ଫଟୋ: ଫ୍ରାଞ୍ଜ କାଫକା, ୱିକି କମନ୍ସ

[୧]

୧୯୨୪ ମସିହା, ଏପ୍ରିଲ ୧୦ ତାରିଖ ।

ଅଷ୍ଟ୍ରିଆର ଛୋଟ ଏକ ସହର ଯାହାର ନାଁ କ୍ଲୋବର୍ଗ । ଏଇ ସହରରେ ଅଛି କିଏର୍ଲିଂ କ୍ଲିନିକ୍ । ଏଇ କ୍ଲିନିକରେ ଆଜି ଚିକିତ୍ସା ପାଇଁ ପହଞ୍ଚିଚି ଜଣେ ଚାଳିଶ ବର୍ଷର ଜର୍ମାନ ଯୁବକ । ଚିକିତ୍ସା କରିବା ପାଇଁ କିଛି ନାହିଁ ଆଉ ଅବଶ୍ୟ। ତା' ତଣ୍ଟି ଦେଇ ଆଉ କୌଣସି ଖାଇବା ଯାଉନି ଭିତରକୁ । ଭୟଙ୍କର ଯକ୍ଷ୍ମାରୋଗ । ବଞ୍ଚିବାର କୌଣସି ଆଶା ନାହିଁ। ଆଶ୍ଚର୍ଯ୍ୟର କଥା, ଲୋକଟି ରୋଗରେ ପଡ଼ିବାର ଅଳ୍ପ ଦିନ ପୂର୍ବରୁ ଲେଖିବା ଆରମ୍ଭ କରିଥିଲା ଗୋଟେ ଗପ । ସେ ଗପର ନାୟକ ଜଣେ ଭୋକର କଳାକାର । 'ହଙ୍ଗର୍ ଆର୍ଟିଷ୍ଟ୍' । ଭୋକିଲା ରହିବା ହିଁ ଯାହାର କଳା । କିଏ ଜାଣିଥିଲା ସତକୁ ସତ ସେ ଲେଖକ ନିଜେ ଯକ୍ଷ୍ମାରୋଗର ଦାରୁଣ କଷ୍ଟ ଭିତରେ ଖାଦ୍ୟ ଖାଇବାକୁ ଅକ୍ଷମ ହୋଇଯିବ ଆଉ ବାଧ୍ୟ ହୋଇ ଭୋକିଲା ରହି ରହି ମୃତ୍ୟୁକୁ ଅପେକ୍ଷା କରିବ ବୋଲି !

[୨]

୧୬୧୬ ମସିହା, ମାର୍ଚ୍ଚ୍ ୨୫ ତାରିଖ ।

ଇଂଲଣ୍ଡର ଷ୍ଟ୍ରାଟଫୋର୍ଡ ସହର । ନିକଟରେ ନିଜ ଝିଅକୁ ବାହା ଦେଇଥିବା ଜଣେ ମଧ୍ୟବୟସ୍କ ନାଟ୍ୟକାରଙ୍କ ଘର । ଯଦିଓ ତାଙ୍କୁ ବୟସ ମାତ୍ର ବାଉନ ବର୍ଷ ହେଇଥିଲା ଓ ତାଙ୍କର ଦେହ ସେମିତି କିଛି ଖରାପ ନଥିଲା, ତାଙ୍କୁ ଲାଗୁଥିଲା ଯେ ସେ ଆଉ ବେଶୀ ଦିନ ବଞ୍ଚିବେ ନାହିଁ । ବେଳେବେଳେ ତାଙ୍କ ପେଟରେ ଭୟଙ୍କର ଯନ୍ତ୍ରଣା ଦେଖାଦେଉଥିଲା, ବେଳେବେଳେ ଟିକେ ଜ୍ୱର ହେଉଥିଲା । ସେଇ ସକାଶେ ମାସେ ତଳେ ନିଜର ଉଇଲ୍ ଲେଖିଦେଇଥିଲେ ସିଏ । ହେଲେ ଝିଅ ବାହାଘର ପରେ ହିଁ ସେ ଖବର ପାଇଲେ ଜ୍ୱାଇଁ ତାଙ୍କର ମହା-ଲମ୍ପଟ । ଜ୍ୱାଇଁ ନାଁରେ ଯାହା କିଛି ସେ ଲେଖିଦେଇଥିଲେ ଉଇଲରେ ସେତକ କାଟି ପୁଣି ଝିଅ ନାଁରେ ରଖିଯିବାକୁ ହବ । ସେଇ ସକାଶେ ସେ ଡାକିଥିଲେ ଜଣେ ଓକିଲ ସାଙ୍ଗକୁ ।

[୩]

୧୯୨୪ ମସିହା, ଜୁନ୍ ୩ ତାରିଖ ।

ଚେକୋସ୍ଲୋଭାକିଆର ରାଜଧାନୀ ପ୍ରାଗ୍ । ଏଇଠି ପ୍ରସିଦ୍ଧ ଲେଖକ, ସଙ୍ଗୀତଜ୍ଞ ଓ ସାମ୍ବାଦିକ, ମ୍ୟାକ୍ସ ବ୍ରଡ୍ ଙ୍କ ଘର । ପ୍ରାଗ୍ ଠାରୁ କ୍ଲୋବର୍ଗ ତିନିଶହ କିଲୋମିଟର । ଅଥଚ ମ୍ୟାକ୍ସ ବ୍ରଡ୍ ଙ୍କ ମନ ଥାଏ ଯାଇ କ୍ଲୋବର୍ଗରେ, ସେଇ କିଏର୍ଲିଂ କ୍ଲିନିକରେ । ଯେଉଁଠି ଥାଏ ଧୀରେ ଧୀରେ ନିଜ ଗପର ନାୟକ ପାଲଟିଯାଉଥିବା ସେ ଯକ୍ଷ୍ମା-ପୀଡ଼ିତ ଲେଖକଟି! ତାଙ୍କ ଅତି ଆପଣାର ସାଙ୍ଗ । ମ୍ୟାକ୍ସ ବ୍ରଡ୍ ସତେ ଯେମିତି ଅପେକ୍ଷା କରିଥିଲେ ଦୁଃସମ୍ବାଦ ପାଇଁ । ଆସି ପହଞ୍ଚିଲା ଦୁଃସମ୍ବାଦ - ସାଙ୍ଗ ଆଉ ନାହିଁ । ଆସି ପହଞ୍ଚିଲା ସେଇଦିନ ବି ଆଉ ଗୋଟିଏ ଚିଠି, ସେଇ ସାଙ୍ଗ ପାଖରୁ, ଯାହା ସିଏ ଲେଖି ରଖିଯାଇଥିଲା ତାଙ୍କ ପାଇଁ କ୍ଲିନିକ୍ ଯିବା ଆଗରୁ ହିଁ । ଚିଠିଟି ଖୋଲିଲେ ମ୍ୟାକ୍ସ ବ୍ରଡ୍:

ପ୍ରିୟତମ ମ୍ୟାକ୍ସ !

ଏଇ ମୋ'ର ସବାଶେଷ ଅନୁରୋଧ: ଯାହା ଯାହା ମୁଁ ଛାଡ଼ିଯାଉଛି... ଡାଏରୀ, ପାଣ୍ଡୁଲିପି, ଚିଠି (ମୋ' ନିଜର ବା ଆଉ କାହାର), ସ୍କେଚ୍ ଆଉ ବାକି ଯାହା ଯାହା ରହିଲା - ଦୟାକରି ନ ପଢ଼ି ହିଁ ସବୁ ଜାଳିଦେବ ।

ଇତି ତୁମର,
ଫ୍ରାଞ୍ଜ୍

ଦୀର୍ଘନିଃଶ୍ବାସଟିଏ ଛାଡ଼ିଲେ ମ୍ୟାକ୍ସ ବ୍ରଡ୍ । ଏଇ ତାଙ୍କ ସାଙ୍ଗ ଯାହା ଲେଖା ପଢ଼ି ସେ ସବୁବେଳେ ଅବାକ ହେଇଚନ୍ତି । ହଜାରେ ଥର ବୁଝେଇଚନ୍ତି ତାକୁ, 'ଫ୍ରାଞ୍ଜ୍ ! ବିଶ୍ୱାସ କର ତୁ ବହୁତ ଭଲ ଲେଖୁଚୁ ।' ସର୍ବସାଧାରଣରେ କହିଚନ୍ତି, 'ଟଲଷ୍ଟୟ କି ଗେଟେଙ୍କ ସହ ତୁଳନୀୟ ଏ ଲେଖକ' ଅଥଚ କେହି ବିଶ୍ବାସ କରିନାହାନ୍ତି ତାଙ୍କୁ, ନା ଲୋକେ, ନା ଫ୍ରାଞ୍ଜ୍ ନିଜେ । ଆଉ ଆଜି... ସାଙ୍ଗ ତାଙ୍କର ଆଉ ନାହିଁ । ପୁଣି ଦୀର୍ଘନିଃଶ୍ବାସ !

ମ୍ୟାକ୍ସ ବ୍ରଡ୍ ନିଷ୍ପତ୍ତି ନେଇସାରିଥିଲେ । ଲେଖା ଜାଳିବାର ପ୍ରଶ୍ନ ଉଠୁନାହିଁ ।

[୪]

୧୬୧୬ ମସିହା, ମାର୍ଚ୍ଚ୍ ୨୫ ତାରିଖ ।

ଷ୍ଟ୍ରାଟଫୋର୍ଡ । ଓକିଲ ସାଙ୍ଗ ପାଇଁ ଅପେକ୍ଷା କଲାବେଳେ ନାଟ୍ୟକାର ଭାବୁଥିଲେ ଲଣ୍ଡନରେ ତାଙ୍କ ଦିନସବୁ କଥା । ନାଟକ ଲେଖିବା, ନାଟକ ସବୁକୁ ମଞ୍ଚସ୍ଥ କରେଇବା ପାଇଁ ଥିଏଟର କମ୍ପାନୀ ଖୋଲିବା, ଅଭିନୟ କରିବା, କବିତା ଲେଖିବା - କଣ ନ କରିଚନ୍ତି ସିଏ ! ଲଣ୍ଡନ ସହରର ପ୍ରାୟ କୋଡ଼ିଏ ପ୍ରତିଶତ ଲୋକ ଯେତେବେଳେ ପ୍ଲେଗ୍ ରୋଗରେ ମରିଗଲେ, ସେତେବେଳେ ବି ଲଣ୍ଡନ ଛାଡ଼ି କୁଆଡ଼େ ଯାଇନଥିଲେ ସିଏ । ପ୍ଲେଗ୍ ବେଳେ ଥିଏଟର ବନ୍ଦ ହେଇଗଲା, ପଇସାପତ୍ରର ଘୋର ଅଭାବ, ବଡ଼ କଷ୍ଟରେ ଚଳିଲେ ନାଟ୍ୟକାର । ହେଲେ ନାଟକ ଲେଖା ବନ୍ଦ କରିନଥିଲେ ସିଏ । ଜାଣିଥିଲେ ପୁଣି ଖୋଲିବ ଥିଏଟର। ପୁଣି ଆସିବେ ଦର୍ଶକ। ସେଇଆ ହେଲା । କିନ୍ତୁ ପୁଣି କିଛି ବର୍ଷ ପରେ ଫେରିଲା ପ୍ଲେଗ୍ । ପୁଣି ମଲେ ଲୋକ । ଅବଶ୍ୟ ଅପସରିଗଲା ପୁଣି ମହାମାରୀ, କିନ୍ତୁ ଧୀରେ ଧୀରେ ଥକିପଡୁଥିଲେ ନାଟ୍ୟକାର । କେତେଦିନ ଆଉ ଘରପରିବାର ଛାଡ଼ି ଲଣ୍ଡନ ସହରରେ ରହିବେ ! ଲେଖାଲେଖି ଆଉ ଅଭିନୟରୁ ଖୁବ୍ ଯଶ ଆଉ ପଇସା କମେଇଥିଲେ ନାଟ୍ୟକାର । ଦିନେ ଯେଉଁ ଷ୍ଟ୍ରାଟଫୋର୍ଡରୁ କୁକୁଡ଼ା ଚୋରି କରିବା ଅଭିଯୋଗରେ ଧରାପଡ଼ିବା ଡରରେ ସେ ଖସିପଳେଇଥିଲେ, ଆଜି ସେଇଠି ବଡ଼ ଘରଟିଏ ତୋଳିପାରିଥିଲେ ସିଏ । ପଇସାପତ୍ରର ଅଭାବ ନଥିଲା କିନ୍ତୁ ଖୁସି! ଖୁସି କାହିଁ !

ଏଗାର ବର୍ଷର ପୁଅ ଚାଲିଗଲା ତାଙ୍କ ଆଖି ଆଗରେ । ପ୍ଳେଗ୍ ଗଲା ପରେ ଏତେ ବର୍ଷ ପରେ ଯେଉଁ ଗ୍ଲୋବ୍ ଥିଏଟର ପୁ'ଣି ଖୋଲିଲା, ଯାହାକୁ ସେ ନିଜ ହାତରେ ଗଢ଼ିଥିଲେ - ନିଆଁ ଲାଗି ପୋଡ଼ି ପାଉଁଶ ହେଇଗଲା । ବୀତସ୍ପୃହ ହେଇ ସେ ଶେଷରେ ସବୁଦିନ ପାଇଁ ଫେରିଆସିଥିଲେ ଷ୍ଟ୍ରାଟଫୋର୍ଡ ଏଇ ତିନିବର୍ଷ ତଳେ । ହେଲେ ପୁଣି ସେଇକଥା । ସ୍ତ୍ରୀଙ୍କର ରୋଗ । ତାଙ୍କ ନିଜର ରୋଗ । ଜ୍ୱାଇଁର ଚରିତ୍ର । ଆଉ ସବୁବେଳେ ମନଭିତରେ ସେଇ ଗୋଟିଏ ଭାବନା: ଆଉ ବେଶିଦିନ ନୁହଁ ।

ଉଇଲରେ ସେ ଅବଶ୍ୟ ଲେଖିଯାଇଥିଲେ ଗ୍ଲୋବ୍ ଥିଏଟରର ତାଙ୍କର ତିନିଜଣ ସହକର୍ମୀ ତଥା ବନ୍ଧୁମାନଙ୍କ ପାଇଁ ଛବିଶ ଶିଲିଂ ଆଉ ଆଠ ପେନ୍ସ ଲେଖାଏଁ ଦେବାକୁ । ଅନ୍ତତଃ ଏତିକି ପଇସାରେ ସେମାନେ ନାଟ୍ୟକାର ମଲାପରେ ତାଙ୍କ କୃତିସମଗ୍ର କେଇଖଣ୍ଡ ତ ପ୍ରକାଶ କରିପାରିବେ ! ତା'ସତ୍ତ୍ୱେ ବି ନାଟ୍ୟକାର ଡରୁଥିଲେ ଆଜିକାଲି ବେଶୀ ବେଶୀ। ସେ ଚାଲିଗଲା ପରେ କିଏ ମନେ ରଖିବ ତାଙ୍କୁ । ଲଣ୍ଡନରୁ ଷ୍ଟ୍ରାଟଫୋର୍ଡ ସିନା ଆସିହଉଚି ବୋଲି ଛୁଟି ଆସୁଛନ୍ତି ବନ୍ଧୁମାନେ। ମଲାପରେ ? ଆଜିକାଲି ତ କବର ଭିତରୁ ବି ସାଧାରଣ ଲୋକଙ୍କୁ କାଢ଼ିନେଇ ସେଠି ଅଧିକା ପଇସାବାଲାଙ୍କୁ, ଅଧିକା ପ୍ରସିଦ୍ଧ ମଲାଲୋକଙ୍କୁ ଥଇଥାନ କରାହଉଚି। ଓକିଲ ଆସିନଥିଲେ ତଥାପି । ନାଟ୍ୟକାର ଦୁଆତରେ କଲମ ବୁଡ଼େଇଲେ ଏବଂ ଲେଖିବା ଆରମ୍ଭ କଲେ...

"Good friend for Jesus sake forbear,
To dig the dust enclosed here.
Blessed be the man that spares these stones,
And cursed be he that moves my bones."

'ହେ ବନ୍ଧୁ! ଯୀଶୁଙ୍କର ରାଣ, ରହିଯାଅ,
ଏଠି ଯେଉଁ ମାଟି ମୁଠେ ଅଛି -
ଯଦି କେହି ଏଇମିତି ଛାଡ଼ିଦିଏ ୟାକୁ, ଆଶୀର୍ବାଦ ତାକୁ,
ଯଦି କେହି ହାତ ମାରେ ହାଡ଼ରେ ମୋହର,
ନର୍କରେ ବାସ ହେଉ ତା'ର।'

କାଗଜଟି ଭଙ୍ଗାଭଙ୍ଗି କରି ଯତ୍ନରେ ନିଜ ବାକି କାଗଜପତ୍ର ସହ ରଖିଦେଲେ ନାଟ୍ୟକାର । ଓକିଲକୁ କହିଦେବାକୁ ପଡ଼ିବ ଏତକ ତାଙ୍କ ନିଜ କବର ଉପରେ ଲେଖାହବ ବୋଲି । ଯାହା ଯୁଗ ହେଲାଣି ଇଂଲଣ୍ଡରେ, କାଲିକି ତାଙ୍କ ନିଜ କବର ଖୋଳାନହବ ବୋଲି କିଏ କହିବ । ସେ ତ ଆଉ ରାଜା କି ସମ୍ଭ୍ରାନ୍ତ ବଂଶୀୟ ନୁହଁନ୍ତି !

[୫]

ଆଜିର ତାରିଖ । ସ୍ଥାନ: ଆପଣ ଯେଉଁଠି ବି ଅଛନ୍ତି ।

ଆପଣ ହୁଏତ ଜାଣିସାରିଥିବେ,
ସେ ଜର୍ମାନ ଲେଖକଙ୍କ ନାଁ ଫ୍ରାଞ୍ଜ୍ କାଫକା, ଏବଂ
ସେ ଇଂରେଜ ନାଟ୍ୟକାରଙ୍କ ନାଁ ଉଇଲିଅମ୍ ଶେକ୍ସପିଅର୍ ।

ଉଭୟଙ୍କର ପରିଚୟ ଦେବା ଏକବାରେ ଅନାବଶ୍ୟକ । ଉଭୟେ ବିଶ୍ୱ ସାହିତ୍ୟରେ ଅଦ୍ଵିତୀୟ ସ୍ଥାନର ଅଧିକାରୀ । ତେବେ, ଏକଥା ସ୍ପଷ୍ଟ ଯେ ଅମରତ୍ୱର ଅଙ୍କକଷାରେ ଉଭୟ ବଡ଼ ଦୟନୀୟ ଭାବରେ ବିଫଳ ହେଇଥିଲେ ।

କାଫକାଙ୍କ ତିନୋଟି ପ୍ରଖ୍ୟାତ କୃତି - 'କ୍ୟାସଲ୍', 'ଟ୍ରାଏଲ୍' ଏବଂ 'ଆମେରିକା' ସେ ମରିବାର ତିନିବର୍ଷ ଭିତରେ ମ୍ୟାକ୍ସ ବ୍ରଡ୍ ଙ୍କ ଉଦ୍ୟମରେ ବାହାରିଥିଲା । ତିନୋଟି ଯାକ ବିଶ୍ବ ସାହିତ୍ୟର ଅମରକୃତି । ଏତକ ବାହାରିଲା ପରେ ହିଁ ତାଙ୍କ ପୂର୍ବ ପ୍ରକାଶିତ ଅଥଚ ଅବହେଳିତ ଲେଖାତକ ବି ଲୋକଲୋଚନକୁ ଆସିଲା । ନିଜ ଜୀବଦ୍ଦଶାରେ କାଫକା ଖାଲି ବିଫଳତା ହିଁ ଦେଖିଥିଲେ । ନିଜ ଲେଖାର ପ୍ରାୟ ନବେଭାଗ ସେ ବଞ୍ଚିଥିଲା ବେଳେ ହିଁ ଜାଳିଦେଇଥିଲେ । ଭାଗ୍ୟ ଭଲ ଆମର, ଅନ୍ତତଃ ଉପରୋକ୍ତ ଉପନ୍ୟାସ ତିନୋଟି, 'ମେଟାମର୍ଫୋସିସ୍', 'ହଙ୍ଗର୍ ଆର୍ଟିଷ୍ଟ' ଇତ୍ୟାଦି ସେ ଜଳିଯାଇଥିବା ଲେଖାସବୁରେ ସାମିଲ ନଥିଲା ।

୧୯୮୮ ମସିହାରେ 'ଟ୍ରାଏଲ୍' ଉପନ୍ୟାସର ମୂଳ ପାଣ୍ଡୁଲିପିଟି ପ୍ରାୟ ଦୁଇ ମିଲିଅନ ଡଲାରରେ ନିଲାମ ହୋଇଥିଲା । ମ୍ୟାକ୍ସ ବ୍ରଡ୍ ଓ ତାଙ୍କ ସହକାରୀଙ୍କ ମୃତ୍ୟୁ ପରେ ବର୍ତ୍ତମାନ କାଫକାଙ୍କ ଲେଖାର ମାଲିକାନା ପାଇଁ ଦୁଇଟି ଦେଶର ସରକାର (ଜର୍ମାନୀ ଓ ଇସ୍ରାଏଲ) ଭିତରେ ବିବାଦ ଚାଲିଚି । କହିବା ବାହୁଲ୍ୟ, ଏ ବିବାଦରେ ଆହୁରି ଅନେକ ବେସରକାରୀ ଦାବିଦାର ମଧ୍ୟ ଅଛନ୍ତି । ଆଜି ସମଗ୍ର ବିଶ୍ୱ ମ୍ୟାକ୍ସ ବ୍ରଡ୍ ଙ୍କୁ ତାଙ୍କ ନିଜ ଲେଖା ଅପେକ୍ଷା ଜାଣେ କାଫକାଙ୍କ ଲେଖାର ରକ୍ଷକ ଭାବରେ । ଭାବି ଦେଖନ୍ତୁ, କଣ ହେଇଥାନ୍ତା ଯଦି ମ୍ୟାକ୍ସ ବ୍ରଡ୍ କାଫକାଙ୍କ "ସବାଶେଷ ଅନୁରୋଧ" ମାନିନେଇଥାନ୍ତେ !

ସେକ୍ସପିଅର୍ ଙ୍କ କବରରେ ହାତ ମାରିବା ଦୂରର କଥା, ସେକ୍ସପିଅର୍ ଙ୍କ ନାଁ ପ୍ରତି ଆଜି ବି ଅଗଣିତ ପାଠକଙ୍କର ଅସାମାନ୍ୟ ଶ୍ରଦ୍ଧା ଓ ସମ୍ମାନ ଅଛି । ସେକ୍ସପିଅର୍ ତାଙ୍କ ମୃତ୍ୟୁ ପରେ ପୃଥିବୀର ପ୍ରତି କୋଣରେ ପହଞ୍ଚିଚନ୍ତି କେବେ ନାଟ୍ୟରୂପରେ, କେବେ କାହାଣୀ ହେଇ, କେବେ ସିନେମା ହେଇ, କେବେ କମିକ୍ସ ହେଇ, କେବେ ପ୍ରବନ୍ଧ ହେଇ, କେବେ ଆଲୋଚନା ହେଇ । ଏ ପ୍ରବାହ ବିଗତ ଚାରିଶହ ପାଞ୍ଚ ବର୍ଷ ହେଲା ଅବିରତ ଚାଲିଆସିଚି । ସେକ୍ସପିଅର୍ ଙ୍କ ଲିଖିତ ନାଟକଟିଏରେ ନିର୍ଦ୍ଦେଶନା/ଅଭିନୟ ବା ଅନ୍ୟ ଯେକୌଣସି ଯୋଗଦାନ ଦେବାକୁ ଅନେକ ମହାନ କଳାକାର ଜୀବନର ଚରମ ସାର୍ଥକତା ବୋଲି ଭାବିଚନ୍ତି । ସେକ୍ସପିଅର୍ ଯେଉଁ ଛନ୍ଦରେ ସନେଟ୍ ଲେଖୁଥିଲେ, ସେ ଛନ୍ଦକୁ 'ସେକ୍ସପିଅରିଆନ୍ ସନେଟ୍' ନାଁରେ ନାମିତ କରାହେଇଛି । ତାଙ୍କ ପରେ ସମଗ୍ର ବିଶ୍ବରେ ପିଢ଼ି ପରେ ପିଢ଼ି ଅନେକ ମହାକବି ସେଇ ଛନ୍ଦରେ ଲେଖିଛନ୍ତି ।

ତେବେ ଏ ଧରଣର ଅମରତ୍ୱ ସେକ୍ସପିଅର୍ ନିଜେ କେବେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିବେ ନିଜ ପାଇଁ । ସେ ନିଜ ସମୟରେ ବେଶ୍ ଲୋକପ୍ରିୟ କଳାକାର ଥିଲେ କିନ୍ତୁ ନିଜ ସମୟକୁ ଅତିକ୍ରମ କରି ପାଞ୍ଚଟି ଶତାବ୍ଦୀ ପରେ ବି ସେ ସେମିତି ଅମଳିନ ହୋଇ ଥିବେ ଏକଥାର ହିସାବ ସେ ଯଦି ଲଗେଇପାରିଥାନ୍ତେ, ତାହେଲେ କଣ ପାଇଁ ପୁଣି ସେ ଧାଡ଼ିତକ ଲେଖିଯାଇଥାନ୍ତେ ନିଜ କବର ଉପରେ ?

କାଫକା ନିଜ ଜୀବଦ୍ଦଶାରେ ତିଳେମାତ୍ର ସଫଳତା ଦେଖିନଥିଲେ । କିରାଣୀ ଭାବରେ ଗୋଟେ ଅଫିସରେ କାମ କରୁଥିଲେ ଯେଉଁଠି ତାଙ୍କୁ ଅଣନିଃଶ୍ବାସୀ ଲାଗୁଥିଲା ସବୁବେଳେ । ଯଦି ମ୍ୟାକ୍ସ ବ୍ରଡ୍ ନଥାନ୍ତେ, ତାହେଲେ କଣ ହେଇଥାନ୍ତା ବିଶ୍ୱସାହିତ୍ୟର ଭାଗ୍ୟ କାଫକାଙ୍କୁ ହରେଇ ? ଏକୁଟିଆ ସାଧାରଣ ମଣିଷ ଉପରେ ଅତ୍ୟାଚାର କରିବା ପାଇଁ, ତା'ର ମନୋବଳ ଭାଙ୍ଗିଦେବା ପାଇଁ, ତାକୁ ହତାଶ କରିବା ପାଇଁ ସୃଷ୍ଟ ଶକ୍ତିଶାଳୀ ବ୍ୟବସ୍ଥା (ଯାହାକୁ ଆମେ 'ସିଷ୍ଟମ୍' ବୋଲି କହୁ ପ୍ରାୟ ସମୟ) - ଆଧୁନିକ କାଳଖଣ୍ଡରେ ଏ ବ୍ୟବସ୍ଥାକୁ ସୂଚେଇବା ପାଇଁ କେବଳ ସାହିତ୍ୟ ସମାଲୋଚନାରେ ନୁହେଁ, ଲୋକପ୍ରିୟ ସଂସ୍କୃତି (popular culture)ରେ 'କାଫକାଏସ୍କ୍' ଶବ୍ଦଟି ବ୍ୟବହୃତ ହୁଏ । ଅର୍ଥାତ୍, କାଫକା ମରିଗଲା ପରେ, ତାଙ୍କ ଲେଖାସବୁ ପ୍ରସିଦ୍ଧି ପାଇଲା ପରେ ଦୁନିଆର ଲୋକେ ଧୀରେ ଧୀରେ ବୁଝିଲେ - ସତେ ତ, ଦୁନିଆ ଠିକ୍ କାଫକାଙ୍କ ଉପନ୍ୟାସ ପରି !

ଏ ଦୁଇଜଣ ଅମର ବ୍ୟକ୍ତିତ୍ୱ । ହେଲେ ଅମରତ୍ୱର ଅଙ୍କକଷାରେ ଦୁହେଁ ବିଫଳ। ଏଥିରୁ ଅନ୍ତତଃ ଏତିକି ନିଷ୍କର୍ଷ କଢ଼ାଯାଇପାରେ ଯେ ଅମରତ୍ୱର ହିସାବ କରି ବସିବା ବେଳେ ଅନେକ ସମୟରେ କାଳର ଶକ୍ତିକୁ ଭୁଲିଯିବା ଆମର ଅଭ୍ୟାସ । ଆଜି ଲେଖୁଥିବା କେତେଜଣ ଓଡ଼ିଆ ଲେଖକ ଶହେବର୍ଷ ପରେ ପଢ଼ାହେଉଥିବେ ଏ ପ୍ରଶ୍ନର କିଛି ଉତ୍ତର ନାହିଁ। ଗ୍ଲୋବାଲ୍ ୱାର୍ମିଂ ବା କୃତ୍ରିମ ବୁଦ୍ଧିମତ୍ତା (Artificial Intelligence) ଯେଉଁ ଧରଣର ବଢ଼ିଚାଲିଚି - ମଣିଷମାନେ ହିଁ ଶହେ ବର୍ଷ ପରେ ଥିବେ କି ନଥିବେ ସେକଥା କହିବା କାଠିକର ପାଠ । ଅବଶ୍ୟ ଉଦାର ମ୍ୟାକ୍ସ ବ୍ରଡ୍ ମାନେ ନରହିଲେ କାଫକାମାନେ ଯେ ରହିବେ ସେ ଆଶା ବି କ୍ଷୀଣ । ସେଭଳି ଉଦାରତା ଆମ ଭିତରୁ କେତେ ଜଣଙ୍କର ଅଛି ?