ଫଟୋ - ୱିକି କମନ୍ସ

(୧)

ଆଜିକାଲି ଲାଗେ କାଇଁ ମତେ ଏତେ ଏକା ଏକା ଏଇ ସହରରେ
ବହଳ ଅନ୍ଧାର ରାତି ଦିନ ସବୁ ଫିକା ଫିକା ଏଇ ସହରରେ

ଦିନ ଥିଲା ଆଖି ବୁଜି ପାଇଯାଉଥିଲି ଖୋଜି ଠିକଣା ତମରି
ଏବେ ତ ମୁଁ ବାଟ ଖୋଜେ ଅଲୋଡ଼ା ନଈପରିକା ଏଇ ସହରରେ

ଜାଣିଚି ତମକୁ ତମେ ଭୁଲିନାହଁ ବାଟ କେବେ ଜୀବନରେ ଥରେ
ତଥାପି ଲାଗୁଚି କାଇଁ ହେଇଯିବ ଦିନେ ଦେଖା ଏଇ ସହରରେ

ମତେ ନେଇ ଯେତେ କଥା ଲିଭି ତ ଯିବଣି ଏବେ ମନରୁ ତମର
ଆଜି ବି ଏ ପବନରେ ତମରି କାହାଣୀ ଲେଖା ଏଇ ସହରରେ

ମନେ ଅଛି କହିଥିଲ ଭୁଲିଯାଅ ବୋଲି ହେଲେ ଭୁଲିପାରିନାଇଁ
ଆଉ କିଏ ଅଛି କୁହ ନିଖିଳଠୁ ବେଶୀ ବୋକା ଏଇ ସହରରେ

(୨)

ଶହେ ଥର ସିନା ଝୁଣ୍ଟିଲି ବାଟେ ଟୋପାଏ ରକତ ଝରିଲା ତ ନାଇଁ
ସକାଳ ଆଶାରେ ରହିଲି ସିନା ମୁଁ ନିଦ ନାହିଁ ରାତି ସରିଲା ତ ନାଇଁ

ଏବେ ଭାବେ ବସି କାହା ଭରସାରେ ଦେଖେଇବି ଦୁଃଖ ଛାତିତଳୁ କାଢ଼ି
କାଲି ଲାଗୁଥିଲା ନିଜର ନିଜର ଆଜି ସିଏ ଟିକେ ଚାହିଁଲା ତ ନାଇଁ

କିଏ ଜାଣିଥିଲା ବତାସ ଆସିବ ଉଜୁଡ଼ିବ ବସା ଟିକି ଚଢ଼େଇର
ସାରାଜୀବନର ଡହକ ଭିତରେ ଧାପେ ବି ପବନ ବହିଲା ତ ନାଇଁ

କେବେଠୁ ତମରି ଦୁଆର ବାହାରେ ଠିଆ ହେଇଚି ମୁଁ ହାତ ମୋର ପାତି
ତଡ଼ିଦବ ସିନା ଭିକାରୀ କହିକି ଭିକ ମୋ'ର ମତେ ମିଳିଲା ତ ନାଇଁ

ଡର ଥିଲା ଯାହା 'ନିଖିଳ' କହିବ ବୁଝି ପାରିବେନି ଦୁନିଆରେ କେହି
'ବୁଝୁଚି' ବୋଲିକି କହିଲା ତା' ଆଖି, ଓଠ ତା'ର କିଛି କହିଲା ତ ନାଇଁ