ଅବିସ୍ମରଣୀୟ ଲେଖିକା, ଓଡିଶାର ପ୍ରଥମ ମାସିକ ମହିଳା ପତ୍ରିକା  'ଆଶା' ର ସୁଯୋଗ୍ୟା ସଂପାଦିକା ରେବା ରାୟଙ୍କୁ ଆଜିର ବିଶ୍ୱ ମହିଳା ଦିବସରେ ସ୍ମରଣ କରିବାର ଆବଶ୍ୟକତା ରହିଛି । ତାଙ୍କର ଲେଖା ଉତ୍କଳ ସାହିତ୍ୟ ତଥା ସମ୍ବଲପୁର ହିତୈଷିଣୀରେ ପ୍ରକାଶ ପାଇ ଆଧୁନିକ ଓଡ଼ିଆ ମାନସକୁ ଶକ୍ତିଶାଳୀ କରିଥିଲା । ତାଙ୍କର ଏକ ବଳିଷ୍ଠ କାର୍ଯ୍ୟ ଥିଲା ନାରୀ ଜାଗରଣ ତଥା ନାରୀଶିକ୍ଷା । ସେହି କାର୍ଯ୍ୟ କିନ୍ତୁ ତାଙ୍କୁ ପରବର୍ତ୍ତୀ କାଳରେ ସମସ୍ୟାର ଘେରରେ ରଖି ଦେଇଥିଲା । ତାହା ଥିଲା ତାଙ୍କର ମଡେଲ୍‍ ବାଳିକା ବିଦ୍ୟାଳୟ ସ୍ଥାପନ ।

ରେବା ପିଲାଦିନେ କଟକର ସୁତାହାଟ ପାଖରେ ମିସେସ୍‍ ବକ୍ଲୀର ଅନାଥ ଖ୍ରୀଷ୍ଟିୟାନ୍‍ ବାଳିକାମାନଙ୍କ ନିମିତ୍ତ ଫିମେଲ୍‍ ଅର୍ଫାନେଜ୍‍ ସ୍ଥାପନ କରିଥିବାର ଦେଖିଥିଲେ । ସେଠାରେ କିନ୍ତୁ ହିନ୍ଦୁ ବାଳିକାମାନେ ପଢିବାକୁ ଆସୁ ନ ଥିଲେ । ପରେ ପୁରୁଣା କଲେଜ ଲେନ୍  କଲେଜିଏଟ୍‍ ସ୍କୁଲର ଶିକ୍ଷକ ଅବିନାଶଙ୍କ ଦାଣ୍ଡ ମେଲା ଘରେ ହିନ୍ଦୁ ବାଳିକା ବିଦ୍ୟାଳୟ ସର୍ବପ୍ରଥମେ ସ୍ଥାପିତ ହେଲା । ଏହା ମଧ୍ୟ କାଳିଗଳିରେ ନୂତନ ଗୃହରେ ଚାଲୁଥିବାର ସେ ଦେଖିଥିଲେ । ଏହା ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ ନାମରେ ପରିଚିତ ହେଲା । ଏଠାରେ ରେବା ମଧ୍ୟ ପାଠ ପଢିଥିଲେ । ବିଖ୍ୟାତ ବ୍ରାହ୍ମ ସଂଗଠକ ସାଧୁଚରଣ ରାୟଙ୍କୁ ବିବାହ ପରେ ସେ ଇଂରାଜୀ ଶିକ୍ଷା ପ୍ରତି ମନ ବଳାଇଲେ ।

୧୯୦୨ ବେଳକୁ ରେବା ସାହିତ୍ୟ ଜଗତରେ ବେଶ୍‍ ପରିଚିତ ଥିଲେ । ସେହି ସମୟକୁ ସେ ନାରୀ ଶିକ୍ଷା ପ୍ରତି ଦୃଷ୍ଟି ଦେଇଥିଲେ । କଟକରେ କମିସନର୍‍ କେ.ଜି.ଗୁପ୍ତଙ୍କ ପତ୍ନୀ ପ୍ରସନ୍ନତାରାଙ୍କ ନେତୃତ୍ୱରେ ପରିଚାଳିତ ମହିଳା ସମିତିରେ ଯୋଗଦେଇ ସେ ଏହାର ସଂପାଦିକା କାର୍ଯ୍ୟ କରିଥିଲେ । ସେହି ସମୟରେ ସେ କେ.ଜି.ଗୁପ୍ତଙ୍କୁ ଗୋଟିଏ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପନ ପାଇଁ ନିବେଦନ କରିଥିଲେ । କବି ରାଧାନାଥ ମଧ୍ୟ ଏହି ହିନ୍ଦୁ ବାଳିକା ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବା ପାଇଁ ଗୁପ୍ତଙ୍କୁ ନିବେଦନ କରିଥିଲେ । ତାହା କିନ୍ତୁ କାର୍ଯ୍ୟରେ ପରିଣତ ହେଲା ନାହିଁ । ୧୯୦୪ରେ ଜାନକୀନାଥ ବୋଷ, ମଧୁସୂଦନ ରାଓ, ହେମେନ୍ଦ୍ରନାଥ ରାୟ ଓ ଧୀରେନ୍ଦ୍ରନାଥ ଚୌଧୁରୀଙ୍କ ସମବେତରେ କଟକରେ ବାଳିକାମାନଙ୍କୁ ଶିକ୍ଷା ଦେବାକୁ ଉଚ୍ଚ ବିଦ୍ୟାଳୟ ସ୍ଥାପନ ପ୍ରସଂଗରେ ଦାବୀ ଉପସ୍ଥାପନ କରିଥିଲେ । ହେମେନ୍ଦ୍ରଙ୍କ ଦୁଇଟି କନ୍ୟା ମଧ୍ୟ ରେବାଙ୍କ ପାଖରେ ଶିକ୍ଷାଲାଭ କଲେ । କିନ୍ତୁ ରେବାଙ୍କର ଉଚ୍ଚ ବାଳିକା ବିଦ୍ୟାଳୟ ସ୍ଥାପନର ଆଶା ପୂର୍ଣ୍ଣ ହୋଇ ପାରିଲାନାହିଁ । ତାଙ୍କ ମନରେ ଏ ସମ୍ପର୍କରେ ନାନା ଚିନ୍ତା ଆସିଲା । ବାଙ୍କୀପୁର (ପାଟଣା)ର ଚଞ୍ଚଳା ଦେବୀ କଟକରେ ରେବାଙ୍କର ପ୍ରସ୍ତାବକୁ ଗ୍ରହଣ କଲେ । ଚଞ୍ଚଳା ଦେବୀଙ୍କ କନ୍ୟା ଇନ୍ଦୁବାଳା ଘୋଷାଲଙ୍କ ସହଯୋଗରେ ୧୯୦୫ରେ ପାଞ୍ଚୋଟି ବାଳିକାଙ୍କୁ ନେଇ ରେବା କାଳିଗଳିରେ ତାଙ୍କ ନିଜ ଗୃହରେ ଆଦର୍ଶ ବାଳିକା ବିଦ୍ୟାଳୟ (ମଡେଲ୍‍ ଗାର୍ଲସ୍‍ ସ୍କୁଲ୍‍) ଆରମ୍ଭ କଲେ । ସେତେବେଳେ ମହିଳା ଶିକ୍ଷା ନିମନ୍ତେ ବ୍ୟବସ୍ଥା ବ୍ୟାପକ ନ ଥିଲା । ମାଇନର୍‍ ପର୍ଯ୍ୟନ୍ତ ସ୍କୁଲ ଖୋଲା ହେଲା । ଏହାର ଅଗ୍ରଗତିରେ ରେଭେନ୍ସା  ହିନ୍ଦୁ ବାଳିକା ବିଦ୍ୟାଳୟର ଛାତ୍ରୀ ସଂଖ୍ୟା କମିବାକୁ ଲାଗିଲା । ମିସ୍‍ ବ୍ରୁକ୍‍ ବଂଗ-ବିହାର ଓଡିଶାର ଇନିସପେକ୍ଟର ଏହାକୁ ଲକ୍ଷ୍ୟ କରି ମଡେଲ୍‍ ସ୍କୁଲ୍‍ ପରିଦର୍ଶନ କରିବାକୁ ଇଚ୍ଛା କଲେ । କିନ୍ତୁ ରେବା ଏଥିରେ ସମ୍ମତ ହେଲେ ନାହିଁ । ତଥାପି ମଡେଲ୍‍ ସ୍କୁଲ୍‍ ରେବାଙ୍କ ତତ୍ତ୍ୱାବଧାନରେ ବେଶ୍‍ ଆଗେଇ ଗଲା । ଏହାର ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେଇ ଓଡ଼ିଶା କମିସନରଙ୍କ ପତ୍ନୀ ମିସେସ୍‍ ପିୟର୍‍ ବାଳିକାମାନଙ୍କୁ ଉତ୍ସାହିତ କଲେ ।

ମଡେଲ୍‍ ସ୍କୁଲର ପ୍ରସାରଣ ହେବାରୁ ମାସିକ ୫୧ ଟଙ୍କା ଭଡ଼ାରେ ପୂର୍ବତନ ପ୍ରଜାତନ୍ତ୍ର ଅଫିସ୍‍ କମ୍ପାଉଣ୍ଡ ସହିତ ବଡକୋଠିଟି ବିହାରୀଲାଲ୍‍ ପଣ୍ଡିତଙ୍କଠାରୁ ନିଆଗଲା । ଏକୋଇଶ ଏକର ଜମି ଉପରେ ବଂଗଳାଟି ଅବସ୍ଥିତ ଥିଲା । ଏଠାରେ ବୋର୍ଡିଂ ଏବଂ ସ୍କୁଲ୍‍ ଉଭୟ ଚାଲିଲା । ସ୍କୁଲର ଛାତ୍ରୀ ସଂଖ୍ୟା ପ୍ରାୟ ୧୦୦ ଏବଂ ମାସିକ ବ୍ୟୟ ୫୩୦ ଟଙ୍କା । ବିଭିନ୍ନ ସୂତ୍ରରୁ ମଧ୍ୟ ସାହାଯ୍ୟ ମିଳିଲା । ଢେଙ୍କାନାଳର ରାଜା ୨୪୦ ଟଙ୍କା ଚାନ୍ଦା ପଠାଇଥିଲେ । ସ୍କୁଲ୍ ର ହେଡ୍‍ମିଷ୍ଟ୍ରେସ୍‍ ସ୍ନେହଲତା ମୈତ୍ର ଥିଲେ । ସ୍କୁଲର ଅଗ୍ରଗତି ପାଇଁ ରେବା ମଧ୍ୟ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଅନୁରୋଧ କରିଥିଲେ ।

ଦିନେ ମଧୁସୂଦନ ଦାସଙ୍କ ପାଖରେ ପହଞ୍ଚି ରେବା ମଡେଲ୍‍ ସ୍କୁଲ୍‍ ପାଇଁ ସାହାଯ୍ୟ ନିବେଦନ କରିବାରୁ, ସେ କହିଲେ - ତୁମ ଗୋଡରେ ତ ଯୋତା ନାହିଁ, ତୁମେ କଣ ଯୋତା ବ୍ୟବହାର କର ନାହିଁ ? ରେବା ଯୋତା ବ୍ୟବହାର କରୁ ନ ଥିବାର କହିଲେ । ମଧୁବାବୁ ୧୦ ଟଙ୍କା ସାହାଯ୍ୟ କରିବାକୁ ପ୍ରତିଶ୍ରୁତ ହେଲେ । ରେବା ଫେରିବା ବେଳେ ମଧୁବାବୁ ତାଙ୍କୁ କହିଥିଲେ - ତୁମେ ଯଦି ଇଂରାଜୀ ଜାଣିଥାନ୍ତ ଓଡିଶାରେ ମହିଳାମାନଙ୍କ ମଧ୍ୟରେ ଜଣେ ହୋଇଥାନ୍ତ । ପରେ ପରେ ଆଦର୍ଶ ବାଳିକା ବିଦ୍ୟାଳୟକୁ ୩୧୦ ଟଙ୍କା ସରକାରୀ ସାହାଯ୍ୟ ମିଳିଲା । କିନ୍ତୁ ଶୈଳବାଳା ଦାସ ଲଣ୍ଡନରୁ ଫେରିବା ପରେ ଆଦର୍ଶ ବିଦ୍ୟାଳୟର ସମସ୍ୟା ଆସିଗଲା ।

ରେବା ଶୈଳବାଳାଙ୍କୁ ତାଙ୍କ ସ୍କୁଲ୍‍ ପରିଚାଳନା କମିଟିର ପ୍ରେସିଡେଣ୍ଟ୍‍ କରିଥିଲେ । କମିସନର୍‍ ଡ୍ୟୁକ୍‍ ଏବଂ ଲେଡି ଫ୍ରେଜର୍‍ ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କରି ଉଚ୍ଚପ୍ରଶଂସା କରିଥିଲେ । ସେମାନଙ୍କର ପ୍ରତ୍ୟାବର୍ତ୍ତନ ପରେ ଶୈଳବାଳା ଈର୍ଷା ପରବଶ ହୋଇ ରେବାଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କଲେ । କିଛିଦିନ ପରେ ଶୈଳବାଳା ରେଭେନ୍ସା  ହିନ୍ଦୁ ବାଳିକା ବିଦ୍ୟାଳୟକୁ ହାତକୁ ନେଇ ମିସ୍‍ ଶୈଳବାଳା ଦାସ ହାଇସ୍କୁଲ୍‍ କରିବେ ବୋଲି ରେବା ଖବର ପାଇଲେ । ଆଦର୍ଶ ବାଳିକା ବିଦ୍ୟାଳୟର ଉଚ୍ଚ ଶ୍ରେଣୀର ବାଳିକାମାନଙ୍କୁ ରେଭେନ୍ସା ବାଳିକା ବିଦ୍ୟାଳୟକୁ ନେବା ପାଇଁ ଶୈଳବାଳା ଉଦ୍ୟମ ଚଳାଇଲେ । ତେବେ କମିସନ୍‍ ଡ୍ୟୁକ୍‍ ସାହେବଙ୍କ ସହଯୋଗରେ ଆଦର୍ଶ ବାଳିକା ବିଦ୍ୟାଳୟ ଆଗେଇ ଚାଲିଲା । ଶୈଳବାଳା ରେଭେନ୍ସା ବାଳିକା ବିଦ୍ୟାଳୟର ଅନେକ ପରିବର୍ତ୍ତନ କରାଇଲେ - ବାଳିକାମାନଙ୍କ ସ୍କୁଲ ଯିବା ପାଇଁ ଗାଡି ବନ୍ଦୋବସ୍ତ କଲେ । ଏପରି ପରିସ୍ଥିତି ହେଲା ଯେ ଦିନେ ମଧୁସୂଦନ ରାଓ (ରେବାଙ୍କ ପିତୃବ୍ୟ) ଡିରେକ୍ଟରଙ୍କୁ ଧରି ରେବାଙ୍କ ଆଗରେ କଟକରେ ବାଳିକାମାନଙ୍କ ଶିକ୍ଷା ପାଇଁ ଦୁଇଟି ହାଇସ୍କୁଲ୍‍ ଚଳିବ ନାହିଁ ବୋଲି ମତ ଦେଲେ । ସେ ମଧ୍ୟ ଏ ଦୁଇଟି ସ୍କୁଲକୁ ଗୋଟିଏ ହାଇସ୍କୁଲରେ ପରିଣତ କରିବାକୁ ପ୍ରସ୍ତାବ ଦେଲେ । ଏହି ମିଳିତ ସ୍କୁଲ୍ ରେ ରେବା ୧୦୦ ଟଙ୍କା ବେତନରେ ବୋର୍ଡିଂ ପରିିିଚାଳକ ଓ ଶୈଳବାଳା ଅଧ୍ୟକ୍ଷ ହେବା କଥା ରହିିିଲା । ରେବାଙ୍କର ୧୦୦ ଟଙ୍କା ବେତନ ପ୍ରସ୍ତାବକୁ  ଶୈଳବାଳା ଅଗ୍ରାହ୍ୟ କଲେ । ରେବା ଏପରି ପ୍ରସ୍ତାବରେ ସମ୍ମତ ହେଲେ ନାହିଁ । ସ୍କୁଲ୍‍ ଦୁଇଟିକୁ ମିଶାଇ ଦେବାକୁ ମଧୁସୂଦନ ଦାସ ମଧ୍ୟ ମଧୁସୂଦନ ରାଓଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ଏପରି ପ୍ରସ୍ତାବ ରେବା ଆଦୌ ଗ୍ରହଣ କରିନଥିଲେ । ନାନା ବାଧା ପ୍ରତିବନ୍ଧକ ସତ୍ତ୍ୱେ ଆଦର୍ଶ ବାଳିକା ବିଦ୍ୟାଳୟ ତଥାପି ଚାଲିଲା । ମାତ୍ର ପରିଶେଷରେ ପରିସ୍ଥିତିର ଚାପରେ ଆଦର୍ଶ ବିଦ୍ୟାଳୟର ଶିକ୍ଷୟତ୍ରୀମାନେ ରେଭେନ୍ସା ବାଳିକା ବିଦ୍ୟାଳୟରେ ପାଠ ପଢାଇଲେ । ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ ପରିସ୍ଥିତି ଚାପରେ ଏହାକୁ ତ୍ୟାଗ କରି ରେଭେନ୍ସା ବାଳିକା ବିଦ୍ୟାଳୟକୁ ପଢିବାକୁ ଗଲେ । ଶୈଳବାଳା ରେବାଙ୍କୁ ତାଙ୍କ ପରିଚାଳିତ ସ୍କୁଲକୁ ଡାକିଲେ ନାହିଁ । ଏହିପରି ଭାବରେ ଆଦର୍ଶ ବିଦ୍ୟାଳୟ ରେଭେନସା ବାଳିକା ବିଦ୍ୟାଳୟ ସହିତ ମିଶିଗଲା । ଏହି ମିଳିତ ସ୍କୁଲର ପ୍ରେସିଡେଣ୍ଟ୍‍ ହେଲେ କନିକା ରାଜା ସାହେବ । କିନ୍ତୁ ପରେ କନିକା ରାଜାଙ୍କ ପରାମର୍ଶରେ ମଧୁସୂଦନ ଦାସ ଏହି ପରିଚାଳନା କମିଟିର ପ୍ରେସିଡେଣ୍ଟ୍‍ ହେଲେ । ମଧୁବାବୁ ପ୍ରେସିଡେଣ୍ଟ୍‍ ହେବାପରେ ଦୁଇ ସ୍କୁଲ ମିଶିବା କଥା କେବଳ କାଗଜପତ୍ରରେ ହୋଇଥିଲେ ମଧ୍ୟ କାର୍ଯ୍ୟତଃ ମିଶି ନାହିଁ ବୋଲି ମତ ଦେଇଥିଲେ । ଏଥିରେ ରେବା ଦୁଃଖିତ ତଥା ବିସ୍ମିତ ହେଲେ । ଦୀର୍ଘ ଛଅ ବର୍ଷକାଳ ରେବା ରାୟ ମଡେଲ୍‍ ସ୍କୁଲକୁ ପରିଚାଳନା କରି ସଫଳ ହୋଇଥିଲେ । କିନ୍ତୁ ଶୈଳବାଳା ଦାସଙ୍କ ଲଣ୍ଡନ ପ୍ରତ୍ୟାବର୍ତ୍ତନ ପରେ ରେବାଙ୍କ ପରିକଳ୍ପନା ବିଫଳ ହୋଇଗଲା । ରେବା ରାୟ ତାଙ୍କର ଆତ୍ମକାହାଣୀରେ ମଡେଲ୍‍ ସ୍କୁଲ ପତନର ଦୁଃଖଦାୟକ ଗାଥା ଲେଖିବାବେଳେ ମଧୁସୂଦନ ଦାସ ଏବଂ ତାଙ୍କ ପାଳିତ କନ୍ୟା ମିସ୍ ଦାସଙ୍କର ଚକ୍ରାନ୍ତକୁ ପଦାକୁ ଆଣିଥିଲେ । ଏହି ଅପ୍ରକାଶିତ ଆତ୍ମକଥା ରେବା ରାୟଙ୍କ ମୃତ୍ୟୁପରେ ଲକ୍ଷ୍ମୀନାରାୟଣ ସାହୁ ଚାରୋଟି କିସ୍ତିରେ "ନବଜୀବନ" ସପ୍ତମବର୍ଷ ସଂଖ୍ୟାମାନଙ୍କରେ ପ୍ରକାଶ କରାଇଥିଲେ । ଏହାହିଁ ରେବା ରାୟଙ୍କ ଦୁଃଖ । ତାଙ୍କ ସ୍ୱପ୍ନର ବାଳିକା ଉଚ୍ଚ ବିଦ୍ୟାଳୟ ସଫଳ ରୂପ ପାଇ ନ ଥିଲା ।