ଚିତ୍ର - ମାୟା, ୱିକି କମନ୍ସ

ସକାଳ ଥୋଇ ଦିଏ ଟି ପୟରେ ଦି'ଟା କପ୍
ଗୋଟେ କଫି ଫେଣ ଭର୍ତ୍ତି
ଓ ଗୋଟେ ଖାଲି,
ହୋଟେଲ୍ ଖାଇବା, ସିନେମା ଓ
ମାର୍କେଟିଂ କିଛି
ଖୁବ୍ ମଜା ଖୁବ୍ ଆନଂଦ
ତମେ କ'ଣ ଯିବାକୁ ଚାହିଁବ ସମୁଦ୍ର
ମୋ ସ' ?
ତମେ ତ ନାହଁ !

ସୋମବାର: ଆଳତି

ଓଁ ନମଃ ଶିବାୟ ଓଁ
ଚଂଦନ କଦଳୀ କ୍ଷୀର ବେଲପତ୍ର,
ଧୂପ ଆଉ କର୍ପୂର ବାସ୍ନାରେ
ପୂରି ଯାଉଚି ଠାକୁର ଘର , ପାଣି ଲାଗି:
ନାଁ' ଆଉ ଗୋତ୍ର !
ଘିଅ ଅନ୍ନ ପ୍ଲେନ୍ ଡାଲମା କଷା ଆଳୁ ଆଚାର - !
ତମେ ନାହଁ ଅଥଚ !

ମଂଗଳବାର: ପ୍ରୀତି

ଘୋଡ଼େଇ ହେଇଶୋଇଚି ତକିଆ
ମେହଗାନି ଖଟରେ
ବୁର୍ଖା ଭିତରେ ଦର୍ପଣ
କାଂଥରେ କ୍ଯାଲେଂଡର
ରାମ ସୀତା ଲକ୍ଷ୍ମଣ ହନୁମାନ
ଆମେ ଦୁଇ, ଆମର ଦୁଇ
ସୁଖୀ ପରିବାର । ଅଥଚ ତମେ ନାହଁ !

ବୁଧବାର: ତୃପ୍ତି

ଆମ୍ଲେଟ୍ କଟ୍ଲେଟ୍ ପନିର୍ ବା ଚାଟ୍
କର୍ନଫ୍ଲେକ୍ସ୍, ପ୍ରନ୍, ଚିକେନ୍ ବା ମଟନ୍
ଲସି ଅବା ପେସ୍ତା ସର୍ବତ,
ଘୂରାଫେରା କିଣାକିଣି ବ୍ୟସ୍ତ ରୀତିମତ !
ତମେ ନାହଁ ତ !

ଗୁରୁବାର: ଶାଂତି

ନିରାମିଷ
ରୁଟି ବା ପରଟା ସ' ଛେନା ପା'ସ୍
କୋବି ନାଇଁ ତ ଶିଂବ ସାରୁ ବା ବାଇଗଣ ।
ମା ଲକ୍ଷ୍ମୀ ଅର୍ଥଦାୟିନୀ ମା !
ଆଶୀର୍ବାଦ ଭିକ୍ଷା।
ଘର ଧୁଆ, ସଫା !
ତମେ ତ ନାହଁ !

ଶୁକ୍ରବାର: ମସ୍ତି

ଗୋଲାପ ଅତରର ରାତି
ଅଂଗୁର ନେଂଥାର ରାତି
ଥାଳିଏ କୁଏତ ଖଜୁରୀ, ରେଡ୍ ଓ୍ଵାଇନ୍ ଭିତରେ ହାଲ୍କା ମ୍ୟୁଜିକ୍
ମହମ୍ମଦ ରଫି ଓ ଲତା ମଂଗେସ୍କର୍
ମଝିରେ ରାଜେଶ ଖାନ୍ନା ଓ କିଶୋର୍
ପ୍ରନ୍ ବିରିଆନି ଓ କୋକ୍ -
ବାସ୍ !
ହେଲେ, ତମେ କାହଁ ?

ଶନିବାର: ସ୍ମୃତି

ଟିକ୍ …ଟିକ୍....ଟିକ୍
ପାଦଚିହ୍ନ ଖୋଜି ଖୋଜି ଚାଲେ ଆଖି
ଯଥେଷ୍ଟ ଦୂର ନହେଲେ ବି ନୁହଁ ନିକଟ
ଯୋଉଠି ପଥର କାଟୁଚି ତୁଠ
ପାଣି ଗରାରେ ଟବ୍ ଟବ୍ ସମୟ
ତମେ ଦେଖାହେଇଥିଲ ଏଇ ଦାଂଡରେ
ସବାରୀ ତମର ଚାଲୁଥିଲା ଧୀରେ ଧୀରେ
ପାଲିଂକିରେ ବସି ମୁଁ ଦେଖୁଥିଲି
ପାଣି ବହୁଥିଲା ବିଲରେ !
ଅଥଚ ତମେ ନାହଁ, ମୁଁ ବସିଚି ଖାଲି ଖାଲି !!

ସାତଦିନରେ ଲେଖିଲି ତମ ନାଁ ଥର ଥର କରି
ସବୁ ନାଁ'ରେ ଥୋଇଲି ଚୁମା ଗଣି ଗଣି ସାତଟି
ସାତ ଥର ବୁଲିଲି ସାତ‌ଜନମକୁ କରି ସାକ୍ଷୀ
ସାତଥର ରାଣ ପକେଇଲି ଜଲଦି ଆସିବ ଫେରି !
ଏଇଠି ରଖିଲି ମଲ୍ଲୀ ।
ରହିଲି !