ଫଟୋ - ଆରବ୍ୟ ରାତିର ଗପ କୁହୁକ - ୱିକି କମନ୍ସ

ଆରବ ଦେଶର ଲୋକକଥା ।

ଥିଲେ ଜଣେ ବାଦଶାହା । ଖୁବ୍ ଲୋକପ୍ରିୟ ଶାସକ ଥିଲେ । ପାରିଷଦ ବର୍ଗ ଦକ୍ଷ ତଥା ବୁଦ୍ଧିମାନ ଥିଲେ । ରାଜକାର୍ଯ୍ୟ ସୂଚାରୁ ରୁପେ ଚାଲିଥିଲା । ପ୍ରଜାମାନେ ଆନନ୍ଦରେ କାଳାତିପାତ କରୁଥିଲେ । ସବୁ ଭଲରେ ଗୋଟିଏ ଭେଲ ଥିଲା । ଚନ୍ଦ୍ରମାରେ କଳଙ୍କ ପରି ରାଜା ନିକଟରେ ବି ଗୋଟିଏ ଦାଗ ଥିଲା । ବହୁ ଭଲ ଗୁଣର ଅଧିକାରୀ ବାଦଶାହ ମୁଣ୍ଡରେ ଗୋଟେ ଭୂତ ସବାର ଥିଲା । ବାଦଶାହାର ବୈବାହିକ ଜୀବନ ସୁଖମୟ ନଥିଲା । ବାଦଶାହାର ବୈବାହିକ ଜୀବନ ଆରମ୍ଭ ହିଁ ହୋଇପାରୁ ନଥିଲା । ବିବାହ ପରେ ପରେ ପ୍ରଥମ ରାତ୍ରୀରେ ହିଁ ବାଦଶାହା ନିଜର ବେଗମ୍‌କୁ ହତ୍ୟା କରୁଥିଲା । କୁହନ୍ତିନି, ରାଜା ଗୋଜା । ଯାହା ମୁଣ୍ଡକୁ ଜୁଟିଲା । ଏ ବିଷୟରେ କେହି ଜାଣି ନଥିଲେ । ନା ପ୍ରଜା ନା ମନ୍ତ୍ରୀ ପରିଷଦ । ପ୍ରଜାମାନେ ନିଜ ବାଦଶାହାର ବୈବାହିକ ଜୀବନ ନେଇ ଦୁଃଖୀ ଥିଲେ । ବାଦଶାହା ପୁଣି ଥରେ ବିବାହ କଲା । ରାଜ୍ୟରେ ଆନନ୍ଦ ଖେଳିଗଲା । ପ୍ରଜାମାନଙ୍କ ପାଇଁ ଭୁରିଭୋଜନର ବ୍ୟବସ୍ଥା କରାଗଲା । ନୂଆ ପୋଷାକ ବଣ୍ଟନ କରାଗଲା । ରାଜ୍ୟରେ ବିଭିନ୍ନ ନାଚ ଗୀତର ବ୍ୟବସ୍ଥା କରାଗଲା ।

ପ୍ରଜାମାନେ ତହିଁ ଆରଦିନକୁ ଅପେକ୍ଷା କଲେ । କ’ଣ ହେବ ? ହେଲେ ତତ୍‌ପରଦିନ ଏପରି କିଛି ଘଟିଲା ନାହିଁ । କ’ଣ ହେଲା । ଏପରି କିପରି ହେଲା ? ଏଥର ବାଦଶାହା ଯାହାକୁ ବିବାହ କଲେ ସେ ବିଦୂଷୀ ଥିଲେ । ବୋଧହୁଏ ସେ ବାଦଶାହାର ଦୁର୍ବଳତା କଥା ଜାଣିପାରିଥିଲେ । ତ, ସେ ଏକ ଯୋଜନା କରିଥିଲେ । ମଧୁରାତି ଦିନ ସେ ରାଜାଙ୍କୁ ଏକ ଗପ ଶୁଣାଇଲେ । ରାତି ସରୁ ନଥାଏ କି ଗପ ସରୁ ନଥାଏ । ରାତି ବଢ଼ୁଥାଏ ଓ ବେଗମ୍‌ଙ୍କ ଗପପେଡ଼ିରୁ ଖୋଲୁଥାଏ ଗପର ବିଭିନ୍ନ ମୋଡ଼ । ରାତି ବିତିବା ସହ ଗପ ଏକ ରୋଚକ ମୋଡ଼ରେ ପହଞ୍ଚିଯାଉଥାଏ । ବାଦଶାହା ମନରେ ଗପର ପରବର୍ତ୍ତୀ ମୋଡ଼ କ’ଣ ହେବ ସେ ନେଇ ଆତୁରତା ବଢ଼ୁଥାଏ । ଅବଶିଷ୍ଟ ଭାଗ ଶୁଣିବାର ଆଗ୍ରହ ବଢୁଥାଏ । ଗପ ଶୁଣିବାର ଏଇ ଆଗ୍ରହରେ ବାଦଶାହା ବେଗମ୍‌ଙ୍କୁ ହତ୍ୟା କରିବାର ଭୂତ କୁଆଡେ ଉଭେଇ ଯାଏ । ରାତି ବିତିଯାଏ । ଗପ ସରିଯାଏ । ବାଦଶାହା ବେଗମ୍‌ଙ୍କ ହତ୍ୟା କରିବାର ଅଭ୍ୟାସ ଭୁଲିଯାଏ । ନିତି ଏମିତି ଚାଲିଲା । ପାଖାପାଖି ହଜାରେ ଦିନ ପର୍ଯ୍ୟନ୍ତ । ବାଦଶାହାଙ୍କ ନୂଆ ବେଗମ୍ ନିତ୍ୟ ରାତିରେ ବାଦଶାହାଙ୍କୁ ଏକ ଗପ ଶୁଣାଉଥାନ୍ତି । ଗପର ନାଟକୀୟ ଉତ୍କଣ୍ଠା ଓ ନୂଆ ବେଗମ୍‌ଙ୍କ ଗପ ଶୁଣାଇବାର ଶୈଳୀ ବାଦଶାହାଙ୍କ ମୁଣ୍ଡରେ ଭୂତକୁ ସବାର ହେବାକୁ ଦେଲାନାହିଁ ।

ଅବଶେଷରେ ବାଦଶାହାର ଅଭ୍ୟାସ ବଦଳିଗଲା । ମୁଣ୍ଡରେ ସବାର ହୋଇଥିବା ଭୂତ ଓହ୍ଲାଇଗଲା । ଗପମାନେ କେବଳ ଆମକୁ ଆନନ୍ଦ ଦିଅନ୍ତି ନାହିଁ । ଉପାଦେୟ ଶିକ୍ଷା ଦେବା ସହିତ ଜୀବନ ବଞ୍ଚାଇଥାନ୍ତି । ବେଗମ୍‌ଙ୍କ ଦ୍ୱାରା କୁହାଯାଇଥିବା କାହାଣୀଗୁଡ଼ିକ ‘ଆରାବିଆନ୍ ନାଇଟ୍‌ସ’ ଭାବେ ଖ୍ୟାତି ପାଇଲା । ବିଶ୍ୱର ବିଭିନ୍ନ ଭାଷାରେ ଏହି ଗପ ଅନୂଦିତ ହେଲା । ବାଦଶାହାଙ୍କ ନାମ ଶାହାରିୟାର୍ ଓ ବେଗମ୍‌ଙ୍କ ନାମ ଶେହେରାଜାଦେ ଥିଲା ।

ଆମର ଚଳଣି ଓ ପରମ୍ପରାରେ ଗପ କହିବା, ଶୁଣାଇବାର ପରମ୍ପରା କାହିଁ କେତେ କାଳରୁ ରହିଆସିଛି । ବୁଢ଼ୀମା, ଆଈମାମାନେ ଗପ ଶୁଣାଇବା କଥା ଆମେ ଜାଣିଛେ ଓ ସେମାନଙ୍କ ନିକଟରୁ ଗପ ଶୁଣିଛେ । ଏବେ ସେ କାମ ଛୋଟ ଏକ ଯନ୍ତ୍ର କରୁଛି । ମୋବାଇଲ୍ । ଆମ ପିଲାମାନେ ମୋବାଇଲ୍‌ରୁ ଗପ ପଢ଼ୁଛନ୍ତି, ଶୁଣୁଛନ୍ତି, ବିଭିନ୍ନ ଆପ୍ ମାଧ୍ୟମରେ । ଏବେ ତ ଏହାର ବ୍ୟବସାୟିକ ଦିଗ ମଧ୍ୟ ଆରମ୍ଭ ହୋଇଗଲାଣି । ଅନେକ ଷ୍ଟାର୍ଟଅପ୍ ଆରମ୍ଭ ହେଲାଣି । ସେ ଅଲଗା କଥା । କିନ୍ତୁ ଗପ ଶୁଣିବା ଓ ଶୁଣାଇବା ଦ୍ୱାରା ଆମକୁ ଅନେକ ପରିମାଣରେ ଶାନ୍ତି ମିଳେ । ହାଲ୍‌କା ହୋଇଯାଏ ଆମର ଭାରାକ୍ରାନ୍ତ ମନ । ଏକଥା କାହାକୁ ଅଜଣା ନୁହେଁ ।

ସମ୍ପ୍ରତି ଜାରି ରହିଥିବା ବୈଶ୍ୱିକ ମହାମାରୀ ଯୋଗୁଁ ସାରା ମାନବଜାତି ଭୀତତ୍ରସ୍ତ । ମାନସିକ ଭାବେ ଚାପଗ୍ରସ୍ତ । ଏକ ଭୟଙ୍କର ଅନିଶ୍ଚିତତା ଦେଇ ଆମେ ସମସ୍ତେ ଗତି କରୁଛେ । ସିନେମା ହଲ୍ ବନ୍ଦ, ଥିଏଟର୍ ବନ୍ଦ, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରୁନାହିଁ । ଅବସର ବିନୋଦନର କୌଣସି ସୁଯୋଗ ନାହିଁ । ଖଟି ନାହିଁ, ନାହିଁ ଗୁପ୍‌ଚୁପ୍‌, ନାହିଁ ଚା’ କି ନାହିଁ ଝାଲ୍‌ମୁଢ଼ି ।

ନିକଟରେ ମୋର ଜଣେ ଛାତ୍ରୀ ମାନସିକ ଅବସାଦଗ୍ରସ୍ତ ହୋଇପଡ଼ିଥିଲା । ସାମାନ୍ୟ କିଛି ସମସ୍ୟା ତାକୁ ଏକ ବିରାଟ କିଛି ସ୍ୱାସ୍ଥ୍ୟଗତ ସମସ୍ୟାର ପ୍ରାକସୂଚନା ପରି ଲାଗିଲା । ସେ ଭାବିଲା କି ସେ ଆଉ ସୁସ୍ଥ ହେବନି । ଖୁବ୍ ମେଧାବୀ ଛାତ୍ରୀ ଥିଲା ସେ । ପାଠ ସହ ନାଚ, ଗୀତ, ଚିତ୍ର, ନାଟକ ସବୁଥିରେ ପାରଙ୍ଗମ ଥିଲା । ଭବିଷ୍ୟତକୁ ନେଇ ଖୁବ୍ ଆଶାୟୀ ଥିଲା । କୁହନ୍ତିନି କି କାଳିଆ ଘୋଡ଼ାରେ ଚଢ଼ିବି ମଧୁବାବୁ ସହ ଲଢ଼ିବି । ଆଇଏଏସ୍ ହେବ, କାର୍ ଚଢ଼ିବ, ଉଡ଼ାଜାହାଜରେ ଉଡ଼ିବ । ଏପରି ଖୁବ୍ କିଛି ସ୍ୱପ୍ନ ଦେଖିଥିବା ସେ ଅଚାନକ୍ ଚୁପ୍ ହୋଇଗଲା । କୋଭିଡ୍ ଯୋଗୁଁ ଉପଯୁକ୍ତ ଚିକିତ୍ସା ମଧ୍ୟ ନ ପାଇପାରିବା ଅନ୍ୟ ଏକ କାରଣ ଥିଲା । ଦିନେ ଫୋନ୍ କଲାରୁ ଏକଥା ଜାଣି ମୁଁ ମୋର ପରିଚିତ କିଛି ଡାକ୍ତରଙ୍କ ନମ୍ବର ଦେଲି । ଆବଶ୍ୟକୀୟ ପରାମର୍ଶ ପାଇଁ । ସମବୟସ୍କ ଜଣେ ଡାକ୍ତର ତା ସହ କଥାବାର୍ତ୍ତା କଲାପରେ ଜାଣିଲେ କି ରୋଗ ସାମାନ୍ୟ ମାତ୍ର ଚାପ ପ୍ରବଳ । ଅତ୍ୟଧିକ ମାନସିକ ଚାପ ଯୋଗୁଁ ସେ ବିବ୍ରତ । ସେ ତାକୁ ସାମାନ୍ୟ ମେଡିସିନ ସହିତ କିଛି ଭଲ ବହି ପଢ଼ିବା ପାଇଁ ପରାମର୍ଶ ଦେଲେ । ଗପ ପଢ଼, ମୁଭି ଦେଖ, କୋରିଆନ୍ ଥିଏଟର୍ ଦେଖ, ମ୍ୟୁଜିକ୍ ଶୁଣ । ଧିରେ ଧିରେ ସ୍ୱାଭାବିକ ହୋଇଯିବ । କିଛିଦିନ ପରେ ମୁଁ ଫୋନ୍ କଲି । ତା’ର କଥା ହେବାକୁ ଆଗ୍ରହ ନଥିଲା । ଏହା ଜାଣିପାରି ତାକୁ କହିଲି ଗପ ଶୁଣିବ । ସେ ହଁ କହିଲା । ତ, ମୁଁ ତାକୁ ଶୁଣାଇଲି ଏକ ଗପ । ସେ ସାମାନ୍ୟ ଖୁସି ହେଲା ପରି ଲାଗିଲା । ତା’ ପରଦିନ ସେ ନିଜ ଆଡ଼ୁ ମୋତେ ଫୋନ୍ କଲା । ଗପ ଶୁଣିବାକୁ । ସେଦିନ ବି ତାକୁ ଏକ ଗପ ଶୁଣାଇଲି । ଏଣିକି ନିତି ସେ ମୋତେ ଫୋନ୍ କରେ, ଆଉ ମୁଁ ତାକୁ ଏକ ଗପ ଶୁଣାଏ । ଦିନେ ମୁଁ ତାକୁ ଆଲିବାବା ଓ ଚାଳିଶ ଚୋର ଗପ ଶୁଣାଇଲି ।

ଆପଣ ଶୁଣିବେ । ସେଇ ଗପ । ଅନେକ ଥର ପଢ଼ିଥିବେ, ଶୁଣିଥିବେ । ଚୁମ୍ବକରେ ଗପ - ଗରିବ କାଠ କଟାଳି ଆଲିବାବା ଦିନେ ଜଙ୍ଗଲରେ ଚୋରମାନଙ୍କ ଗୁମ୍ଫା ଆବିଷ୍କାର କଲା । ଚୋରମାନେ ଏକ ନିବୁଜ ଗୁମ୍ଫାର ଦ୍ୱାରରେ ଠିଆ ହୋଇ ‘ଖୁଲ୍ ଯା ସିମ୍ ସିମ୍‌’ କୁହନ୍ତେ ଗୁମ୍ଫାର ଦ୍ୱାର ଖୋଲିଗଲା । ଚୋରମାନେ ଗୁମ୍ଫା ଭିତରେ ପ୍ରବେଶ ଉପରାନ୍ତେ ପୁନର୍ବାର ସେ ଗୁମ୍ଫାର ଦ୍ୱାର ବନ୍ଦ ହୋଇଗଲା । ଚୋରମାନେ ନିଜ ଘୋଡ଼ାରେ ଚୋରି କରି ଆଣିଥିବା ସମସ୍ତ ସୁନା ରୁପାକୁ ସେ ଗୁମ୍ଫା ଭିତରେ ରଖି ପୁଣି ଥରେ ଘୋଡ଼ା ଛୁଟାଇ ଜଙ୍ଗଲ ମଧ୍ୟରେ ଅଦୃଶ୍ୟ ହୋଇଗଲେ । ସେମାନଙ୍କ ଯିବା ଉପରାନ୍ତେ ଆଲିବାବା ;ଖୁଲ୍ ଯା ସିମ୍ ସିମ୍' କହି ଗୁମ୍ଫା ଭିତରକୁ ପ୍ରବେଶ କଲା । ନିଜ ପାଖରେ ଥିବା ଚାରିଟି ଝୁଲାମୁଣିରେ ସେ ସୁନା ମୁଦ୍ରା ଭରି ଘରକୁ ଫେରିଲା । ଘରେ ତା ସ୍ତ୍ରୀ ସୁନା ମୁଦ୍ରା ଦେଖି ଖୁବ୍ ଖୁସି ହେଲା । ସୁନା ମୁଦ୍ରା ଅଧିକ ଥିଲା । ସେଗୁଡ଼ିକୁ ନ ଗଣି ଓଜନ କରିବାକୁ ସ୍ତ୍ରୀ ପରାମର୍ଶ ଦେଲା । ଯେହେତୁ ଘରେ ତରାଜୁ ନଥିଲା, ଅତଃ ପଡ଼ୋଶୀ କାସିମ୍‌ର ଘରୁ ଆଲିବାବାର ସ୍ତ୍ରୀ ତରାଜୁ ମାଗିକି ଆଣିଲା । କାସିମ୍‌ର ସ୍ତ୍ରୀ କୌତୁହଳ ବଶତଃ ତରାଜୁ ପଛରେ ଅଠା ଲଗାଇ ଦେଇଥିଲା । ଆଲିବାବାର ସ୍ତ୍ରୀ ତରାଜୁ ଫେରାଇବା ବେଳେ ସେଥିରେ ଏକ ସୁନା ମୁଦ୍ରା ଲାଖିକି ରହିଥିଲା । କାସିମ୍ ଓ ତା ସ୍ତ୍ରୀ ତାଗିଦା କଲେ । ଆଲିବାବା ସବୁ ସତ ମାନିଗଲା ଓ ଗୁମ୍ଫାର ଗହନ କଥା କହିଦେଲା । ପରଦିନ କାସିମ୍ ୧୦ଟି ଗଧକୁ ନେଇ ସେ ଗୁମ୍ଫା ନିକଟରେ ପହଞ୍ଚିଲା । 'ଖୁଲ୍ ଯା ସିମ୍ ସିମ୍' କହି ଘୋଡ଼ା ସମେତ ଗୁମ୍ଫା ଭିତରେ ପ୍ରବେଶ କଲା । ୧୦ଟି ଯାକ ଘୋଡ଼ା ପିଠିରେ ସୁନାଭରା ବସ୍ତା ଲଦି ଫେରିବା ବେଳକୁ ସେ 'ଖୁଲ୍ ଯା ସିମ୍‌ ସିମ୍' କହିବା ଭୁଲିଗଲା । ତରବରରେ ୟାଡୁ ସ୍ୟାଡୁ କହିଲା ସିନା ଅସଲ କଥା ମନେ ପଡ଼ିଲା ନାହିଁ । ଚୋରମାନେ ଆସି କାସିମ୍‌କୁ ଖଣ୍ଡଖଣ୍ଡ କରି କାଟି ହତ୍ୟାକଲେ । ଗପର ସାର ଏତିକି ।

ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ଗୁରୁଦତ୍ତ ଏଇ କାହାଣୀରୁ ପ୍ରେରିତ ହୋଇ ଏକ ସାମାଜିକଧର୍ମୀ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଇଛିଥିଲେ । ସମ୍ଭବତଃ ସେ ଅସମାନତା, ଅନ୍ୟାୟ, କୁଶାସନ, ମନମୁଖୀ ଶାସନ, ଉପରେ ଆଧାରିତ ଏକ ସିନେମା ତିଆରି ଥାଆନ୍ତେ । ଆଜିର ଦିନରେ ବି ଏପରି ସିନେମା ନିର୍ମାଣ କରିବାର ଆବଶ୍ୟକତା ରହିଛି । ଆଜିର ସମୟରେ ସାଧାରଣ ଜନତା ରାଜନେତାଙ୍କ ଚିକିମିକି କଥାରେ ଭାସିଯାଇ ନୋଟ୍ ନେଇ ଭୋଟ୍ ଦେଉଛି । ହରାଇବସୁଛି ନିଜ ସ୍ୱାଧୀନତା । ଶେଷରେ ଗୁମ୍ଫା ଭିତରେ ପଶିଯାଉଛି ସିନା ବାହାରି ପାରୁନି । କହିପାରୁନି ଉଚ୍ଚ ସ୍ୱରରେ 'ଖୁଲ୍ ଯା ସିମ୍‌ ସିମ୍' । କୁଆଡେ ଗଲାଣି କଥା ।

ଆରବିଆନ୍ ନାଇଟ୍‌ସରୁ ରାଜନୀତି ।

ତେବେ ମୋ ଛାତ୍ରୀକୁ 'ଖୁଲ୍ ଯା ସିମ୍‌ ସିମ୍' କଥାଟା ଭାରି ଖୁସି ଦେଲା । ସେ ଯେ ଏ ଗପ ଆଗରୁ ପଢ଼ି ନଥିଲା କି ଶୁଣି ନଥିଲା ସେକଥା ନୁହେଁ, ମାତ୍ର ମୋର ନାଟକୀୟ ଢ଼ଙ୍ଗରେ ଗପ ଶୁଣାଇବା ତାକୁ ମ୍ୟାଜିକ୍ ପରି ଲାଗିଲା । ଅତଃ ଏଣିକି ସେ ମୋତେ ନିତି ଫୋନ କରେ, ମୁଁ ତାକୁ ଆରବିଆନ ନାଇଟ୍‌ସର ଏକ ଗପ ଶୁଣାଏ । ଶୁଣାଏ ମୋ ବୁଢ଼ୀମା ଓ ଆଈମା ନିକଟରୁ ଶୁଣିଥିବା ଗପ । ମିଛର ସତର । ଭୂତ ଗପ, ଡାକୁ ଗପ । ସେ ଖୁବ୍ ଖୁସି ହୁଏ । ହସେ । ହଁ ଖୁବ୍ ହସେ । ଧିରେ ଧିରେ ସେ ମାନସିକ ଚାପରୁ ମୁକୁଳିଲାଣି । ପୁଣି ସକ୍ରିୟ ହେଲାଣି । ପାଠ ପଢ଼ାରେ, ଚିତ୍ର ଆଙ୍କିବାରେ, ଗୀତ ଗାଇବାରେ, କବିତା ଲେଖିବାରେ । ଗପ ଥେରାପି କାମ ଦେଲା ।

ଗପ କହିବାର କଳା, ଶୁଣିବାର ଆଗ୍ରହ, ଶୁଣେଇବାର ପ୍ରକ୍ରିୟା କାଳେ କାଳେ ଯାଦୁର କାମ କରେ । ଛୁ ହୋଇଯାଏ ସମସ୍ତ ଚାପ । ଆମ କାହାଣୀମାଳାରେ ଭରି ରହିଛି ଏପରି ଅନେକ ଗପ । ଆମେ ସମସ୍ତେ କେତେ ଯେ ଭୂତଗପ ଶୁଣିଥିବା ତା’ର ଇୟତ୍ତା ନାହିଁ । କେତେ ଗୁଲିଗପ, ବାହାଦୁରୀ ଭରା କଥା । କେତେ ଖୁସି, କେତେ ଆନନ୍ଦ !!

ଜହ୍ନମାମୁଁରୁ ପଢ଼ିଥିବା ବିକ୍ରମ ବେତାଳ, ଆମର ପଞ୍ଚତନ୍ତ୍ର, ବତୀଶ ସିଂହାସନ ଏବେବି କମେଇପାରିବ ବିଦେଶରୁ ଅନେକ ଡଲାର୍ । ଚାଲନ୍ତୁ ଗପ ପଢ଼ିବା, ଶୁଣେଇବା । ମହାମାରୀ ଆମକୁ ଏକ ଅବସାଦ ଭରା ଜୀବନ ଜୀଇଁବାକୁ ବାଧ୍ୟ କରିଛି । ଯୁବବର୍ଗ ଅନିଶ୍ଚିତତା ମଧ୍ୟରେ ରହୁଛନ୍ତି । ପିଲାମାନେ ବିଦ୍ୟାଳୟ ଯାଇପାରୁନାହାନ୍ତି । କାଳେ ଆମ ଗପ ଆମ କାହାଣୀ ପିଲାମାନଙ୍କ ମନରୁ କମ୍ କରି ପାରନ୍ତା ଚାପ । କମ୍ କରିପାରିବ ସେମାନଙ୍କ ମନରୁ ଅବସାଦ ।

ଆମ କାହାଣୀ ବଦଳାଇ ପାରନ୍ତା ସରକାର । ପୁନଃ ସ୍ଥାପିତ କରିପାରନ୍ତା ଗଣତନ୍ତ୍ରର ମୂଲ୍ୟବୋଧ । ଯାହା ରାଜନୀତିର ପଶାପାଲିରେ କେଉଁଠି କଣଠେସା ହୋଇଯାଇଛି ।

କହି ଜାଣିଲେ ହେଲା ।
ଶୁଣି ପାରିଲେ ହେଲା ।
ଶୁଣେଇ ପାରିଲେ ହେଲା ।
କହି ଜାଣିଲେ କଥା ସୁନ୍ଦର ।