ଫଟୋ - ହେମନ୍ତ ଦିଉତେ

ହେମନ୍ତ ଦିଉତେ, ସମକାଳୀନ ମରାଠୀ ଭାଷାର ଅତ୍ୟନ୍ତ ଶକ୍ତିଶାଳୀ କବି । ହେମନ୍ତଙ୍କ କହିବାର ଠାଣିଟି ଭାରତୀୟ କବିତାର ପରିପ୍ରେକ୍ଷୀରେ ସଂପୂର୍ଣ୍ଣ ନିଆରା । ସେ ଆଜିର ସମୟ ଓ ସମ୍ଭାବନାର କବି । ତାଙ୍କ କବିତାର ଚିତ୍ରସବୁ ଭୀଷଣ ଓ ଦୁର୍ଦ୍ଦାନ୍ତ, ହେଲେ ସଂକ୍ରାମକ । ମରାଠୀରେ ୬ ଟି ଓ ଇଂରାଜୀରେ ଦୁଇଟି କବିତା ସଂକଳନ ତାଙ୍କର ରହିଛି । ପୃଥିବୀର ପ୍ରାୟ ସବୁ ପ୍ରମୁଖ ଭାଷାରେ ହେମନ୍ତଙ୍କର କବିତା ଅନୁଦିତ ହୋଇଛି । କବି ବ୍ୟତୀତ ହେମନ୍ତ ଭାରତୀୟ ସାହିତ୍ୟର ଜଣେ ଚର୍ଚ୍ଚିତ ପ୍ରକାଶକ । ତାଙ୍କ ପ୍ରକାଶନ ସଂସ୍ଥା “ପୋଏଟ୍ରିୱାଲା” ଭାରତୀୟ କବିତାର ସବୁଠୁ ସଫଳ ଓ ସାର୍ଥକ କବିମାନଙ୍କର କବିତା ବହି ପ୍ରକାଶ କରି ଚାଲିଛି । ଏଇ ବର୍ଷ ମୁନ୍ତାସିର ଡାଲଭିଙ୍କ ଅନୁବାଦରେ ପ୍ରକାଶ ପାଇଥିବା ହେମନ୍ତଙ୍କର ଦ୍ଵିତୀୟ ଇଂରାଜୀ କବିତା ସଂକଳନ “ଷ୍ଟ୍ରଗଲସ ୱିଥ ଇମାଜିନଡ ଗଡ୍ସ” ରୁ ଭାଷାକୁ ନେଇ ତାଙ୍କର ତିନୋଟି କବିତାର ଓଡିଆ ଅନୁବାଦ ପ୍ରସ୍ତୁତ କରିଛନ୍ତି କେଦାର ମିଶ୍ର ।

ସେ ଭାଷାର କଣ ହେଲା ?

ଆଖୁଡାଙ୍ଗରୁ ରସ ଚୋଷୁଥିବା ସେ ଟୋକା
କୁଆଡେ ଗଲା ତାର ଭାଷା ?
ଗାଁ ସାରା ଟାୟାର ଚଲଉଥିବା ସେ ବାତରା ଟୋକା
କଣ ହେଲା ତା ଭାଷାର ?
ଗେଙ୍ଗୁଟି ଓ ଖପୁରି ଖେଳୁଥିବା ସେ ଟୋକାର
ନିତିଦିନିଆ ଭାଷା, କୁଆଡେ ଗଲା ?

କେଲିବାଡି ଓ ଡୁଡୁ ଖେଳର ଭାଷା
କୁଆଡେ ହଜିଗଲା
ମମ୍ମି ଡାଡି ଓ ଡକ୍ଟର ଡକ୍ଟର ଖେଳ ଭିତରେ ?

ଯାତ୍ରା ସମୟରେ ସେ ସ୍ଵାଧୀନ ପକ୍ଷୀର ସୁସୁରି
ସେ ମାଡୁଆ ଟୋକାର କିଚ କିଚ
ମଇଳା ଜରିଲଗା ବଲରେ କ୍ରିକେଟ ଖେଳୁଥିବା ସେ ଟୋକା
କୁଆଡେ ଗଲା ସେମାନଙ୍କର ଭାଷା ?

ସେଇ ଟୋକା
ଏବେ ତା ସାଙ୍ଗମାନଙ୍କ ସାଙ୍ଗରେ କଥାହୁଏ
ଆଉ ଗୋଟେ ଭାଷାରେ
ସେ ସଚେତନ ଥାଏ ଯେ ତା ଭାଷା
ପୁରୁଣା ଓ ଅସନା ।

କଣ ହେଲା
ସେ ପୁରୁଣା ଓ ଅସନା ଭାଷାର ?

ପାଶବିକ ସେ ଫୁଲମାନେ

ଫୁଲମାନେ ଏବେ ଲାଗନ୍ତି ପାଶବିକ
ଗଛ ପାଶବିକ
ଭାଷା ପାଶବିକ
କବିତା ବି ଏବେ ଲାଗୁଛି ପାଶବିକ ।

କବିମାନେ ଏବେ ଆଉ
ନିଜ ଭାଷାରେ କବିତା ଲେଖୁନାହାନ୍ତି
ସେମାନେ ନିଜ ଶବ୍ଦକୁ ଘଷିମାଜି
ତିଆରି କରୁଛନ୍ତି ଆଉ କେଉଁ
ସୂକ୍ଷ୍ମଭାଷାର ବୀଜ ।

ପ୍ରତି ବାରବର୍ଷରେ
ପୂରାପୂରି ବଦଳି ଯାଉଛି ଗୋଟେ ଭାଷା
ତା ମାନେ ଆଜିଠୁ
ଛତିଶବର୍ଷ ପରେ
ଆଜିର କୌଣସି ଭାଷା
ଆଜିପରି ଆମର ହୋଇ ନ ଥିବ ।

ଯେମିତି, ଛତିଶବର୍ଷ ତଳେ
ମୋ ପିଲାବେଳର ଭାଷା ସହିତ
ମୋର କୌଣସି ସମ୍ପର୍କ ଆଉ ନାଇଁ ।

ଆଜିଠୁ ଛତିଶବର୍ଷ ପରେ
କୋଉ ଶଳାବୁଢା ଯେ ମୋ କବିତା ପଢିବ କି ବୁଝିବ
ସେ ଭରସା ମୋର ନାଇଁ ।

ହେ ସମ୍ମାନନୀୟ ବରିଷ୍ଠମାନେ !!

ତମେ ଗୋଟେ ପ୍ରଜନ୍ମର ଭାଷାକୁ
ଦହି ଭଳିଆ ଖାଇ ହଜମ କରିସାରିଛ
ଆଉ ଆମେ ବି ଆମ ଭାଷାକୁ
ଗିଳିଚାଲିଛୁ ପ୍ରତିଦିନ ।

କବିର ମୃତ୍ୟୁ

ଆଜିକାଲି ପ୍ରତ୍ୟେକ କବିତାରେ
ବାରି ହୋଇପଡୁଛି
ମରିଯାଉଥିବା ଭାଷାର ଆର୍ତ୍ତନାଦ
କବିତା କିନ୍ତୁ ଜାଣିପାରୁନି
କିଏ ତାର ଅସଲ ହତ୍ୟାକାରୀ ।

ହୁଏତ କେହି କେହି
ନିଜ ମୃତ୍ୟୁରେ
କବିତାକୁ ନେଇ
ଅନୁଭବ କରିପାରନ୍ତି
ଜୀବନର ପୂର୍ଣ୍ଣତା ।

ମୁଁ କିନ୍ତୁ ଏ ଯାଏ ଶୁଣିନି ଯେ
କବିତା ପଢୁ ପଢୁ
କେହିଜଣେ ମରିଯାଇଥିବାର ଖବର ।

ମା କବିତା ସରସ୍ଵତୀ !!
ମୋତେ ଏମିତି ବରଦାନ ଦେବୁ କି
କବିତା ଲେଖୁଥିବାବେଳେ
କେହି ଜଣେ ଆତତାୟୀର ଗୁଳିରେ
ଉଡିଯିବ ମୋର ମୁଣ୍ଡ
ବୋମାମାଡରେ ଛିନଛତର
ହୋଇଯିବ ମୋର କବିତା ପଢୁଥିବା ଶରୀର
କବିତା ପଢୁ ପଢୁ ମରଣ ଲଭିବାର ଗୌରବ
ମୋତେ ପ୍ରାପ୍ତ ହେବ କି ମା ?

କବିତା ବହିର ପୃଷ୍ଠା ଓଲଟାଇଲା ବେଳେ ଇ
ଆଲୁଅ ଓ ଅନ୍ଧାରର ସନ୍ଧିକ୍ଷଣରେ
ମୋର ମରଣ ହେଉ ।