ଫଟୋ - ମେରିତ୍ ପତାହ, ପୃଥିବୀର ଚିକତ୍ସାଶାସ୍ତ୍ରର ଜନନୀ, ୱିକି କମନ୍ସ

ଆଜିର କାଇରୋ ସହରଠାରୁ କୋଡିଏ ମାଇଲ୍ ଦୂରରେ ସାକ୍କାରା ବୋଲି ସ୍ଥାନଟି ତାହାର ପ୍ରତ୍ନତାତ୍ତ୍ୱିକ ଅବଶେଷ ପାଇଁ ବିଖ୍ୟାତ । ପାଂଚହଜାର ବର୍ଷ ତଳେ ପ୍ରାଚୀନ ଈଜିପ୍ଟର ମେମ୍ଫିସ୍ ସହରର ଏହା କବରଖାନା ଥିଲା । ଏଠାରେ ପୃଥିବୀର ସବୁଠାରୁ ପ୍ରାଚୀନ ନିର୍ମାଣ ଟି ଦେଖାଯାଏ । ଏହି ନିର୍ମାଣଟି ହେଉଛି ଡଜୋସର୍ ର ପାହାଚ ଥିବା ପିରାମିଡ୍ ।

ଏହି ପାହାଚ ଥିବା ପିରାମିଡ୍ ଅତ୍ୟନ୍ତ ଆକର୍ଷଣୀୟ କିନ୍ତୁ ଆମର ଦୃଷ୍ଟି ଏହି ପିରାମିଡ୍ ଉପରେ ନାହିଁ । ବରଂ ତାହା ନିକଟରେ ଥିବା ଗୋଟିଏ କବର ପ୍ରତି ଆମର ଆକର୍ଷଣ ବେଶି । ସେହି କବରଟିରେ ଆମେ ଆମର ଅଭିଳଷିତ ଚରିତ୍ରର ସଂଧାନ ପାଇଯିବୁ । ସେହି ଅଭିଳଷିତ ଚରିତ୍ରଟି ହେଉଛି ପୃଥିବୀର ପ୍ରଥମ ମହିଳା ଚିକିତ୍ସକ । ପ୍ରଥମକରି ନିଜ ନାଆଁରେ ପରିଚିତ ହୋଇଥିବା ଏହି ମହିଳା ଚିକିତ୍ସକ ହେଉଛନ୍ତି,ମେରିତ୍ ପତାହ (Merit Ptah) ।

ମେରିତ୍ ପତାହ୍ ପ୍ରାୟତଃ ୨୭୦୦ ଖ୍ରୀପୂ ସମୟର । ସାକ୍କାରାର କବରଖାନାରେ ତାଙ୍କର ଛବି ଗୋଟିଏ ହାଇରୋଗ୍ଲାଫ୍ (ଚିତ୍ରାକ୍ଷର) ସହ ମିଳିଛି ଯେଉଁଠି ତାଙ୍କୁ 'ମୂଖ୍ୟ ଚିକିତ୍ସକ' ବୋଲି ଉଲ୍ଲେଖ କରାଯାଇଛି । ତାଙ୍କ ସଂପର୍କରେ କେବଳ ଏତିକି ହେଉଛି ସବିଶେଷ ତଥ୍ୟ । କିନ୍ତୁ ସେଠାରୁ ମିଳିଥିବା ଅନ୍ୟାନ୍ୟ ସମସାମୟିକ ଶିଳାଲେଖରେ ଏହି ବିବରଣୀ ମିଳେ ଯେ ପ୍ରାଚୀନ ମିଶରରେ ନାରୀମାନେ ଚିକିତ୍ସକ ଭୂମିକାରେ ଅତି ଉଚ୍ଚ ପଦବୀରେ ଥିଲେ ।

ଏହାର ଦୁଇଶହ ବର୍ଷ ପରେ ଆଉଜଣେ ମହିଳା ଚିକିତ୍ସକ ପେଶେସେତ୍ ଆଉ ଏକ ସ୍ଥାପତ୍ୟରେ ଅମରତ୍ୱ ଲାଭ କରିଛନ୍ତି । ପେଶେସର୍ ଙ୍କ ପୁଅ ଆଖେତହେତେପ୍ ସେତେବେଳେ ମୂଖ୍ୟ ପୁରୋହିତ ଥିଲେ । ଆଖେତହେତେପଙ୍କ କବରରେ ତାଙ୍କ ମାଆ ପେଶେସେତ୍ ଙ୍କ ବିଷୟରେ କିଛି ବର୍ଣ୍ଣନା ରହିଛି । ଏଥିରେ ପେଶେସେତ୍ ଙ୍କୁ "ମହିଳା ଚିକିତ୍ସକ ମାନଙ୍କର ତଦାରଖକାରୀ" ବୋଲି ଉଲ୍ଲେଖ କରାଯାଇଅଛି । ତେଣୁ ସେ ସମୟରେ ମହିଳା ଚିକିତ୍ସକ ମାନେ କେବଳ ଆକସ୍ମିକ ଭାବରେ କେତେବେଳେ କେଉଁଠି କାମ କରୁଥିଲେ ବୋଲି ଭାବିବା ଠିକ୍ ହେବନାହିଁ । ପେଶେସେତ୍ ଜଣେ ମହିଳା ଚିକିତ୍ସକ ଥିବା ସହିତ ଅନ୍ୟାନ୍ୟ ମହିଳା ଚିକିତ୍ସକଙ୍କୁ ତାଲିମ ଓ ସେମାନଙ୍କର ସ୍ୱାସ୍ଥ୍ୟ ସେବା ସଂପର୍କୀୟ ପରିଚାଳନା ପ୍ରତି ଦୃଷ୍ଟି ଦେଇଥିଲେ । ସେତେବେଳେ ମିଶରରେ ପ୍ରତ୍ୟେକ ମଂଦିର ସହ "ପର୍ ଆଙ୍ଖ୍ "ବା "ଜୀବନ ଗୃହ" ସଂଲଗ୍ନ ଥିଲା । ଏହି "ଜୀବନ ଗୃହ" ବା "ପର୍ ଆଙ୍ଖ୍" ମାନେ ହେଉଛନ୍ତି ଶିକ୍ଷାଦାନ କେନ୍ଦ୍ର ଓ ଚିକିତ୍ସାଳୟ ।

ମେରିତ୍ ପତାହ୍ ଓ ପେଶେସେତ୍ ଙ୍କ ସଂପର୍କରେ ସବିଶେଷ ବିବରଣୀ ପୁନର୍ଗଠନ କରିବା ନିହାତି କଷ୍ଟକର । କିନ୍ତୁ ଏତିକି କୁହାଯାଇ ପାରେ ଯେ ମିଶରର ଆଦ୍ୟକାଳରେ ନାରୀ ଚିକିତ୍ସକଙ୍କ ସ୍ଥାନ ଅତ୍ୟନ୍ତ ସମ୍ମାନ ଜନକ ଥିଲା ।

କିନ୍ତୁ ପରେ ନାରୀ ମାନଙ୍କର ଭୂମିକାକୁ ଇତିହାସର ପରବର୍ତ୍ତୀ ପର୍ଯ୍ୟାୟରେ ସେତେ ସ୍ୱୀକୃତି ଦିଆଗଲା ନାହିଁ । ଏ ବିଷୟରେ ଆଲୋଚନା ପରେ କେବେ ।

ଯାଦୁ, ଧର୍ମ ଓ ତଥ୍ୟାତ୍ମକ ବିଜ୍ଞାନର ଏକ ମିଶ୍ରିତ ରୂପ ଥିଲା ପ୍ରାଚୀନ ମିଶରର ଚିକିତ୍ସା ପଦ୍ଧତି । ଅସୁଖ ଭୋଗୁଥିବା ସେତେବେଳର ମିଶରର ଲୋକଟି ଅସୁଖରୁ ମୁକ୍ତି ପାଇବା ପାଇଁ ଜଣେ ଚିକିତ୍ସକ (ଯାହାକୁ ସେତେବେଳେ ସନ୍ୱ ବା swnw କୁହାଯାଉଥିଲା) ପାଖକୁ ଯାଉଥିଲା, ଅବା ଜଣେ ଯାଦୁକର ପାଖକୁ ଯାଉଥିଲା ବା ସେଖମେତ୍ ଓ ସେରକେତ୍ ବୋଲି ଦୁଇଜଣ ଦେବୀଙ୍କର ପୂଜକ ପାଖକୁ ଯାଉଥିଲା । ଏଇ ତିନିଜଣ ସେତେବେଳେ ଅସୁଖରୁ ମୁକ୍ତି ଦେବାକୁ ସକ୍ଷମ ବୋଲି ଲୋକଙ୍କର ଧାରଣା ଥିଲା । ଲୋକେ ଏହି ତିନୋଟି ବିକଳ୍ପରୁ ଯେଉଁଟି ସେମାନଙ୍କ ନିକଟରେ ସହଜରେ ଉପଲବ୍ଧ ସେହି ବିକଳ୍ପଟିକୁ ଗ୍ରହଣ କରୁଥିଲେ । ଅନେକ ସମୟରେ ଚିକିତ୍ସକଟି ଏକସମୟରେ ପୁରୋହିତ ଓ ଚିକିତ୍ସକ ଥିଲା । ସେ ଔଷଧ, ମନ୍ତ୍ରୋଚ୍ଚାରଣ ଓ ପ୍ରାର୍ଥନା ସବୁକୁ ମିଶାଇ ଲୋକର ଉପଚାର କରୁଥିଲା ।

ମିଶରର ଚିକିତ୍ସା ବ୍ୟବସ୍ଥା ହେଉଛି ପୃଥିବୀର ସର୍ବପ୍ରଥମ ଚିକିତ୍ସା ବ୍ୟବସ୍ଥା ଯାହାକୁ ଲିପିବଦ୍ଧ କରାଯାଇଥିଲା । କିନ୍ତୁ ଏହାର ଇତିହାସଟି ଆମର ଅଜଣା ରହିଯାଇଥିଲା ଦୀର୍ଘ ସମୟ । ଊନବିଂଶ ଶତାବ୍ଦୀର ଆଦ୍ୟଭାଗରେ ମିଶରର ଚିତ୍ରାକ୍ଷର ବା ହାଇରୋଗ୍ଲାଫ୍ ମାନଙ୍କର ପାଠୋଦ୍ଧାର ସଂଭବ ହେଲା ପରେ ଏଇ ଚିକିତ୍ସାପଦ୍ଧତି ବିଷୟରେ ଆମେ ଜାଣିବାକୁ ପାଇଲୁ । ତାହାପରେ ବିଭିନ୍ନ ପାପିରସ୍ ଲେଖନ ଓ କବର ଲେଖନରୁ ଜଣାପଡେ ଯେ ଚିକିତ୍ସକ ମାନଙ୍କର ଅନେକ ପ୍ରକାରର ଅସୁଖ ବିଷୟରେ ଧାରଣା ଥିଲା । ଅସୁଖର ଲକ୍ଷଣ ସଂପର୍କରେ ବର୍ଣ୍ଣନା ସହିତ ଭିନ୍ନଭିନ୍ନ ଲତାଗୁଳ୍ମ, ପଶୁମାନଙ୍କର ଅବଶେଷ ଓ ଖଣିଜ ପଦାର୍ଥ ଆଦିର ଔଷଧୀୟ ଦ୍ରବ୍ୟଗୁଣ ଉପରେ ଅନେକ ଲେଖା ରହିଅଛି । ତାହା ସହିତ ରୋଗୀକୁ ଯେଉଁ ପଥିବିଧାନ କରାଯାଉଥିଲା ତାହା ବେଶ୍ ଦୀର୍ଘ ଥିଲା ଏବଂ ଏ ବିଷୟରେ ଗୁଡିଏ ପାପିରସ୍ ଉପଲବ୍ଧ । ସେହି ପଥିରେ ପରିମାପର କଥା ରହୁଥିଲା । ଚିକିତ୍ସକମାନଙ୍କର ପ୍ରେସକ୍ରିପସନ୍ ରେ ବଟିକା, ମଲମ, ବିଭିନ୍ନ ଔଷଧୀୟ ପାଚନକୁ ଆଘ୍ରାଣ ଓ ଏନିମା ବା ପେଟରୁ ବିଷ୍ଠା ନିଷ୍କାସନର ବିଧାନ ଦିଆଯାଉଥିଲା ।

ଏନିମା ବା ପେଟରୁ ବିଷ୍ଠା ନିଷ୍କାସନରେ ଯେଉଁ ଚିକିତ୍ସକ ଜଣକ ସେତେବେଳେ ପ୍ରସିଦ୍ଧ ଥିଲେ ତାଙ୍କର ନାଆଁ ହେଉଛି ଇରେନାଖତି । ତାଙ୍କର ସମୟ କାଳ ସଂଭବତଃ ଖ୍ରୀପୂ ୨୧୫୦ । ସେ ସମ୍ରାଟଙ୍କ ଚିକିତ୍ସକ ଥିଲେ । ତାଙ୍କୁ "ନେରୁ ପେହୁତ୍" ବୋଲି କୁହାଯାଉଥିଲା ଯାହାର ଅର୍ଥ ହେଉଛି, "ଗୁହ୍ୟ ଦ୍ୱାର ର ରକ୍ଷକ" । କେବଳ ଇରେନାଖତି ନୁହଁନ୍ତି ଆଉ ଜଣେ ଚିକିତ୍ସକ ଥିଲେ ତାଙ୍କର ନାଆଁ ଖୁୟ । ସେ ଗୁହ୍ୟଦ୍ୱାର, ପାଚନକ୍ରିୟା ଓ ଦାନ୍ତର ବିଶେଷଜ୍ଞ ଥିଲେ । ସେତେବେଳେ ଦାନ୍ତଚିକିତ୍ସକଙ୍କର ଭାରି ଗୁରୁତ୍ୱ ଥିଲା ।

ଇତିହାସର ଜନକ ହେରୋଡଟସ୍ ଖ୍ରୀପୂ ୪୪୦ରେ ମିଶର ପରିଭ୍ରମଣ କରିଥିଲେ । ତାଙ୍କ ବିବରଣୀ ଅନୁସାରେ ସେତେବେଳେ ଚିକିତ୍ସକ ମାନେ ଏକ ପ୍ରକାର ବିଶେଷଜ୍ଞ ଥିଲେ । କିଏ ଆଖିର, କିଏ ଦାନ୍ତର, କିଏ ହଜମର, ଏହିଭଳି ।

ମିଶରରେ ସେତେବେଳେ ସଂଭ୍ରାନ୍ତ ଓ ପୁରୋହିତଙ୍କ ସହ ଚିକିତ୍ସକମାନଙ୍କୁ ସମାନ ସମ୍ମାନ ଆଉ ମର୍ଯ୍ୟଦାର ସହ କବର ଦିଆଯାଉଥିଲା । ଏଥିରୁ ଚିକିତ୍ସାବ୍ୟବସ୍ଥା ଓ ଚିକିତ୍ସକର ଗୁରୁତ୍ୱର ଐତିହାସିକ ପୃଷ୍ଠଭୂମିଟି ଦେଖାଯାଇ ପାରେ ।

ଏବେ ଭାରତର ଆଦି ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଦୃଷ୍ଟିପାତ କଲେ ଦେଖିବା ଯେ ଭାରତର ଆଦି ଚିକିତ୍ସାଶାସ୍ତ୍ର ଅର୍ଥାତ୍ ଆୟୁର୍ବେଦର ରଚନା କାଳ ହେଉଛି ଆନୁମାନିକ ୧୦୦୦ ଖ୍ରୀପୂ । ଆୟୁର୍ବେଦ ହେଉଛି ଆମର ଚତୁର୍ବେଦର ଅନ୍ୟତମ ଅଥର୍ବବେଦର ଏକ ଉପବେଦ । ଏଥିରେ ବ୍ୟାଧି ନିରାକରଣର ସମସ୍ତ ଉପଚାର ମାନ ବିଧିବଦ୍ଧ ଭାବରେ ଲିପିବଦ୍ଧ ହୋଇଅଛି । ଏଠାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କୌଣସି ବ୍ୟାଧିର ଲକ୍ଷଣ ମାନକୁ ଆଗ ଟିକିନିଖି କରି ଲେଖି ରଖିବା ଦରକାର । ଯାହାଫଳରେ ଜଣେ ଚିକିତ୍ସକ ତାହାକୁ ଅଧ୍ୟୟନ କରି କୌଣସି ବ୍ୟାଧିର ସ୍ୱରୂପ କେଉଁପରି ତାହା ବିଷୟରେ ଅବଗତ ହୋଇଥାଏ ଏବଂ ପରେ କୌଣସି ବ୍ୟାଧିଗ୍ରସ୍ତଠାରୁ ତାହାର ବ୍ୟାଧିର ଲକ୍ଷଣ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝି ତାହାର ଅଧ୍ୟୟନ ତଥା ବ୍ୟବହାରିକ ଜ୍ଞାନର ଆଧାରରେ ବ୍ୟାଧିକୁ ନିରୂପଣ କରିଥାଏ । ଏବଂ ତାହାପରେ ତାହାର ପ୍ରଚଳିତ ଉପଚାର ମାନଙ୍କୁ ସେ ପ୍ରୟୋଗ କରିଥାଏ । ସେଇଥିପାଇଁ ଚିକିତ୍ସାଶାସ୍ତ୍ରରେ ବ୍ୟାଧି ଓ ତାହାର ସଂଭାବିତ ଉପଚାର ମାନ ଲେଖାଥାଏ ।

ଭାରତରେ ସମାନ ଭାବରେ ଆୟୁର୍ବେଦ ବିକଶିତ ହେବା ପୂର୍ବରୁ ଝଡାଫୁଙ୍କା, ମନ୍ତ୍ର, କିଛି ଜୈବିକ ପଦାର୍ଥର ପ୍ରୟୋଗରେ ବ୍ୟାଧିର ଉପଚାର କରାଯାଉଥିଲା । ଆମେ ଆମର ଜନଜାତି ମାନଙ୍କୁ ଅନୁଧ୍ୟାନ କରି ଚିକିତ୍ସାର ପ୍ରାଚୀନକାଳ କେଉଁଭଳି ଥିଲା ତାହାର ଏକ ସଂଭାବିତ ରୂପରେଖା ନିର୍ଣ୍ଣୟ କରିପାରିବା । ଏଇ ସଂପର୍କରେ କହିବାକୁ ଗଲେ ସଭ୍ୟତାର ଆଦି ପର୍ବରେ ଗ୍ରୀସ୍ ସଭ୍ୟତାରେ ଯେମିତି ବ୍ୟାଧିର ଉପଚାର ହେଉଥିଲା ଠିକ୍ ସେମିତି ସମସ୍ତ ଆଦ୍ୟକାଳର ଚିକିତ୍ସାର ବ୍ୟବସ୍ଥାପନା ସମାନ ରହୁଥିଲା । ଏହା କାହିଁକି ସମାନ ହେବ ତାହାର କାରଣ କହିଲେ, ସବୁ ବିବର୍ତ୍ତନର ଆରମ୍ଭ ବିନ୍ଦୁଟି ଊଣା ଅଧିକେ ସମପର୍ଯ୍ୟାୟବାଚକ ।

ଏଇଠି ଚରକ - ସଂହିତାର ପ୍ରଥମ ଅଧ୍ୟାୟକୁ ଦେଖାଯାଉ । ଏହାକୁ "ସୂତ୍ରସ୍ଥାନମ୍"ବୋଲି କୁହାଯାଇଛି । ଏଇଠି ଆୟୁର୍ବେଦ ମହର୍ଷି ଆତ୍ରେୟଙ୍କ ଦ୍ୱାରା ବିଶ୍ୱର ମଙ୍ଗଳ ପାଇଁ ଉପସ୍ଥାପିତ କରାଯାଇଛି । ଚରକ - ସଂହିତା ଅନୁସାରେ ଆୟୁର୍ବେଦ ବ୍ରହ୍ମାଙ୍କ ଠାରୁ ପ୍ରଜାପତି, ପ୍ରଜାପତିଙ୍କ ଠାରୁ ଅଶ୍ୱିନୀକୁମାର, ଅଶ୍ୱିନୀକୁମାରଙ୍କ ଠାରୁ ଦେବରାଜ ଇନ୍ଦ୍ର, ଇନ୍ଦ୍ରଙ୍କ ଠାରୁ ଋଷି ଭରଦ୍ୱାଜ ଏବଂ ଭରଦ୍ୱାଜଙ୍କ ଠାରୁ ଆତ୍ରେୟଙ୍କ ନିକଟରେ ପହଞ୍ଚିଛି ।

ଚରକ - ସଂହିତାର ଆଦ୍ୟ ଅର୍ଥାତ୍ ସୂତ୍ରସ୍ଥାନମ୍ ର କିଛି ଅଂଶର ଅନୁବାଦ ଏଇଠି ସ୍ଥାନିତ କରାଗଲା:

"ସଂପ୍ରତି ଦୀର୍ଘଜୀବନର ପରିଚ୍ଛେଦମାନଙ୍କୁ ବିସ୍ତାରିତ କରିବାକୁ ସମର୍ଥ ହୁଏ ।୧।

ଯାହା ଭଗବାନ ଆତ୍ରେୟଙ୍କ ଦ୍ୱାରା ଉପସ୍ଥାପିତ ହୋଇଅଛି ।୨।

ଏକଦା ଋଷିଶ୍ରେଷ୍ଠ ଭରଦ୍ୱାଜ ଦେବରାଜ ସମସ୍ତଙ୍କର ରକ୍ଷାକର୍ତ୍ତା ଇନ୍ଦ୍ରଙ୍କ ସମୀପରେ ଉପସ୍ଥିତ ହୋଇ ଦୀର୍ଘଜୀବନ ର ବାଞ୍ଛା କାମନା କଲେ ।୩।

ପ୍ରଥମରେ ବ୍ରହ୍ମାଙ୍କ ନିକଟରୁ ପ୍ରଜାପତି ସଂପୂର୍ଣ୍ଣ ଆୟୁର୍ବେଦକୁ ପ୍ରାପ୍ତ ହୋଇଥିଲେ । ତାହାପରେ ପ୍ରଜାପତିଙ୍କ ନିକଟରୁ ଏହା ଅଶ୍ୱିନୀକୁମାରଙ୍କ ନିକଟକୁ ଏବଂ ଅଶ୍ୱିନୀକୁମାର ଦ୍ୱୟଙ୍କ ନିକଟରୁ ସଂପୂର୍ଣ୍ଣ ଭାବରେ ଆୟୁର୍ବେଦ ଦେବରାଜ ଇନ୍ଦ୍ରଙ୍କ ନିକଟକୁ ଆସିଥିଲା । ସେହି କାରଣରୁ ଋଷିଶ୍ରେଷ୍ଠ ଭରଦ୍ୱାଜ, ଅନ୍ୟ ସମସ୍ତ ଋଷିଙ୍କର ଅନୁରୋଧ କ୍ରମେ ଦେବରାଜ ଇନ୍ଦ୍ରଙ୍କ ନିକଟକୁ ଗମନ କରିଥିଲେ ।୪।୫।

ଯେତେବେଳେ ରୋଗର ପ୍ରାଦୁର୍ଭାବ ଆରମ୍ଭ ହୁଏ ଏହା ପ୍ରାୟଶ୍ଚିତ, ଉପଭୋଗରୁ ନିବୃତି, ଅଧ୍ୟୟନ, ବ୍ରହ୍ମଚର୍ଯ୍ୟ, ଧର୍ମାଚରଣ, ଏବଂ ଜୀବଲୋକର ଜୀବକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି କରେ ଏବଂ ଜୀବଲୋକ ପ୍ରତି ମମତ୍ୱବୋଧର କାରଣରୁ ଋଷିମୁନିଗଣ ହିମାଳୟର ଏକ ପାର୍ଶ୍ୱରେ ଏକ ଶୁଭଦିନରେ ସମବେତ ହୋଇଥିଲେ ।୬।୭।

ସେମାନଙ୍କ ମଧ୍ୟରେ ଅଙ୍ଗିରା, ଯମଦଗ୍ନି, ବିଶିଷ୍ଟ, କାଶ୍ୟପ, ଭୃଗୁ, ଆତ୍ରେୟ, ଗୌତମ, ସାଙ୍ଖ୍ୟ, ପୁଲସ୍ତ୍ୟ, ନାରଦ, ଅସିତ, ଅଗସ୍ତ୍ୟ, ବାମଦେବ, ମାର୍କଣ୍ଡେୟ, ଅଶ୍ୱଲାୟନ, ପାରିକ୍ଷୀ, ଭିକ୍ଷୁ ଆତ୍ରେୟ, ଭରଦ୍ୱାଜ, କପିଞ୍ଜଳ, ବିଶ୍ୱାମିତ୍ର, ଅସ୍ମାରଥ୍ୟ, ଚ୍ୟବନ, ଅଭିଜିତ, ଗାର୍ଗ୍ୟ, ଶାଣ୍ଡିଲ୍ୟ, କୌଣ୍ଡିଲ୍ୟ, ଭାରକ୍ଷୀ, ଦେବାଳା, ଗାଲବ, ବୈଜବ୍ୟାପୀ, କୁଶିକ, ବଦରାୟଣ, ବଦୀଶା, ସାରଲୋମ, କାପ୍ୟ, କାତ୍ୟାୟନ, କାଙ୍କାୟନ, କୈକେଶୀୟ, ଧୌମ୍ୟ, ମାରିଚ, କାଶ୍ୟପ, ଶର୍କରାକ୍ଷ, ହୀରଣ୍ୟାକ୍ଷ, ଲୋକାକ୍ଷ, ସୌନକ, ଶାକୁନେୟ, ମେତ୍ରେୟ, ମୈମତାୟନୀ,

ଏହି ଭଳି ସମସ୍ତ ସଂପ୍ରଦାୟର ମହାତ୍ମା ଋଷିପ୍ରବର ସମୂହ ସେଠାରେ ଉପସ୍ଥିତ ହୋଇଥିଲେ । ସେହି ଋଷି ସକଳ ଅଧ୍ୟାତ୍ମଜ୍ଞାନ, ଆତ୍ମ ସଂଯମ ଏବଂ ମନ ନିୟନ୍ତ୍ରଣ ତଥା ସମସ୍ତ ପ୍ରାୟଶ୍ଚିତ କ୍ରିୟାର ଆଲୋକିତ ଉତ୍ସ ଥିଲେ । ସେମାନେ ଏଠାରେ ଉପସ୍ଥିତ ହୋଇ ଏହି ଶୁଭ ପ୍ରତିବେଦନରେ ଭାଗନେଇଥିଲେ । ୮।୧୪।"

ଏହାପରେ ସମସ୍ତ ଋଷି ତପସ୍ୟାରତ ହେଲେ ଏବଂ ଋଷି ଭରଦ୍ୱାଜଙ୍କୁ ଇନ୍ଦ୍ରଙ୍କ ନିକଟକୁ ପ୍ରେରଣ କରାଗଲା ବ୍ୟାଧିର ନିରାମୟ ତଥା ଦୀର୍ଘ ଜୀବନର ଅସଲ ସୂତ୍ର ସଂପର୍କରେ ସଠିକ ଜ୍ଞାନ ପାଇଁ ।

ସେ ଯାହାହେଉ ମହର୍ଷି ଚରକଙ୍କ ଐତିହାସିକ ସମୟକୁ ଖ୍ରୀପୂ ୭୦୦ ଏବଂ ମହର୍ଷି ଆତ୍ରେୟଙ୍କ ସମୟକୁ ଖ୍ରୀପୂ ୧୦୦୦ ବୋଲି ମନେ କରାଯାଏ । ତେଣୁ ଚରକ - ସଂହିତାର ଉପଚାର ମାନ ଖ୍ରୀପୂ ୧୦୦୦ ପରର ଚିକିତ୍ସାଶାସ୍ତ୍ରର ପ୍ରବନ୍ଧନ ବୋଲି କୁହାଯାଇ ପାରିବ ।

ଚରକ - ସଂହିତାରେ ଦୀର୍ଘ ଜୀବନ ଲାଭ ତଥା ବ୍ୟାଧି ଜଣେ ପୁଣ୍ୟାତ୍ମାର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ବିଘ୍ନିତ କରୁଥିବା କାରଣରୁ ଏହା ଯଥାଶିଘ୍ର ଉପଶମ କରାଯିବା ଆବଶ୍ୟକ ବୋଲି ପ୍ରସ୍ତାବନା-ଲକ୍ଷ୍ୟଟି ରଖାଯାଇଛି ।

ଉପସ୍ଥିତ ଲେଖକକୁ କିନ୍ତୁ ଚରକ - ସଂହିତାର ପ୍ରସ୍ତାବନାରେ ଥିବା ଶ୍ଳୋକ ଟିଏ ଭାରି ଭଲ ଲାଗିଛି । ତାହାକୁ ଅବିକଳ ଆପଣମାନଙ୍କ ପାଇଁ ରଖୁଛି ।

"ବ୍ୟାଧୟୋ ହି ସମୁତ୍ପର୍ଣ୍ଣାଃ ସର୍ବପ୍ରାଣୀ ଭୟଙ୍କରା
ତଦ୍ ବ୍ରୁହି ମେ ଶମୋଦାୟଂ ଯଥାବଦମପ୍ରଭୋ"

ଅର୍ଥାତ୍ ବ୍ୟାଧି ସମସ୍ତ ପ୍ରାଣୀର ଅଭ୍ୟନ୍ତରରେ ଭୟର ସଂଚାର କରିଥାଏ, ତେଣୁ ହେ ପ୍ରଭୁ! ଆପଣ ଏହାର ଉପଯୁକ୍ତ ଉପାୟ ମୋତେ କୁହନ୍ତୁ ।

ତେଣୁ ଆମକୁ ସମସ୍ତ ପ୍ରକାର ବ୍ୟାଧି - ସଂଜାତ ଭୟରୁ ସୁରକ୍ଷିତ କରି ରଖିବାର ଦାୟିତ୍ୱ ରହିଛି କେବଳ ଆମର ଚିକିତ୍ସକ - ପ୍ରଭୂଙ୍କ ହାତରେ ।

ଭୟରୁ ମୁକ୍ତି ହେଉଛି ମଣିଷର ସବୁଠୁ ବଡ ସ୍ୱାଧୀନତା ବୋଲି ମନସ୍ତତ୍ତ୍ୱବିତ୍ ଏରିକ ଫ୍ରମ୍ ତାଙ୍କର "ଏସକେପ୍ ଫ୍ରମ୍ ଫ୍ରିଡମ୍ "ବହିରେ କହିଛନ୍ତି ।