ଫଟୋ - କେଦାର ମିଶ୍ର

ଏବେ ତ ଅକ୍ଷରମାନଙ୍କ
ରୂପ ପାଇବାର ବେଳ,
ଅଥଚ ଜାଣେନା
କେମିତି ରୂପ ପାଇବେ ସେମାନେ
ସେମାନେ କଣ ଦିଶିବେ
ମୋନାଲିସାର ହସ ପରି ସୁନ୍ଦର,
ଅଥବା ଧାନକ୍ଷେତରେ କାମ କରୁଥିବା ଝିଅ ପରି
ସାଦାସିଧା ଖରା ବର୍ଷା ଓ ଶୀତରେ ।

ବେଳେବେଳେ ଭାବେ
ଶବ୍ଦମାନେ ହୁଅନ୍ତେ ସୁକୁମାରୀ,
ଜହ୍ନରାତିରେ ବୁଲୁଥାନ୍ତେ
ସମୁଦ୍ର କୂଳରେ ।

ବେଳେବେଳେ ଭାବେ
ଶବ୍ଦମାନେ ବସନ୍ତେ
ବାରୁଦ ଗଦାରେ,
ଲେଖାଯାନ୍ତା ବିଦ୍ରୋହ ଓ
ରକ୍ତକ୍ଷରା ସଂଗ୍ରାମର କଥା
ବଦଳେଇ ହୁଅନ୍ତା କି
ଯେତେସବୁ ଅବ୍ୟବସ୍ଥା, ବିଶୃଙ୍ଖଳା ମାନ ।

ଅକ୍ଷର ମାନେତ ବ୍ରହ୍ମ
ବେଳେବେଳେ ସେଥିପାଇଁ ଭାବେ
ବାଢିଦେଲେ ଧୂପ, ଫୁଲ, ଫଳ
ମନ୍ଦିରର ସୁଗନ୍ଧରେ
ବିଭୋରିତ ହୋଇବ ସଂସାର ।

ତେବେ ତ ଏକଥା ସତ
ଶବ୍ଦମାନେ ନ ଥାନ୍ତି କାହା ଆୟତ୍ତରେ,
ସେମାନେ ଖଂଜି ହୁଅନ୍ତି ଆପଣା ବାଗରେ
ନିଜ ଇଚ୍ଛାରେ
ଆଉ ରୂପ ପାଆନ୍ତି କବିତା ଭାବରେ ।