ସମରେନ୍ଦ୍ର ପ୍ରସାଦ ଦାସ, ଏ ନାଁଟି ସହ ଆଜିର ଓଡିଆ ପାଠକ ହୁଏତ ପରିଚିତ ନୁହନ୍ତି । ହେଲେ ସତୁରୀ ଦଶକରେ ସେ ଥିଲେ ଓଡିଆ ଗଳ୍ପର ଏକ ଦୁର୍ଦ୍ଦାନ୍ତ ସମ୍ଭାବନା । ଗଳ୍ପର ଶୈଳୀ ଓ ସାମର୍ଥ୍ୟ ଦୃଷ୍ଟିରୁ ସେତେବେଳେ ତାଙ୍କୁ ଓଡିଆ ଗପର ଭବିଷ୍ୟତ ବୋଲି ଅନେକ କହୁଥିଲେ । ସେ ଲେଖିଛନ୍ତି ବହୁତ ଅଳ୍ପ, ହେଲେ ଯାହା ବି ଲେଖିଛନ୍ତି, ସେତିକି ଯଥେଷ୍ଟ ଓଡିଆ ସାହିତ୍ୟରେ ତାଙ୍କର ପାଦଚିହ୍ନ ପାଇଁ । ସତୁରୀ ଦଶକରେ ତାଙ୍କର ଏକମାତ୍ର ଗଳ୍ପ ସଂକଳନ “ନିର୍ଲିପ୍ତ ପ୍ରତିଯୋଗୀ” ବେଶ ଚହଳ ସୃଷ୍ଟି କରିଥିଲା । ତାଙ୍କ କଥା କହିବାର ଶୈଳୀରେ ଥିଲା ଏକ ଅଭିନବ ଯାଦୁକରୀ । ଖୁବ ଅଳ୍ପ ଶବ୍ଦରେ ଗହନ କଥାର ରହସ୍ୟ ନିର୍ମାଣ, ଏହା ଥିଲା ତାଙ୍କ ଗଳ୍ପର ବିଶେଷତ୍ଵ । ଗତକାଲି ଦିଲ୍ଲୀରେ ଏହି କଥାଶିଳ୍ପୀଙ୍କର ପରଲୋକ ଘଟିଛି । ହୃଦଘାତ କାରଣରୁ ତାଙ୍କର ଦେହାବସାନ ଘଟିଛି ।

ଶ୍ରୀ ଦାସ ପରବର୍ତ୍ତୀ ଜୀବନରେ ଭାରତୀୟ ସୂଚନା ସେବାର ଅଧିକାରୀ ଭାବେ ଯୋଗଦାନ କରି ଭାରତ ସରକାରଙ୍କର ବିଭିନ୍ନ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ଥିଲେ । ଯୋଜନା ଓ ଅର୍ଥନୀତି ସମ୍ପର୍କିତ ଭାରତ ସରକାରଙ୍କ “ଯୋଜନା” ପତ୍ରିକାର ଓଡିଆ ସଂସ୍କରଣ ପ୍ରକାଶରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ସେ ଥିଲେ ଓଡିଆ “ଯୋଜନା” ପତ୍ରିକାର ପ୍ରଥମ ସମ୍ପାଦକ । ସତୁରୀ ଦଶକରେ ଓଡିଆ ସାହିତ୍ୟରେ ପ୍ରଚଣ୍ଡ ସମ୍ଭାବନା ସୃଷ୍ଟି କରିଥିବା କବି ବିପ୍ର ଆଚାର୍ୟ, ଗାଳ୍ପିକ ନାରାୟଣ ପଣ୍ଡା ଓ ସମରେନ୍ଦ୍ର ପ୍ରସାଦ ଦାସଙ୍କ ବନ୍ଧୁତ୍ଵ ସବୁବେଳେ ଏକ ଉଦାହରଣ ହୋଇ ରହିଥିଲା ।

ପ୍ରଚାର ବିମୁଖ ଏବଂ ନିଜର ସାହିତ୍ୟିକ ପରିଚୟ ପ୍ରତି ଅତ୍ୟନ୍ତ ଉଦାସୀନ ଏହି ଗାଳ୍ପିକଙ୍କ ପ୍ରତି ଆମର ଗଭୀର ଶ୍ରଦ୍ଧାଞ୍ଜଳି ।