ଫଟୋ - ୱିକି କମନ୍ସ

ମୋତେ ନେଇ ତାର ଯେତେସବୁ ଅଭିଯୋଗ
ସେ କହେ;
ମୁଁ ଆଜିଯାକେ ଲେଖିନି ପ୍ରେମକବିତା ଟେ
ତା ନାଁ ର !

ତା ନାଁ କହିଲେ ଗୋଟେ ଦାଗ
ମୋ ଛାତିରେ,
ତା ନାଁ କହିଲେ
ମୁଠାଏ ଅବିର ମୋ ମୁହଁରେ
ତା ନାଁ କହିଲେ
ଲାଜରା ହସଟେ
ମୋ ଓଠରେ
ତା ନାଁ କହିଲେ
ଅଜଣା ଶିହରଣ ଟେ
ମୋ ଦେହରେ ।

ତା ନାଁ ଟା ହିଁ ଯଥେଷ୍ଟ
ମୋତେ ମୋ ଦେହରୁ ବିଚ୍ଛିନ୍ନ କରି
ଆଉ ଗୋଟେ ଗ୍ରହାନ୍ତରକୁ ପଠେଇ ଦେବାକୁ
ତା ନାଁ ହିଁ ଯଥେଷ୍ଟ
ମୋ ଉଲଗ୍ନ ଦେହରେ
ରାତିସାରା ମୋତେ ଆକାଶର କରି
ମେଞ୍ଚାଏ ଅନ୍ଧାର ପାଲଟି ଯିବାର
ତା ନାଁ ହିଁ ଯଥେଷ୍ଟ
ମୋତେ ଗଛରୁ ତୋଳିଆଣି
ତା ବିଛଣା ଦାଢରେ ବିଞ୍ଚି ଦେବାକୁ ।

ତା ନାଁ ଯଥେଷ୍ଟ ।

ତଥାପି ମୋତେ ନେଇ ତାର ଅଭିଯୋଗ
ମୁଁ ତା ନାଁ ରେ କବିତାଟେ ଲେଖିନି ?

ସତ କହିଲେ ସେ ଆଜି ଯାକେ
ମୋ ଆଖିକୁ ପଢି ଶିଖିନି,
ମୋ ଆଖି ଆଉ କଣ କି
ତା ନାଁର ଗୋଟେ ପ୍ରେମକବିତା ତ !