ଫଟୋ - ସୁମିତ୍ରା ପାଢୀ

ଚାରି ବର୍ଷ ହେଲା ଆସି ବୋର୍ଡିଂରେ ରହିଲା ପରେ ବି ରଶ୍ମିର ଲାଜୁଆ ଭାବ କଟିନଥାଏ । ଚୁପ୍ ଚାପ୍ ରହୁଥାଏ ସେ ସବୁବେଳେ । ସତେ ଯେମିତି ସେ ବହୁତ କଥା କହିନପାରି ଭିତରେ ଚାପି ରଖୁଛି, ସେମିତି ମନେ ହେଉଥାଏ ମାମୋନିକୁ । ତେଣୁ ଅନେକ ଥର ଟିକେ ଗପସପ ଆରମ୍ଭ କରିବାର ଚେଷ୍ଟା କରିଛି ମାମୋନି, କିନ୍ତୁ କିଛି ସୁବିଧା ହେଇପାରିନି । ମେ ୪ ତାରିଖ ଦିନ ଖେଳ ସରିବା ପରେ ସନ୍ଧ୍ୟାରେ ଯେଉଁ ଟିକକ ସମୟ ମିଳିଥିଲା, ତାକୁ ଆଉ ତେଣୁ ହାତଛଡ଼ା କଲାନି ମାମୋନି । କଥାଟି ହେଲା, ସେଦିନ ମାମୋନିର ଜନ୍ମଦିନ ଥାଏ ବୋଲି ତାକୁ ଟିକେ ହାଲକା ମିଳିଥାଏ କାମରୁ । ଖେଳ ପରେ ପିଲାସବୁ ଗୋଡ଼ହାତ ଧୋଇବାକୁ ଚାଲି ଯାଇଥାଆନ୍ତି । ଆଉ ଟିକେ ପରେ ପୁଣି ଆସିଯିବେ ଏଇ ପଡିଆରେ ବସି ପଢିବାକୁ । ଗରମ ଦିନ ବୋଲି ଏଇ କେଇଦିନ ହେଲା ସନ୍ଧ୍ୟାବେଳ ପଢ଼ାଟା ପଡ଼ିଆରେ ହେଉଥାଏ । ସେଦିନ କୁଆଡେ଼ ନଯାଇ ପଡ଼ିଆ ଶେଷ ମୁଣ୍ଡରେ ଥିବା ଷ୍ଟେଜ୍ ଉପରେ ବସିରହିଥାଏ ରଶ୍ମି ।

ବିଦ୍ୟାଳୟର ଷ୍ଟେଜ୍ ଟି ପୁରା ଚତୁର୍ଭୁଜାକାର, ୨୦ ଫୁଟ୍ ରେ ୨୦ ଫୁଟ୍ ହେବ ଜାଣ । ଷ୍ଟେଜ୍ ଚାରିପାଖଯାକ ମାଙ୍କଡା ପଥର ଆଉ ସିମେଣ୍ଟ ଢଳେଇ ପକେଇ ଦିଆଲ୍ କରା ହୋଇଯାଇଥାଏ ସିନା, ଭିତରେ କିନ୍ତୁ ଭରାଯାଇଥାଏ ମାଟି । ତେଣୁ ବର୍ଷକ ବାରମାସ ସେଠି ଘାସ ଉଠେ । ମଞ୍ଚ ଉପରେ ଅଭିନୟ କଲାବେଳେ ପିଲାମାନଙ୍କ ଗୋଡ଼ ହାତ ଆଉ ଖଣ୍ଡିଆ ଖାବରା ବି ହୁଏନି । ସେଇ ଷ୍ଟେଜ୍ ଉପରେ ଏକା ଏକା ବସି ଗୋଡ଼ ହଲାଉଥାଏ ରଶ୍ମି । ରହି ରହି ଘାସ ଗୋଟେ ଗୋଟେ ଛିଡ଼ାଇ ଦାନ୍ତରେ କୁଟୁ କୁଟୁ କରି ଫିଙ୍ଗୁଥାଏ ତଳକୁ । କିଛି ସମୟ ଦୂରରେ ଠିଆ ହୋଇ ଏସବୁ ଦେଖିବା ପରେ ରଶ୍ମି ପାଖରେ ଯାଇ ବସିଲା ମାମୋନି । କାଲି ମାମୋନିର ଡାଏରୀରୁ ରଶ୍ମିକୁ ୦୬.୦୫.୨୦୦୪ରେ ଲେଖିଥିବା ଚିଠିଟିଏରୁ ତାଙ୍କ କଥାବାର୍ତ୍ତା ବିଷୟରେ ଜାଣିବାକୁ ପାଇଲି । ମାମୋନି ଲେଖିଥାଏ:

ସ୍ନେହାଷ୍ପଦେଷୁ !

ବହୁତ ବହୁତ ଭଲପାଇବା । ସତରେ ରଶ୍ମି, ତୁ ବୁଝିପାରିବୁନି ତୋତେ ଟିକେ ବୁଝିବା ପାଇଁ, ଜାଣିବା ପାଇଁ ମୋ ଭିତରେ କେତେ ବ୍ୟାକୁଳତା । ପ୍ରାୟତଃ ଶିକ୍ଷକମାନେ ତୋ ଭୁଲ୍ ଦେଖିଲେ ହିଁ ପାଖକୁ ଡାକନ୍ତି, ସେହି ଆଶଙ୍କାରେ ବୋଧେ କି କ’ଣ ତୁ ମୋ ଠାରୁ ପ୍ରଥମେ ଟିକେ ଦୂରେଇ ବସିଲୁ । ‘ସତ ନା ?’ ମୁଁ ପଚାରିଲି, ‘ମୁଁ କ’ଣ ମାରିବି କି?’ ତୁ ଭୟାର୍ତ୍ତ ହୋଇ କି ନିର୍ଭୟରେ ଜାଣେନି, ଉତ୍ତର ଦେଲୁ – ‘ନାଁ’ । ‘ତେବେ ଟିକେ ପାଖେଇ ଆସୁନୁ । ତୋ ସହ ଟିକେ କଥା ହେଇଥା’ନ୍ତି । କିଏ କାଳେ ଶୁଣିନେବ, ଆମେ ଧୀରେ ଧୀରେ କଥା ହେବା । ଯେମିତି ଅନ୍ୟମାନଙ୍କ ପଢ଼ାରେ କିଛି ଅସୁବିଧା ନହେବ’ କହିଲି ମୁଁ । ମୋର ଏକଥା ଶୁଣି ତୁ ପାଖେଇ ଆସିଲୁ ସିନା ମୋ ମୁହଁକୁ ଚାହିଁଲୁନି । ପିଲାଏ ପଡ଼ିଆରେ ନିଜ ନିଜ ଦଳରେ ବସି ପଢ଼ା ଆରମ୍ଭ କଲା ପରେ ବି ତୁ ଏକୁଟିଆ କାହିଁକି ବସିଛୁ ପଚାରିଦେଇଥିଲେ ତୁ କାଳେ ଉଠି ଚାଲିଯାଇଥା’ନ୍ତୁ ଭାବି ସେକଥା ବି ଆଉ ପଚାରିନଥିଲି ।

ହଁ, ଏତେଦିନ ଭିତରେ ମୁଁ କେବେ ତୋ ପାଖରେ ବସି ତୋ କଥା ଯେ ଶୁଣିନି, ସେଇଟା ମୋର ଭୁଲ୍ ନିଶ୍ଚୟ । କାରଣ ଆଜିକୁ ୪ ବର୍ଷ ହେଲା ତୁ ରହିଲୁଣି, ଆଉ ଦିନ କେଇଟାରେ ପଞ୍ଚମ ଶ୍ରେଣୀ ବି ସରିଯିବ ତୋର । ତଥାପି ଏମିତି ମନଖୋଲି କଥା ହେବାର ସୁଯୋଗ ଯେ ତୋତେ ମୁଁ ଦେଇପାରିନି ସେଇଟା ମୋର ଅପାରଗତା ନିଶ୍ଚୟ । ମୁଁ ଆଗରୁ କେବେ ଏମିତି ତୋ ସହ ଫୁସଫୁସ୍ କଥା ହୋଇନି, ତେଣୁ ତୋତେ ଟିକେ ସଂକୋଚ ଲାଗିବା ସ୍ୱାଭାବିକ୍ । ସେଇଥିପାଇଁ ତୁ ମୁହଁ ତଳକୁ କରି ଅନେକ ସମୟ ବସି ରହିଥିଲୁ ।

ତୁ ବିଶ୍ୱାସ କର କି ନକର, ତୁମ ଦଳର ସବୁ ପିଲାଙ୍କ ଭିତରୁ ରାଜୁ, ମହୀ ଓ ତୁ ମୋତେ କେମିତି ଭିନ୍ନ ଲାଗ । ତନ୍ମଧ୍ୟରୁ ତୁ ଅନ୍ୟତମ । ସମସ୍ତେ ଗୋଟିଏ କଥା ଶୁଣୁଥିବା ବେଳେ, ଗୋଟିଏ କାମ କରୁଥିବା ବେଳେ, ଏମିତିକି ଖିଆପିଆ, ଖେଳାଖେଳି କରୁଥିବା ବେଳେ ବି ତୁ ଆଉ ଗୋଟିଏ ରାଜ୍ୟରେ ବିଚରଣ କରୁଥିବା ଭଳି ହୃଦବୋଧ ହୁଏ ମୋର । ମୁଁ ଯଦି ଜଣେ ମନସ୍ତତ୍ତ୍ୱବିତ୍ ହୋଇଥାଆନ୍ତି ନା, ତୋର ସବୁ କଥା ଜାଣିପାରି ଥାଆନ୍ତି । ସେଇଥିପାଇଁ ସନ୍ଧ୍ୟାର ସୁଯୋଗଟିକୁ ହାତ ଛଡ଼ା ନକରି ତୋ ସହ କଥା ହେଲି ।

ଆମେ ପ୍ରାୟ ଅଧଘଣ୍ଟା କଥା ହେଲା ପରେ ଯାଇ ତୁ ମୋ ପାଖକୁ ଘୁଞ୍ଚି ଆସି ଆଖିରେ ଆଖି ମିଶାଇ ତୋ କଥା ସବୁ କହିଗଲୁ । କହିଲୁ କେମିତି ସକାଳର ଚୁଡ଼ା ଜଳଖିଆଟା ତୋତେ ଭଲଲାଗୁନି, କେମିତି ଖରାବେଳେ ଶୋଇକି ଉଠିବା ପରେ ତୋତେ ଭୋକ କରୁଛି । କହିଲୁ ବି ଶ୍ରେଣୀରେ ତୋତେ ଇଂରାଜୀ ଓ ଗଣିତ ଶିକ୍ଷକ କେମିତି କାନମୋଡ଼ା ଦେଉଛନ୍ତି, ଆଙ୍ଗୁଳି ମଝିରେ କଲମ ରଖି ଚାପି ଦେଉଛନ୍ତି, ଆଉ କହୁଛନ୍ତି ସେ ବିଷୟରେ ମୋତେ ନଜଣେଇବାକୁ । କହିଲୁ ବି ସବୁଦିନ ରାତିରେ କେମିତି ତୋ ମଶାରୀ ସୂତାକୁ କିଏ ଗୋଟେ ଖୋଲି ଦେଉଛି ବୋଲି । ତୋତେ ଅନେକ ସମୟରେ ଏକା ଏକା ରହିବାକୁ ଭଲ ଲାଗୁଛି ବୋଲି କହିଲୁ । ଲୁଚେଇ ଲୁଚେଇ ଲାଇବ୍ରେରୀ ଝରକା ବାଟେ ବହି ଆଣୁଥିବା କଥା ବି କହିଦେଲୁ । ତୋ ସହ କଥା ହେଇ ଜାଣିଲି ତୋ ମନରେ କେମିତି ଅହର୍ନିଶି ଆକାଶ, ପୃଥିବୀ, ସମୁଦ୍ରକୁ ନେଇ ଅଜସ୍ର କଳ୍ପନାର ସୁଅ ଛୁଟୁଛି । ତାକୁ ପ୍ରକାଶ କରିବାର ବାଟ ନପାଇ ତୁ ଏକା ଏକା ବସି ସେଇ ସବୁକୁ ଭାବୁଛୁ । ତୋ କଳ୍ପନା ଏତେ ତୀବ୍ର ବୋଲି ଆଉ ତୁ ଏତେ ସୃଜନଶୀଳ ବୋଲି ତୋ ଚିତ୍ର ଏତେ ଚମତ୍କାର, ତୋ ଭାଷା ଏତେ ସୁନ୍ଦର । ଏସବୁ କଥା ଭିତରେ ବଡ଼ ପିଲାଟିଏ ପରି ପିଲାମାନେ କେମିତି ସମୟ ନଷ୍ଟ କରୁଛନ୍ତି, ରାଜୁ କେମିତି ଦୁଷ୍ଟ ହେଉଛି, କାମ କରିବାକୁ କେମିତି ଆଜିକାଲିର ପିଲାଏ ପସନ୍ଦ କରୁନାହାଁନ୍ତି, ତୋର କେମିତି ଏ ବର୍ଷର ଛାତ୍ର ସମ୍ମିଳନୀକୁ ଯିବାକୁ ଖୁବ୍ ଇଚ୍ଛା ସେସବୁ ବିଷୟରେ ବି କହିଲୁ ।

ତୋର ମନେଅଛି ରଶ୍ମି, ତୁମେ ଦି’ ଭାଇ ସେଥର ରଜଛୁଟି ପରେ ଘରୁ ଫେରି ଯେଉଁ ରାହା ଛାଡି କାନ୍ଦିଥିଲ, କେହି ବି ଚୁପ୍ କରେଇ ପାରିନଥିଲେ କେମିତି ? ଅଥଚ୍ ମୁଁ ଯାଇ ଦିହିଁଙ୍କି କାଖେଇ ବଗିଚା ଆଡେ଼ ଦି ଘେରା ବୁଲେଇଛି କି ନାହିଁ ଆପେ ଆପେ ଚୁପ୍ ହୋଇଗଲ । ସେଇଦିନଠୁଁ ତୁମ ରୁମ୍ ଦାୟିତ୍ୱରେ ନଥିଲେ ବି ସବୁଦିନ ରାତିରେ ଶୋଇବା ଆଗରୁ ମୁଁ ଯାଇ ତୋତେ ଦେଖିଦେଇ ଆସେ । ମଝିରେ ଦିନେ ଦେହ ଖରାପ ପାଇଁ ଯାଇପାରି ନଥିଲି ଯେ ତୁ ସକାଳୁ ସକାଳୁ ଆସି ପହଞ୍ଚି ଯାଇଥାଉ ମୋ ରୁମ୍ ଆଗରେ । ସବୁଦିନ ଦିନଲିପିରେ ତୋ ଭଲମନ୍ଦ କଥା ଲେଖିବାକୁ ଗଲାବେଳେ ମୋର ମନେପଡିଯାଏ ତୋ ନିରୀହ ଆଖି । କଥା ହେବାକୁ ସମୟ ନପାଇଲେ କ’ଣ ହେଲା, ମୋ ନଜର କିନ୍ତୁ ସବୁବେଳେ ତୋ ଉପରେ ଥାଏ । ଦିନଲିପିରେ ତେଣୁ ଲେଖିଚାଲେ ତୋ ପାଖରେ ଆଜି କେଉଁ କେଉଁ ଭଲ କଥା ସବୁ ଲେଖିଛି । ତୋ ବାପାମାଆ କି ଶିକ୍ଷକମାନେ ପ୍ରତିମାସ ଶିକ୍ଷକ ଓ ଅଭିଭାବକ ବୈଠକରେ ତୋ ନାଆଁରେ ଅଭିଯୋଗ କରିବାକୁ ଆରମ୍ଭ କଲେ କଥା ଆଗକୁ ବଢ଼ିବାକୁ ନଦେଇ ମୁଁ ଦେଖେଇଦିଏ ତୋ ଭଲଗୁଣର ତାଲିକା । ଆଜି ନହେଲେ ବି ସେମାନେ ଦିନେ ନା ଦିନେ ତୋତେ ନିଶ୍ଚୟ ବୁଝିବେ ।

ତୋ କଥାରୁ ଆଜି ମୋତେ ଅନେକ କିଛି ପାଥେୟ ମିଳିଲା, ତୋତେ ଆଉଟିକେ ଭଲରେ ଜାଣିଲି । ହେଲେ ମୁଁ ସେତକରେ ସନ୍ତୁଷ୍ଟ ହୋଇପାରିଲିନି । କାଲି ଆମେ ପୁଣି କଥା ହେବା...

ଏଇଠି ବିନ୍ଦୁ ବିନ୍ଦୁ ହୋଇ ଅଟକି ଯାଇଛି ଲେଖା । ଲେଖାରୁ ବାରି ହେଇପଡ଼ୁଛି ମାମୋନିର ପିଲାଙ୍କ ପ୍ରତି ଥିବା ଆନ୍ତରିକତା, ଆତ୍ମୀୟତା ଆଉ ସରାଗର ମିଠା ଛୁଆଁ ।