ଫଟୋ - ବିଭା ରାଣୀ

ବିଭା ରାଣୀଙ୍କ ସହିତ ମୋର ପ୍ରଥମ ଦେଖା, ଗୋଟେ ଅନଲାଇନ କବିତାପାଠରେ । ସେ କବି ଓ ନାଟ୍ୟଶିଳ୍ପୀ । କବିତାର ଆବେଦନକୁ ଅଭିନୟ ମାଧ୍ୟମରେ ସେ ସଂକ୍ରମିତ କରନ୍ତି । ବେଶ ପ୍ରଭାବଶାଳୀ ତାଙ୍କ କବିତାର ପରିବେଷଣ । ସେ କବିତା ପଢନ୍ତି ନାଇଁ, କବିତାକୁ ପରିବେଷଣ କରନ୍ତି । ତାଙ୍କ ନିଜ ଭାଷା ମୈଥିଳୀ (ଆମେ ସମସ୍ତେ ଜାଣୁ ମୈଥିଳୀ ମା ସୀତାଙ୍କର ଭାଷା) ଓ ହିନ୍ଦୀରେ ତାଙ୍କ ପରିବେଷଣ ଶୈଳୀ ପାଠକକୁ/ଦର୍ଶକକୁ ମୋହିତ କରେ । ସେଦିନ ତାଙ୍କ କବିତା ଭିତରୁ ଦୁଇଟି କବିତା ମୋତେ ଦୋହଲାଇ ଦେଇଥିଲା । ପୀଡା ଓ ଯନ୍ତ୍ରଣାକୁ ନେଇ ଉତ୍ସବର ସେ କବିତା ଦୁଇଟି, ଆମ ସମୟର ସବୁଠୁ ବଡ ଆବଶ୍ୟକତା । ଏଇଟା କବିତା ନୁହଁ, ବରଂ କହିପାରନ୍ତି, ଯନ୍ତ୍ରଣା ଉପରେ ଜୀବନର ବିଜୟ ଉତ୍ସବ । କୌଣସି ପୀଡା ମଣିଷକୁ ହରାଇପାରିବ ନାହିଁ । ଏ କବିତାର ଏକମାତ୍ର ବାର୍ତ୍ତା - ଜୀବନର ଜୟ ହେଉ । ବିଭା ରାଣୀଙ୍କ କବିତାର ଓଡିଆ ମର୍ମାନୁବାଦ - କେଦାର ମିଶ୍ର

କ୍ୟାନ୍ସର ଉତ୍ସବ

ସ୍ତନର ଆକାର ସମତୁଲ ହେଉ କି ବର୍ତ୍ତୁଳ
ଚେହେରା ସୁନ୍ଦର ହେଉ କି କଦାକାର
ମୁଣ୍ଡରେ ଗହନ ବାଳ ଥାଉ ବା ଲଣ୍ଡାମୁଣ୍ଡ
କଣ ବା ଫରକ ପଡୁଛି
ଜୀବନଠୁ
ଲାସ୍ୟମୟ ଓ ସୁନ୍ଦର
ଆଉ କଣ ବା ଅଛି ?

ଯନ୍ତ୍ରଣା ଭିତରେ ଆସ
ଜୀବନ ଆଉ ଯୌବନର ଉତ୍ସବ ପାଳିବା ।

ତାରାଙ୍କ ସାଙ୍ଗରେ କେମୋଥେରାପିର ରାତି

କେମୋର ସେ ରାତି
ନିଦଭରା ଶୋଭାଯାତ୍ରାର ସେ ରାତି
ଆଉ କାହା ହାତରେ ହାତ ଛନ୍ଦି
ବାଟ ଚାଲୁଥିବା ସେ ରାତି
ତାରାମାନଙ୍କର ଉଜ୍ଜଳ ଆନନ୍ଦର ସେ ରାତି
ସମ୍ପର୍କ ଓ ଆଳାପର ସେ ରାତି ।

କାଲିର ସକାଳେ
ପୁଣି ଶୁଣିବା ସୂର୍ଯ୍ୟର ଆବାହନ
ପୁଣିଥରେ ଖରାର ଉଷୁମ ସ୍ନାନ
ନା ଥିବ ଘାତ କି ପ୍ରତିଘାତ
ଏବେ କିନ୍ତୁ କେମୋଥେରାପିର ଯନ୍ତ୍ରଣା ସହିତ ।

କେମୋର ରାତି
ଯେମିତି ପରୀକ୍ଷା ଖାତା
ଯେମିତି ଭୋକ ବେଳର ତବତ ଭାତ
ଯେମିତି ସଞ୍ଜ ଓ ପ୍ରଭାତ ।

ଯୁଦ୍ଧ ଚାଲିଛି
ଦେଖାଯାଉ, କିଏ ହରାଉଛି କାହାକୁ ।

ଏ ଦେହ ନା ପ୍ରକୃତି
କିଏ ଜିତିବ ?
ଛାଡ, ଆହୁରି ବାକି ସାତ ଦିନ
ସାତୋଟି ଚକ୍ର ।

ଏ କେମୋଥେରାପିର ରାତି
କିଛି ଜଣା କିଛି ଅଜଣାର ଏ ରାତି ।