ଫଟୋ - ଓଡିଶା ଆର୍କାଇଭ୍ସ

ସତ୍ୟବାଦୀକୁ ସିନା କଳିଗୋଳ କାରଣରୁ ଦୁଇ ପଣ୍ଡିତେ ବଞ୍ଚେଇ ପାରିଲେନି, ହେଲେ ‘ଯୋଡ଼ି’ ଭାବରେ ଓଡ଼ିଶା ରାଜନୀତିରେ ଅନେକ ରୋମାଞ୍ଚକର ଅଧ୍ୟାୟର ସଂଯୋଜକ ଥିଲେ ନୀଳକଣ୍ଠ ଓ ଗୋଦାବରୀଶ । ମନରେ, ପ୍ରାଣରେ ପକ୍କା କଂଗ୍ରେସୀ ହେଲେ ସୁଦ୍ଧା କଂଗ୍ରେସ ବିରୋଧରେ ପ୍ରଥମ ‘ଯୁଦ୍ଧଂ ଦେହି’ର ଡାକରା ଦେଇଥିଲେ ଏହି ଦୁଇ ପ୍ରଚଣ୍ଡ ସ୍ୱାଭିମାନୀ ଓ ଆତ୍ମସଚେତ ବନ୍ଧୁ । ଏମାନଙ୍କ ବିଦ୍ରୋହ କେବଳ ଯେ ଓଡ଼ିଶା ରାଜନୀତିରେ ତୁମୁଳ ଆଲୋଡ଼ନ ସୃଷ୍ଟି କରିଥିଲା ତା ନୁହେଁ, ଅଣକଂଗ୍ରେସ ଗୋଷ୍ଠୀ ଓ ବିକଳ୍ପ ବୈଚାରିକ ମନ୍ଥନ ତଥା ବିମର୍ଶ ପାଇଁ ସମ୍ଭାବନାକୁ ମଧ୍ୟ ଜନ୍ମ ଦେଇଥିଲା ।

ବିଂଶ ଶତାବ୍ଦୀର ଚତୁର୍ଥ ଦଶକ ଉଭୟ ବିଶ୍ୱ ଓ ଦେଶ ପାଇଁ ଥିଲା ଘଡ଼ିସନ୍ଧିର ସମୟ । ଆଶଙ୍କା, ଉଦ୍‌ବେଗ ଓ ଅନିଶ୍ଚିତତା ଭିତରେ ସମସ୍ତେ ସନ୍ତୁଳି ହେଉଥିଲେ । ଗୋଟିଏ ପଟେ ପ୍ରଚଣ୍ଡ ଯୁଦ୍ଧର ଘନଘଟା ତ ଅନ୍ୟ ପଟେ କ୍ରମାଗତ ବ୍ରିଟିଶ ବିଶ୍ୱାସଘାତକତାର ଶିକାର ଭାରତୀୟଙ୍କର ସ୍ୱାଧୀନତା ପାଇଁ ଶେଷ ପ୍ରାଣାନ୍ତକ ପ୍ରଚେଷ୍ଟା । ‘ଭାରତ ଛାଡ଼’ର ଡାକରା ପରେ କଂଗ୍ରେସର ତୁଙ୍ଗ ନେତୃବୃନ୍ଦ ଥାଆନ୍ତି ଜେଲ୍‌ରେ । ରାଜରାସ୍ତାକୁ ଓହ୍ଲେଇ ଆସିଥାଆନ୍ତି ହଜାର ହଜାର ମୁକ୍ତିକାମୀ ମଣିଷ । ଦେଶର ବିଭିନ୍ନ ସ୍ଥାନରୁ ଲୁଟ୍‌ତରାଜ, ଜଳାପୋଡ଼ା, ହିଂସାକାଣ୍ଡର ଖବର ଆସୁଥାଏ । ବ୍ରିଟିଶ ଅଫିସର, କର୍ମଚାରୀଙ୍କ ସମେତ ବ୍ରିଟିଶଙ୍କ ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ଅଫିସର ଓ କର୍ମଚାରୀ ହତ୍ୟାର ଶିକାର ହେଉଥାନ୍ତି । ଅଣ୍ଡରଗ୍ରାଉଣ୍ଡ ବିଦ୍ରୋହୀଗୋଷ୍ଠୀମାନେ ବେଶ ସକ୍ରିୟ ହୋଇ ପଡ଼ିଥାନ୍ତି । ଗାନ୍ଧୀଙ୍କ ସହ ମତଭେଦ ପରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିବା ସୁଭାଷ କଂଗ୍ରେସ ଛାଡ଼ିବା ସାଙ୍ଗକୁ ବ୍ରିଟିଶ ସହ ପ୍ରତ୍ୟକ୍ଷ ସଂଗ୍ରାମର ଡାକରା ଦେଇ ଯୁବମାନସକୁ ଆଲୋଡ଼ିତ କରୁଥାନ୍ତି । ସୁପ୍ତ ଅବସ୍ଥାରେ ଥିବା ଅସନ୍ତୋଷର ଅଗ୍ନି ଏଣିକି ହୁତ୍‌ହୁତ୍ ହୋଇ ଜଳିବା ସାଙ୍ଗକୁ ବ୍ୟାପିବାରେ ଲାଗିଥାଏ ଦ୍ରୁତଗତିରେ । ଓଡ଼ିଶା ଏହି ଘନଘଟାର ପ୍ରଭାବରୁ ମୁକ୍ତ ନଥିଲା । ଦୁଇ ପଣ୍ଡିତ ବଂଧୁଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ରାଜନୈତିକ ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇଥିଲା ଏକ ଅଭାବନୀୟ ନାଟକ ।

୧୯୩୬ରେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ପରେ ଏହାର ପରବର୍ଷ ଭାରତ ଶାସନ ଆଇନର ନିୟମାବଳୀ ଅନୁଯାୟୀ ପ୍ରଥମଥର ପାଇଁ ଓଡ଼ିଶାରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ ଅନୁଷ୍ଠିତ ହେଲା । ମୋଟ ୬୦ଟି ଆସନରୁ ୩୬ଟିରେ ବିଜୟୀ ହୋଇ ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟର ଶାସନଭାର ହାତକୁ ନେଲା । ଗୋଟିଏ ପଟେ ବ୍ରିଟିଶ ପ୍ରଣୀତ ନିୟମ ଆଧାରରେ ଶାସନ ପରିଚାଳନା ତ ଅନ୍ୟପଟେ ବ୍ରିଟିଶ ବିରୋଧରେ ଜନମତକୁ ଜାଗ୍ରତ କରିବା - ଏହି ଦୁଇଟି କାର୍ଯ୍ୟ ଏକାସାଙ୍ଗରେ କରିବା ଖଣ୍ଡାଦାଢ଼ରେ ଚାଲିବା ସହ ସମାନ ଥିଲା । ବିଶ୍ୱନାଥ ଦକ୍ଷତାର ସହ ଉଭୟ ଦାୟିତ୍ୱ ମଧ୍ୟରେ ଉପଯୁକ୍ତ ତାଳମେଳ ରଖି ବେଶ ସୁଚାରୁରୂପେ ଅଢ଼େଇ ବର୍ଷ କାଳ ଶାସନ କରିଥିଲେ ଯାହା ତାଙ୍କ ଖ୍ୟାତି ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିବାରେ ବେଶ ସହାୟକ ହୋଇଥିଲା । କିନ୍ତୁ ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂରେଜ ସରକାର ଜୋର ଜବରଦସ୍ତ ଭାରତକୁ ପକ୍ଷଭୁକ୍ତ କରିବା ପ୍ରତିବାଦରେ କଂଗ୍ରେସ ଏହାର ସମସ୍ତ ପ୍ରାଦେଶିକ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବାକୁ ନିଷ୍ପତ୍ତି ନେଲା । ୪ ନଭେମ୍ବର ୧୯୩୯ରେ ବିଶ୍ୱନାଥ ଦାସ ମନ୍ତ୍ରିମଣ୍ଡଳ ଇସ୍ତଫା ଦେଲେ । ଇସ୍ତଫା ଦେବା ଅବସରରେ ବିଶ୍ୱନାଥ ଦାସ ଗୁରୁଗମ୍ଭୀର କଣ୍ଠରେ ସ୍ୱାଧୀନତା ସପକ୍ଷରେ ଏବଂ ଇଂରେଜଙ୍କ ଯୁଦ୍ଧ ରାଜନୀତି ବିପକ୍ଷରେ ଯେଉଁ ଭାବୋଦ୍ଦୀପକ ଭାଷଣ ଦେଇଥିଲେ ତାହା ଓଡ଼ିଶାବାସୀଙ୍କ ମଞ୍ଜ ଥରେଇ ଦେଇଥିଲା ।

ଷଡ଼ଯନ୍ତ୍ରର ଆଦ୍ୟ ଅଧ୍ୟାୟ:

କଂଗ୍ରେସ ଭିତରେ କିନ୍ତୁ ଏତେବେଳକୁ କନ୍ଦଳ ତୀବ୍ର ହେବାରେ ଲାଗିଥିଲା - ଉଭୟ ଜାତୀୟ ଓ ପ୍ରାଦେଶିକ ସ୍ତରରେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂରେଜଙ୍କ ଅସୁବିଧାଜନକ ପରସ୍ଥିତିର ଫାଇଦା ଉଠେଇ ସବୁ ପ୍ରଦେଶରେ ସମାନ୍ତରାଳ ସ୍ୱାଧୀନ ସରକାର ଗଠନ କରି ପୂର୍ଣ୍ଣ ସ୍ୱାଧୀନତା ଦିଗରେ ଆଗେଇବା ପାଇଁ ସୁଭାଷ ଦୃଢ଼ ମତପୋଷଣ କରୁଥିବାବେଳେ କଂଗ୍ରେସର କ୍ଷମତାପନ୍ନ ଗାନ୍ଧୀ ଗୋଷ୍ଠୀ ଅହିଂସା ନୀତି ଅନୁଯାୟୀ ବିପଦରେ ପଡ଼ିଥିବା ଶତ୍ରୁକୁ ଆହୁରି ବିପଦ ଆଡ଼କୁ ଠେଲିଦେବା ଉଚିତ୍ ନୁହେଁ କହି ସୁଭାଷଙ୍କର ବିରୋଧ କରୁଥିଲେ । ଯାହାଫଳରେ ୧୯୩୮ରେ ଗାନ୍ଧୀ ସମର୍ଥିତ ପଟ୍ଟାଭି ସୀତାରାମୟାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାଜିତ କରି କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଥିବା ସୁଭାଷଙ୍କୁ ଶେଷରେ କଂଗ୍ରେସ ଦଳ ଛାଡ଼ିବାକୁ ପଡ଼ିଲା । ନିଜର ସଂଗ୍ରାମୀ ଯୋଜନାକୁ ଚୂଡ଼ାନ୍ତ ରୂପ ଦେବାପାଇଁ ସୁଭାଷ ହିନ୍ଦୁ ଓ ମୁସଲମାନମାନଙ୍କୁ ଏକାଠି କରି ନୂଆ ଦଳ ଫରୱାର୍ଡ଼ ବ୍ଲକ୍ ଗଢ଼ିଲେ । ତେଣେ ଓଡ଼ିଶା କଂଗ୍ରେସ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିଲା । ଗୋଟିଏ ପଟେ ଥିଲେ ହରେକୃଷ୍ଣ ମହତାବ ଓ ନବକୃଷ୍ଣ ଚୌଧୁରୀ ଏବଂ ଅନ୍ୟପଟର ନେତୃତ୍ୱ ନେଉଥିଲେ ନୀଳକଣ୍ଠ - ଗୋଦାବରୀଶ । ୧୯୩୭ର ନିର୍ବାଚନ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଆପୋଷ ବୁଝାମଣା ଭିତ୍ତିରେ ଯଦିଓ ବିଶ୍ୱନାଥ ଦାସଙ୍କ ମୁଣ୍ଡରେ ଶିରପା ଭିଡ଼ା ହେଲା, ନୀଳକଣ୍ଠ ଓ ଗୋଦାବରୀଶଙ୍କ ଅସନ୍ତୋଷ ପ୍ରଶମିତ ହେବା ବଦଳରେ ଦିନକୁ ଦିନ କୁହୁଳିବାରେ ଲାଗିଥିଲା ।

ଅନ୍ୟ ଏକ ଦିଗରୁ ବିଚାର କଲେ, ନୀଳକଣ୍ଠ ଅସନ୍ତୁଷ୍ଟ ହେବାର ଯଥାର୍ଥ ଓ ବଳିଷ୍ଠ କାରଣ ରହିଥିଲା । ନିର୍ବାଚନ ବେଳକୁ ପ୍ରଦେଶ କଂଗ୍ରେସର ସଭାପତି ଥିଲେ ନୀଳକଣ୍ଠ । ନିବାଚନରେ କଂଗ୍ରେସକୁ ବିଜୟୀ କରାଇବା ପାଇଁ ସେ ପ୍ରାଣପଣେ ଉଦ୍ୟମ କରିଥିଲେ । କଂଗ୍ରେସର ଲଢ଼େଇ ମୁଖ୍ୟତଃ ହେଉଥିଲା ରାଜା ରାଜୁଡ଼ାଙ୍କ ସହ, ପ୍ରମୁଖ ପ୍ରତିଦ୍ୱନ୍ଦ୍ବୀମାନେ ଥିଲେ କନିକା ରାଜାଙ୍କ ନେତୃତ୍ୱଧୀନ ୟୁନାଇଟେଡ୍ ପାର୍ଟି, ଖଲିକୋଟ ରାଜାଙ୍କ ନେସନାଲ ପାର୍ଟି ଏବଂ ପାରଳାଖେମୁଣ୍ଡି ରାଜାଙ୍କ ନେତୃତ୍ୱରେ ଗଠିତ ସ୍ୱାଧୀନ ଦଳ । କଂଗ୍ରେସ ପାଇଁ ଭୋଟ ମାଗିବାକୁ ଜବାହରଲାଲ ନେହେରୁ ୧୯୩୬ ନଭେମ୍ବର ମାସରେ ଓଡ଼ିଶା ଆସି ଅନେକ ସଭା ସମିତିରେ ଭାଷଣ ଦେଇଥିଲେ । ଲଢ଼େଇ ଜୋରଦାର ହୋଇଥିଲା ।

ନୀଳକଣ୍ଠ ଦକ୍ଷତାର ସହ ଚମତ୍କାର ଢଙ୍ଗରେ ନିର୍ବାଚନ ପରିଚାଳନା କରିଥିଲେ । ନିର୍ବାଚନ ମଣ୍ଡଳୀ ବୁଲି ବୁଲି ପ୍ରଚାର ପାଇଁ ଅଧିକ ସମୟ ଦେବା ଉଦ୍ଦେଶ୍ୟରେ ନୀଳକଣ୍ଠ ନିର୍ବାଚନ ଲଢ଼ିନଥିଲେ । କଥା ଥିଲା ଦଳ ନିର୍ବାଚନରେ ଜିତଲେ ନୀଳକଣ୍ଠ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରୁ ଇସ୍ତଫା ଦେଇ ପ୍ରଦେଶ ବିଧାନସଭା ପାଇଁ ଉପନିର୍ବାଚନରେ ଠିଆ ହେବେ । କିନ୍ତୁ ବାଟ ଆଗୁଳିଲେ ହରେକୃଷ୍ଣ ମହତାବ । ପେଞ୍ଚ କରି ସେ ନୂଆ ନିୟମ କରେଇଲେ ଯେ, ନିର୍ବାଚିତ ସଭ୍ୟଙ୍କ ବ୍ୟତୀତ କେହି ବିଧାୟକ ଦଳର ନେତା ହୋଇପାରିବେ ନାହିଁ । ଏହି ନିୟମ ଯେ କେବଳ ନୀଳକଣ୍ଠଙ୍କୁ ରୋକିବା ପାଇଁ ପ୍ରଣୀତ ହୋଇଥିଲା ଏଥିରେ କୌଣସି ସନ୍ଦେହ ନାହିଁ । ନିର୍ବାଚିତ ୩୬ ଜଣଙ୍କ ମଧ୍ୟରୁ ସଂଖ୍ୟାଧିକ ସଭ୍ୟଙ୍କ ସମର୍ଥନ ନୀଳକଣ୍ଠଙ୍କ ସପକ୍ଷରେ ଥିଲେ ମଧ୍ୟ ସେ ନେତା ନିର୍ବାଚିତ ହୋଇପାରିଲେ ନାହିଁ । ପେଞ୍ଚ-ପାଞ୍ଚ, କୂଟ-କପଟ ଓ ପ୍ରତାରଣାପୂର୍ଣ୍ଣ ରାଜନୀତିର ଯଜ୍ଞବେଦୀରେ ବଳି ପଡ଼ିଗଲା ଗଣତାନ୍ତ୍ରିକ ଆଦର୍ଶ ଓ ମୂଲ୍ୟବୋଧ । ଜାତୀୟ ରାଜନୀତିରେ ଯେଭଳି ସଂଖ୍ୟା ଗରିଷ୍ଠଙ୍କ ସମର୍ଥନ ପ୍ରାପ୍ତ ସୁଭାଷଙ୍କୁ ଗାନ୍ଧୀଙ୍କ ତଥାକଥିତ ଅସହଯୋଗ ଅସ୍ତ୍ର ପ୍ରୟୋଗ କରି ପଙ୍ଗୁ କରାଗଲା ଓ କଂଗ୍ରେସର ସଭାପତି ପଦରୁ ଇସ୍ତଫା ଦେବାପାଇଁ ବାଧ୍ୟ କରାଗଲା, ସେହିପରି ଓଡ଼ିଶାରେ ନିଜର ଐକାନ୍ତିକ ଉଦ୍ୟମ ବଳରେ କଂଗ୍ରେସକୁ ବିଜୟୀ କରେଇଥିବା ନୀଳକଣ୍ଠଙ୍କୁ ନେତୃତ୍ୱରୁ ବଂଚିତ କରି କୋଣଠେସା କରିଦିଆଗଲା । ଏଥିରେ ଦଳର ବା ରାଜ୍ୟର ସ୍ୱାର୍ଥ ନିହିତ ନଥିଲା, ନିହିତ ଥିଲା କେବଳ ବ୍ୟକ୍ତିଗତ ସ୍ୱାର୍ଥ, ଈର୍ଷା ଓ ଅସୂୟା ।

ଏ ଥିଲା ଓଡ଼ିଶା ରାଜନୀତିରେ ଷଡ଼ଯନ୍ତ୍ରର ଆଦ୍ୟ ଅଧ୍ୟାୟ । ନୀଳକଣ୍ଠ ନିଜ ଆତ୍ମଜୀବନୀରେ ଏହି ପ୍ରସଙ୍ଗର ଅବତାରଣା କରି ନିଜର କ୍ଷୋଭ ବାଢ଼ିଛନ୍ତି : “(ବିଶ୍ୱନାଥ ଦାସ) ନେତା ହେଲେ; କିନ୍ତୁ ତାଙ୍କ ସହିତ କଥା ହେଲା ଯେ ସେ ରୁଲ୍ ବଦଳାଇ ମୋତେ ପ୍ରଧାନମନ୍ତ୍ରୀ କରି ଆଣିବେ ଓ ନିଜେ ଜଣେ ମନ୍ତ୍ରୀ ହେବେ, ମାତ୍ର ନିର୍ବାଚିତ ହେଲାପରେ ଏପରି କଥା ତାଙ୍କର ମନେ ରହିଲା ନାଇଁ । ଯେଉଁ ଚକ୍ରାନ୍ତ ଫଳରେ ମୁଁ ପ୍ରଧାନମନ୍ତ୍ରୀ ହୋଇପାରିଲି ନାଇଁ, ବିଶ୍ୱନାଥ ଦାସ ନିର୍ବାଚିତ ହେବା ପରେ ପରେ, ସେଇ ଚକ୍ରାନ୍ତର ଗୋଟିଏ ଅଂଶ ହୋଇଗଲେ । ମୁଁ ଏକଥା ସେତେବେଳର ପାର୍ଲାମେଣ୍ଟାରୀ କମିଟିର ସଭାପତି ବଲ୍ଲଭଭାଇ ପଟେଲଙ୍କୁ କହିବାରୁ ସେ କହିଲେ, ‘ତୁମେ କେଡ଼େ ବୋକା, ତୁମେ କଣ ଜାଣି ନଥିଲ ଯେ ପ୍ରଦେଶରେ ମନ୍ତ୍ରୀତ୍ୱ ନେବା ପାଇଁ ଏ ନିର୍ବାଚନ ହେଉଛି’ ।” (ପଣ୍ଡିତ ନୀଳକଣ୍ଠ ଦାସ, ‘ଆତ୍ମଜୀବନୀ’, ପୃ.-୧୩୩) । ଏସବୁର ଫଳ ସ୍ୱରୂପ ନୀଳକଣ୍ଠ ଓ ଗୋଦାବରୀଶ ଅସନ୍ତୁଷ୍ଟ ଗୋଷ୍ଠୀ ଭାବରେ କାର୍ଯ୍ୟ କରୁଥିଲେ ଓ ମନ୍ତ୍ରିମଣ୍ଡଳର ନୀତି ଓ କାର୍ଯ୍ୟକ୍ରମକୁ କଠୋର ସମାଲୋଚନା କରୁଥିଲେ । ଶେଷରେ ସେମାନେ କଂଗ୍ରେସର ଜାତୀୟ ନେତୃତ୍ୱ ପାଖରେ ବିଶ୍ୱନାଥ ଦାସଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଦୁର୍ନୀତି ଅଭିଯୋଗ ଉପସ୍ଥାପିତ କଲେ । କଥା ଆଉ ଘର ଭିତରେ ନରହି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା । ତତ୍‌କାଳୀନ କଂଗ୍ରେସ ସଭାପତି ରାଜେନ୍ଦ୍ର ପ୍ରସାଦ ନିଜେ ଅଭିଯୋଗ ଗୁଡ଼ିକର ତଦନ୍ତ କରିବାପାଇଁ କଟକ ଆସିଥିଲେ । ଯଦିଓ ଅଭିଯୋଗ ଗୁଡ଼ିକ ଭିତ୍ତିହୀନ ବୋଲି ସାବ୍ୟସ୍ତ ହେଲା, ବିବାଦ ଛିଡ଼ିବା ବଦଳରେ ବଢ଼ିବାରେ ଲାଗିଲା ।

ନୀଳକଣ୍ଠଙ୍କ ପକ୍ଷରୁ ଆଉ ଏକ ଗୁରୁତର ଅଭିଯୋଗ କରାଯାଇଥିଲା ଯେ, ବିଶ୍ୱନାଥ ମନ୍ତ୍ରିମଣ୍ଡଳ ରାଜନୈତିକ ଆକ୍ରୋଶ କାରଣରୁ ତାଙ୍କର ସମର୍ଥକମାନଙ୍କୁ ମିଛ ମାମଲାରେ ଗିରଫ କରିଛି ବୋଲି । ନୀଳକଣ୍ଠ ଜାତୀୟ ନେତୃବୃନ୍ଦ ଏବଂ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ପାଖରେ ଏ ପ୍ରକାର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଫେରାଦ ହେଲେ ମଧ୍ୟ କୌଣସି ଫଳ ମିଳିଲାନି । ଅବଶ୍ୟ ସାକ୍ଷ୍ୟ ପ୍ରମାଣ ଅଭାବରୁ ନୀଳକଣ୍ଠଙ୍କ ସମର୍ଥକମାନଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଫୌଜଦାରୀ ମାମଲା କୋର୍ଟରେ ଖାରଜ ହୋଇଥିଲା ଓ ସେମାନେ ଜେଲ୍‌ରୁ ଖଲାସ ହୋଇଥିଲେ । କଂଗ୍ରେସ ଆକାଶରେ କଳାହାଣ୍ଡିଆ ମେଘ ଘୋଟେଇ ଆସୁଥିଲା ।

୧୯୩୯ରେ ବିଶ୍ୱନାଥ ଦାସ ମନ୍ତ୍ରିମଣ୍ଡଳର ଇସ୍ତଫା ପରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ଛକପଞ୍ଚା ଚାଲିଲା । ନୀଳକଣ୍ଠ-ଗୋଦାବରୀଶ ପରିଚାଳିତ ଗୋଷ୍ଠୀକୁ ଗଞ୍ଜାମ ଓ କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କିଛି ଜିଲ୍ଲାର କଂଗ୍ରେସ କର୍ମୀମାନେ ବହୁସଂଖ୍ୟାରେ ସମର୍ଥନ କରୁଥିଲେ । ଏମାନଙ୍କ ସମର୍ଥନକୁ ବ୍ୟାହତ କରି ଏହି ଗୋଷ୍ଠୀକୁ ମାତ୍ ଦେବାପାଇଁ ହରେକୃଷ୍ଣ - ନବକୃଷ୍ଠ ଗୋଷ୍ଠୀ ଚମତ୍କାର ଗୋଟି ଚାଳନା କଲେ ଓ ସଫଳ ମଧ୍ୟ ହେଲେ । ନୀଳକଣ୍ଠଙ୍କୁ ସଭାପତି ନ କରେଇଦେବା ପାଇଁ ତାଙ୍କ ବିରୁଦ୍ଧରେ କୋରାପୁଟର ଜଣାଶୁଣା ନେତା ରାଧାକୃଷ୍ଣ ବିଶ୍ୱାସରାୟଙ୍କୁ ପ୍ରାର୍ଥୀ କରାଗଲା । ଫଳରେ କୋରାପୁଟ ଓ ଗଞ୍ଜାମର ଅଧିକାଂଶ କର୍ମୀଙ୍କ ମତ ରାଧାକୃଷ୍ଣଙ୍କ ସପକ୍ଷରେ ଗଲା ଓ ସେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିର୍ବାଚିତ ହେଲେ । ନବକୃଷ୍ଣ ଚୌଧୁରୀ ହେଲେ ସାଧାରଣ ସମ୍ପାଦକ । ନିର୍ବାଚନ ଫଳାଫଳରେ ନିରାଶ ହୋଇ ନୀଳକଣ୍ଠ ଓ ଗୋଦବରୀଶ କଂଗ୍ରେସରୁ ଅଲଗା ହୋଇଗଲେ । ପିଲାଦିନୁ ଗାନ୍ଧୀ ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ କାର୍ଯ୍ୟ କରିଥିବା ଗୋପବନ୍ଧୁଙ୍କ ଡାହାଣ ଓ ବାମ ହାତ ଭାବରେ ପରିଗଣିତ ନୀଳକଣ୍ଠ ଓ ଗୋଦାବରୀଶଙ୍କ କଂଗ୍ରେସରୁ ବିଦାୟ କେବଳ କଂଗ୍ରେସ ପାଇଁ ନୁହେଁ, ପୂରା ରାଜ୍ୟର ସଂଗଠନାତ୍ମକ ଓ ବୌଦ୍ଧିକ ରାଜନୀତି ପାଇଁ ଦାରୁଣ ଧକ୍କା ଥିଲା । ଗୋପବନ୍ଧୁଙ୍କ ପରେ ରାଜ୍ୟ କଂଗ୍ରେସ ସାମୂହିକ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ବଦଳରେ ନ୍ୟସ୍ତସ୍ୱାର୍ଥ ଭିତ୍ତିକ, ବ୍ୟକ୍ତି-କୈନ୍ଦ୍ରିକ ବହୁଧା ଗୋଷ୍ଠୀ ବିଭକ୍ତ ସଂଗଠନରେ ପରିଣତ ହୋଇଯାଇଥିଲା ।