ସମ୍ପାଦିତ ଚିତ୍ର- ୱିକି କମନ୍ସ

ରୋହନ ଅଗ୍ରୱାଲ୍ । ବୟସ ୨୬ । ମେଡିକାଲ୍ ଶିକ୍ଷା ପୁରା ହୋଇନାହିଁ । ଏସବୁ ସତ୍ତ୍ୱେ ସେ ଦେଶର ଏକ ପ୍ରତିଷ୍ଠିତ ଡାକ୍ତରଖାନାରେ କାର୍ଯ୍ୟରତ । କେବଳ ସେତିକି ନୁହେଁ, ସେ ନିର୍ଣ୍ଣୟ ନେଉଛନ୍ତି ସଙ୍କଟାପନ୍ନ କୋଭିଡ୍ ରୋଗୀମାନଙ୍କ ମଧ୍ୟରୁ କିଏ ଜୀବିତ ରହିବ ଓ କିଏ ମରିବ । ଇଶ୍ୱର ନିର୍ଣ୍ଣୟ ନିଅନ୍ତି ମଣିଷର ଜୀବନ ଓ ମୃତ୍ୟୁ ବିଷୟରେ । କୁହାଯାଏ ଜୀବନ ଓ ମରଣ ଭଗବାନଙ୍କ ହାତରେ । କିନ୍ତୁ ଦୁର୍ଭାଗ୍ୟ ଆମକୁ ଏହି ନିର୍ଣ୍ଣୟ ନେବାକୁ ପଡୁଛିି । କ୍ଷୋଭ ଭରା କଣ୍ଠରେ କୁହନ୍ତି ଡାକ୍ତର ରୋହନ । ମୁଁ ସାଧାରଣ ମଣିଷ । କିନ୍ତୁ ନିର୍ଣ୍ଣୟ ନେବାକୁ ପଡୁଛି । ଏପରି କଠୋର୍ ସମୟ କେବେ ନ ଆସୁ ବଡ଼ ଭାବପୂର୍ଣ୍ଣ ସ୍ୱରରେ କହନ୍ତି ଡାକ୍ତର ଅଗ୍ରଓାଲ୍ ।

ହୋଲି ଫ୍ଯାମିଲି ହସ୍ପିଟାଲ୍‌ରେ କାର୍ଯ୍ୟରତ ରୋହନ ଅଗ୍ରୱାଲ୍‌ଙ୍କ ନିକଟକୁ ଯେତେବେଳେ ରୋଗୀମାନଙ୍କ ପରିଜନ ଦୟାର ଭିକ ମାଗିବାକୁ ଆସନ୍ତି, ସେତେବେଳେ ଅସହାୟ ହୋଇ ପଡ଼ନ୍ତି ରୋହନ । ସମ୍ପ୍ରତି ଦିଲ୍ଲୀର ଏହି ହସ୍ପିଟାଲ୍‌ରେ କାର୍ଯ୍ୟରତ ରୋହନଙ୍କୁ ପ୍ରତ୍ୟେହ ଏପରି ସ୍ଥିତିର ସାମ୍ନା କରିବାକୁ ପଡୁଛି । ଦିଲ୍ଲୀରେ କୋଭିଡ୍ ମହମାରୀର ସଂକ୍ରମଣ ଭୟାନକ ସ୍ଥିତିରେ ରହିଛି । ଅକ୍ସିଜେନ୍‌ର ଅଭାବ ରୋଗୀମାନଙ୍କ ସ୍ଥିତିକୁ ଆହୁରି ଦୟନୀୟ କରିଛି । କୋଭିଡ୍ ଚିକିତ୍ସା ପାଇଁ ବ୍ୟବହୃତ ଆବଶ୍ୟକୀୟ ଉପକରଣ ଅଭାବରେ ରୋଗୀମାନଙ୍କ ପରିଜନ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନ ଘୁରି ବୁଲୁଛନ୍ତି । ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ମାଗୁଛନ୍ତି । ହସ୍ପିଟାଲ୍‌ମାନଙ୍କରେ ଶଯ୍ୟା, ଅକ୍ସିଜେନ୍‌, ରେମ୍‌ଡେସିଭିର୍‌ର ଅଭାବରେ ରୋଗୀ ପ୍ରାଣତ୍ୟାଗ କରୁଛନ୍ତି । କ୍ରମାଗତ ଭାବେ ହସ୍ପିଟାଲ୍‌ରେ କାର୍ଯ୍ୟରତ ରୋହନଙ୍କୁ ଅଧିକାଂଶ ସମୟ ଏପରି କଠୋର ନିର୍ଣ୍ଣୟ ନେବାକୁ ପଡୁଛି । ଖୁବ ଅସହାୟ ହୋଇ ପଡୁଛନ୍ତି ରୋହନ । ହସ୍ପିଟାଲ୍‌ରେ ପର୍ଯ୍ୟାପ୍ତ ଶଯ୍ୟା ନାହିଁ । ମହଜୁଦ୍ ନାହିଁ ରୋଗୀର ଉପଚାର କରିବା ପାଇଁ ଆବଶ୍ୟକୀୟ ଉପକରଣ । ରୋଗୀ ସଂଖ୍ୟା ଭରମାର୍ । କ୍ରମାଗତ ଭାବେ ହସ୍ପିଟାଲ୍‌ରେ କାର୍ଯ୍ୟରତ ରୋହନ ନିଜ ଜୀବନ ସମ୍ବନ୍ଧରେ ମଧ୍ୟ ସନ୍ଦିହାନ । ହୁଏତ କେତେବେଳେ ସେ ନିଜେ ମଧ୍ୟ କରୋନାର କରାଳ ଆଁ ରେ ପଡ଼ି ପାରନ୍ତି । ଏହା ଖୁବ ଆଶ୍ଚର୍ଯ୍ୟଜନକ ହେବନାହିଁ ଯେତେବେଳେ ଜୀବନକୁ ପାଣି ଛଡ଼ାଇ ଯେଉଁ ହସ୍ପିଟାଲ୍‌ରେ ସେ କାର୍ଯ୍ୟରତ, ସେହି ହସ୍ପିଟାଲ୍‌ରେ ମଧ୍ୟ ତାଙ୍କ ପାଇଁ ଶଯ୍ୟାର ଅଭାବ ହେବ ।

ସକାଳ ୯ରୁ କାର୍ଯ୍ୟ ଆରମ୍ଭ କରିବାକୁ ପହଞ୍ଚି ହସ୍ପିଟାଲ୍ କର୍ମଚାରୀ ପ୍ରୋଟେକ୍ଟିଭ୍ ଇକ୍ୱିପ୍‌ମେଣ୍ଟ୍ ହଟାଇବା ପାଇଁ ବ୍ୟବହୃତ ସ୍ଥାନରେ ସେ ଦେଖନ୍ତି ୪ଟି ଶବ ପଡ଼ିଛିି । ଜରୁରୀକାଳୀନ ୱାର୍ଡର ଅବସ୍ଥା ଆହୁରି ଦୟନୀୟ । ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଭରି ରହିଛନ୍ତି ସାରା ହସ୍ପିଟାଲ୍‌ରେ । କାହାରି ନିକଟରେ ପର୍ଯ୍ୟାପ୍ତ ସୁରକ୍ଷା ସାଧନ ନାହିଁ । କାମର ଚାପରେ ଡାକ୍ତର ଓ ନର୍ସମାନେ ମଧ୍ୟ ପ୍ରୋଟେକ୍ଟିଭ୍ ଇକ୍ୱିପ୍‌ମେଣ୍ଟ ପିନ୍ଧିବା ବନ୍ଦ କରି ଦେଇଛନ୍ତି । ହସ୍ପିଟାଲ୍‌ରେ ରୋଗୀମାନଙ୍କ ଅସମ୍ଭବ ଭିଡ଼ ଯୋଗୁଁ ସାମାଜିକ ଦୂରତାର କୌଣସି ଚିହ୍ନବର୍ଣ୍ଣ ନାହିଁ । ୨୭୫ ଶଯ୍ୟାର କ୍ଷମତା ବିଶିଷ୍ଟ ଏହି ହସ୍ପିଟାଲ୍‌ରେ ୩୮୫ ଜଣ ରୋଗୀ ଅଛନ୍ତି । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଏହି ହସ୍ପିଟାଲ୍‌ରେ ଶଯ୍ୟା ନାହିଁ ବୋଲି ଏକ ବୋର୍ଡ ଝୁଲୁଛି । ସରକାରୀ ହସ୍ପିଟାଲ୍‌ର କାହାଣୀ ଅବର୍ଣ୍ଣନୀୟ ବୋଲି ସେ କହନ୍ତି । ଗୋଟିଏ ବେଡ୍‌ରେ ଦୁଇ ଦୁଇ ଜଣ ରୋଗୀ । ବାହାରେ ଖରାରେ ରୋଗୀମାନେ ନିଜ ପାଳିକୁ ଅପେକ୍ଷା କରୁଛନ୍ତି । ହସ୍ପିଟାଲ୍‌ର ସମସ୍ତ କର୍ମଚାରୀ ଶତତ ଚେଷ୍ଟିତ ଅଛନ୍ତି ରୋଗୀଙ୍କ ସାହାଯ୍ୟ ପାଇଁ । କିନ୍ତୁ ସମସ୍ତଙ୍କ ପାଇଁ ସ୍ଥାନ ନାହିଁ । ଏହା ହିଁ ସତ୍ୟ । ଯାହା ଖୁବ୍ କଠୋର । ଏବେ ପର୍ଯ୍ୟନ୍ତ ରୋହନ ଟିକା ନେଇ ନାହାନ୍ତି । ସେଥିପାଇଁ ସେ ଚିନ୍ତିତ ନାହାନ୍ତି । ଇଶ୍ୱର ତାଙ୍କର ଟିକାକରଣ କରି ପଠାଇଛନ୍ତି ବୋଲି କହନ୍ତି ରୋହନ । କରୋନାର ସଂକ୍ରମଣର ଦ୍ୱିତୀୟ ଲହରୀ ଯୋଗୁଁ ଏ ହେଉଛି ପରିବର୍ତ୍ତିତ ପରିସ୍ଥିତିରେ ଭାରତୀୟ ଡାକ୍ତରଖାନାର କାହାଣୀ ।

(ଦ ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ସମ୍ବାଦ ଆଧାରରେ)