ଫଟୋ- ୱିକି କମନ୍ସ

ରାତି କାନ୍ଥରେ ଝୁଲୁଛି ସମୟ
ପେଣ୍ଡୁଲମ ପରି
ମୁଁ କାଂଥଘଣ୍ଟା ପଟେ ଅନଉଛି
ଟିକ୍ ଟିକ୍ ଟିକ୍ ଟିକ୍
ନିରବତା ଭାଙ୍ଗୁଛି
ଆମେ ପରସ୍ପର ସହ କଥା ହେଉଛେ
ପଦୁଟିଏ ବି କଥା ନ ହେଇ !

ତମ ପାଉଁଜିକୁ ଛୁଇଁ ଫେରିଯାଉଛି ସମୁଦ୍ର
ତମ ଭିତରେ ଢ଼େଉ କୂଳ ଖୋଜୁଛି ।

ରାତି ଗାଢ଼ ହେଉଛି ।

ରାତି ହିଂସ୍ର ହେଉଛି
ରାତି ଗର୍ଜନ କରୁଛି ସମୁଦ୍ର ପରି ତମ ଛାତିରେ ।
ତମ କୋହ କୁ ମୁଁ ପଢ଼ି ପାରୁଛି ।

ଆକାଶକୁ ମୁଁ ଏବେ କାଟିବି କଂସେଇଖାନାରେ ଝୁଲିଥିବାବେଳେ
ଆକାଶକୁ ମୁଁ ଅନେଇବି ଇନ୍ଦ୍ରଧନୁରେ ସଜେଇ ହେଇଥିବାବେଳେ ।

ଆକାଶ ଓ ରାତି ଏକାକାର ହେଇଯାଉଛନ୍ତି ଏବେ ।

ମୁଁ କାଂଥ ପଟେ ଅନଉଛି
ଛକି ବସିଛି ସମୟ ଝିଟିପିଟି ସାଜି
ଲୁଚି ଛପି ଏଇନେ ଦିଶି ପୁଣି ହଜିଯାଉଛନ୍ତି ତାରାମାନେ
ଝିଟିପିଟି ଛକି ବସିଛି
ଟପ କିନା ଗିଳି ପକଉଛି ।

ଭୋକ ଜୀବନ ଠୁ ବଳି ଯାଉଛି ।

ଦିନେ ତମକୁ ଜହ୍ନ ଦେଖାଉଥିଲି
ଦିନେ ତମ ଭିତରେ ଜହ୍ନ ଖୋଜୁଥିଲି
ଏବେ ଖାଁ ଖାଁ ତପ୍ତ ମରୁବାଲି, ମରୀଚିକା
ସାଇଁ ସାଇଁ ପବନ ବହୁଛି
ତାରା, ମୁଁ ଓ ଜହ୍ନ ପୋତିହେଇଯାଉଛୁ ବାଲିରେ ।

ଲିଭିଯାଉଛି ପାଦଚିହ୍ନ ସବୁ
ଖୁବ ଦୂରରୁ ଦିଶୁଛି ବତୀଘର
ସମୁଦ୍ର ଜାହାଜ ପ୍ରତୀତ ହେଉଛି
ଟୋପାଏ ଲୁହ ତମ ଆଖିରେ କୂଳ ଖୋଜୁଛି ।

ଏତେ ନିରବତା ଆମ ଭିତରେ
ହେଲେ ଶବ୍ଦ ପିସ ପିସ କିଆଁ କଟୁଛି ?

କଟୁରୀକୁ ମୁଁ ଭଲ ପାଇ ବସିଛି
କଟୁରୀ ମୋତେ କାଟୁଛି
ମୁଁ କଟୁରୀ ନେଇ ଅନାବନା ଶବ୍ଦ, ତାରା, ଆକାଶକୁ କାଟୁଛି ।

ତମ ମୋ ଭିତରେ ଖର ନିଃଶ୍ୱାସ କଡ ଲେଉଟାଉଛି
ନିଦ ମୂଷା ପରି ଆଖି ଦରାଣ୍ଡୁଛି
ପୃଥିବୀ ନିର୍ମମ ହତ୍ୟାକାଣ୍ଡର ମୂକସାକ୍ଷୀ ସାଜୁଛି ।