ଫଟୋ: କେଦାର ମିଶ୍ର

ଓଡିଆ ଭାଷାର ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ମର୍ଯ୍ୟାଦାଜନକ କୁଭେମ୍ପୁ ରାଷ୍ଟ୍ରୀୟ ପୁରସ୍କାର ୨୦୨୦ ପାଇବେ ବୋଲି ସୂଚନା ମିଳିଛି । କର୍ଣ୍ଣାଟକସ୍ଥିତ ରାଷ୍ଟ୍ରକବି କୁଭେମ୍ପୁ ପ୍ରତିଷ୍ଠାନ ପକ୍ଷରୁ ୨୦୧୩ ମସିହାରୁ ଜାତୀୟ ସ୍ତରର ଜଣେ ବିଶିଷ୍ଟ କବିଙ୍କୁ ସାହିତ୍ୟ ସାଧନା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି । କବି କୁଭେମ୍ପୁ ନାମରେ ପରିଚିତ ପ୍ରଖ୍ୟାତ କନ୍ନଡ କବି କେ. ଭି. ପୁଟ୍ଟାପ୍ପାଙ୍କ ଜନ୍ମସ୍ଥାନ କୁପ୍ଲାଲିଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ କବି ରାଜେନ୍ଦ୍ର କିଶୋରଙ୍କୁ ପୁରସ୍କାର ସ୍ବରୂପ ନଗଦ ପାଞ୍ଚ ଲକ୍ଷ ଟଙ୍କା ସମେତ ରୌପ୍ୟଫଳକ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ ।

ସାମ୍ପ୍ରତିକ ଓଡ଼ିଆ କବିତା କ୍ଷେତ୍ରରେ ରାଜେନ୍ଦ୍ର କିଶୋର ପଣ୍ଡା ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଆଧୁନିକ ଭାରତୀୟ ଭାଷାସାହିତ୍ୟ ବିଶେଷକରି କବିତାଜଗତକୁ ସମୃଦ୍ଧ କରିବାରେ ରାଜେନ୍ଦ୍ରଙ୍କ ସ୍ବକୀୟ ଅବଦାନ ରହିଛି । "ଶତଦ୍ରୁ ଅନେକ", "ଅନବତାର ଓ ଅନ୍ୟ ଅନ୍ୟ", "ଗୌଣଦେବତା", "ନିଜ ପାଇଁ ନାନାବାୟା", "ଚୌକାଠରେ ଚିରକାଳ", "ଶୈଳକଳ୍ପ", "ବହୁବ୍ରୀହି", "ଈଶଖେଳ", "ବୋଧିନଭ", "ବୈରାଗୀ ଭ୍ରମର", "ଦୁଜାନାରୀ", "ଦ୍ରୋହବାକ୍ୟ", "ଆପଣ ଅଛନ୍ତି", "ମଣିଷ ମଣିଷ", "ଅନ୍ୟା" ଆଦି ଶୀର୍ଷକରେ ତାଙ୍କର ୧୬ଟି କବିତା ପୁସ୍ତକ ପ୍ରକାଶ ପାଇଛି । "ଚିଦାଭାଷ" ଶୀର୍ଷକରେ ଆତ୍ମଜୀବନୀ ମୂଳକ ନିଆରା ଉପନ୍ୟାସ ପୁସ୍ତକ ରହିଛି । ତାଙ୍କର କବିତା ସମଗ୍ର "ସାଦାପୃଷ୍ଠା" ଦୁଇଟି ଭାଗରେ ପ୍ରକାଶ ପାଇଛି । ପୂର୍ବରୁ କବି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଭାରତୀୟ ଭାଷା ପରିଷଦ ପୁରସ୍କାର, ସିନିୟର ଫେଲୋସିପ୍‍, ଶାରଳା ପୁରସ୍କାର (ପ୍ରତ୍ୟାଖ୍ୟାନ), ସାହିତ୍ୟ ଭାରତୀ ସମ୍ମାନ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମ୍ମାନସୂଚନ ଡିଲିଟ୍‍ ଆଦି ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି ।

ଏହି ପୁରସ୍କାର ଓଡିଆ ଭାଷା ଓ ସାହିତ୍ୟ ପାଇଁ ଏକ ମହାର୍ଘ ସ୍ଵୀକୃତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହା ସହିତ ପୁରସ୍କାରର ଅର୍ଥରାଶିକୁ ସେ ଓଡିଆ ସାହିତ୍ୟର ଉନ୍ନତି କଳ୍ପେ ସାହିତ୍ୟ ଅନୁଷ୍ଠାନ "ବର୍ଣ୍ଣମାଳା" କୁ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।