ଫଟୋ - ପ୍ରଫୁଲ୍ଲ ଦାସ

ସତ କହିଲେ ଆଉ ଲେଖିବା ବା କ'ଣ ?
ଶବ୍ଦ ଆଜି ନିରୁପାୟ, ଏକାତ୍ମତା ନଷ୍ଟ
ଆଉ କାଇଁ କୋଉଥିରେ ବି ରଖି ହଉନି ଧ୍ୟାନ !

ଏଇ ଦେଖ,
ବହିଟା ବାହାରିବ ବାହାରିବ ହେଇ
ମାଘ ପରେ ମାଘ, ଏ ମାଘରୁ ଯାଇ ଆର ମାଘ
ଏବେ ଚୋରା ଚଇତାଳି ବହିବା ବେଳକୁ
ବିଗିଡ଼ିବାକୁ ବସିଲାଣି ପାଗ !

ମନ ଚଞ୍ଚଳ, ହୃଦୟ ଅସ୍ଥିର
ଦେହକୁ କୋରି ଖାଉଚି କୀଟ ମନୋରଥ;
ପୃଥିବୀରୁ ସରି ଆସୁଚି ବିସ୍ମୟ
କୁଢ଼କୁଢ଼ ମଲା ବାଦୁଡ଼ିଙ୍କ ଛାଇରେ
ଘୋଟିଚି ଆକାଶ
ମଣିଷକୁ ଖୋଜି ଚାଲିଚି ମଣିଷ
ମୌଳବାଦର ଶକ୍ତ ଦାଂତରେ ବିଦୀଣ୍ଣ
କଅଁଳ ଶିଶୁଙ୍କ ଆଖି ମୁଣ୍ଡ ହୃଦୟ
ଆଇନ ନାଁ ରେ
ଦେଶ ଭାଂଗି ଖଣ୍ଡ ଖଣ୍ଡ
ଆଃ ! କି ଦାରୁଣ ଅରଣ୍ୟ ରୋଦନ !

ଏତେବେଳେ କିଏ ସେହି ନିଃସଂଗ ପଦାତିକ ?
ଲେଖେ "ଚରମପତ୍ର ଘେନ ଭଗବାନ ଘେନ"
ଥରଥର ଗୋଲୋକ ସିଂହାସନ
ପୁଣି ଖୁବ୍ ଅଭିମାନେ ଶୋଇଯାଏ ଅନ୍ତହୀନ ନିଦ
ସମୟ ଦିଏ ତା'ରେ ଲାଲ୍ ସଲାମ !

ହଁ, କେହି ଅଛ ତ, ଦିଅ
ମୁଠାଏ ଉର୍ବର ମାଟି
ଦଲକାଏ ବିଶୁଦ୍ଧ ମୁକୁଳା ପବନ
ମୁଠାଏ ହସହସ ତାରାର ଆକାଶ
ଲାଜକୁଳୀ ଜହ୍ନ, ଝର୍କା କଡ଼ର
ରକ୍ତଝରା ବୁଲ୍ ବୁଲ୍, ଲାଲ୍ ଗୋଲାପ
ବାଇଗଣ କିଆରୀରେ ସୁଲଳିତ ସ୍ବର, ଗୀତ ଗୋବିନ୍ଦର !

ହଁ, ଶବ୍ଦ ଆଜି ନିରୁପାୟ !
କେହି ଅଛ ତ,
କବିର କଲମ ପାଇଁ ଖୋଜି ଆଣ
ନୂଆନୂଆ ଶବ୍ଦର ବିହନ !!