ଫଟୋ - ଓଡିଶା ଆର୍କାଇଭ୍ସ

ଓଡ଼ିଶାରେ ପଣ୍ଡିତ କହିଲେ ଆମେ ପ୍ରାୟତଃ ଦୁଇଜଣଙ୍କୁ ବୁଝୁ । ନୀଳକଣ୍ଠ ଦାସ ଓ ଗୋଦାବରୀଶ ମିଶ୍ର । ସେମାନଙ୍କ ନାମ ଆଗରୁ ସ୍ୱତଃ ‘ପଣ୍ଡିତ’ ବିଶେଷଣ ଯୋଡ଼ା ଯାଉଥିଲା କେବଳ ସେମାନଙ୍କ ପାଣ୍ଡିତ୍ୟକୁ ଦର୍ଶେଇବା ପାଇଁ ନୁହେଁ, ବରଂ ତାଙ୍କର ପ୍ରଚଣ୍ଡ ବିଦ୍‌ବତ୍ତା, ସମାଜନିଷ୍ଠା ଓ ଉଜ୍ଜଳ ବ୍ୟକ୍ତିତ୍ୱ ପ୍ରତି ଶ୍ରଦ୍ଧା ନିବେଦନ ପୂର୍ବକ । ଉଭୟଙ୍କ ବୟସ ପାଖାପାଖି ଥିଲା । ନୀଳକଣ୍ଠଙ୍କ ଜନ୍ମ ୫ ଅଗଷ୍ଟ ୧୮୮୪ରେ, ୨୬ ଅକ୍ଟୋବର ୧୮୮୬ରେ ଗୋଦାବରୀଶଙ୍କ ଜନ୍ମ । ଉଭୟ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରଧାନ ସହକର୍ମୀ ଥିଲେ ଏବଂ ସେ କାଳରେ କଲିକତା ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହ ଏମ୍‌.ଏ. ଡିଗ୍ରୀ ହାସଲ କରିଥିଲେ ମଧ୍ୟ ବଡ଼ ସରକାରୀ ଚାକିରିର ପ୍ରଲୋଭନକୁ ଏଡ଼ାଇ ଗୋପବନ୍ଧୁଙ୍କ ଆମନ୍ତ୍ରଣରେ ସାମାନ୍ୟ ବେତନରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକ ରୂପେ ଯୋଗ ଦେଇଥିଲେ । ନୀଳକଣ୍ଠଙ୍କ ବିଷୟ ଥିଲା ଦର୍ଶନ ଓ ଗୋଦାବରୀଶଙ୍କ ବିଷୟ ଥିଲା ଅର୍ଥନୀତି । ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ଗୋପବନ୍ଧୁଙ୍କ ଆବାହକତ୍ୱରେ ସତ୍ୟବାଦୀର ନିଘଂଚ ଛୁରିଅନା ବଣରେ ନୀଳକଣ୍ଠ ଓ ଗୋଦାବରୀଶଙ୍କ ମଧ୍ୟରେ ଯେଉଁ ସଖ୍ୟ ସ୍ଥାପିତ ହୋଇଥିଲା, ତାହା ଯେ କେବଳ ପରବର୍ତ୍ତୀ ପାଞ୍ଚଦଶକ ପର୍ଯ୍ୟନ୍ତ ଅତୁଟ ଥିଲା ତା ନୁହେଁ, ଓଡ଼ିଶା ରାଜନୀତିରେ ଏକ ବିକଳ୍ପ ମଞ୍ଚ ପ୍ରସ୍ତୁତ କରିବାରେ ନିର୍ଣ୍ଣାୟକ ଭୂମିକା ତୁଲେଇଥିଲା । ଦର୍ଶନ ଓ ଅର୍ଥନୀତି ମଧ୍ୟରେ ଏଭଳି ଅପୂର୍ବ ସହାବସ୍ଥାନ କ୍ୱଚିତ୍ ଦେଖିବାକୁ ମିଳେ ।

ପୁରୀ ଜିଲ୍ଲା ସ୍କୁଲର ଛାତ୍ର ଥିବା ସମୟରେ ନୀଳକଣ୍ଠ ଓ ଗୋଦାବରୀଶ ପରସ୍ପରକୁ ଜାଣିଥିଲେ । ବୟସରେ ନୀଳକଣ୍ଠଙ୍କଠାରୁ ଦୁଇବର୍ଷ ସାନ ହୋଇଥିଲେ ବି ପାଠରେ ଗୋଦାବରୀଶ ମାତ୍ର ବର୍ଷେ ପଛୁଆ ଥିଲେ । ମାତ୍ର ବର୍ଷକ ବ୍ୟବଧାନରେ ଯଥାକ୍ରମେ ଶ୍ରୀରାମଚନ୍ଦ୍ରପୁର ଓ ବାଣପୁର ଓଡ଼ିଆ ମିଡିଲ୍ ସ୍କୁଲ୍‌ରୁ ପାସ୍ କରିବା ପରେ ନୀଳକଣ୍ଠ ଓ ଗୋଦାବରୀଶ ପୁରୀ ଜିଲ୍ଲା ସ୍କୁଲରେ ଭର୍ତ୍ତି ହୋଇଥିଲେ ଏବଂ ଏକାଠି ସ୍କୁଲ ବୋର୍ଡ଼ିଂରେ ରହୁଥିଲେ । ସେହି ସୂତ୍ରରେ ଆରମ୍ଭ ହୋଇଥିବା ବନ୍ଧୁତ୍ୱ ପରବର୍ତ୍ତୀ ସମୟରେ ନିବିଡ଼ ହୋଇଥିଲା । ସଂଯୋଗ ବଶତଃ ଏହି ଦୁଇ ପଣ୍ଡିତ ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକ ସହକର୍ମୀ ଭାବରେ କାର୍ଯ୍ୟ କରିଥିଲେ ଓ ସେଇଠି ସେମାନଙ୍କ ରାଜନୈତିକ ଜୀବନର ଖଡ଼ିଛୁଆଁ ହୋଇଥିଲା କହିଲେ ଭୁଲ ହେବନି । ୧୧ ଅକ୍ଟୋବର, ୧୯୧୧ରେ ନୀଳକଣ୍ଠ ସତ୍ୟବାଦୀରେ ଯୋଗ ଦେଇଥିବା ବେଳେ ଗୋଦାବରୀଶ ମେ’ ପହିଲା, ୧୯୧୩ରେ ଯୋଗ ଦେଇଥିଲେ ।

ଦୁଇ ବନ୍ଧୁ । ଦୁଇ ପଣ୍ଡିତ । ଜଣଙ୍କର ଶୁଭ୍ର ଶ୍ମଶ୍ରୁ ଶୋଭିତ ଗୁରୁଗମ୍ଭୀର ଋଷି ଚେହେରା ତ ଆଉ ଜଣଙ୍କର ଶ୍ମଶ୍ରୁ ବିବର୍ଜିତ କୋମଳ, ନିରୀହ ଚେହେରା । ଜଣେ କ୍ଷଣକୋପୀ ଦୁର୍ବାସା ତ ଆଉ ଜଣେ ଜ୍ୟୋତ୍ସ୍ନାସ୍ନାତ ଆକାଶ ପରି ଶାନ୍ତ ଓ ସ୍ନିଗ୍‌ଧ । ଉଭୟଙ୍କ ବ୍ୟକ୍ତିତ୍ୱରେ ସାମ୍ୟ ଅପେକ୍ଷା ବୈଷମ୍ୟ ଥିଲା ବେଶ ଅଧିକ । କିନ୍ତୁ ବିପରୀତ ପ୍ରକୃତି ପରସ୍ପର ଆଡ଼କୁ ଆକୃଷ୍ଟ ହେବା ଭଳି ଉଭୟେ ଉଭୟଙ୍କ ହାତ ଧରିଥିଲେ । ପାଖାପାଖି ପଚାଶବର୍ଷ ଧରି ହାତ ଧରାଧରି ହୋଇ ବାଟ ଚାଲିଥିଲେ । ଏ ରାସ୍ତା ଆଦୌ ସଳଖ ନଥିଲା । ଅନେକ ଉଠାଣି - ଗଡ଼ାଣି । ଅନେକ ମୋଡ଼ । ଅନେକ ବାଙ୍କ । ଅନେକ ବୁଲାଣି । ଶେଷ ପର୍ଯ୍ୟନ୍ତ କେହି କାହାରି ହାତ ଛାଡ଼ି ନାହାନ୍ତି । ସହଯାତ୍ରୀ ହୋଇ ରହିଛନ୍ତି ଜୀବନଯାକ । ଅଦ୍ଭୁତ ଥିଲା ଏ ସଂପର୍କ । ତୀବ୍ର ମତଭେଦ ହୋଇଛି, ବୈଚାରିକ ବିଭେଦ ଦେଖାଦେଇଛି, କେବଳ ମତାନ୍ତର ନୁହେଁ, ସାଂଘାତିକ ମନୋମାଳିନ୍ୟ ବି ହୋଇଛି । କେତେବେଳେ ଉଭୟେ ଉଭୟଙ୍କୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିଛନ୍ତି ତ କେତେବେଳେ ପରସ୍ପରର କଥାକୁ ବାଏଁ ବାଏଁ ଉଡ଼େଇ ଦେଇଛନ୍ତି । ଯେତିକି ପରସ୍ପରର ପ୍ରଶଂସା କରିଛନ୍ତି, ସେତିକି ନିନ୍ଦା ବି କରିଛନ୍ତି । ପରସ୍ପର ପ୍ରତି ନିଜର ଅସନ୍ତୋଷକୁ ପ୍ରକାଶ୍ୟରେ ଜାହିର ମଧ୍ୟ କରିଛନ୍ତି । ସଂଘାତ ଓ ବିଭେଦ ସତ୍ତ୍ୱେ ସଂପ୍ରୀତି ଓ ସଦ୍ଭାବର ଖିଅ ଛିଡ଼ିନି କେବେହେଲେ । ପିଲାଦିନେ ଦୁଇ ପଣ୍ଡିତଙ୍କ ଭିତରେ ପଡ଼ିଥିବା ଗଣ୍ଠି ଦିନକୁ ଦିନ ବେଶି ଗଣ୍ଠେଇଛି ସିନା, ବାହ୍ୟ ଚାପ ବା ସାମୟିକ ଅବୁଝାମଣା ଯୋଗୁଁ କେବେ ହୁଗୁଳି ଯାଇନି । ଓଡ଼ିଶାର ସାଂସ୍କୃତିକ ଓ ରାଜନୈତିକ ମହାକାଶରେ ଏହି ଦୁଇଜଣ ଥିଲେ ଉଜ୍ଜଳତମ ନକ୍ଷତ୍ର; ଏମାନଙ୍କର ଅଦ୍ଭୂତପୂର୍ବ ସମ୍ବନ୍ଧ ତଉଲିଲେ ଅନେକ ଅଜ୍ଞାତ ଓ ରୋଚକ ତଥ୍ୟ ସାମ୍ନାକୁ ଆସେ ।

ଥଟ୍ଟା - ତାମସା

ନୀଳକଣ୍ଠ ଓ ଗୋଦାବରୀଶ ପରସ୍ପରକୁ ସମଧର୍ମା ଓ ସମାସ୍କନ୍ଧ ବୋଲି ବିଚାର କରୁଥିଲେ । ରାଜନୈତିକ ବିମର୍ଶ ବ୍ୟତୀତ ଥଟ୍ଟା - ପରିହାସ, ଗମାତ ବି ବେଶ ଚାଲୁଥିଲା ଦି’ ଜଣଙ୍କ ଭିତରେ । ଏମିତିରେ ନୀଳକଣ୍ଠ ଥିଲେ ପ୍ରଚଣ୍ଡ କ୍ଷଣକୋପୀ, ପ୍ରାୟତଃ ରହୁଥିଲେ ଗମ୍ଭୀର । ତାଙ୍କ ସହ ଥଟ୍ଟା - ତାମସା କରିବାକୁ କାହାର ସାହସ କୁଳାଉ ନଥିଲା, କେବଳ ଗୋଦାବରୀଶଙ୍କ ବ୍ୟତୀତ । ଥରେ ଦୁହେଁଯାକ ଯାଇଥିଲେ ବ୍ରହ୍ମପୁର । ଷ୍ଟେସନରେ ଓହ୍ଲେଇ ଦିହେଁ ବସିଲେ ଗୋଟେ ଝଟ୍‌କାରେ; ସେତେବେଳେ ରିକ୍‌ସା ଚାଲୁନଥିଲା । ଝଟକାବାଲାଟି ଥିଲା ତେଲୁଗୁ । ସେ ଦୁଇଜଣଙ୍କୁ ନେଇ ସେମାନଙ୍କ ଗନ୍ତବ୍ୟରେ ପହଞ୍ଚେଇ ଦେଲା । ହେଲେ ପଇସା ଯାଚିଲା ବେଳକୁ ସେ ତା ଭାଷାରେ କ’ଣ ଇଆଡ଼ୁ ସିଆଡ଼ୁ ବକିବା ଆରମ୍ଭ କରିଦେଲା । ତା’ ପ୍ରାପ୍ୟଠାରୁ ଯଥେଷ୍ଟ ଅଧିକ ନୀଳକଣ୍ଠ ତାକୁ ଦେଲେ । ତଥାପି ସେ ନ ନେବାରୁ କୋପୀ ନୀଳକଣ୍ଠ ତା ଝଟ୍‌କା ଉପରେ ପଇସା ଥୋଇ ଦେଇ ଘର ଭିତରକୁ ପଶିଗଲେ । ଗୋଦାବରୀଶ କିନ୍ତୁ ପରିସ୍ଥିତିର ଗାମ୍ଭୀର୍ଯ୍ୟକୁ ବୁଝିପାରି ନୀଳକଣ୍ଠଙ୍କ ସହ ଘର ଭିତରକୁ ନଯାଇ ପଛରେ ରହିଗଲେ । ଧୀରେଧୀରେ ଝଟକାବାଲାର ବକାଶୋଧା ବଢ଼ିବାରେ ଲାଗିଲା ଓ ତା ପାଟି ଶୁଣି କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଜୁଟିବାରେ ଲାଗିଲେ । ବହୁ କଷ୍ଟରେ ଗୋଦାବରୀଶ ତାଙ୍କୁ ବୁଝାଶୁଝା କରି ତା’ର ସମସ୍ତ ଦେଣା ତୁଟେଇ ଘର ଭିତରକୁ ଆସିଲେ । ଅନ୍ୟମାନଙ୍କ ସହ ଗପସପରେ ମାତିଥିବା ନୀଳକଣ୍ଠ ଗୋଦାବରୀଶଙ୍କୁ ଦେଖି କହିଲେ, ‘ଦେଖିଲୁ, ଝଟ୍‌କାବାଲାକୁ ଯାହା ଦବା କଥା ତା’ଠାରୁ ବେଶି ପଇସା ଦେଇ ଆସିଥିଲି, ସେ ବିଚାରିଥିଲା ଏମିତି ପାଟିତୁଣ୍ଡ କଲେ, ମୁଁ ବ୍ୟସ୍ତ ହୋଇ ତାକୁ ଆଉ ଗୁଡ଼େ ଦେଇ ପକେଇବି । ମୁଁ ତାକୁ ଏମିତି ଧମକାଇଥିଲି ଯେ, ସେ ଆଉ କେତେ ବକର ବକର ହୋଇଥାନ୍ତା । ମୁଁ ଜାଣିଥିଲି, ମୋ ଧମକରେ ଡରି ସେ ଚାଲିଯିବ ।’ ଗୋଦାବରୀଶ କହିଲେ, ‘ହଁ, ହଁ, ତୁମେ ବଡ଼ ମାତବର ଲୋକ, ମୋତେ ପଛରେ ଛାଡ଼ି ଏକମୁହାଁ ହୋଇ ଘର ଭିତରକୁ ଚାଲି ଆସିଲ । ତାକୁ ଦାଢ଼ି ଦେଖେଇ ଡରେଇ ଦେଇଥିଲ । ବକର ବକର ହୋଇସାରିବା ପରେ, ତାର ତୁମ ଦାଢ଼ି କଥା ମନେ ପଡ଼ିଯିବାରୁ, ଏକା ଖେପାକେ ସେ ଦୌଡ଼ି ପଳେଇଲା । ଧନ୍ୟ ହୋ ତୁମ ଦାଢ଼ି, ଧନ୍ୟ ତୁମ ବିଚାର ।’ ନୀଳକଣ୍ଠଙ୍କୁ ଏଭଳି ଚଟୁଳ ପ୍ରତ୍ୟୁତ୍ତର ଗୋଦାବରୀଶଙ୍କ ଭିନ୍ନ ଆଉ କିଏ ବା ଦେଇପାରନ୍ତା !

ସତ୍ୟବାଦୀ ଟଣା - ଓଟରା

ସଂପର୍କର ରଜ୍ଜୁ ସୁଦୃଢ଼ ଥିଲା, ତଥାପି ପ୍ରସଙ୍ଗ ଭିତ୍ତିକ ବିଭେଦବେଳେ ବିଦ୍ୱେଷର ରୂପ ନେଉଥିଲା । ସତ୍ୟବାଦୀ ବିଦ୍ୟାଳୟକୁ ନେଇ ଗୋପବଂଧୁ ଯେଉଁ ସ୍ୱପ୍ନ ଦେଖିଲେ ଏବଂ ତାଙ୍କ ସହ ଏହି ସ୍ୱପ୍ନ ଦେଖାରେ ଯେଉଁମାନେ ସାମିଲ ହୋଇଥିଲେ - ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ ଓ ହରିହର - ଏ ସମସ୍ତଙ୍କର ଯାବତୀୟ ପ୍ରଚେଷ୍ଟା ଓ ଆନ୍ତରିକ ନିଷ୍ଠା ସତ୍ତ୍ୱେ ସତ୍ୟବାଦୀ ପ୍ରତିଷ୍ଠିତ ହେବାର ମାତ୍ର ନଅବର୍ଷ ଭିତରେ ହିଁ ଅକାଳ ମୃତ୍ୟୁବରଣ କଲା ଏବଂ ରବୀନ୍ଦ୍ରନାଥଙ୍କ ଶାନ୍ତିନିକେତନ ଭଳି ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ବିଫଳ ହେଲା । କେଉଁଠି ନା କେଉଁଠି ଏହି ବିଫଳତା ପାଇଁ ନୀଳକଣ୍ଠ ପରୋକ୍ଷ ଭାବରେ ଗୋଦାବରୀଶଙ୍କ ମହତ୍ତ୍ୱାକାଂକ୍ଷା ଓ ଉଚ୍ଚାଭିଳାଷକୁ ଦାୟୀ କରିଛନ୍ତି ଏବଂ ସେ ବିଷୟ ନିଜ ‘ଆତ୍ମଜୀବନୀ’ରେ ଉଲ୍ଲେଖ କରିବାକୁ କୁଣ୍ଠାବୋଧ କରିନାହାନ୍ତି । ନୀଳକଣ୍ଠଙ୍କ ନିଜ ଭାଷାରେ:

“... ତେବେ ଏ ସବୁ ଉଚ୍ଚ ଆକାଙ୍‌କ୍ଷା ଓ ଅଭିଳାଷ ସତ୍ତ୍ୱେ ୧୯୧୮ ସାଲରେ ସତ୍ୟବାଦୀ ସ୍କୁଲରେ ଯାହାଯାହା ଘଟିଲା ତା’ର ସୂଚନା ଦେବା ଉଚିତ୍ ମନେ କରୁଛି । ବି:ଟି. ପଢ଼ିବା ପାଇଁ ତା ପୂର୍ବବର୍ଷ ଗୋଦାବରୀଶ ବାବୁଙ୍କୁ କଲିକତା ପଠାଗଲା । ସେହିବର୍ଷ ସେ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ଭାବରେ ଉତ୍ତୀର୍ଣ୍ଣ ହୋଇ ସତ୍ୟବାଦୀକୁ ପୁଣି ଆସିଲେ; କିନ୍ତୁ ଆଜି କହିବାକୁ ବଡ଼ କଷ୍ଟ ହେଉଚି - ତାଙ୍କର ପ୍ରଧାନ ଶିକ୍ଷକ ହେବାପାଇଁ ଅକାଂକ୍ଷା ବଡ଼ ପ୍ରବଳ ହୋଇଉଠିଲା । କାରଣ ସେ ହେଲେ ଏମ୍‌.ଏ.ବି.ଟି । ମୁଁ ଖାଲି ଏମ୍‌.ଏ. । ସେ ସାଙ୍ଗେସାଙ୍ଗେ ଖୋର୍ଦ୍ଧା ସ୍କୁଲକୁ ହେଡମାଷ୍ଟର ହେବାପାଇଁ ଦରଖାସ୍ତ କରିଦେଲେ । ଗୋପବଂଧୁ ବାବୁ ଏକଥା ଶୁଣିଲେ । ସେ ଗୋଦାବରୀଶ, କୃପାସିନ୍ଧୁ, ହରି ଭାଇନା ଓ ମତେ ସତ୍ୟବାଦୀର ମଂଦିର ବଂଗଳାକୁ ଡକାଇନେଲେ । ସେଠାରେ ବସି ଏହି ସବୁ କଥା କହୁ କହୁ ଗୋପବଂଧୁ ବାବୁ ଭୋ’ ଭୋ’ କାନ୍ଦି ପକେଇଲେ । ଆମେ ସମସ୍ତେ ମଧ୍ୟ କାନ୍ଦିଲୁ । ପ୍ରାୟ ଅଧଘଣ୍ଟାଏ ପରେ ସ୍ଥିର ହେଲା - ସତ୍ୟବାଦୀରେ କେହି ସ୍ଥାୟୀ ପ୍ରଧାନ ଶିକ୍ଷକ ହୋଇପାରିବେ ନାଇଁ । କୃପାସିନ୍ଧୁ, ଗୋଦାବରୀଶ ଓ ମୁଁ ପ୍ରତ୍ୟେକ ତିନି ତିନି ବର୍ଷ ପାଇଁ ପ୍ରଧାନଶିକ୍ଷକ ହେବୁ । କିନ୍ତୁ ମୁଁ ବୁଝିଲି ଏ ସମାଧାନ ଯଥାର୍ଥ ସମାଧାନ ନୁହେଁ । ବିଶେଷରେ ମୋର ମନ ମଧ୍ୟ ସେହିଠାରୁ ଫାଟିଗଲା । ମୁଁ ଜାଣିଲି ଏ ସ୍କୁଲ ଯେଉଁ ପୀଠରେ ଯେଉଁ ଅଭିଳାଷ ନେଇ ବଢ଼ୁଥିଲା, ତା’ ଆଉ ପୂର୍ଣ୍ଣ ହୋଇପାରିବ ନାହିଁ ।” (ନୀଳକଣ୍ଠ ଦାସ, ‘ଆତ୍ମଜୀବନୀ’, ପୃ-୯୦-୯୧)

ଗୋଦାବରୀଶ ତାଙ୍କ ଅସଂପୂର୍ଣ୍ଣ ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ରେ ସତ୍ୟବାଦୀର ବିଫଳତା ପାଇଁ ଯଦିଓ ନିର୍ଦ୍ଧିଷ୍ଟ ଭାବରେ କାହାରି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିନାହାନ୍ତି, କିନ୍ତୁ ଇଂଗିତରେ ଏଥିପାଇଁ ସହକର୍ମୀମାନଙ୍କ ଭିତରେ ବୁଝାମଣାର ଅଭାବ ଓ ପାରସ୍ପରିକ ଟଣାଓଟରାକୁ ଦାୟୀ କରିଛନ୍ତି । ସେ ଲେଖିଛନ୍ତି:

“ମୋ କାନକୁ କେତେ ଆଡ଼ୁ ଖବର ଆସିଲା ଯେ, ବ୍ୟବସ୍ଥା ସବୁ ଅଚଳ ଆଡ଼କୁ ନେବା ପାଇଁ କୌଣସି ଆଡ଼ୁ ଭିତିରି ଉଦ୍ୟମ ହେଉଥିଲା । ମୁଁ ସେ କଥା ସେତେବେଳେ ବିଶ୍ୱାସ କରିନଥିଲି, ତା ପରେ ମଧ୍ୟ କରିନାହିଁ । ସେତେବେଳେ ଖୋରଧା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦ ଖାଲି ହୋଇଥିଲା । ସେଠାକୁ ଯିବା ପାଇଁ ମୋର କେତେକ ଖୋରଧାବାସୀ ବିଶିଷ୍ଟ ବଂଧୁ ଅନୁରୋଧ କଲେ । ମୁଁ ସେ କତା ଗୋପବଂଧୁ ବାବୁଙ୍କୁ ଜଣାଇଲି । ପୁଣି ଏକ ବୈଠକ ବସିଲା । ମୁଁ ମୋର କେତେକ ଦୁଃଖର କାହାଣୀ କହିଲା ପରେ, ଗୋପବଂଧୁବାବୁ ମୋତେ କୁଣ୍ଢାଇ ପାଞ୍ଚମିନିଟ୍ ପର୍ଯ୍ୟନ୍ତ ପିଲାଙ୍କ ପରି କଇଁକଇଁ କାନ୍ଦିଲେ । ମୁଁ ମଧ୍ୟ କାନ୍ଦିଲି । ଚାରିଟା ଲୁହଧାର ମିଶି ବନ୍ୟାରେ ପରିଣତ ହେଲା । ମୁଁ ସେଥିରେ ଭାସିଗଲି । ମୋର ଇଚ୍ଛା ବଦଳିଗଲା । ସେ ଘଟଣା ପରେ ମୋତେ ନୀଳକଣ୍ଠ ବାବୁ ଅନେକଥର କହିଛନ୍ତି, ‘ସେଦିନ ତୁମ କନ୍ଦାକନ୍ଦି ପରେ ଗୋପବଂଧୁ ବାବୁ ମୋତେ କହିଲେ - ଏଇ କାନ୍ଦକେ ହୋଇଗଲା ତ! ଆଉ ଛାଡ଼ି ଯିବ ନାହିଁ!’ କଥାଟା ମୁଁ ଯେତେଥର ଶୁଣିଛି, କୌଣସି ଥର ମୋତେ ବିଶ୍ୱାସ ଆସିନାହିଁ । ଗୋପବନ୍ଧୁ ବାବୁ ଯେ ମୋତେ ମାଟି ମେଞ୍ଚା ପାଇ ଲୁହରେ ତିନ୍ତାଇ ନରମ କରିବାକୁ ବସିଥିଲେ, ସେଥିରେ ମୋର କଦାପି ପ୍ରତ୍ୟୟ ଜନ୍ମ ନାହିଁ । ... ମୁଁ ରହିଲି, ମାତ୍ର ପ୍ରଧାନଶିକ୍ଷକଙ୍କ କୁଞ୍ଚିକାଠି କୃପାସିନ୍ଧୁଙ୍କ ହାତକୁ ବଢ଼ାଇଦେଇ ପୁନର୍ମୂଷିକ ହୋଇ ରହିଲି । ମନୁଷ୍ୟର ହାଡ଼ ଭାଙ୍ଗିଲେ ଯୋଡ଼ିହୋଇ ଯାଉଛି, ଗଛଡାଳ ଅଧା ଉଞ୍ଛି ହୋଇ ପଡ଼ିଲାପରେ ଟେକି ମିଶାଇ ବାନ୍ଧି ଦେଲେ ପୁନରାୟ ଲାଗିଯାଉଛି; କିନ୍ତୁ କାଠି ଥରେ ଭାଙ୍ଗିଲେ ଆଉ ଯୋଡ଼ି ହେଉନାହିଁ । ଆମ୍ଭମାନଙ୍କ ମନ ଯେ ପରସ୍ପରଠାରୁ ଥରେ ଭାଙ୍ଗିଗଲା, ଆଉ ଯୋଡ଼ି ହେଲା ନାହିଁ । ମୁଁ ନୀଳକଣ୍ଠ ବାବୁଙ୍କ ସଙ୍ଗେ ପୂର୍ବପରି ଚଳିବାକୁ ବହୁତ ଚେଷ୍ଟା କଲି ।” (ଗୋଦାବରୀଶ ମିଶ୍ର, ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’, ପୃ. ୧୫୨-୧୫୩)

ଏହି ଦୁଇ ବିପରୀତ ବୟାନରେ ପରସ୍ପର ପ୍ରତି ଅଭିଯୋଗ ରହିଛି, ଶ୍ଲେଷ ରହିଛି ଏବଂ ଦୋଷ ଲଦାଲଦି ମଧ୍ୟ ଅଛି । ନୀଳକଣ୍ଠ ତାଙ୍କ ବିବରଣୀରେ ଗୋଦାବରୀଶଙ୍କୁ ଆକ୍ଷେପ କରିଥିବାବେଳେ, ଗୋଦାବରୀଶଙ୍କ ବକ୍ତବ୍ୟରେ କ୍ଷୋଭ ଭରି ରହିଛି । ଦୁହେଁ ଯଦିଓ ବଂଧୁ ଥିଲେ, ପରସ୍ପରକୁ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା ମଧ୍ୟ କରୁଥିଲେ । ଉଭୟ ନିଜ ନିଜ ଦୃଷ୍ଟିକୋଣରୁ ସତ୍ୟ ବଖାଣି ପାରୁଥାନ୍ତି, କିନ୍ତୁ ଏକଥା ସ୍ୱୀକାର କରିବାକୁ ହେବ ଯେ ଦୁଇ ପ୍ରଚଣ୍ଡ ବ୍ୟକ୍ତିତ୍ୱଙ୍କ ପ୍ରତିସ୍ପର୍ଦ୍ଧାର ଲଢ଼େଇରେ ବଳି ପଡ଼ିଗଲା ସତ୍ୟବାଦୀ !!!

କାଚ ପରି ମନ ଭାଙ୍ଗିଗଲେ ଆଉ ଯୋଡ଼ି ହୁଏନି । ଥରେ ଗଣ୍ଠି ଫିଟିଗଲେ, ଆଉ ଫାଶ ପଡ଼େନି । ସତ୍ୟବାଦୀ ପ୍ରସଙ୍ଗକୁ ନେଇ ଯଦିଓ ନୀଳକଣ୍ଠ ଓ ଗୋଦାବରୀଶ ପରସ୍ପରଠାରୁ ଦୂରେଇ ଯାଇଥିଲେ, ପରବର୍ତ୍ତୀ ସମୟରେ ରାଜନୀତିରେ ସେମାନେ ଯୋଡ଼ି ହୋଇ ପୁଣି ଏକ ବିକଳ୍ପ କ୍ଷମତା କେନ୍ଦ୍ର ଭାବରେ ଉଭା ହୋଇଥିଲେ । କ’ଣ ଥିଲା ଏ ପୁନର୍ମିଳନର ରହସ୍ୟ ???