ଫଟୋ - ୱିକି କମନ୍ସ

ଏଇ ଲେଖକର ଦୁଇଟି କଥାକୁ ଭାରି ଭୟ ଆରଂଭରୁ । ସେହି ଭୟ ଏଇ ପରିଣତ ବୟସ ଯାଏଁ ବି ବଳବତ୍ତର ରହିଛି ।

ସେହି ଭୟ ଦୁଇଟି ହେଲା ସାପ ଓ ପୁଲିସ୍ ।

ଯଦିଓ ସାପ ନିହାତି ଶାନ୍ତ ଓ ବୋକା ଜାତୀୟ ଜୀବ ବୋଲି ସ୍ନେକ୍ ହେଲ୍ପଲାଇନ୍ ବାଲା ବୁଝାନ୍ତି, ତଥାପି ଭୟ ଯାଏ ନାହିଁ । ତେଣୁ ଶ୍ରୀଶ୍ରୀ ଶିବ ମହାଶୟ ସାପ ବିଷୟରେ ନିର୍ବିକାର ଆଉ ଉଦାର ହୋଇଥିବାର କାରଣରୁ ତାହାଙ୍କୁ ବ୍ୟକ୍ତିଗତ ଭାବରେ ସର୍ବଦା ଏକ ନିର୍ଭୟ ମହାରାଜ ବୋଲି ମାନିଲେ ହେଁ ଉପସ୍ଥିତ ଲେଖକ ଶିବ ମଂଦିର ଭିତରେ ଯଥେଷ୍ଟ ସତର୍କ ହୋଇ, ଚାରିଆଡକୁ ଦୃଷ୍ଟି ପକାଇ ଚାଲିବାରେ ଅଭ୍ୟସ୍ତ । ଅନ୍ୟ ପକ୍ଷରେ ଯଦି କୌଣସି ପୁଲିସ୍ ଉପସ୍ଥିତ ଲେଖକକୁ ଟିକିଏ ଦୃଢ ଭାବରେ ଚାହିଁବ ତ ତାହାର ଅବସ୍ଥା ତାହା ପରେ ନିହାତି ସଂଗୀନ । ସେତେବେଳେ ମନେହୁଏ ଯେମିତି ଜଣେ ଡାକ୍ତର ପାଖରେ ପହଂଚିଲେ ଡାକ୍ତର ଜଣକ ଆମର ସୌନ୍ଦର୍ଯ୍ୟରେ ବିମୋହିତ ନହୋଇ ଦେଖିପାରେ ଆମ ସୌନ୍ଦର୍ଯ୍ୟ ପଛରେ ଯେଉଁ ଘୁଣଟି ଲାଗିଛି ତାହାର ପ୍ରକାର ଭେଦଟି କେମନ୍ତ, ଠିକ୍ ସେହିଭଳି ପୁଲିସ୍ ଜଣେ କେବଳ ଦେଖିଥାଏ ଆମ ଭିତରର ଅପରାଧ ପ୍ରବୃତ୍ତି ସବୁକୁ । ଏହି ପୃଥିବୀରେ ଆମେ ସମସ୍ତେ ନିଜନିଜର ଦୃଷ୍ଟି - ସ୍ୱାତନ୍ତ୍ର୍ୟ ନେଇ ଆସିଛୁ । କିଏ କ'ଣ କାହିଁକି ଆଉ କେଉଁ ପରି ଦେଖିପାରେ ତାହାର ଯଥାଯଥ ଉତ୍ତର ଖୋଜିବା ଅବାନ୍ତର ହେବ । ଆମେ ହୁଏତ ସେମିତି ଦେଖିବା ପାଇଁ ତାଲିମପ୍ରାପ୍ତ ହୋଇଛୁ ଆମର ଅନ୍ତର୍ନିହିତ ଅବବୋଧର ଉପଜ ହିସାବରେ । ପୁଲିସ୍ ଜଣେ ମୋତେ ବା ଆମକୁ ପ୍ରଥମ ସାକ୍ଷାତରେ ଜଣେ ସଂଭାବିତ ଅପରାଧି ସହ ଯେତେ ସଂଭବ ଦୂରତ୍ୱ ରଖି କଥା କହିପାରେ ସେମିତି ଆଚରଣ କରିବାରେ ଅସ୍ୱାଭାବିକ ବୋଲି କିଛି ନାହିଁ । କିନ୍ତୁ ଜଣେ କବି ଯଦି ପ୍ରଥମ ସାକ୍ଷାତରେ ଏପରି ବ୍ୟବହାର କରେ ତେବେ ତାହା ଅସ୍ୱାଭାବିକ ହେବ, କାରଣ କବି ସୌନ୍ଦର୍ଯ୍ୟ ଓ ପ୍ରତୀକର ପୂଜାରୀ ।

ସେ ଯାହାହେଉ ପୁଲିସ ବା ଥାନାକୁ ଗଲେ ଆମ ଭିତରର ସମସ୍ତ ଗୁପ୍ତ ଅପରାଧୀମାନେ ହୁଏତ ସେମାନଙ୍କର ସାମୂହିକ ସଂତ୍ରସ୍ତପଣକୁ ପ୍ରକାଶ କରୁଥିବାରୁ ଆମକୁ ଭାରି ଡର ମାଡେ । ଲାଗେ ସେମାନେ ଯେମିତି ଆମକୁ କାଫକାଙ୍କ ନାୟକ ଭଳି ଏବେ କେଉଁ ହାଜତରେ ଠୁଙ୍କି ଦେବେ । ଆମର ବୟସ, ପାଣ୍ଡିତ୍ୟ, ଅହଂକାର, ସମ୍ମାନବୋଧ ଓ ସମସ୍ତ ଅର୍ଜନ ସେମାନଙ୍କ ଆଗରେ ତୁଚ୍ଛ । ସେମାନେ ଚାହିଁଲେ ଆମକୁ ଯେକୌଣସି ଶ୍ରାବ୍ୟ ଅଶ୍ରାବ୍ୟ ଭାଷାରେ ଗାଳି ଦେଇ ପାରନ୍ତି । ହଠାତ୍ ଠାସ୍ କରି ଆମ ଗାଲରେ ଚାପୁଡାଏ କଷି ଦେଇ ପାରନ୍ତି । ଆମର କିଛି କରିବାର ନାହିଁ । ଆମର କିଛି ପ୍ରତିବାଦ ନାହିଁ । ଆମେ ସାଧାରଣ ଲୋକେ ଯେଉଁଠି କିଛି ଅସଂଜତ ବଳ ପ୍ରୟୋଗ କରିବା ତାହା ଏକ ଅପକର୍ମ ବୋଲି ସ୍ୱତଃସିଦ୍ଧ କିନ୍ତୁ ଅପରପକ୍ଷରେ ପୁଲିସ୍ ଯଦି ସେପରି କିଛି କରେ ତେବେ ତାହା ସଂପୂର୍ଣ୍ଣ ବୈଧ ଏବଂ ତାହା ପଛରେ ଜନଗଣର ଆଇନର ଶାସନକୁ ନିରଙ୍କୁଶ କରି ରଖିବାର ଔଚିତ୍ୟାର୍ଥର ସରକାରୀ ମୋହର ରହିଥାଏ । ତେଣୁ ଏଥିରେ ଅସଲ କଥାଟି ହେଉଛି ସଂଜତ ବଳ ଓ ଅସଂଜତ ବଳ ଏଇ ଦୁଇଟିର ପରିପ୍ରେକ୍ଷ୍ୟଟିକୁ ଆମେ କେଉଁ ସ୍ଥାନରେ ଛିଡା ହୋଇ ଦେଖୁଛୁ, ତାହା ଉପରେ ହିଁ ସବୁ ନିର୍ଭର କରୁଛି ।

ନିଜର ଅସହାୟତାକୁ ପରଖି ନେବାକୁ ହେଲେ ଜଣେ ବିନା କାରଣରେ କୌଣସି ଥାନାରେ ପହଂଚି କିଛି ସମୟ ବିତାଇବା ଦରକାର । ନିଜର ଅସହାୟତାକୁ ବୁଝିଲେ ନିଜ ଅହଂକାରର ଗଜରାଜ ଉପରେ ଟିକିଏ ଅଂକୁଶ ଲାଗେ ।

ଥରେ ଏଇ ଲେଖକକୁ ସସ୍ତ୍ରୀକ ଏଠିକାର ଗୋଟିଏ ଥାନାକୁ ଯିବାକୁ ପଡିଥିଲା । ହାସପାତାଳ ଆଉ ଥାନା, ଏଇ ଦୁଇଟି ସ୍ଥାନ କେବେ କାହାର ପର୍ଯ୍ୟଟନସ୍ଥଳୀ ନୁହଁ । ଭଗବାନଙ୍କ ପରମ କରୁଣା ଯେ ସେମିତି ଥାନାଯୋଗ୍ୟ କୌଣସି କାରଣ ଯୋଗୁ ଆମକୁ ସେହି ଥାନାର ପରିସରକୁ ଯିବାକୁ ପଡିନଥିଲା । ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଦସ୍ତାବେଜଟି କେଉଁଠାରେ ହଜିଯାଇଥିବା କାରଣରୁ ଆମକୁ ଏକ ଏଫ୍ . ଆଇ. ଆର୍ ବା ପ୍ରାଥମିକ ରିପୋର୍ଟ ଆମେ ଯେଉଁ ଥାନାର ବାସିନ୍ଦା ସେଠାରେ ଦେବାକୁ ପଡିବ । ସେଇ କାରଣରୁ ଆମର ଥିଲା ସେହି ସସ୍ତ୍ରୀକ ଥାନାଯାତ୍ରା ।

ଥାନାକୁ ଗଲେ ଆଗରୁ କହିଲା ଭଳି ଆମ ଭିତରର ଗୁପ୍ତ ଅଧିବାସୀମାନେ ତଥା କେଉଁକାଳର ଅପରାଧିମାନେ ଯେମିତି ଏଇଲେ ପ୍ରକାଶ୍ୟରେ ଧରା ପଡିଯିବେ ସେମିତି ଆଚରଣରେ ହଠାତ୍ ଆମକୁ ବିବ୍ରତ କରିପକାନ୍ତି ।

ଆମେ ଯେଉଁ ଥାନାକୁ ଯାଇଥିଲୁ ସେଇଠି ଗୋଟିଏ ସୁନ୍ଦର ପ୍ରତୀକ୍ଷାଳୟ ରହିଛି । ଆମେ ତାହା ଭିତରକୁ ଯାଇନାହୁଁ । ଥାନାରେ ଥିବା ଏଇ ସୁନ୍ଦର ପ୍ରତୀକ୍ଷାଳୟ ଆଉ ତାହାର ସଂଭାବିତ ଅପେକ୍ଷାର୍ଥୀ ମାନଙ୍କୁ ନେଇ ଏକ ସୁବୃହତ କାହାଣୀ ଲେଖାଯାଇପାରେ । ହଠାତ୍ କିଛି ବୈଚିତ୍ର୍ୟର ଭୁରୁଭୁରୁ ବାସ୍ନା ଉପସ୍ଥିତ ଲେଖକର ନାକରେ ବାଜିଲା । ଚରିତ୍ରମାନେ ଶୂନ୍ୟରେ ଆତଯାତ କଲେ । ସେମାନଙ୍କୁ ଧରିରଖିବାର ସମୟ କିନ୍ତୁ ଏଇଟି ନୁହଁ । ଲେଖକ ଜଣକ ସେତେବେଳେ ଭୟରେ ଓଦା ।

ଏଇ ପ୍ରତୀକ୍ଷାଳୟ ଭିତରେ ଆଉ କ'ଣ କିଛି ଥିବ ଜଣାନାହିଁ କିନ୍ତୁ ପିଇବା ପାଣିର ସୁବନ୍ଦୋବସ୍ତ ଥାଇ ପାରେ । ସେଇଠେ ପାଂଚ/ଛଅ ବର୍ଷର ଶିଶୁଟି ଗୋଟିଏ ହାତରେ "କୁରକୁରେ" ଧରି ଆଉ ଆର ହାତରେ ଡିସପୋଜେଲ୍ ଗ୍ଲାସ୍ ରେ ପାଣି ପିଉଛି ତାହା ପଛରେ ଠିଆ ହୋଇଛି ତାହାର ମାଆ କାଖରେ ଆଉ ଗୋଟିଏ ଶିଶୁ ଆଉ ତାହାର ଆଖି ଦୁଇଟିରେ ଢେର୍ ଫାଙ୍କାପଣ । ସେମାନଙ୍କର ଅପରାଧି ବାପାଟି, ସ୍ୱାମୀଟି ଥାନା ଭିତରେ ଅଛି । ହୁଏତ ଗଲାକାଲି ରାତିରେ କେଉଁଠି କାହାର ସୁନାଚେନ୍ ଛିଣ୍ଡାଇ ନେଇଥିବା ଅଭିଯୋଗରେ ତାହାକୁ ଅଟକ କରିରଖାଯାଇଛି । କିଏ ଜାଣେ ସେଇ ସୁନାଚେନ୍ ଛିଣ୍ଡା ଘଟଣା ଲଂବି ଲଂବି ଯାଇପାରେ ଚୋରାବଂଧୁକ ଚାଲାଣରେ । ଥାନା ଭିତରୁ ଜଣକୁ ଆଘାତ କରିବାର ଯେଉଁ ଶବ୍ଦ ପରିଷ୍କାର ଶୁଭୁଛି ଆଉ ତାହାପରେ ଯେଉଁ ବୟସ୍କ କାନ୍ଦଣା ଶୁଭୁଛି ତାହା କ'ଣ ଏଇ ଚରିତ୍ର ମାନଙ୍କର ଅତି ଆପଣାର ସ୍ୱର ?

ବୟସ୍କର କାନ୍ଦଣାର ଶବ୍ଦ ଭାରି କରୁଣ । ଅପରାଧ ଆଉ ସଂପର୍କର ଦ୍ୱନ୍ଦ୍ୱରେ ସନ୍ତୁଳି ହେଲା ଏ ଲେଖକ ।

ପିଲାଟି ତାହାର ମାଆକୁ ପଚାରୁଥାଏ, ପାପା ଏତେ କାନ୍ଦୁଛି କାହିଁକି ?

ସେ ନିଜେତ ତାହାର ସ୍ୱାମୀର କାନ୍ଦଣା କେବେ ଶୁଣିନି ଜୀବନରେ । ପୁରୁଷ ପୁଅ କେବଳ କାନ୍ଦଣା ହିଁ ଦେଇପାରେ । ସେ ତଥାପି ନିଶ୍ଚିତ ନୁହଁ, କହିଲା, ନା ତୋ ପାପା କାନ୍ଦିବ କାହିଁକି ? ଆଉ ଟିକିଏ ପରେ ତା'କୁ ଛାଡିଦେବେ, ଥାନାବାବୁ କହିଛି ।ପାଉଡର୍ ତ ତାକୁ ସାରିଲା !

ପିଲାଟି କହିଲା,ଏଇ କୁରକୁରେ ରେ କ'ଣ ପାଉଡର୍ ଅଛି ? କହ ?

ଥାନା ଭିତରୁ କେଉଁ ଗୁପ୍ତ କୋଠରୀରୁ କାନ୍ଦଣାମାନ ଆସୁଥାଏ । କିଛି କିଛି ବିରତିରେ ଭିନ୍ନ ଭିନ୍ନ କାନ୍ଦଣା । ସେଇ କାନ୍ଦଣାରେ ଆମର ପ୍ରବଳ ଅଶ୍ୱସ୍ତି ଓ ଆମ ଭିତରର ଅପରାଧି ମାନଙ୍କର ସମ୍ମିଳିତ ନୀରବତାର ସଂତ୍ରାସ ।

ଆମେ ଥାନା ଭିତରେ ନୈର୍ବ୍ୟକ୍ତିକତାର ରାଜୁତି ଦେଖିଲୁ ।

ପତ୍ନୀ ଯେତେବେଳେ ଥାନାଧିକାରୀଙ୍କ ସାମ୍ନାରେ ସେହି ଦଲିଲ ହଜିବାର କଥାକୁ ଆବଶ୍ୟକତା ଠାରୁ ଅଧିକ ବର୍ଣ୍ଣନା କରିବାକୁ ଲାଗିଲେ ମୋର ମନେ ହେଲା ଏଠାରେ କେହି ଅଧିକା କଥା କହିବାରେ ଅଭ୍ୟସ୍ତ ନୁହଁନ୍ତି । ମୁଁ ଥାନାଧିକାରୀଙ୍କ କୋଠରୀର କାନ୍ଥକୁ ଦେଖୁଥାଏ ।

କାନ୍ଥରେ ଗାନ୍ଧୀ ଅଛନ୍ତି । ମୁଁ କିନ୍ତୁ ଖୋଜୁଥାଏ କାନ୍ଥରୁ ବେତ, ଛାଟ କି ପୁରୀ ସମୁଦ୍ରକୂଳର ଶାଙ୍କୁଚର ଚାବୁକ ଭଳି ସତ ଆଦାୟ କରିବାର କିଛି ଅବ୍ୟର୍ଥ ମହୌଷଧି । କାନ୍ଥରେ ସେପରି କିଛି ନଥିଲା । ମୋର ମନକୁ ଆସିଲା ଥାନାଧିକାରୀଙ୍କ ଆଖପାଖରେ କେଉଁଠି ଗୋଟିଏ ଗୃହ ରହିଛି ଯେଉଁଟି ପୃଥିବୀର ଏକମାତ୍ର ଗୃହ ଯେଉଁଠାରେ ସତ୍ୟ ପ୍ରସବ କରାଯାଏ ।

ସେହି ସତ୍ୟପ୍ରସବିନୀ ଗୃହକୁ କେବେହେଲେ ଦେଖିବାରେ ଆମ ମାନଙ୍କର କେବେ ବି ସାମାନ୍ୟତମ ଆଗ୍ରହ ନଥିବ ।

ଚାକିରୀରୁ ଅବସର ନେଲାପରେ ଜଣେ ପ୍ରବୀଣ ବଂଧୁ ଯିଏକି ଢେର୍ ଆଗରୁ ଅବସର ନେଇଛନ୍ତି, କହିଥିଲେ, ଆପଣଙ୍କ ହ୍ୱାଟସ୍ଆପ୍ ନଂବରଟା ଦେବେ । ଆଉ କିଛି ନୁହଁ ଆମର ଏଣିକି ଏହା ବେଶି ଦରକାର । ବିଶେଷତଃ ହସପିଟାଲ୍ ଆଉ ଥାନା ପାଇଁ । ଖବର ପାଇଲେ ତ ଆପଣ ଟିକିଏ ପହଂଚି ଆମର ବେଲ୍ ଆଦିର ବ୍ୟବସ୍ଥା ତୁରନ୍ତ କରିପାରିବେ ? ଆଜିକାଲି କିଏ ଜାଣେ କାହା କପାଳରେ ବଧୂ ନିର୍ଯ୍ୟାତନାରେ ଝାରପଡା ଯୋଗ ରହିଛି ?

ବଂଧୁ ଅତ୍ୟନ୍ତ ପରିହାସପ୍ରିୟ । ଏବେ ରିତିମତ ଗୁଡମର୍ନିଂ, ଗୁଡ୍ ଇଭିନିଂ, ହିନ୍ଦୁ ହୃଦୟସମ୍ରାଟଙ୍କ ଭଳି ଛବିଳ ବାର୍ତ୍ତା ଓ ପୁଅ - ବୋହୁ - ନାତିଙ୍କ ସହ ଇଉରୋପ୍ ଭ୍ରମଣର ରଂଗିନ୍ ଫଟୋ ମାନ ନିୟମିତ ପଠାଉଛନ୍ତି । କିନ୍ତୁ ବଂଧୁଙ୍କର ସେଦିନର କଥା ଆଜିବି ମନେପଡିଲେ ମେରୁଦଣ୍ଡରେ ହେମାଳ ପବନ ଶିରିଶିରି କରେ ।

ଥାନାରୁ ଫେରିବା ବେଳେ ସେହି ପ୍ରତୀକ୍ଷାଳୟକୁ ଦୃଷ୍ଟି ପକାଇଥିଲି । ହୁଏତ ଥାନାର ଏହି ପ୍ରତୀକ୍ଷାଳୟଟି ପୃଥିବୀର ଏକମାତ୍ର ପ୍ରତୀକ୍ଷାଳୟ ହେବ ଯେଉଁଠି କେହିକେବେ ଭିତରେ ଆରାମରେ ଚେୟାର୍ ଗୁଡିକରେ ବସିପାରିବେ ନାହିଁ । ସମସ୍ତେ ଆସି ତାହାର ଦୁଆର ବାହାରେ ଛିଡା ହୋଇଥିବେ ଆକୁଳ ଅପେକ୍ଷାରେ । ଥାନା ଭିତରୁ ସେମାନଙ୍କ ପ୍ରିୟଜନକୁ ଥାନାବାବୁ ହଠାତ୍ ଯେକୌଣସି ମୁହୂର୍ତ୍ତରେ କହିପାରନ୍ତି, ଯା, ଏମିତି କରିବୁ ନାହିଁ, ଯା ।

ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀରେ ଗୋଟିଏ ବହି "ଦି ହୋଲି ଇନକ୍ୟୁଜିସନ୍" ଦ୍ୱାରା ପ୍ରକାଶିତ ହୋଇଥିଲା ଯାହାର ନାଆଁ "ଡିରେକ୍ଟୋରିଅମ୍ ଇନକ୍ୟୁଜିଟୋରିଅମ୍" । ଏହି ବହିରେ ସର୍ବ ପ୍ରଥମେ ଶାସନ ସମ୍ମତ ନିର୍ଯ୍ୟାତନାର ନିୟମାବଳୀ ଲିପିବଦ୍ଧ ହୋଇଥିଲା । ଏଥିରେ ପ୍ରମୁଖ ଥିଲା:

ଯେଉଁ ଅପରାଧୀ ତାହାର ନିଜର ପ୍ରତିକ୍ରିୟା ପାଇଁ ଦ୍ୱିଧାଗ୍ରସ୍ତ ହେବ ତାହାକୁ ନିର୍ଯ୍ୟାତନା ଦେବା ଉଚିତ୍ । ଏଥିରୁ ସ୍ପଷ୍ଟ ଯେ ଜଣେ ଅପରାଧିର ମୌଳିକ ମାନବିକ ସଂଭ୍ରମତା ଓ ମାନବିକ ଅଧିକାର ନାହିଁ।ଅପରାଧ ଯୋଗୁ ସେ ଏହା ହରାଇ ବସିବାକୁ ବାଧ୍ୟ ।

ସାଧାରଣତଃ ଦେଖିବାକୁ ଗଲେ ଜଣେ ଅପରାଧି, ତାହା ଉପରେ ଆରୋପିତ ଅପରାଧର ମାତ୍ରା ଓ ଅପରାଧ ଆରୋପକାରୀ ସଂସ୍ଥା,ଏ ଇ ତିନୋଟି ଏକକ କୌଣସି ଅପରାଧର ବିଚାରଗତ ପକ୍ଷକୁ ପ୍ରତିନିଧିତ୍ୱ କରିଥାଆନ୍ତି । ଯେହେତୁ ଏଇ ତିନୋଟି ଏକକର ପରସ୍ପର ଭିତରେ ବିରୋଧ ଓ ମତରେ ଅମେଳ ରହିଥାଏ, ସେହି କାରଣରୁ ସମସ୍ତ ଅପରାଧ ଉପରେ ପ୍ରଶ୍ନଚିହ୍ନ ଲାଗିବା ଏକ ସ୍ୱାଭାବିକ ଘଟଣା । ସେହି ପ୍ରଶ୍ନଚିହ୍ନଟି କେତେବେଳେ ଖୁବ୍ ବଡ ତ ଆଉ କେତେବେଳେ ଖୁବ ଛୋଟ । ଏହା ଛଡା କେତେକ ଅପରାଧ ପ୍ରତି ଏକ ଦାର୍ଶନିକସୁଲଭ ଦୃଷ୍ଟି ପୋଷଣ କରିଥାନ୍ତି । ସେହି ପ୍ରକାର ଦାର୍ଶନିକ ଦୃଷ୍ଟିର ମଣିଷ ମାନେ ଅପରାଧର କୌଣସି ବିଚାରଗତପକ୍ଷର ଅଂଶୀଦାର ନୁହଁନ୍ତି । ସେମାନେ ସମାଜଚିନ୍ତକ।ସାମାଜିକ ବିବର୍ତ୍ତନରେ ବିଶ୍ୱାସୀ ।ସେମାନଙ୍କ ଦୃଷ୍ଟିରେ ମଣିଷ, କେବଳ ମଣିଷ, ଏକ ସହଜାତ ଅପରାଧବୋଧ ସହ ବସବାସ କରିବା ହେଉଛି ବିଧିନିର୍ଦ୍ଦିଷ୍ଟ । କାରଣ ମଣିଷ ଭଗବାନଙ୍କ ପରିକଳ୍ପନାକୁ ବାସ୍ତବାୟିତ କରିବା ପାଇଁ ଅସମର୍ଥ ହୁଏ । ଏହି ପ୍ରକାର ବିଫଳତାରୁ ମଣିଷର ଅପରାଧବୋଧଟିର ଜନ୍ମ ଏବଂ ଏହା ମଣିଷର ଶେଷଯାଏଁ ତାହା ସହିତ ଥାଏ । ତାହା ସହିତ ଆମେ ଯେଉଁ ଧର୍ମରେ ବିଶ୍ୱାସ ରଖୁ ତାହାର ପ୍ରଚଳିତ ଧାର୍ମିକ ବିଧାନମାନ ଆମର ବ୍ୟକ୍ତିସତ୍ତାକୁ ସଂକୁଚିତ କରୁଥିବା କାରଣରୁ ବେଳେବେଳେ ଆମେ ବିଦ୍ରୋହୀ ହୋଇପଡୁ ଆଉ ସେହି ପ୍ରକାର ବିଦ୍ରୋହରୁ ଆଉ ଯାହାକିଛି ହେଉନା କାହିଁକି ଆମଭିତରେ ଧର୍ମଦ୍ରୋହଜନୀତ ଅପରାଧବୋଧ କିଛିମାତ୍ରାରେ ତିଆରି ହୋଇଯାଇଥାଏ ।

ଅପରାଧବୋଧର ଉପଜ ହେଉଛି ପାପବୋଧ । ତେଣୁ ଆମେ ସମସ୍ତେ ପାପୀ । ଅପରାଧି ।

ଜଣେ ଅପରାଧି ତାହାର ଅପରାଧର ମାତ୍ରା ଅନୁସାରେ ଶାରୀରିକ ନିର୍ଯ୍ୟାତନା ଅର୍ଜନ କରିଥାଏ । ତାହାର ବିସ୍ତୃତ ବିବରଣୀ ଆଉ କେବେ । ଅପରାଧିକୁ ଶାରୀରିକ ନିର୍ଯ୍ୟାତନା ଦେବା ଦ୍ୱାରା ଆଉ ସେଇ ନିର୍ଯ୍ୟାତନାର ଯନ୍ତ୍ରଣାର କଥା ପ୍ରଚାର ଦ୍ୱାରା ମଣିଷ ଭିତରର ସାଧାରଣ ଅପରାଧବୃତ୍ତିକୁ ଶାସନକଳ ନିୟନ୍ତ୍ରଣରେ ରଖିପାରିଥାଏ । ଇତିହାସରେ ସେଇଥିପାଇଁ ବିଶେଷତଃ ରାଜଦ୍ରୋହ ଓ ଧର୍ମଦ୍ରୋହକୁ ପରାହତ କରିବା ପାଇଁ ନିର୍ଯ୍ୟାତନାକୁ ମାତ୍ରାଧିକ କରାଯାଏ ଓ ଜନସମକ୍ଷରେ ଯେତେ ଅଧିକ ଏହି ନିର୍ଯ୍ୟାତନାର କାହାଣୀ ବିଜ୍ଞାପିତ ହୋଇପାରିବ ସେତେ ପ୍ରଚେଷ୍ଟା କରାଯାଏ । ତାହା ଫଳରେ ରାଜା ଓ ଧର୍ମଗୁରୁ ମାନେ ସୁରକ୍ଷିତ ହୋଇ ରହିପାରିବେ । ଏହି ପ୍ରକାର ଶାସକୀୟ ନିର୍ଯ୍ୟାତନାରେ ଆମେ ଅନେକ ସମୟରେ ଗୋଟିଏ ଶାସକର ବିକାରଗ୍ରସ୍ତ ଦୁଷ୍କୃତିର ପ୍ରୟୋଗ ଦେଖିଥାଉ । ଅପରାଧିର ସଂଭାବ୍ୟ ନିର୍ଯ୍ୟାତନାର ସ୍ୱରୂପ କିପରି ହେବ ସେଥିପାଇଁ ଜଣେ ଜଣେ ସ୍ୱୈରାଚାରୀ ରାଜା ଯେପରି ବିକାରଗ୍ରସ୍ତ କଳ୍ପନାର ଉପଯୋଗ କରିଆସିଛନ୍ତି ତାହା ଆଜି ପଢିଲେ ଆପଣଙ୍କ ସାରା ଶରୀର ଘୃଣାରେ କଂପି ଉଠିବ । ଫ୍ରାନ୍ସର ସମ୍ରାଟ ପଂଚଦଶ ଲୁଇ ଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣେ ଅପରାଧିକୁ ଯେଉଁ ନିର୍ଯ୍ୟାତନା ସହ ପୋଡିମାରିବାର ବିଧାନ କରାଯାଇଥିଲା ତାହାର ଏକ ସବିଶେଷ ବର୍ଣ୍ଣନା ବିଶିଷ୍ଟ ଚିନ୍ତାନାୟକ ମିଶେଲ୍ ଫୁକୋ ତାଙ୍କର "ନିର୍ଯ୍ୟାତନା ଓ ଶାସ୍ତି" ପୁସ୍ତକର ପ୍ରଥମରେ କରିଛନ୍ତି । ଏହି ଅଂଶଟିକୁ ସ୍ଥିର ଭାବରେ ପଢିପାରିବା କଷ୍ଟକର । ଗୋଟିଏ ମଣିଷ ଶରୀର ଉପରେ ଦଳେ ମଣିଷ କେତେ ନୃଶଂସ ହୋଇ ପାରିବେ ତାହାର ଜ୍ୱଳନ୍ତ ଆଲେଖ୍ୟଟିଏ ସେଥିରେ ରହିଛି । ସେ ଯାହାହେଉ ପୃଥିବୀରେ ସ୍ୱୈରତନ୍ତ୍ର ର ସମାପନ ପରେ ଆଇନର ଶାସନରେ ଏହି ଅପରାଧିର ଶାରୀରିକ ନିର୍ଯ୍ୟାତନା ଅନେକ ପରିମାଣରେ ନିୟନ୍ତ୍ରିତ ହୋଇ ରହିପାରିଛି ।

ରାଜଦ୍ରୋହ, ଧର୍ମଦ୍ରୋହ ଓ ମାନବିକ ଅପରାଧ ଜନିତ ନିର୍ଯ୍ୟାତନାକୁ ବାଦ ଦେଲେ ଦେଖିବା ଆଉ ଗୋଟିଏ କାର୍ଯ୍ୟରେ ନିର୍ଯ୍ୟାତନା ଏବେ ବି ଅନିୟନ୍ତ୍ରୀତ । ତାହା ହେଉଛି ସୂଚନା ଆଦାୟର କ୍ଷେତ୍ରରେ । ଆବହମାନ କାଳରୁ ରାଜଦ୍ରୋହ କି ଧର୍ମଦ୍ରୋହ କି ଅପରାଧ ସେଇ ସମସ୍ତ କ୍ଷେତ୍ରରେ ସଠିକ ସୂଚନା ଆଦାୟ କରିବା ପାଇଁ ଚରିତ୍ରଟି ଅପରାଧି ହେଉ କି ଅପରାଧି ହୋଇନଥାଉ ସମସ୍ତଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥାଏ । (ସେ ଦୃଷ୍ଟିରୁ ଆମର ଥାନା ମାନେ କେବଳ ସତ୍ୟପ୍ରସବକାରୀ କେନ୍ଦ୍ର ନୁହଁନ୍ତି ସେମାନେ ମଧ୍ୟ ସୂଚନା ସଂଗ୍ରହକାରୀ କେନ୍ଦ୍ର !) ସୂଚନା ଆଦାୟ ପାଇଁ ଆମେ ଯେଉଁ ନିର୍ଯ୍ୟାତନା ଦେଇଥାଉ ସେତେବେଳେ ଆମେ ଭାରି ନିର୍ମମ । ସୂଚନାର ତଥ୍ୟଟିର ଗୁରୁତ୍ୱ ଅନୁସାରେ ଆମର ନିର୍ଯ୍ୟାତନାର ମାତ୍ରା।ସେହି ନିର୍ଯ୍ୟାତନା ରେ ଆସେ ଧର୍ଷଣ, ପାଦକୁ ଆଘାତ, ମୁହଁ କୁ ପାଣି ଢାଳି ଢାଳି ଆକ୍ତାମାକ୍ତା କରିବା, ଯାହାର ଆଧୁନିକ ପରିଭାଷା ହେଉଛି ୱାଟର୍ ବୋର୍ଡିଙ୍ଗ୍ (ଏହି ୱାଟର୍ ବୋର୍ଡିଙ୍ଗ୍ କୁ ଏବେ ସବୁଠାରୁ ଯନ୍ତ୍ରଣାକ୍ତ ନିର୍ଯ୍ୟାତନା ବୋଲି ବିଶ୍ୱରେ କୁହାଯାଉଛି), ଚେଙ୍କ, ଅତ୍ୟଧିକ ଉତ୍ତାପ, ଆଲୋକ, ଖୁବ୍ ଜୋର୍ ମ୍ୟୁଜିକ, ଇଲେକ୍ଟ୍ରିକ ସକ୍, ନିଦ୍ରାହୀନତା ଓ ମାଡ ।

ଶାରୀରିକ ନିର୍ଯ୍ୟାତନା ଆମ ଭିତରେ ଭୟ ସୃଷ୍ଟି କରେ ଆଉ ସେହି ଭୟ ଆମକୁ ନୀରବରେ ବଂଚି ରହିବାକୁ ଶିଖାଏ । ଖାଲି ନୀରବରେ ବଂଚି ରହିବା ନୁହଁ ଅନେକ ସମୟରେ ମିଛ କହି ସୁରୁଖୁରୁରେ ସବୁ ହଲିଲା ପାଣିଠୁ ନିଜ ଗୋଡମାନଙ୍କୁ ଦୂରରେ ରଖିପାରିବା କଥାଟି ବି ଶିଖାଏ ।

ଆମେ ସେଇଥିପାଇଁ ପାଟିରେ କୋଲପ ଦେଇଥାଉ । ଆଉ ଯଦି ପାଟି ଖୋଲିଲୁ ତେବେ ମିଛ କହୁ ।

ସେଦିନ ଥାନାରୁ ଫେରିବା ବେଳେ ଏହି ଲେଖକର ମନେ ପଡୁଥିଲା, ଜେ ବି ପ୍ରିଷ୍ଟଲେଙ୍କ ପ୍ରସିଦ୍ଧ ନାଟକ "ଆନ୍ ଇନ୍ସପେକ୍ଟର କଲସ୍", ଯାହାର ଓଡିଆକରଣ ହେଉଛି ଶ୍ରୀଯୁକ୍ତ ମନୋରଂଜନ ଦାସଙ୍କ ନାଟକ "ସାଗର ମଂଥନ"।

ଥାନାରୁ ନାଟକର ଯେଉଁ ଇନିସପେକ୍ଟର ଚରିତ୍ରଟି ଆସିଥାଏ ସେ ଆମର ସାମୂହିକ ବିବେକକୁ ପ୍ରତିନିଧିତ୍ୱ କରୁଛି । ତେଣୁ ଉପସ୍ଥିତ ଲେଖକ କହିବାକୁ ଗଲେ ନିଜ ଘରକୁ ଫେରିଆସିଥିଲା ସେଦିନ ସାଥିରେ ରହିଥିଲା ପ୍ରଚ୍ଛନ୍ନ ଭାବରେ ଆମର ସାମୁହିକ ବିବେକ ।

ଏଇ ପରିପ୍ରେକ୍ଷୀରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାନବିକ ସଂଭ୍ରମ ଓ ବ୍ୟକ୍ତିଗତ ଅଧିକାର ସହ ବ୍ୟକ୍ତିଗତ ସୁରକ୍ଷା ପାଇଁ ପ୍ରତିବର୍ଷ ଜୁନ୍ ମାସର ୨୬ ତାରିଖକୁ ଆନ୍ତର୍ଜାତିକ ନିର୍ଯ୍ୟାତନା ବିରୋଧୀ ଦିବସ ହିସାବରେ ମିଳିତ ଜାତିସଂଘ ସମଗ୍ର ବିଶ୍ୱରେ ପାଳନ କରି ଆସୁଛି । ସେହି ଦିବସର ପ୍ରତୀକାତ୍ମକତା ହେଉଛି ଅନ୍ତତଃ ସେଇଦିନ ମାତ୍ର ଗୋଟିଏ ଦିନ ହେଉ ପଛକେ ଆମେ ଆଉ କାହାକୁ କୌଣସି ପ୍ରକାର ଶାରୀରିକ ନିର୍ଯ୍ୟାତନା ଦେବାରୁ ନିଜକୁ ଦୂରରେ ରଖିବା ।

କହିବା ବାହୁଲ୍ୟ କାଲି ହେଉ କି ଆଜି, ସଂସାରବିରାଗୀ ଅପଦାର୍ଥ ବୟସ୍କ ସ୍ୱାମୀମାନଙ୍କୁ ବହନ କରୁଥିବା ପତ୍ନୀ ମାନେ କହିବେ , ଶାରୀରିକ ନିର୍ଯ୍ୟାତନାରୁ କ'ଣ କେବେ ମୁକ୍ତି ମିଳେ ? ଅଧିକ କେତେ କପ୍ ଚା' ହେଉଛି, ଟିପ୍ ଅଫ୍ ଦି ଆଇସବର୍ଗ !