ଫଟୋ ସୌଜନ୍ୟ - ମିଡିୟମ ଡଟ କମ

ଭାରି ଅଦ୍ଭୁତ ରେଶମାଙ୍କ ସ୍ୱର । ସେ ସ୍ୱର ଶୁଣିଲେ ଲାଗିବ ଜଣେ କେହି ଭାରି ଆକୁଳ ଅଥଚ ମଜବୁତ କଣ୍ଠରେ ଡାକୁଚି ଦୂରରେ କୋଉଠୁ । ପବନରେ ଭାସି ଆସୁଚି ସେ ସ୍ୱର । କିନ୍ତୁ ଜଣେ ଯଦି ସତରେ ବାହାରିଯାଏ ସେ ଡାକ କୋଉଠୁ ଆସୁଚି ଖୋଜିଖୋଜି, ପାଇବନି । ସେ ଆକୁଳତାର କିଛି ଠିକଣା ନାହିଁ । ରେଶମାଙ୍କ ସାକ୍ଷାତକାର ସବୁରେ ମିଳିବନି ସେ ଆକୁଳତା । ତାଙ୍କ ବିଷୟରେ ଲେଖାହେଇଥିବା (କି ହବାକୁ ଥିବା) ତମାମ୍ ଲେଖାରେ ବି ବୋଧେ ଧରିହବନି ସେ ଆକୁଳତାକୁ । କିଛି ଗୋଟେ ଭାଙ୍ଗିଯାଇଚି ଯେମିତି କୋଉଠି, କିଛି ଗୋଟେ ହଜିଯାଇଚି । ସେଇ ହଜିଯିବାର, ସେଇ ଭାଙ୍ଗିଯିବାର କାହାଣୀ ସୁରରେ କହିଚାଲିଚନ୍ତି ରେଶମା ।

ରେଶମାଙ୍କର ଅନେକ ପ୍ରସିଦ୍ଧ ଗୀତ ଅଛି । ତାଙ୍କ ସ୍ୱରରେ ରେକର୍ଡ୍ ହେଇଥିବା ପ୍ରଥମ ଗୀତ ହିଁ ହଉଚି ମହାନ ସୁଫି ସନ୍ଥ ଲାଲ ଶାହବାଜ କଲନ୍ଦରଙ୍କ ପାଇଁ ଲିଖିତ ଆମୀର ଖୁସ୍ରୋଙ୍କ ପ୍ରସିଦ୍ଧ କୱାଲୀ, "ଦମାଦମ୍ ମସ୍ତ କଲନ୍ଦର" । ମାତ୍ର ବାର ବର୍ଷରେ ଏ ଗୀତ ଗାଇଲା ବେଳଠୁଁ ହିଁ ପାକିସ୍ତାନରେ ତାଙ୍କ ପ୍ରସିଦ୍ଧି ଥିଲା ଆକାଶଛୁଆଁ । ତେବେ ବାରବର୍ଷର ଏ କୁନି ଝିଅଟି , ସଙ୍ଗୀତର ପ୍ରଶିକ୍ଷଣ ତ ଦୂର କଥା, କେବେ ଦିନେ ସ୍କୁଲ ବି ଯାଇନଥିଲା । ଦିନେ ଲାଲ ଶାହଙ୍କ ସମାଧି ପାଖରେ ଠିଆହେଇ ଏଇ ଗୀତ ଗାଇବା ବେଳେ ତାଙ୍କ ଗୀତ ଶୁଣି ପ୍ରଭାବିତ ହେଇଥିବା ଜଣେ ପ୍ରଯୋଜକ ତାଙ୍କୁ ରେକର୍ଡ ପାଇଁ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ଲୋକଗୀତ ଗାଉଥିବା ଏ ଝିଅଟି ଯେ ନିଜେ ଦିନେ କିମ୍ବଦନ୍ତୀ ପାଲଟିଯିବ କିଏ ଜାଣିଥିଲା !

ଭାରତ ବିଭାଜନ ବେଳକୁ ରେଶମାଙ୍କୁ ମାତ୍ର ମାସେ ବୋଲି ସେ ଘରଲୋକଙ୍କଠାରୁ ଶୁଣିଥିବାର ମନେପକାନ୍ତି ଅନେକ ସାକ୍ଷାତକାରରେ । ଅର୍ଥାତ୍ ସଠିକ ତାରିଖ ଜାଣିବାର କିଛି ବାଟ ନଥିଲେ ବି ଏଇ ଜୁଲାଇ ମାସରେ ଆଜିକୁ ଚଉସ୍ତରୀ ବର୍ଷ ତଳେ ତାଙ୍କ ଜନ୍ମ ହେଇଥିବ । ରାଜସ୍ଥାନରୁ ଭାରତ ବିଭାଜନବେଳେ ପାକିସ୍ତାନ ଯାଇଥିଲା ତାଙ୍କ ପରିବାର । ଓଟ, ମଇଁଷି ଆଦି ବେପାର କରୁଥିଲେ ତାଙ୍କ ବାପା । ସେମାନଙ୍କର ସମ୍ପ୍ରଦାୟ ଥିଲା ବଂଜାରା, ଯାଯାବର । ଗୀତ ଗାଇବା ପାଇଁ ପରିବାରରେ ନା ଥିଲା ପରିବେଶ ନା ଥିଲା ସୁଯୋଗ । ତେବେ ପିଲାଦିନୁ ହିଁ ପରିବାରର ଘୋର ବିରୋଧ ସତ୍ତ୍ୱେ ବିଭିନ୍ନ ସମାଧିସ୍ଥଳରେ ଠିଆହେଇ କୱାଲୀ ଓ ଅନ୍ୟାନ୍ୟ ଭକ୍ତିଗୀତ ଗାଉଥିଲେ ରେଶମା । ଅନେକ ସାକ୍ଷାତକାରରେ ସେ କହିଛନ୍ତି ଗୀତ ଗାଇବା ହଉଚି ତାଙ୍କ ପାଇଁ 'ଇବାଦତ୍'। 'ଇବାଦତ୍' ଶବ୍ଦଟିକୁ ଅନେକେ ସିଧାସଳଖ ପୂଜା ବା ଉପାସନା ବୋଲି ଭାବିପାରନ୍ତି । କିନ୍ତୁ ଇବାଦତ୍ ବୋଲି ଯେଉଁ ଆରବୀ ଶବ୍ଦ, ତା'ର ଆକ୍ଷରିକ ଅର୍ଥ ହେଉଚି ଦାସତ୍ୱ ସ୍ଵୀକାର କରିବା, ବା ନିଜତ୍ୱକୁ ସମର୍ପି ଦେବା । ଗୀତ ଗାଇବା ହିଁ ଥିଲା ରେଶମାଙ୍କର ନିଜତ୍ବ । ପୁଣି ଗୀତ ଗାଇବା ହିଁ ଥିଲା ସେ ନିଜତ୍ବର ସମର୍ପଣ । ଏଇ ବିରୋଧାଭାସ ବୋଧେ ତାଙ୍କ ସ୍ଵରକୁ ଏତେ କରୁଣ କରି ତୋଳୁଥିଲା ।

ଗୀତ ଗାଇବାର କଳା ତାଙ୍କୁ ମିଳିଥିଲା ମରୁଭୂମିର ତାତିଲା ବାଲି ଉପରେ ବହିଯାଉଥିବା ପବନରୁ, ଗଛ ଛାଇ ତଳେ ବସି ଗୁଣଗୁଣଉଥିବା ଯାଯାବରଠାରୁ, ଈଶ୍ୱରଙ୍କଠାରୁ । ଏବଂ ଯେମିତି ଈଶ୍ବରଙ୍କର କିଛି ଠିକଣା ନଥାଏ, ସେମିତି ଏ ଧରଣର ପ୍ରତିଭାର କିଛି ଠିକଣା ନଥିଲା । ସେ ଗୀତ ଗାଉଥିଲେ ଠିକ ସେଇପରି ଯେମିତି ନିଃଶ୍ୱାସ ପ୍ରଶ୍ୱାସ ନିଏ ଜଣେ, ନନେଲେ ଅଣ-ନିଃଶ୍ଵାସୀ ହେଇଯାଏ । ଏକଥା ହୁଏତ ଅନେକ ଗାୟକ/ଗାୟିକାଙ୍କ ପାଇଁ କୁହାଯାଇପାରେ କିନ୍ତୁ ରେଶମାଙ୍କ ପାଇଁ ଏକଥା ମୁଁ କାହିଁକି କହୁଚି ସେକଥା ଆପଣ ଗୋଟିଏ ସାକ୍ଷାତକାର ଦେଖିଲେ ବୁଝିପାରିବେ । ସେତେବେଳକୁ ରେଶମାଙ୍କ ଗଳାରେ କ୍ୟାନ୍ସର ହେଇସାରିଥାଏ ଓ ଚିକିତ୍ସା ଆରମ୍ଭ ହେଇଥାଏ । କଥା କହିଲା ବେଳକୁ ଉଚ୍ଚାରଣ ଅସ୍ପଷ୍ଟ ହଉଥାଏ, ପାଟି ଲାଗୁଥାଏ । ଅଥଚ ସେ ଗୋଟିଏ ଲାଇଭ୍ ଗାୟନ କାର୍ଯ୍ୟକ୍ରମରେ ଗାଉଥାନ୍ତି , 'ହିରୋ' ସିନେମାର ତାଙ୍କର ସେଇ ଲୋକପ୍ରିୟ ଗୀତ , "ଚାର୍ ଦିନୋ କା ପ୍ୟାର୍ ଓ ରବ୍ବା, ବଡୀ ଲମ୍ବୀ ଜୁଦାଇ..." । ଗୀତ ଗାଇଲା ବେଳକୁ ବି ଲାଗୁଥାଏ ପାଟି । ଅଥଚ ସୁର ପ୍ରାୟ ଅକ୍ଷୁଣ୍ଣ ହିଁ ଥାଏ । ଗାଇସାରିଲା ପରେ ଗୋଟିଏ ପାକିସ୍ତାନୀ ଟିଭି ଚ୍ୟାନେଲ ପାଇଁ ଫାରା ହୁସେନଙ୍କୁ ସେ ସାକ୍ଷାତକାର ଦିଅନ୍ତି । ଅନେକ ଶବ୍ଦ ବୁଝିହୁଏନି ସେ ସାକ୍ଷାତକାରରେ ତାଙ୍କର ଅଷ୍ପଷ୍ଟ ଉଚ୍ଚାରଣ ସକାଶେ । ଦୁଃଖ ଲାଗେ ଭାରି । କିନ୍ତୁ ସାକ୍ଷାତକାର ମଝିରେ ହିଁ କେତେବେଳେ ନିଜ କଥାକୁ ବୁଝେଇବା ପାଇଁ ବା କେତେବେଳେ ଏଇମିତି ହିଁ, ରେଶମା ଗାଇବା ଆରମ୍ଭ କରିଦିଅନ୍ତି ଗୀତ । କେତେବେଳେ ଲାଲ ଶାହଙ୍କ ଭକ୍ତିଗୀତ, ତ କେତେବେଳେ ତାଙ୍କ ନିଜର ଅଭୁଲା ଗୀତ, "ହାୟ ଓ ରବ୍ବା ନଇଁଓ ଲଗଦା ଦିଲ ମେରା !" ଆଉ ପ୍ରତିଟି ଗୀତ ଗାଇଲାବେଳେ ତାଙ୍କ ସ୍ୱରରେ ଥାଏ ସେଇ ପୁରୁଣା ଆକୁଳତା ଆଉ ମୁହଁରେ ସେଇ ପିଲାଳିଆ ହସ ।

ରେଶମା ଚାଲିଗଲେ କ୍ୟାନ୍ସରରେ ୨୦୧୩ ମସିହାରେ, ଛଅଷଠି ବର୍ଷ ବୟସରେ । ଶେଷବେଳକୁ ସେ ଆଉ ଗୀତ ଗାଇପାରୁ ନଥିଲେ । ସେଇ ଥିଲା ତାଙ୍କର ସବୁଠୁଁ ବଡ଼ ଦୁଃଖ । ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ଵ ସୁଦୀର୍ଘ ନିଜ ଗାୟିକା ଜୀବନରେ ଅନେକ ଗୀତ ସେ ଗାଇଚନ୍ତି । ସେ ଗାଇଥିବା ଗୀତ ପରେ ଅଗଣିତ ଗାୟକ/ଗାୟିକା ଗାଇଚନ୍ତି ବିଭିନ୍ନ ରୂପରେ । ଆଜି ବି ଗାଉଚନ୍ତି । ହେଲେ ଆଉ ଜଣେ କେହି ସେଭଳି ଗାଇପାରି ନାହାନ୍ତି, ସେ ଆକୁଳ ଡାକକୁ ସେଭଳି ଧରି ରଖିପାରି ନାହାନ୍ତି ନିଜ ସ୍ୱରରେ । ଏମିତି କି ସ୍ୱୟଂ ଲତା ମଙ୍ଗେଶକର ବି ନୁହେଁ । ରେଶମାଙ୍କ ଲୋକପ୍ରିୟ ପଞ୍ଜାବୀ ଗୀତ "ଅଖିଆଁନୁ ରେହଣ ଦେ..." କୁ ରାଜ କପୁରଙ୍କ 'ବବି' ସିନେମାରେ ଗାଇଚନ୍ତି ମଙ୍ଗେଶକର "ଅଖିଓଁ କୋ ରହନେ ଦେ..." ଭାବରେ । ପୁଣି ଗାଇଚନ୍ତି ଗୁଲଜାରଙ୍କ ଫିଲ୍ମ 'ଲେକିନ୍'ରେ "କେସରିଆ ବାଲମ୍" ଏବଂ "ୟାରା ସିଲି ସିଲି ବିରହ କୀ ରାତ୍ କା ଜଲନା" (ଯାହା ରେଶମା ଗାଇଥିବା ମୋ'ର ସବୁଠାରୁ ପ୍ରିୟ ଗୀତ "ୱେ ମେଁ ଚୋରୀ ଚୋରୀ"ର ହିନ୍ଦୀ ରୂପ) । ଲତା ମଙ୍ଗେଶକରଙ୍କ ସ୍ୱର ଅନେକ ସମୟରେ ଲୋକପ୍ରିୟ ସଙ୍ଗୀତର ଶୀର୍ଷତମ ଉପଲବ୍ଧି ବୋଲି ଶୁଭେ । ସତେ ଯେମିତି ସ୍ୱୟଂ ଈଶ୍ୱର ହିଁ ଗାଉଚନ୍ତି ସେ ଗୀତ । ହେଲେ ଏଇ ଗୀତ ସବୁରେ ରେଶମାଙ୍କ ସୁର ଯେଉଁ କ୍ଷତାକ୍ତ ହେଇଯିବାର ଅନୁଭବଟିଏ ଦିଏ ଶ୍ରୋତାକୁ, ମଙ୍ଗେଶକରଙ୍କ ଗାୟକୀରେ ସେଥିପାଇଁ ଜାଗା ନଥାଏ । ହୁଏତ ଏହା ମୋ ନିଜର ବ୍ୟକ୍ତିଗତ ମତ ବି ହେଇପାରେ (ଆପଣ ଶୁଣିଲେ ହୁଏତ ଅଲଗା ଅନୁଭବ ପାଇପାରନ୍ତି) । ତେବେ ମତେ ଲାଗେ ଯେ ରେଶମାଙ୍କ ଗାୟନରେ ଆକୁଳତା ବେଶୀ ଭଲ ଫୁଟେ ଏ ଗୀତ ସବୁରେ । ୟାର କାରଣ ବୋଧେ ଏଇଆ ଯେ ଫୁଲ ଭଳି ଆକୁଳତା ବି ବେଳେବେଳେ ମନକୁ ମନ ଫୁଟିଯାଏ ଅତି ଆକସ୍ମିକ ଭାବରେ । ଏବଂ ଯେମିତି ମରୁଭୂମି ମଝିରେ ଫୁଟିଥିବା ଫୁଲଟିଏ ବେଳେବେଳେ ଆମକୁ ଅଧିକ ପ୍ରଭାବିତ କରେ ବଗିଚାର ଫୁଲ ଅପେକ୍ଷା , ସେଇମିତି ରେଶମାଙ୍କ ଏକବାରେ ଆବରଣବିହୀନ ସ୍ୱରର ପ୍ରଚଣ୍ଡ ଆକୁଳତା ହିଁ ଅଧିକ ବିନ୍ଧିଦିଏ ଛାତିକି ।

ରେଶମାଙ୍କ ଜୀବନ ଯଦି ତାଙ୍କ ଗାଇଥିବା ଗୀତଟିଏ ହୁଏ, ଗଳାର କ୍ୟାନ୍ସରରେ ବେଶ୍ କିଛି ବର୍ଷ ପୀଡ଼ିତ ହେଇ ସେଇଥିରେ ହିଁ ସେ ଚାଲିଯିବା ସତେ ଯେମିତି ସେ ଗୀତ ଧୀରେ ଧୀରେ ସରି ଆସିବା । ଏବଂ ଲକ୍ଷ୍ୟ କରିବାର କଥା, ଶେଷଯାଏ ଏ ଗୀତ ନସରୁ ବୋଲି ଶ୍ରୋତାମାନେ ଯେତିକି ଚାହୁଁଥିଲେ ସେତିକି ଚାହୁଁଥିଲେ ନିଜେ ରେଶମା । ସ୍ୱର ଭାଙ୍ଗିଯାଉଥିଲା ବେଳେ ବି , ଉଚ୍ଚାରଣ ଅସ୍ପଷ୍ଟରୁ ଅସ୍ପଷ୍ଟତର ହେଇଆସୁଥିଲା ବେଳେ ବି ସେ ଗାଇଚନ୍ତି ଶ୍ରୋତାମାନଙ୍କ ଆଗରେ ଲାଇଭ୍ କାର୍ଯ୍ୟକ୍ରମରେ । ଯେତେବେଳେ ଲାଇଭ୍ ସମ୍ଭବ ହେଇନି, ଗୀତ ରେକର୍ଡ କରି ସେ ରେକର୍ଡ଼ିଂ ସହ ଖାଲି ଓଠ ହଲେଇଚନ୍ତି ଜାତୀୟ ଟେଲିଭିଜନ କାର୍ଯ୍ୟକ୍ରମରେ ଉଭା ହେଲାବେଳେ । ଶବ୍ଦ ପୂରା ନ ଶୁଭିଲେ ବି ଶ୍ରୋତାମାନେ କାନ୍ଦିଚନ୍ତି, ତାଳି ମାରିଚନ୍ତି । ସେମାନଙ୍କ କାନ ପାଖରେ ଏବେ ବି ପୂର୍ବପରି ଶୁଭୁଚି ପୂର୍ବର ରେଶମା ଗାଇଥିବା ମନଜୁର୍ ଝଲ୍ଲାଙ୍କ ଲିଖିତ ଗୀତର ସେଇ ଧାଡ଼ି ସବୁ ..

"ମା-ପିଆଁ ଦୀ ଲଜ୍ଜ୍ ତେରେ ଲେଇ ମେଁ ଗୱାଇଁ ୱେ...
ତୁ ତେ ଅଣଜାଣ୍ ସଡି କଦର୍ ନ ପାଇ ୱେ ,
ଫିର ଭି ମେଁ ଝଲୀ ହୋକେ... ରାହ ତେରା ତକାଁ ,
ୱେ ମେଁ ଚୋରୀ ଚୋରୀ ତେରେ ନାଲ୍ ଲା ଲେଇଆଁ ଅଖାଁ !"

ତରବରିଆ ମୁକ୍ତ ଅନୁବାଦ

"ମା-ବାପାଙ୍କ ମହତ ତୋ ପାଇଁ ହାରିଲି,
ତୁ ତ ଅଜଣା ହଉ ମୋ କଥା ଭାବୁନୁ,
ତଥାପି ମୁଁ ବାଇଆଣୀ... ବାଟ ତୋର ଦେଖେ,
ହାଏ ମୁଁ ଚୋରୀ ଚୋରୀ ତୋ ସାଥିରେ ମିଶେଇଲି ଆଖି !"

ରେଶମା ଗାଉଚନ୍ତି ମଞ୍ଚରେ ଚଉକିରେ ବସି । ହୁଏତ ଗାଉନାହାନ୍ତି ଏବେ, ନେପଥ୍ୟରୁ ଭାସି ଆସୁଚି ଦି'ଦିନ ତଳେ ଗଳା ଭାଗ୍ୟକୁ ଟିକେ କମ ଖରାପ ଥିଲାବେଳେ ଷ୍ଟୁଡ଼ିଓରେ କରିଥିବା ରେକର୍ଡ଼ିଂ । ସେ ରେକର୍ଡ଼ିଂରେ ବି ତୃତୀୟ ଧାଡ଼ିରେ "ରାହ ତେରା ତକାଁ" ଗାଇଲା ବେଳକୁ "ରା-ଆ-ଆ-ହ"ରେ ଆଉ ସେ ଲହର ନାହିଁ ଯାହା ଥିଲା ଆଗର ଗାଇଥିବା ଗୀତରେ । କିନ୍ତୁ ଶୁଭୁଚି ଶ୍ରୋତାମାନଙ୍କୁ ସେ ଲହର । କୋହ ଉଠୁଚି ଶ୍ରୋତାଙ୍କର । ଆଗଭଳି ଗୋଟାଏ ଚିକ୍କଣ ଗଡ଼ାଣିରେ ଖସିଗଲା ପରି ସାଏଁକିନା ଖସିଯାଉନି ରେଶମାଙ୍କ କଣ୍ଠରେ ଚତୁର୍ଥ ଧାଡ଼ିର ଆରମ୍ଭ, "ୱେ ମେଁ ଚୋରୀ ଚୋରୀ" । ଗଳି ପଡ଼ୁଚି ଗୋଟେ ଅଧେ ଶବ୍ଦ । ତଥାପି ଶ୍ରୋତା ଶୁଣୁଚନ୍ତି, ଠିକ ପୂର୍ବପରି, କେମିତି ଗାଉଥିବା ମଣିଷଟି ନିଜର ବର୍ଣ୍ଣନା ଅଳ୍ପକେ କହିଦେଇ ପ୍ରେମୀ ପାଖକୁ ଧାଇଁଯାଉଚି ସେଇ ଧାଡ଼ିରେ ("ତେରେ ନାଲ୍...") । କୋଉଠୁ ଆସୁଚି ଉଚ୍ଚାରଣର ଅସ୍ପଷ୍ଟତାକୁ ଅତିକ୍ରମ କରିଯାଉଥିବା ଏ ଆକୁଳତା, ସବୁ ବ୍ୟାକରଣ ବାହାରେ ହାତ ପ୍ରସାରିତ କରି ଠିଆହେଇଥିବା ଭାବର ଏ ଅସାଧାରଣ ତୀବ୍ରତା ? ଖୋଜି ପାଇହୁଏ ନାହିଁ ୟାକୁ କୋଉଠି ବି । କିନ୍ତୁ ଯୋଉଆଡ଼େ ଗଲେ ବି ଶୁଭୁଥାଏ । କେବଳ କୋଟିକରେ ଗୋଟିଏ ରେଶମା ହିଁ ଅନୁଭବ କରିପାରେ ଯେ ଏ ଆକୁଳତା ଆସୁଚି ନିଜ ଭିତରୁ । କୋଟିକରେ କେବଳ ଗୋଟିଏ ରେଶମା ପାଖରେ ହିଁ ନିଜ କଣ୍ଠରେ ଏ ଆକୁଳତାକୁ ଧରିପକେଇ ଅନ୍ୟକୁ ଅବିକଳ ଶୁଣେଇପାରିବାର ଶକ୍ତି ଥାଏ ।