ପର୍ଯ୍ୟନ୍ତ ପର୍ସିଆକୁ ଶାସନ କରୁଥିଲେ ଓ ୧୮୯୬ରେ ତାଙ୍କୁ ହତ୍ୟା କରାଯାଇଥିଲା । ନସେର ସାହାଙ୍କର ସାହିତ୍ୟ ଓ ଫଟୋଗ୍ରାଫିରେ ବିଶେଷ ରୁଚି ଥିଲା ।

ଆଜିକାଲି ଇଣ୍ଟରନେଟରେ ନିଶ ଥିବା ଓ ଢିଲା ପ୍ୟାଣ୍ଟ ପିନ୍ଧା ଯେଉଁ ରାଜକୁମାରୀଙ୍କର ଫଟୋ ଘୂରି ବୁଲୁଥିବାର ଦେଖିବାକୁ ମିଳୁଛି, ସେ ହେଉଛନ୍ତି ଇସମତ୍ । କିଛି ଫଟୋରେ ରାଜକୁମାରୀଙ୍କର ନାକ ତଳେ ଗଜୁରୁଥିବା ସ୍ୱଳ୍ପ ନିଶ ରହିଛି । ଏଇ ଫଟୋକୁ ନେଇ ଅନେକ ମିମ୍ ତିଆରି ହେଇ ଲୋକମାନଙ୍କର ମନୋରଞ୍ଜନ କରୁଛି । ତେଣୁ ଆମ ଭିତରୁ ଅନେକ ହୁଏତ ଫଟୋଟି ଦେଖିଥିବେ । ଅବଶ୍ୟ ଆମ ଗପ ରାଇଜର ରାଜକୁମାରୀ ମାନଙ୍କ ସହ ତାଙ୍କର କିଛି ରୂପଗତ ସାମଞ୍ଜସ୍ୟ ନାହିଁ । ରାଜକୁମାରୀଙ୍କ ସୈାନ୍ଦର୍ଯ୍ୟରେ ଆପଣମାନେ ଏବେ ବିମୋହିତ ହେଉଛନ୍ତି କି ନା ମୁଁ ଜାଣିନି । ତେବେ ଅତୀତରେ କୁଆଡେ ତାଙ୍କ ରୂପ ଅନଳରେ ଝାସ ଦେବାର ପ୍ରୟାସରେ ଅସଫଳ ହେଇ ପୂରା ତେରଜଣ ଯୁବକ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି । କାରଣ ରାଜକୁମାରୀ ତାଙ୍କ ସମୟରେ ତାଙ୍କ ଦେଶ ପର୍ସିଆର ସୈାନ୍ଦର୍ଯ୍ୟର ପ୍ରତୀକ ଥିଲେ । ତାଙ୍କୁ ପସନ୍ଦ କରୁଥିବା ଓ ମନେ ମନେ ଭଲପାଉଥିବା ଲୋକଙ୍କର ସଂଖ୍ୟା କିଛି କମ୍ ନଥିଲା । ଏମିତିକି ପର୍ସିଆର କବି ଆରେଫ୍ କ୍ୱାଜଭିନି ତାଙ୍କୁ ନେଇ କବିତା ବି ଲେଖିଥିଲେ ।

ତେବେ ଏହା ସର୍ବଶେଷ ତଥ୍ୟ ନୁହେଁ । ଭିନ୍ନ ମତ ଓ ଯୁକ୍ତି ବି ରହିଛି । ଯେମିତି ରାଜକୁମାରୀଙ୍କର କିଛି ନିଶ ଫିଶ ନଥିଲା । ସତ କଥା ହେଲା, ସେ ସମୟର ପର୍ସିଆରେ ଝିଅମାନଙ୍କର ଅଳ୍ପ ନିଶ ଓ ଆଖି ଉପର ଦୁଇ ଭ୍ରୁଲତା ମିଶିଯିବା ସୌନ୍ଦର୍ଯ୍ୟର ମାପକାଠି ଥିଲା । ତେଣୁ ଝିଅମାନେ ସୁନ୍ଦରୀ ହେବାକୁ ନକଲି ନିଶ ଲଗାଉଥିଲେ । ରାଜକୁମାରୀଙ୍କର ନିଶ ଅସଲି ନା ନକଲି ଏନେଇ ସର୍ବଶେଷ ତଥ୍ୟ ଏଯାବତ୍ ଆମର ହସ୍ତଗତ ହେଇନି । ରାଜକୁମାରୀଙ୍କ ପ୍ରେମରେ ପ୍ରତ୍ୟାଖାତ ହେଇ ଯେଉଁ ୧୩ଜଣ ଯୁବକଙ୍କ ଆତ୍ମହତ୍ୟା କଥା ଉଠେ, ସେ ନେଇ ବି ଗବେଷକମାନଙ୍କର ସନ୍ଦେହ ରହିଛି । କାରଣ, ରାଜକୁମାରୀଙ୍କୁ ବାରବର୍ଷ ହେଲା ଆଗରୁ ସେ ବିବାହ କରିସାରିଥିଲେ ଓ ପ୍ରଥା ଅନୁସାରେ ଅନ୍ୟ ପୁରୁଷଙ୍କ ସହ ମିଳାମିଶା କରିବା ସୁଯୋଗ ପାଇନଥିଲେ । ରାଜା ତାଙ୍କ ଝିଅ ଇସମତ୍ ଙ୍କର ପ୍ରବଳ ଫଟୋ ଉଠେଇଥିଲେ । ମିଳୁଥିବା ଫଟୋମାନଙ୍କ ଭିତରେ ସବୁଠାରୁ ଅଧିକ ଫଟୋ ଇସମତ୍ ଙ୍କର । ରାଜକୁମାରୀ ସେ ସମୟ ଅନୁସାରେ ଢେର ପ୍ରଗତିଶୀଳ ଥିଲେ ଓ ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର ପିଆନୋ ବଜାଇବା ଶିଖିବା ସହ ବାପାଙ୍କଠାରୁ ଶିଖି ଫଟୋଗ୍ରାଫି ବି କରୁଥିଲେ । ରାଜା ନିଜ ଝିଅର ସୁବିଧା ପାଇଁ ଘରେ ଗୋଟେ ଷ୍ଟୁଡିଓ ବି ତିଆରି କରିଦେଇଥିଲେ । ରାଜ ଦରବାରରେ ରାଜକୁମାରୀଙ୍କର ବେଶ୍ ପ୍ରଭାବ ଥିଲା । ରାଜା ବିଦେଶରୁ ଆସୁଥିବା ମହିଳା ଅତିଥିମାନଙ୍କର ଦେଖାରଖା ଦାୟିତ୍ୱ ତାଙ୍କ ହାତରେ ଦେଇଥିଲେ ।

ରାଜକୁମାରୀ ଜାରା ମଧ୍ୟ କିଛି କମ୍ ନଥିଲେ । ଏମିତି ଦେଖିଲେ ତାଙ୍କୁ ପର୍ସିଆ ବା ଇରାନ୍ର ପ୍ରଥମ ପ୍ରଗତିଶୀଳ ମହିଳା କୁହାଯାଇ ପାରିବ । ରାଜକୁମାରୀ ଜାରା ବିବାହ କରିଥିଲେ, ଦୁଇଟି ପୁତ୍ର ସନ୍ତାନର ମା ହେଇଥିଲେ ଓ ସ୍ୱାମୀଙ୍କୁ ଛାଡପତ୍ର ବି ଦେଇଥିଲେ । ସେ ସମୟର ରକ୍ଷଣଶୀଳ ପର୍ସିଆରେ ଛାଡପତ୍ର ଦେବା ନୂଆ କଥା ଥିଲା । ରାଜ ପରିବାର ଇତିହାସରେ ତ ପ୍ରଥମ ଘଟଣା ଥିଲା । ତାଙ୍କ ସ୍ୱାମୀଙ୍କର ନାମ ଥିଲା ଅମିର ହୁସେନ୍ ଖାନ୍ ।

ଜଣେ ବିଦୂଷୀ ନାରୀ ଭାବରେ ରାଜକୁମାରୀ ଜାରା ବାପା ଓ ଭାଇଙ୍କ ଅପସନ୍ଦ ସତ୍ତ୍ୱେ ପ୍ରଥମ ଇରାନୀ ମହିଳା ଭାବରେ ପାଶ୍ଚାତ୍ୟ ପୋଷାକ ପତ୍ର ପିନ୍ଧୁଥିଲେ । ସାହିତ୍ୟ ରଚନା କରୁଥିଲେ । ଛବି ଆଙ୍କୁଥିଲେ । ଆରବୀ ଓ ଫରାସୀ ଭାଷାରେ ଲେଖାପଢା କରିପାରୁଥିଲେ । ଜଣେ ବାମାବାଦୀ ଭାବରେ ନାରୀମାନଙ୍କର ସ୍ୱାଧୀନତା ପାଇଁ ସଂଗଠନ ମଧ୍ୟ ଗଢିଥିଲେ । ଇରାନର ରକ୍ଷଣଶୀଳ ପରିବେଶରେ ନାରୀମାନଙ୍କର ସୁରକ୍ଷା ଓ ଅଧିକାରକୁ ନେଇ କାମ କରିଥିବା ପ୍ରଥମ ବାମାବାଦୀ ହେଉଛନ୍ତି ରାଜକୁମାରୀ ଜାରା । “କ୍ରୋଇଙ୍ଗ ଆଙ୍ଗୁଇସ୍ ମେମୋରିଜ୍ ଅଫ୍ ଏ ପର୍ସିଆନ୍ ପ୍ରିନସେସ୍ ଫ୍ରମ୍ ଦ ହାରେମ୍ ଟୁ ମର୍ଡନିଟି” ନାମରେ ତାଙ୍କର ଏକ ସ୍ମୃତି ଗ୍ରନ୍ଥ ଅଛି । ସେଥିରେ ସେ ରାଜପ୍ରାସାଦର ହାରେମ୍ ଓ ହାରେମ୍ର ଭିତିରି କଥା ଏବଂ ରାଜାଙ୍କ ଦରବାର, ଦେଶର ନୀତି ନିୟମ ଓ ତାଙ୍କ ବାପାଙ୍କ ହତ୍ୟାର ବିବରଣୀ ଲେଖିଛନ୍ତି । ବହିଟି ତାଙ୍କ ମୃତ୍ୟୁର ଷାଠିଏ ବର୍ଷ ପରେ ପ୍ରକାଶିତ ହେଇଥିଲା ।

ନିଶ ଥିବା ଓ ଆଜିର ସୌନ୍ଦର୍ଯ୍ୟର ମାପକାଠିରେ ଅସୁନ୍ଦର ଦିଶୁଥିବା ରାଜକୁମାରୀମାନଙ୍କ ଇଣ୍ଟରନେଟ ମିମ୍ ଦେଖି ହସିବା ଆଗରୁ ସେମାନଙ୍କ ବିଷୟରେ ସତକଥା ବି ଜାଣିବାର ଆବଶ୍ୟକତା ରହିଛି । ନୁହେଁ କି ?