ଦିନେ ଖରାବେଳେ ଗୁଡ୍ଡୁ ଓ ତା ମା' ଗଳିରେ ବୁଲୁଥିଲେ । ସେହି ପାଖରେ ଏକ ମନୋରମ ପାର୍କ ଥିଲା, ଯେଉଁଠିକୁ ପ୍ରାୟ ଅଭିଭାବକମାନେ ତାଙ୍କ ପିଲାମାନଙ୍କୁ ଧରି ବୁଲାବୁଲି କରିବାକୁ ଆସନ୍ତି ।

ମା' ମୁଁ ଟିକେ ସେ ପାର୍କକୁ ଯିବି ବୋଲି ଗୁଡ୍ଡୁ କହିଲା ।

ଠିକ ଅଛି ବୋଲି ମା କହିଲେ । ଏବଂ ଘରକୁ ଗଲାବେଳେ ଆଇସକ୍ରିମ ନେଇ ଯିବା କି ବୋଲି ମଧ୍ୟ ମା' ଗୁଡ୍ଡୁକୁ କହିଲେ । ଏହା ଶୁଣି ଗୁଡ୍ଡୁ ଖୁସି ହୋଇ କହିଲା - ମୁଁ ସବୁବେଳେ ଆଇସକ୍ରିମ ପସନ୍ଦ କରେ ।

ତାପରେ ଦୁହେଁ ସେ ପାର୍କ ଭିତରକୁ ଗଲେ । ସେଠାରେ ହସ ଖୁସିର ପରିବେଶ ଥିଲା । ଯାହା ସେମାନେ ଖୋଜୁଥିଲେ । ଗୁଡ୍ଡୁ ଖେଳିବାକୁ ଦଉଡ଼ି ପଳାଇଲା ଆଉ ତା ମା’ ପାର୍କ କଡ଼ରେ ବସି ପଡିଲେ । ଆଉ ସେଠାରେ ମନ୍ଦ ମନ୍ଦ ତାଜା ପବନର ମଜା ନେବାକୁ ଲାଗିଲେ ।

ତମେ ଆମ ସହ ଖେଳିବ କି ... କେହି ଜଣେ ଗୁଡ୍ଡୁକୁ ପଚାରିଲା ।

ଏହା ଶୁଣି ଗୁଡ୍ଡୁ ବୁଲି ପଡ଼ି ଦେଖିଲା ତା’ଠାରୁ ଜଣେ ସାନ ପିଲାଟିଏ ଆଶାଭରା ଚାହାଣୀରେ ତାକୁ ଚାହିଁ ରହିଛି । ଗୁଡ୍ଡୁ କହିଲା ଅନ୍ୟ ମାନେ କାହାନ୍ତି !!

ଏତିକି ଶୁଣି ସେ ଛୋଟ ପିଲାଟି ତାକୁ ତା ପଛେ ପଛେ ସେ ଗଛ ପାଖକୁ ଆସିବାକୁ କହିଲା ଯେଉଁଠି ଦଳେ ଛୋଟ ପିଲା ଖୁସିରେ ଖେଳୁଥିଲେ ।

ସେହି ସାନ ପିଲାଟି ନିଜର ପରିଚୟ ଦେଇ କହିଲା “ମୋ ନାଁ ଜୋ“ ।

ସେହିପରି ଗୁଡ୍ଡୁ ମଧ୍ୟ ନିଜର ପରିଚୟ ଦେଲା ।

ତୁମ ସହ ଦେଖା ହୋଇ ଖୁସି ଲାଗିଲା ବୋଲି ଜୋ ଖୁସିରେ କହିଲା । ତା'ପରେ ପିଲାମାନଙ୍କୁ କହିଲା - ଦେଖ ଆଜି ଜଣେ ନୂଆ ସାଥୀ ମିଳିଛନ୍ତି ।

ସେଠାରେ ଥିବା ଅନ୍ୟ ପିଲାମାନେ ମଧ୍ୟ ଗୁଡ୍ଡୁକୁ ଦେଖି ହସିଦେଲେ ।

ଗୁଡ୍ଡୁକୁ ଜଣେ ଛୋଟ ଝିଅଟି ପଚାରିଲା - ତୁମ ଖେଳଣା କାହିଁ ?

ଗୁଡ୍ଡୁ ଟିକିଏ ହଡ଼ବଡ଼େଇ ଯାଇ କହିଲା ... ଖେଳଣା !! ମୁଁ ତ ଆଣିନି ।

ଅନ୍ୟ ଜଣେ ପଚାରିଲା ତେବେ ତମେ ଆମ ସହ କେମିତି ଖେଳିବ !

ଏହା ଶୁଣି ଗୁଡ୍ଡୁକୁ ଭାରି ଅସଜ ଲାଗିଲା ।

ଏହାଦେଖି ଜୋ କହିଲା ... “ବ୍ୟସ୍ତ ହୁଅ ନାହିଁ ସାଙ୍ଗମାନେ ... ମୁଁ ମୋ ଖେଳଣାରୁ ତାକୁ ଗୋଟିଏ ଦେଇ ଦେବି“ ।

ଏହା ଶୁଣି ଗୁଡ୍ଡୁ ଜୋ କୁ ଧନ୍ୟବାଦ ଦେଲା ।

ଏହା ପରେ ଜୋ ସେଠାରୁ ଯାଇ କିଛି ସମୟ ପରେ ହାତରେ ଦୁଇଟି ଖେଳଣା ନେଇଆସିଲା । ଜୋ ର ଗୋଟିଏ ହାତରେ ନାଲି ରଙ୍ଗର ରେସ କାର ଥିଲା ଆଉ ଆର ହାତରେ କୌତିକିଆ ସବୁଜ ରଙ୍ଗର ଡାଇନସୋର ଥିଲା ।

ଦୁଇଟି ଖେଳଣା ଭିତରୁ କେଉଁଟା ନେବ ବୋଲି ଗୁଡ୍ଡୁକୁ ଜୋ ପଚାରିଲା ।

ଗୁଡ୍ଡୁ ଡାଇନସୋର ନେବା ପାଇଁ କହି ଜୋ ହାତରୁ ସେଇ ଖେଳଣାଟିକୁ ନେଇଗଲା ।

ଜୋ କହିଲା ବହୁତ ସୁନ୍ଦର ... ମୋର ବି ଡାଇନସୋର ପସନ୍ଦ ।

ଗୁଡ୍ଡୁ ସେ ପିଲାମାନଙ୍କ ସହିତ ବହୁତ ଖେଳିଲା । ଆଉ ବହୁତ ଖୁସି ହୋଇଗଲା ।

ଏତିକିବେଳେ ତା ମା' ଡାକ ପକାଇଲେ ... ଗୁଡ୍ଡୁ କେଉଁଠି ଅଛୁ ... ଘରକୁ ଯିବୁନିକି ... ସେପଟେ ଆଇସକ୍ରିମ ତରଳିଗଲାଣି ଯେ !!

ଏହାଶୁଣି ଗୁଡ୍ଡୁ ଆଶ୍ଚର୍ଯ୍ୟ ହୋଇ ବୁଲିପଡ଼ି ତା’ ମା’ କୁ ଦେଖିଲା ଆଉ କହିଲା ...”ଦେଖ ମାମା । ମୋତେ ମୋ ସାଙ୍ଗ ଜୋ ତାର ଏ ସୁନ୍ଦରିଆ ଡାଇନୋସୋର ଖେଳିବାକୁ ଦେଇଛି ।”

ଏହା ଶୁଣି ତା ମା କହିଲେ ଆରେ ବାଃ ବଢିଆ ହୋଇଛି ତ ... ହେଲେ ଜୋ କିଏ !!

ଆଉ ସେତିକି ବେଳେ ଜୋ ସେପଟୁ ଆସୁଥିଲା ଆଉ ଗୁଡ୍ଡୁ ତାକୁ ତା ମା'ଙ୍କ ସହିତ ପରିଚୟ କରାଇଦେଲା ।

ତା’ପରେ ଗୁଡ୍ଡୁ କହିଲା ... ଠିକ ଅଛି ଜୋ । ମୋତେ ଏବେ ଯିବାକୁ ହେବ। ଏତେ ସୁନ୍ଦରିଆ ଡାଇନୋସୋର ମୋତେ ଖେଳିବାକୁ ଦେଇଥିବାରୁ ଧନ୍ୟବାଦ କହି ଖେଳଣାଟିକୁ ଜୋ କୁ ଫେରେଇ ଦେଲା ଗୁଡ୍ଡୁ ।

ଜୋ କହିଲା “ଆରେ କିଛି କଥା ନହିଁ ... ଖେଳଣା ତ ସାଙ୍ଗ ହୋଇ ଖେଳିବା ପାଇଁ ହିଁ ହୋଇଛି ....”

ଏହା ଶୁଣି ଗୁଡ୍ଡୁ ର ମା' କହିଲେ ... “ସହଭାଗିତା ମହତ୍ବପୂର୍ଣ୍ଣ ଅଟେ” । ଏହାପରେ ଗୁଡ୍ଡୁ ଓ ତା’ ମା’ ଜୋ’ଠାରୁ ବିଦାୟ ନେଲେ ।

ଗୁଡ୍ଡୁ ଆଉ ତା ମା'ଙ୍କୁ ଜୋ ବିଦାୟ ଦେଇ ପୁଣିଥରେ ଖେଳିବାରେ ମଜ୍ଜି ଗଲା । ଆଉ ଗୁଡ୍ଡୁ ଆଇସକ୍ରିମ ଖାଇ ଖାଇ ଘରକୁ ଆସିଲା ।

ସେଦିନ ରାତିରେ ଗୁଡ୍ଡୁ ସ୍ଵପ୍ନରେ ଦେଖିଲା ... ତା ପାଖରେ ବହୁତ ଖେଳଣା ଅଛି .... ଏତେ ଖେଳଣା ଅଛି ଯେ ସେ ଗଣି ମଧ୍ୟ ପାରୁନାହିଁ । ସବୁ ଖେଳଣା ଗୁଡ୍ଡୁ ପାଇଁ ଅସାଧାରଣ ଥିଲା । ସେଇ ସ୍ଵପ୍ନରେ ଗୁଡ୍ଡୁ ଆହୁରି ମଧ୍ୟ ଦେଖିଲା ଯେ ବହୁତ ପିଲା ତା ପାଖକୁ ଆସୁଛନ୍ତି । ଗୁଡ୍ଡୁ ସମସ୍ତଙ୍କୁ ତା ଖେଳଣା ସହ ଖେଳିବା ପାଇଁ ଗୋଟିଏ ଗୋଟିଏ ଖେଳଣା ଦେଉଛି ଆଉ ସମସ୍ତେ ଖୁସିରେ ଖେଳୁଛନ୍ତି ।

ଗୁଡ୍ଡୁ ହସି ହସି ବିଛଣାରୁ ଉଠିଲା ଆଉ ଉଠି ପଡ଼ି ଚାରିଆଡ଼େ ହସି ହସି ଦେଖୁଥିଲା ଆଉ ଏତିକି ବେଳେ ଗୋଟିଏ ବୁଦ୍ଧି ତା ମୁଣ୍ଡକୁ ଜୁଟିଲା । ଆଉ ସେ ଦଉଡ଼ି ଯାଇ ଖେଳଣା ଥିବା ଆଲମୀରାକୁ ଖୋଲିଦେଲା ଆଉ ତା ପାଖରେ ଥିବା ଅସଂଖ୍ୟ ଖେଳଣାଗୁଡ଼ିକୁ ଦେଖୁଥିଲା । ସେଥିରେ ଏମିତି କିଛି ଖେଳଣା ଥିଲା ଯାହାକୁ ସେ ଥରେ ମଧ୍ୟ ଖେଳି ନ ଥିଲା ।

ତା ପରେ ସେ ତଳେ ଥିବା ରୋଷେଇ ଘରକୁ ଗଲା ଆଉ ସେଠାରେ ତା ମା’ଙ୍କୁ ଦେଖିଲା ଆଉ କହିଲା - ମା’ ମୋ ପାଖରେ ଗୋଟେ ଆଇଡିଆ ଅଛି ...ମା’ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ... “କହ .... କି ଆଇଡିଆ ... !!

ମା’ ମୁଁ ଭାବୁଛି ମୋ ପାଖରେ ଥିବା ଅବ୍ୟବହୃତ ଖେଳଣାଗୁଡ଼ିକୁ ଯେଉଁମାନଙ୍କ ପାଖରେ ଖେଳଣା ନାହିଁ ମୁଁ ସେଭଳି ପିଲାମାନଙ୍କୁ ଦାନ କରି ଦେବି । ମୁଁ ଏଥିପାଇଁ ଜୋ କୁ ଧନ୍ୟବାଦ ଦେବି କାରଣ ସେ ଗତକାଲି ମୋତେ ତା ଖେଳଣା ଦେଲା ଆଉ ଆମେ ସାଙ୍ଗ ହୋଇ ମିଶି ଖେଳୁଥିଲୁ ... ବହୁତ ଖୁସି ଲାଗୁଥିଲା ।

ଏହା ଶୁଣି ଗୁଡ୍ଡୁ ର ମା ଖୁସି ହୋଇଗଲେ ଆଉ ତାକୁ କୋଳେଇ ନେଇ କହିଲେ ବାଃ ... ତୋ ବୁଦ୍ଧିକୁ ମାନିବାକୁ ପଡିବ । ଏମିତି ହେଲେ ବହୁତ ପିଲା ତୋ ଖେଳଣା ପାଇ ଖୁସି ହୋଇଯିବେ ।

ଆଉ ସେଇଦିନ ସେ ଓ ତା ମା' ମିଶି ଅବ୍ୟବହୃତ ଖେଳଣାଗୁଡିକୁ ଅଲଗା କରି ଗୋଟେ ବାକ୍ସରେ ରଖିଲେ ଆଉ ଯେଉଁମାନଙ୍କ ପାଖରେ ଖେଳଣା ନ ଥିଲା ସେମାନଙ୍କ ମଧ୍ୟରେ ବାଣ୍ଟିଦେଲେ । ସେମାନେ ପାର୍କ ଆଡ଼େ ଯିବାବେଳେ ଜୋ କୁ ଦେଖିଲେ । ଆଉ ଜୋ କୁ ଦେଖି ଗୁଡ୍ଡୁ ହାତରେ ଗୋଟିଏ ଡାଇନସୋରକୁ ଧରି ତା ପାଖକୁ ଦଉଡ଼ିଗଲା .... ଆଉ କହିଲା - ମୋ ସାଙ୍ଗ ହୋଇଥିବାରୁ ଧନ୍ୟବାଦ ।

ଗୁଡ୍ଡୁ ମୁହଁରୁ ହଠାତ୍‌ ଏକଥା ଶୁଣି ଜୋ’ କହିଲା - ମଁ କିଛି ବୁଝିପାରିଲିନି ।

ଗୁଡ୍ଡୁ କହିଲା - ଗତକାଲି ମୋ ପାଖରେ ଖେଳଣା ନ ଥିବା ସତ୍ତ୍ଵେ ମୋତେ ତମ ଖେଳଣା ଦେଇ ଖେଳିବାକୁ ଡାକି ନେଇ ଥିଲ । ଏବଂ ମୁଁ ତୁମମାନଙ୍କ ସହ ଖେଳି ବହୁ ଆନନ୍ଦ ଉପଭୋଗ କଲି। ଏଥିପାଇଁ ତୁମକୁ ଧନ୍ୟବାଦ ସାଙ୍ଗ ।

ଏହାପରେ ଜୋ କହିଲା - ଆରେ ସେମିତି କିଛି ନୁହେଁ । ଏଇଟା ମୋ ଖୁସି .... ଆଜି ଆଉଥରେ ଖେଳିବା କି !!” ନିଶ୍ଚୟ ... ଆଜି ମୁଁ ମୋ ଡାଇନସୋର ଆଣିଛି ବୋଲି କହିଲା ଗୁଡ୍ଡୁ ।

ଗୁଡ୍ଡୁ ସେଠାରେ ଥିବା ପିଲାମାନଙ୍କ ସହ ମିଶି ବହୁତ ଖେଳିଲା । ସେହିଦିନଠାରୁ ସେମାନେ ସମସ୍ତେ ନିଜ ନିଜ ଜିନିଷ ପରସ୍ପରକୁ ଦେଇ ଖେଳର ଭରପୂର ମଜା ନେଲେ ପାର୍କରେ ।

ଗୁଡ୍ଡୁ ସେହିଦିନଠାରୁ ଜାଣିଲା ଯେ ନିଜ ପାଖରେ ଥିବା ଖେଳଣାକୁ ଅନ୍ୟମାନଙ୍କ ସହ ବାଣ୍ଟି ଖେଳିବାର ମଜା ନିଆରା ।