ଚିତ୍ର - ମାଦ୍ରିଦର ପିକାଶୋ ଛକ, ୱିକି କମନ୍ସ

ପଞ୍ଚମ ଅଧ୍ୟାୟ - ଆର୍ଣ୍ଣେଷ୍ଟ ହେମିଙ୍ଗ୍ୱେ

ବିକ୍ରି ପାଇଁ ଏକ ବିଜ୍ଞାପନ: "ଏକ ଶିଶୁର ହଳେ ଜୋତା - ଯାହା କେବେ ପିନ୍ଧା ହେଇନାହିଁ " ।

ବିଧବାର ପ୍ରଥମ ବର୍ଷ - ଜୋୟେଶ କାରୋଲ

"ମୁଁ ନିଜକୁ ବଂଚେଇ ରଖିଲି" ।

ଛାଡ଼ ! - ଫ୍ରାଂଜ଼ କାଫକା

ଭୋର ହେଇଥାଏ, ରାସ୍ତାଘାଟ ପୂରା ସଫାସୁତୁରା ଓ ଶୂନଶାନ ଥାଏ । ମୁଁ ଷ୍ଟେସନ ଆଡେ ମୁହେଁଇ ଥାଏ । ଯେତେବେଳେ ମୁଁ ମୋ ଘଣ୍ଟା ସଂଗେ ଟାୱାର ଘଣ୍ଟା ମିଳେଇ ଦେଖେ, ଦେଖିଲାବେଳକୁ ମୋ ଭାବିବାଠାରୁ ବହୁ ବେଳ ଗଡିଯାଇଥାଏ । ମତେ ଦୌଡିବାକୁ ପଡିବ ..ମୋ ମୁଣ୍ଡ ଗୋଳମାଳ ଧଇଲା ଓ ମୁଁ ଧାଇଁଲି । ମୋ ବିବ୍ରତତା ମତେ ବାଟବଣା କରିଦେଲା । ଏଯାଏ ମୁଁ ଏ ସହରର ରାସ୍ତାଘାଟକୁ ଭଲସେ ଜାଣି ନଥାଏ । ଯୋଗକୁ ପାଖାପାଖି ପୋଲିସଟିଏ ଛିଡା ହେଇଥାଏ । ମୁଁ ଧଇଁସଇଁ ହେଇ ତାକୁ ରାସ୍ତା କୁଆଡେ ପଚାରିଲି - ସେ ମତେ ଚାହିଁଲା, ହସିଲା ଓ ପଚାରିଲା "ମୋ ଠୁ ? ମୋ ଠୁ ତମେ ବୁଝୁଛ ରାସ୍ତା କୁଆଡେ ?" । "ହଁ - ଯେହେତୁ ମୁଁ ନିଜେ ଜାଣିପାରୁ ନାହିଁ କୁଆଡେ --"ମୁଁ କହିଲି । "ଛାଡ ! ଛାଡ ! ଯା' ଯା' - କହି ସେ ହଠାତ ବୁଲି ପଡିଲା ଓ ଚାଲିଗଲା - ସେଇ ଲୋକମାନଙ୍କ ପରି ଯୋଉମାନେ କେବଳ ଏକଲା ହସିପାରନ୍ତି ।

ଶ୍ୱାସରୁଦ୍ଧ - ଏଟଗାର କେରେଟ

ଯେତେବେଳେ ତମେ ଶ୍ୱାସରୁଦ୍ଧ ହେଇଯାଅ, ନିଶ୍ୱାସ ନେବାକୁ କିଛି ନଥାଏ, ଯେତେବେଳେ କଥା କହିବା ଦୁର୍ବିସହ ହେଇଯାଏ । ତମ ଖର୍ଚ୍ଚ ପାଇଁ ଫୁସଫୁସରେ ସାମାନ୍ୟ ପବନ ବଳକା ଥାଏ, ଏମିତିକି ତିନିରୁ ଛଅଟି ଶବ୍ଦ କହିବା ବି ଯେତେବେଳେ କାଠିକର ପାଠ ହେଇଯାଏ - ସେଇ ସମୟରେ, ଠିକ ସେଇ ସମୟରେ କହିବାକୁ ଥିବା ପ୍ରତିଟି ଶବ୍ଦ ଅର୍ଥପୂର୍ଣ୍ଣ ହେଇଯାଏ । ସେତେବେଳେ ତମେ ମୁଣ୍ଡ ଭିତରେ ସାଇତି ଥିବା ସବୁ ଶବ୍ଦକୁ ଓଲଟେଇ ପାଲଟେଇ ସବୁଠୁ ଠିକ ଲାଗୁଥିବା, ସବୁଠୁ ବେଶୀ ଗୁରୁତ୍ୱ ବହନ କରୁଥିବା ଶବ୍ଦକୁ କହିବା ପାଇଁ ବାଛ, କାରଣ ସେଇ ନିର୍ଦ୍ଦିଷ୍ଟ ସମୟରେ କହିବାକୁ ଥିବା ସେଇ ଶବ୍ଦଟିର ଦାମ କାହିଁ କେତେ ଗୁଣାହେଇଯାଏ । ସେ ଶବ୍ଦ ସାଧାରଣ ସୁସ୍ଥ ଲୋକଟି ମୁଣ୍ଡ ଭିତରେ ଗଚ୍ଛିତ ଥିବା ଶବ୍ଦ ଆବର୍ଜନା ଭିତରୁ ଯେକୌଣସି ଗୋଟିଏ ଶବ୍ଦ ପରି ନୁହେଁ । ଯେତେବେଳେ ଜଣେ ଶ୍ୱାସରୁଦ୍ଧ ସମୟରେ କୁହେ "ମୁଁ ତୁମକୁ ଭଲପାଏ "କିମ୍ବା" ମୁଁ ତୁମକୁ ପ୍ରକୃତରେ ଭଲପାଏ", ସେଠି ଦୁଇଟି ବାକ୍ୟ ଭିତରେ ଅନେକ ଅନେକ ଫରକ ଥାଏ । ସେଇ ଗୋଟିଏ ଶବ୍ଦର ଫରକ କିଛି ବି ହେଇପାରିଥାନ୍ତା "ବସ୍","ଆସ୍ପିରିନ୍" କିମ୍ବା "ଆମ୍ବୁଲାନ୍ସ" ....

ସଭିଏ କାନ୍ଦନ୍ତି - ଲିଡିଆ ଡାଭିସ

ଏ ଦୁନିଆରେ ଆଉ ବଂଚିବା ସହଜ ହେଇନାହିଁ । ଛୋଟମୋଟ ଭୁଲଟୁଲକୁ ନେଇ ଅଧିକାଂଶ ଏଇଠି ବିଷଣ୍ଣ, କିଏ ସାଙ୍ଗ ଦ୍ୱାରା ଅପମାନିତ ହେଇ, କିଏ ପରିବାର ଦ୍ୱାରା ଅବହେଳିତ ହେଇ, କାହାର ସ୍ତ୍ରୀ ସଂଗେ ଯୁକ୍ତିତର୍କ ହେଇକି ହେଉ ବା କାହାର ଛୁଆ ତା ବୋଲ ନମାନିବା ହେତୁ ହେଉ ..ଏଇଠି ସମସ୍ତେ ବିଷଣ୍ଣ।

ଅଧିକାଂଶ ସମୟରେ ଲୋକେ ଭୋକିଲା ହେଲେ କାନ୍ଦି ପକାନ୍ତି । ଏଟା ତ ଗୋଟେ ସାଧାରଣ କଥା । ଅଳ୍ପ କିଛି ସମୟ ପାଇଁ, ମୁଁ ଯେବେ କମ ବୟସର ଥିଲି, ସେବେ ଗୋଟେ ଅଫିସରେ କାମ କରୁଥିଲି, ସେତେବେଳେ ଖରାବେଳ ଖାଇବା ସମୟରେ ଲୋକେ ଯେତେବେଳେ କ୍ଲାନ୍ତ, ବିରକ୍ତ ଓ କ୍ଷୁଧାର୍ତ୍ତ ହେଇଯାନ୍ତି ସେବେ କାନ୍ଦିପକାନ୍ତି । ଯେବେ ମୋ ବସ ମତେ ଗୋଟେ ଫାଇଲ ଦିଏ ଟାଇପ କରିଦେବା ପାଇଁ ଆଉ ମୁଁ ସିଧା ଲେଉଟେଇକି ମନା କରିଦିଏ..ବସ ଚିତ୍କାର କରେ, "ଟାଇପ କର !" ମୁଁ ବି ଜବାବ ଫେରାଏ .."ନା ମୁଁ କରିପାରିବିନି" ସେତେବେଳେ ସେ କାହାସଙ୍ଗେ ଫୋନରେ ଉଚ୍ଚବାଚରେ ମାତିଥାଏ । ସେ ରିସିଭରକୁ କଚାଡି ଦିଏ । କ୍ରୋଧରୁ ସେ ବି କାନ୍ଦି ପକାଏ ! ସେତେବେଳେ ତାକୁ ଖରାବେଳ ଖାଇବା ଯିବାରଥାଏ । ତା ଗାଲ ଦେଇ ରାଗରୁ ଅଦେଖା ଲୁହ ଟୋପେ ଗଡିଆସେ । ତାକୁ ଯଦି କେହି ସହକର୍ମୀ ସେ ସମୟରେ ଖାଇବାକୁ ଡାକେ ତା ଉପରେ ବି ସେ ବିରକ୍ତ ହୁଏ । ସେଇ ଡାକୁଥିବା ଲୋକକୁ ଯଦି ନିରିଖେଇ ଦେଖିବା ...କୋଉଠି ଅଦେଖା ଲୁହ ଟୋପେ ଦିଶିଯାଇପାରେ ।

ବେଶ ..ଖରାବେଳ ଖାଇବା ସରିଗଲେ ଆମେ ପୁଣି ସ୍ୱାଭାବିକ ହେଇଯାଉ..ସମସ୍ତେ ଖୁସିଥାନ୍ତି ..ଅଫିସରେ ହସଖୁସି ଭରିଯାଏ । ଲୋକେ ଫାଇଲପତ୍ର ଧରି ଯା' ଆସ କରୁଥାନ୍ତି ..ହାସ୍ୟରୋଳ ଶୁଭୁଥାଏ ..ବେଶ ଡେରି ଅପରାହ୍ନ ଯାଏ ଏ ସବୁ ଚାଲୁଥାଏ ..ତାପରେ ହଠାତ ପୁଣି କ୍ଲାନ୍ତି ଲେଉଟେ, କ୍ଷୁଧା ଲେଉଟେ...ସକାଳଠୁ ବି ଅଧିକ ନିର୍ମମ ହେଇ ପୁଣି ଆମ ପାଖକୁ କାନ୍ଦ ଲେଉଟେ...