Photo Source: YouTube

ବଲିଉଡର ଶୋ’ମ୍ୟାନ ତଥା ଗଡ ଫାଦର ହେଉଛନ୍ତି ରାଜ କପୁର । ହିନ୍ଦୀ ସିନେମାକୁ ଏକ ନୂତନ ଦିଶା ଦେବାରେ ତାଙ୍କର ଭୂମିକା ଅତୁଳନୀୟ । ତାଙ୍କର ସେଇ ନୀଳ ଆଖିରେ ଉଡିବୁଲୁଥିବା ଅନେକ ସ୍ୱପ୍ନକୁ ସେ ଚଳଚ୍ଚିତ୍ର ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ସ୍ଵାଧୀନତା ପରେ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ନେହେରୁଙ୍କ ସମାଜବାଦୀ ଧାରଣାକୁ ଦୃଷ୍ଟିରେ ରଖି ରାଜ କପୁର ସାମାଜିକ ବାର୍ତ୍ତା ଦେଇ ଅନେକ ମନୋରଞ୍ଜନକାରୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ସାମାଜିକ ପ୍ରସଙ୍ଗଙ୍କୁ ଅତି ସୁନ୍ଦର ଭାବରେ ସେ ପରଦାରେ ପ୍ରଦର୍ଶିତ କରୁଥିଲେ । ତାଙ୍କ ପ୍ରଦର୍ଶିତ ସିନେମାରେ ବେରୋଜଗାରୀ, ବିଧବା ବିବାହ, ସର୍କସ କଳାକାରଙ୍କ ଦୁଃଖ ତଥା ସାମାଜିକ ଦୁଃଖ ଦୁର୍ଦ୍ଦଶା ଆଦି ଅତି ନିଖୁଣ ଭାବରେ ଫୁଟି ଉଠୁଥିଲା ।

ପ୍ରସିଦ୍ଧ ଅଭିନେତା ପୃଥୀରାଜ କପୁରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ରାଜ କପୁର । ରାଜ କପୁର ୧୪ ଡିସେମ୍ବର ୧୯୨୪ରେ ପେଶୱାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନର ନାମ ରଣବୀର ରାଜ କପୁର ଥିଲା । ସିନେ ପରିବେଶରେ ବଢିଥିବା ରାଜ କପୁର ପିଲାଦିନରୁ ଚଳଚ୍ଚିତ୍ରକୁ ଭଲ ପାଉଥିଲେ । ସେ ନିଜ ପିତାଙ୍କ ସହ ୧୯୨୯ ମସିହାରେ ମୁମ୍ବାଇ ଆସିଥିଲେ । ପିତାଙ୍କ ପଦାଙ୍କ ଅନୁସରଣ କରି ସିନେମା ଜଗତରେ ଇତିହାସ ସୃଷ୍ଟି କରିଥିଲେ ରାଜ । ସେ ପାଲଟିଥିଲେ ହିନ୍ଦୀ ସିନେମାର ଗ୍ରେଟ ଶୋ’ମ୍ୟାନ ।

ଅନେକ ରୂପରେ ତାଙ୍କୁ ରୂପେଲି ପରଦାରେ ଦେଖିବାକୁ ମିଳିଛି । ବଲିଉଡକୁ ସେ ଦେଇଛନ୍ତି ଅନେକ ହିଟ ଫିଲ୍ମ ଓ ତା ସହ ଅନେକ ସଫଳ ନାୟିକା ମଧ୍ୟ ବଲିଉଡକୁ ଭେଟି ଦେଇଛନ୍ତି । ସେ ଏକାଧାରରେ ଥିଲେ ଜଣେ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ । କହିବାକୁ ଗଲେ ସେ ହେଉଛନ୍ତି ବଲିଉଡ଼ର ଗଡଫାଦର ।

କ୍ୟାରିୟର ଆରମ୍ଭରେ କିନ୍ତୁ ରାଜ କପୁରଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା । ଏମିତିକି ସେ ସ୍ପଟ ବୟ କାମ ମଧ୍ୟ କରିଥିଲେ । ସେ ମାତ୍ର ୧୧ ବର୍ଷ ବୟସରେ "ଇନକଲାବ" (୧୯୩୫) ଫିଲ୍ମରେ କାମ କରିଥିଲେ । ସେ ଫିଲ୍ମରେ କାମ କରିବା ପୂର୍ବରୁ ସେ ସ୍ପଟ ବୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ଫିଲ୍ମ କ୍ୟାରିଅର ଏକ ଚାପୁଡ଼ାରୁ ଆରମ୍ଭ ହୋଇଥିଲା । ଏକ ଫିଲ୍ମରେ ସେ କ୍ଲାପର ବଏ ଭାବରେ କାମ କରୁଥିଲେ ଏବଂ ଜୋରରେ ତାଳି ମାରିବାରୁ ନିର୍ଦ୍ଦେଶକ କେଦାର ଶର୍ମା ତାଙ୍କୁ ଜୋରରେ ଚାପୁଡ଼ା ମାରିଥିଲେ । କିନ୍ତୁ ପରେ ସେ ରାଜଙ୍କୁ ଅଭିନେତା ଭାବରେ ବ୍ରେକ ଦେଇଥିଲେ । କେଦାର ଶର୍ମା ରାଜଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନିଥିଲେ ଏବଂ ତାଙ୍କୁ ମଧୁବାଲାଙ୍କ ବିପକ୍ଷରେ ୧୯୪୭ ମସିହାରେ ଆସିଥିବା ଚଳଚ୍ଚିତ୍ର “ନୀଲ କମଲ” ରେ ହିରୋ ଭାବରେ ସୁଯୋଗ ଦେଇଥିଲେ । ତାଙ୍କ ସମୟର ସବୁଠୁ କମ ବୟସ୍କ ନିର୍ଦ୍ଦେଶକ ଭାବେ ଉଭା ହୋଇଥିଲେ ରାଜ । ମାତ୍ର ୨୪ ବର୍ଷ ବୟସରେ ସେ ନିଜର ଏକ ଷ୍ଟୁଡିଓର ନିର୍ମାଣ କରିଥିଲେ । ୧୯୪୮ ମସିହାରେ ଆର.କେ ଫିଲ୍ମ୍ସର ପ୍ରତିଷ୍ଠା କରିଥିଲେ ସେ । ଏହି ବ୍ୟାନର ଦ୍ଵାରା ସେ “ଆଗ୍” ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ସେ ଆଉ ପଛକୁ ଫେରିନଥିଲେ । ୧୯୪୮ ରୁ ୧୯୮୮ ମଧ୍ୟରେ ସେ ବହୁ ହିଟ୍ ଫିଲ୍ମ ନିର୍ମାଣ କରିଥିଲେ । “ବରସାତ୍”, “ଆୱାରା”, “ଶ୍ରୀ ୪୨୦”, ଏବଂ “ମେରା ନାମ ଜୋକର୍” ପରି ଫିଲ୍ମରେ ରାଜ କପୁର ନିର୍ଦ୍ଦେଶନା ଦେଇଥିଲେ । ରାଜ କପୁର ନିର୍ମାତା ଏବଂ ନିର୍ଦ୍ଦେଶକ ଭାବରେ ସଫଳ ହୋଇ ଇଣ୍ଡଷ୍ଟ୍ରିରେ ଗଡଫାଦର ଭାବେ ପରିଚିତ ପାଇଥିଲେ । ସେ ନୂଆ ଅଭିନେତ୍ରୀମାନଙ୍କୁ ନିଜ ଫିଲ୍ମରେ ବ୍ରେକ ଦେଉଥିଲେ । ଏହି ତାଲିକାରେ ଡିମ୍ପଲ୍ କାପାଡିଆ, ନିମି ଏବଂ ମନ୍ଦାକିନୀଙ୍କ ଭଳି ଅଭିନେତ୍ରୀଙ୍କ ନାଁ ରହିଛି । ୧୯୬୪ ମସିହାରେ ସେ ପ୍ରଥମ ରଙ୍ଗୀନ ସିନେମା “ସଂଗମ”ର ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଥିଲେ ।

ଫିଲ୍ମକୁ ନେଇ ବଲିଉଡର ଶୋ’ମ୍ୟାନ ଯେତିକି ଚର୍ଚ୍ଚିତ ଥିଲେ ତାଠୁ ଅଧିକ ଚର୍ଚ୍ଚିତ ଥିଲେ ବ୍ୟକ୍ତିଗତ ଜୀବନକୁ ନେଇ । ରାଜ କପୁର ଏବଂ ନର୍ଗିସଙ୍କ ପ୍ରେମ ସମ୍ପର୍କ ଆଜି ବି ଚର୍ଚ୍ଚିତ । ସେମାନଙ୍କ ସମ୍ପର୍କକୁ ନେଇ ଆଜି ବି ବି-ଟାଉନରେ ଅନେକ କଥା ଶୁଣିବାକୁ ମିଳେ । ଅଭିନୟ ଜୀବନ ଭିତରେ ୧୯୪୫ ମସିହାରେ ନର୍ଗିସଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ପ୍ରଥମ ଦେଖାରୁ ହିଁ ରାଜ କପୁର ନର୍ଗିସଙ୍କ ପ୍ରେମରେ ପଡ଼ିଯାଇଥିଲେ ।

୧୯୪୦ ରୁ ୧୯୬୦ ମଧ୍ୟରେ ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡ଼ି ମଧ୍ୟରେ ରାଜ କପୁର ଏବଂ ନର୍ଗିସ୍ ଅନ୍ୟତମ ଥିଲେ । ଏହି ରୋମାଣ୍ଟିକ୍ ଯୋଡି କେବଳ ରିଲରେ ନୁହଁନ୍ତି ବରଂ ବାସ୍ତବ ଜୀବନରେ ମଧ୍ୟ ବେଶ ଲୋକପ୍ରିୟ ଥିଲେ । ସେମାନଙ୍କର ଅନସ୍କ୍ରିନ କେମେଷ୍ଟ୍ରି ବେଶ୍ ଚର୍ଚ୍ଚାରେ ରହିଥିଲା । ନର୍ଗିସ୍ ରାଜ କପୁରଙ୍କ ସହ ମୋଟ ୧୬ ଟି ଚଳଚ୍ଚିତ୍ର କରିଥିଲେ, ସେଥିମଧ୍ୟରୁ ୬ଟି ଚଳଚ୍ଚିତ୍ର ଆର.କେ ବ୍ୟାନରର ଥିଲା । ନର୍ଗିସଙ୍କୁ ରାଜ କପୁର ପ୍ରଚୁର ପ୍ରେମ କରୁଥିଲେ । କିନ୍ତୁ ରାଜ କପୁର କୃଷ୍ଣାଙ୍କୁ ବିବାହ କରିଥିବାବେଳେ ତାଙ୍କର ସନ୍ତାନ ମଧ୍ୟ ଥିଲେ । ନର୍ଗିସଙ୍କ ବିବାହ ପରେ ରାଜ କପୁର ନିଜ ବନ୍ଧୁମାନଙ୍କ ପାଖେ ବହୁତ ସମୟ କାନ୍ଦିଥିଲେ । ସେହିପରି ନର୍ଗିସ ମଧ୍ୟ ରାଜ କପୁରଙ୍କୁ ପ୍ରେମ କରୁଥିଲେ । କିନ୍ତୁ ରାଜଙ୍କ ପରିବାର ପାଇଁ ସେ ସୁନୀଲ ଦତ୍ତଙ୍କୁ ବିବାହ କରିଥିଲେ । ଆର.କେ ଫିଲ୍ମ୍ସବ୍ୟାନରର ଲୋଗୋରେ ନର୍ଗିସ ଓ ରାଜଙ୍କ ଏକ ଫିଲ୍ମ “ବରସାତ” ଫିଲ୍ମର ଏକ ଦୃଶ୍ୟକୁ ପ୍ରଦର୍ଶନ କରାଯାଇଛି । ରାଜ-ନର୍ଗିସ୍‌ଙ୍କ ଯୋଡ଼ି “ବରସାତ୍”, “ଆୱାରା”, “ଶ୍ରୀ-୪୨୦”, “ଚୋରି ଚୋରି” ଓ “ଆଗ୍” ଆଦି ସିନେମାରେ ଚର୍ଚ୍ଚାର ବିଷୟ ବନିଥିଲା ।

୧୯୭୦ରେ ମୁକ୍ତିଲାଭ କରିଥିବା "ମେରା ନାମ ଜୋକର" ରାଜ କପୁରଙ୍କ ସବୁଠାରୁ ଉଚ୍ଚାଭିଳାଷୀ ଚଳଚ୍ଚିତ୍ର ଥିଲା । କିନ୍ତୁ ଏହି ଫିଲ୍ମଟି ବକ୍ସ ଅଫିସରେ ସଫଳ ହୋଇପାରିନଥିଲା । ଏହା ହିନ୍ଦୀ ସିନେମାର ଏକ ଗମ୍ଭୀର ଚଳଚ୍ଚିତ୍ର ଭାବରେ ପରିଗଣିତ । ଏହି ଫିଲ୍ମର ଅସଫଳତା ପରେ ରାଜ କପୁର ଭାଙ୍ଗି ଯାଇଥିଲେ ।

ତେବେ ରାଜ ଫିଲ୍ମରେ ଗୀତ କୁ ବେଶି ଗୁରୁତ୍ଵ ଦେଉଥିଲେ । କାହାଣୀ ସହିତ ଗୀତର ସଂଯୋଗକୁ ସେ ଏପରି ଭାବରେ କରୁଥିଲେ ଯେ ଫିଲ୍ମତି ଉଭୟ ଗୀତ ଓ କାହାଣୀ ପାଇଁ ସ୍ମରଣୀୟ ହୋଇଯାଉଥିଲା । “ବରସାତ୍” ଫିଲ୍ମର “ଜିଆ ବେକରାର ହୈ…”, “ଶ୍ରୀ ୪୨୦”ର “ପ୍ୟାର ହୁଆ ଇକରାର ହୁଆ” ହେଉ ଅଥବା “ମେରା ଜୁତା ହୈ ଜାପାନୀ”, “ବୁଟ ପଲି”’ର “ନହ୍ନେ ମୁନ୍ନେ ବଚ୍ଚେ ତେରି ମୁଠି…”, “ଅନାରୀ”ର “କିସି କି ମୁସ୍କୁରାହଟୋଂ ପେ ହୋ ନିସାର” ଆଦି ଗୀତ ସବୁ ଆଜି ବି ବେଶ ଲୋକପ୍ରିୟ । ରାଜଙ୍କ ଫିଲ୍ମରେ ପ୍ରାୟତଃ ସବୁ ଗୀତରେ ମୁକେଶ ସ୍ଵର ଦେଉଥିଲେ । ରାଜ ସଙ୍ଗୀତ ପାଇଁ ଏକ ସୁନ୍ଦର ଟିମ ଗଢିଥିଲେ । ଏହି ଟିମରେ ମୁକେଶ, ଶୈଳେନ୍ଦ୍ର, ଜୟକିଶନ ସାମିଲ ଥିଲେ ।

ରାଜ କପୁର କେବଳ ଭଲ ଫିଲ୍ମରେ ଅଭିନୟ କରୁଥିଲେ ତାହା ନୁହେଁ, ସେ “ବବି”, “ସତ୍ୟମ୍ ଶିବମ୍ ସୁନ୍ଦରମ୍”, “ପ୍ରେମ ରୋଗ”, “ରାମ ତେରୀ ଗଙ୍ଗା ମୈଲି” ପରି ସୁନ୍ଦର ଚଳଚ୍ଚିତ୍ର ମାନ ନିର୍ମାଣ କରିଥିଲେ ।

ସେ ନିଜ ଅଭିନୟ କ୍ୟାରିୟର ମଧ୍ୟରେ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ୧୧ଟି ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆୱାରା’ ଏବଂ “ବୁଟ୍ ପଲିସ” ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପାଲମ ଡି’ର ଗ୍ରାଣ୍ଡ ପୁରସ୍କାର ପାଇଁ ଦୁଇଥର ମନୋନୀତ ହୋଇଥିଲେ । ‘ଆୱାରା’ରେ ତାଙ୍କର ଅଭିନୟ ଏତେ ଉଚ୍ଚକୋଟିର ଥିଲା ଯେ ଏହି ପ୍ରଦର୍ଶନ ପାଇଁ ସେ ଟାଇମ୍ ମାଗାଜିନର ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନିତ ହୋଇଥିଲେ । ତାଙ୍କ ଅଭିନୀତ ଚଳଚ୍ଚିତ୍ର ବିଶ୍ୱବ୍ୟାପି ଦର୍ଶକଙ୍କୁ ଆକୃଷ୍ଠ କରିଥାଏ । ବିଶେଷ କରି ଏସିଆ ଏବଂ ୟୁରୋପରେ ତାଙ୍କ ଫିଲ୍ମଗୁଡିକ ବେଶ ବ୍ୟବସାୟ କରିଥାଏ । କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୧ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ ହୋଇଥିଲେ । ସେହିପରି ୧୯୮୭ ମସିହାରେ ସିନେମାରେ ଭାରତର ସର୍ବୋଚ୍ଚ ପୁରସ୍କାର, ଦାଦାସାହେବ ଫାଲକେ ପୁରସ୍କାର ପାଇଥିଲେ । ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ରାଜ କପୁର । ଯଦିଓ ସେ ଆଜି ଆମ ମଧ୍ୟରେ ନାହାଁନ୍ତି ତଥାପି ସମସ୍ତଙ୍କ ହୃଦୟରେ ସେ ଏବେ ମଧ୍ୟ ଜୀବିତ ।