ଫଟୋ - "ଶାୟରୀ ଝଙ୍କାର ନହିଁ" ର ପ୍ରଚ୍ଛଦରେ ସାରା

ସାରା ଶଗୁଫ୍ତା, ପାକିସ୍ତାନର ତରୁଣୀ କବି । ମାତ୍ର ୨୯ ବର୍ଷ ବୟସରେ ଆତ୍ମହତ୍ୟା କରିଥିବା ସାରା, କେବଳ ଉର୍ଦ୍ଦୁ କବିତା ନୁହଁ, ସାରା ଏସିଆର କବିତାରେ ଏକ ଆଗ୍ନେୟ ସ୍ଵର । ଜନ୍ମ: ଅକ୍ଟୋବର ୩୧, ୧୯୫୪, ମୃତ୍ୟୁ: ଜୁନ ୪, ୧୯୮୪ । ୨୯ ବର୍ଷର ଏକ ହାହାକାରମୟ ଜୀବନ । ତିନୋଟି ବିବାହ ଓ ବିଚ୍ଛେଦ । ଦେହ ଓ ମନରେ ପ୍ରଚଣ୍ଡ ଗୋଇଠାମାଡ । ସାରାଙ୍କ ଜୀବନ ଏକ ହାହାକାରର ରେଖା । ବଦନାମ, ଅପମାନ ଓ ଗରିବୀର ଏକ ଭୟାନକ କାହାଣୀ । ଜୀବନକାଳରେ ତାଙ୍କୁ ତାଙ୍କର କିଛି ସମକାଳୀନ ଭାରତୀୟ ଓ ପାକିସ୍ତାନୀ ଲେଖକ ଭଲ ପାଇଥିଲେ । ସେଇ ବନ୍ଧୁମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ, ଭାରତୀୟ ସାହିତ୍ୟର କିମ୍ବଦନ୍ତୀ ଲେଖିକା ଅମୃତା ପ୍ରୀତମ । ସାରାଙ୍କ ଜୀବନ ଓ କବିତାକୁ ନେଇ ଅମୃତା ଲେଖିଥିଲେ ଏକ ଚମତ୍କାର ବହି – “ଏକ୍ ଥି ସାରା” । ଅମୃତାଙ୍କୁ ଚିଠି ଲେଖିଲା ବେଳେ ସାରା ସବୁବେଳେ କହୁଥିଲେ, “ଅମୃତା ବାଜି, ମୁଁ ତମକୁ ମୋ ଜୀବନର ସବୁ ଆଲୁଅ ଦେଇଯାଉଛି” ।

ସାରାଙ୍କ କବିତା କେବଳ କବିତା ନୁହଁ, ଏହା ତାଙ୍କ ସମୟ ଓ ସମାଜର ଅନ୍ୟାୟ ବିରୋଧରେ ସବୁଠୁ ଶକ୍ତିଶାଳୀ ଦସ୍ତାବିଜ । ସେ କବିତାରେ ନିଜକୁ ନିଷ୍କପଟ ଭାବରେ ବ୍ୟକ୍ତ କରିଛନ୍ତି । ତାଙ୍କ କବିତା ଧାର୍ମିକ ମୌଳବାଦ ବିରୋଧରେ ଏସିଆର ସବୁଠୁ ଶକ୍ତିଶାଳୀ ସ୍ଵର । ସେମିତି ପୁରୁଷତନ୍ତ୍ର ଓ ତାର ଅହଙ୍କାରୀ କ୍ଷମତାତନ୍ତ୍ର ଉପରେ ମଧ୍ୟ ସେ କଡା ପ୍ରହାର କରିଛନ୍ତି । କବିତା ଯେ ଅସ୍ତ୍ର ଓ ଔଷଧ, ଦୁଇଟି ଯାକର କାମ କରିପାରେ, ଏ କଥା ସାରା ପ୍ରମାଣିତ କରିଛନ୍ତି । ତାଙ୍କ କବିତା ଏ ପୃଥିବୀର ସବୁଠୁ କରୁଣ, କିନ୍ତୁ ସବୁଠୁ ଶକ୍ତିଶାଳୀ ପ୍ରତିବାଦର ସ୍ଵର ।

ଆତ୍ମହତ୍ୟା କରିବାର କେଇ ଘଣ୍ଟା ଆଗରୁ ନିଜର ପୁରୁଷ ବନ୍ଧୁ ଶୟିଦଙ୍କୁ ଲେଖିଥିବା ଏକ ଚିଠିରେ ସାରା ଲେଖିଥିଲେ – “ମଣିଷର ସ୍ଵର କେବେହେଲେ ଲିଭିଯାଏ ନାଇଁ । ସ୍ଵର ନୀରବ ହୋଇଗଲା ପରେ ବି ତାକୁ ଲିଭେଇ ହୁଏନାହିଁ । ମୋର ଜୀବନ ନଥିଲେ ବି ମୁଁ ତୁମର ହୋଇ ରହିବି । ଆଜିଠୁ ମୁଁ ତମରି ସ୍ଵରରେ କଥା କହିବି । ମୋ ସ୍ଵରକୁ ତମେ ଇ ଲେଖିବ । ମୋର ଅକୁହା ସ୍ଵରକୁ ତମେ ଆଗାମୀ ଦିନରେ ଶବ୍ଦ ଦେବ । ଜାଣେ, କଲମ ଏବେ ଆଉ ମୋ ସାଙ୍ଗରେ ରହିବ ନାଇଁ “।

ମୃତ୍ୟୁର କେଇ ଦିନ ଆଗରୁ ସେ ନିଜର ପ୍ରିୟ ବନ୍ଧୁମାନଙ୍କୁ ଚିଠି ଲେଖି କହି ସାରିଥିଲେ ଯେ, ସେ ଏ ପୃଥିବୀରେ ବଞ୍ଚି ରହିବାକୁ ଅଯୋଗ୍ୟ । ଏତେ ତୀବ୍ର ପ୍ରତିବାଦ ନେଇ ଗୋଟେ ରକ୍ଷଣଶୀଳ ସମାଜରେ ସାରାଙ୍କ ବଞ୍ଚିବା ସମ୍ଭବ ନଥିଲା । ସେ ମାତ୍ର ୨୯ ବର୍ଷରେ ଚଳନ୍ତି ରେଳଗାଡି ଆଗରେ ଶୋଇପଡିଲେ । କବିର ରକ୍ତରେ ଲାଲ ହୋଇଗଲା ମାଟି ଓ ଲୁହାଧାରଣା । ସାରା ଶଗୁଫ୍ତାଙ୍କୁ ପାକିସ୍ତାନର ସବୁଠୁ ବଦନାମ ଲେଖିକା ବୋଲି ଯେଉଁ ଲେଖକମାନେ ନାକ ଟେକୁଥିଲେ, ସେଇମାନେ ପରବର୍ତ୍ତୀ ସମୟରେ ଏଇ ବଦନାମ ଝିଅର କବିତାକୁ ପୃଥିବୀର କବିତା ବୋଲି ସ୍ଵୀକାର କରିବାକୁ ବାଧ୍ୟ ହୋଇଥିଲେ ।

ସାରାଙ୍କ ପ୍ରେମ ଓ ପ୍ରତିବାଦର ଏଇ ପାଗଳ କବିତା ସବୁ ଆଜି ମଧ୍ୟ ପାଠକକୁ ବିବ୍ରତ କରିପକାଏ । ତାଙ୍କ କବିତା ଗୋଟେ ଅସ୍ଥିର ଘୂର୍ଣ୍ଣିର କବିତା । ମୁକ୍ତି ଓ ଜୀବନର ଏଇ ଅଥୟ କବିତା କିଛି ପଢିବା ଆସନ୍ତୁ ।

ନାରୀ ଓ ଲୁଣ

ଏମିତିରେ ନାରୀ ଲାଗି ଥାଏ କିସମ କିସମର ଇଜ୍ଜତ
କେବେ ଓଢଣା, କେବେ ଚଟକଣା, କେବେ ଗହମ ।

ମୋତେ ଇଜ୍ଜତର ତାବୁତରେ ବନ୍ଧା ଯାଇଛି
କଣ୍ଟା ବାଡେଇ,
କିଛି ବି ନୁହଁ ମୋର
ନା ଘର ନା ଫୁଟପାଥ
ଇଜ୍ଜତ ମୋ ଲାଗି ସମୟ ବିତେଇବାର ଏକ ବାହାନା
ଇଜ୍ଜତର ଧାରୁଆ କଲମରେ କଟାଯାଏ
ମୋ ଜୀବନରେଖା
ଇଜ୍ଜତ ଆରମ୍ଭ ହୁଏ ମୋ ଜିଭରୁ ।

ଗୋଟେ ରାତି କେହି ମୋ ଦେହର ଲୁଣ ଚାଖିଦେଲେ
ତା ପରଠୁ ମୁଁ ପାଲଟିଯାଏ
ସୁଆଦ ନଥିବା ବାସିରୋଟି ।
ଇଏ ଏମିତି ବଜାର
ଯେଉଁଠି ଚିତ୍ରକର ପାଖରେ କିଛି ବି ରଙ୍ଗ ନାଇଁ
ଶୂନ୍ୟ ପାପୁଲିରେ ଛିଣ୍ଡିପଡି ଲୋଟୁଛି ମୋର ଗୁଡି ।

ମୁଁ ଇଜ୍ଜତର ବନ୍ଦୀଶାଳାରେ ଛୁଆ ଜନ୍ମ କରେ
ମୋ ଛୁଆକୁ ବୈଧତା ଦେବାଲାଗି
ଦରକାର ହୁଏ ଗୋଟେ ବୈଧ ପରିଚୟ ।

ନାରୀ!! ତୁ ଏମିତି ଡରି ଡରି ଛୁଆ ଜନ୍ମକରୁ
ସେଥିଲାଗି ତୋର କୌଣସି ଉତ୍ତରାଧିକାର ନାଇଁ
ତୁ କେବଳ ଖଣ୍ଡେ ଦେହ
ତୋର ଅସ୍ତିତ୍ଵ ବି ଆଉ କାହାର ଷଡଯନ୍ତ୍ର ;
ଗୋଟେ ଚକ ଚକ ଛଳନା ।

ତୋ ଓଠରେ ସେମାନେ ସଜେଇ ଦେଇଛନ୍ତି
ଗୋଟେ ସୁନ୍ଦର ମିଛ ହସ
ତୁ ଏମିତି ଏକ ମା
ଯିଏ ଶହ ଶହ ବର୍ଷ ଧରି ନ କାନ୍ଦି ରହିଛି
ତୋର ଛୁଆମାନେ ବି
ଫିକା ଫିକା ଓ ସ୍ଵାଦହୀନ ।

ତୁ ଗୋଟେ ବିରାଟ ପରିବାରର ମା
ତୋର ଦେହ ଗୋଟେ ଚଳନ୍ତି ବନ୍ଦୀଶାଳା
ଇଟା କାନ୍ଥର ଘେର ଭିତରେ ଶ୍ଵାସରୁଦ୍ଧ ତୋର ଝିଅ
ଧର୍ଷଣ ଓ ପରାଧୀନତା ଭୋଗୁଥିବା ତୋର ଝିଅ
ନିଜ ରକ୍ତରେ ଭୋକ ଗୁନ୍ଥୁଥାଏ ତୋର ଝିଅ
ନିଜ ଦେହର ମାଂସ ଖାଇ ଭୋକ ମେଣ୍ଟାଏ ତୋର ଝିଅ ।

ଏ ତୋର କେଉଁ ଆଖି ମା ?
କାହାର ଘର ଇଏ ?
କିଏ ତୋ ପୁଅକୁ କହେ
ସାରା ସମୟର ସମ୍ପତ୍ତି ?

ନାରୀ !!
ଆଜି ତୋ ଝିଅ ତା’ ଝିଅକୁ କହୁଛି
ସେ ତା’ ଝିଅର ଜିଭରେ ଦାଗୁଛି ମୁକ୍ତିରେଖା
ରକ୍ତବାନ୍ତି କରୁଥିବା ନାରୀ ଲୁହାର ମଣିଷ ନୁହେଁ
ସେ ଚୁଡି ଚୋରଣୀ ନୁହେଁ
ମୋର ସାହସ ଇ ମୋର ଯୁଦ୍ଧଭୂମି
ରଡ ରଡ ଅଙ୍ଗାର ମୋର ଅଭିଳାଷ ।

ମୃତ୍ୟୁକୁ ମୁଣ୍ଡରେ ବାନ୍ଧି ଆମେ ଜନ୍ମ ନେଇଛୁ
ନାରୀ, ଖାଲି ହାତରେ ପିନ୍ଧିଥିବା ମୁଦି ନୁହଁ ଯେ
ତମେ ତାକୁ ଚୋରେଇ ନେଇଯିବ !!

ଶାଇଲି, ମୋ ଝିଅ ପାଇଁ କବିତା

ତୋତେ ଯେବେ ବି ଯିଏ ଦୁଃଖ ଦେଉ
ସେ ଦୁଃଖର ନାଁ ରଖିବୁ ଝିଅ
ଯେବେ ମୋର ଧଳା ବାଳ
ମୋ ଗାଲକୁ ଛୁଇଁ ମୋତେ ପରିହାସ କରିବ,
ତୁ ଟିକେ କାନ୍ଦିଦେବୁ ମୋ ପାଇଁ
ମୋର ସ୍ଵପ୍ନର ଦୁଃଖ ଉପରେ
ତୁ ଶୋଇଯିବୁ
ଏବେ ବି ଯେଉଁ କ୍ଷେତରେ ଗଜା ମେଲେଇ ନାଇଁ ବିହନ
ସେ କ୍ଷେତରେ ମୁଁ ଦେଖିପାରେ
ତୋର ଚିରିଯାଇଥିବା ବ୍ଳାଉଜ ।

ମୋର ପ୍ରଥମ ଡରର ନାଁ ଝିଅ
ମୋର ନିରନ୍ତର ଡରର ନାଁ ଝିଅ
ଗଛ ଭିତରେ ଲୁଚିରହିଥିବା ସୁନ୍ଦର ଆଖିପତା, ମୋର ଝିଅ
ମୋର ଜନ୍ମ ତୁ, ମୋର ଝିଅ
ଆଉ ତୋର ଜନ୍ମ ତୋର ଝିଅ ।

ଝିଅ ଲୋ
ତୋତେ ଗାଧୋଇଦେବାର ଇଚ୍ଛାରେ
ମୋର ଆଣ୍ଠୁଗଣ୍ଠିରୁ ବୋହିପଡୁଥାଏ ରକତ ।

ଦୁଇବୁନ୍ଦା ଶୋଷ ଏବଂ

ଭୋକର ଛୁଆଁରେ ସେ ଉଠେ
ଡାଳ ଭାଙ୍ଗିଯିବାର ସ୍ଵର
ତା ଭିତରେ
ଦୁଇ ବୁନ୍ଦା ଶୋଷ ଏବଂ
ହେ ଈଶ୍ଵର!! ଭୋକରେ କେତେ ସୁଆଦ ଖଞ୍ଜିଛ ତମେ !!

ମାଳୀ!
ଏ ଫୁଲ ମୋ ଖେଳଣାର ରଙ୍ଗ ପରି
ଆଉ ଏ ସୂର୍ଯ୍ୟମୁଖୀ ୟାକୁ ତ ମୁଁ ରୋଇଛି ମୋର ବାଳରେ
ମୋ ଜୋତା କଳା ରଙ୍ଗର ଗୋଲାପ ପରି
ଆଉ ଏ ଧଳାଫୁଲ
ୟାର ରଙ୍ଗ ମୋର ଭୋକିଲା ଆଖିରେ ରୋଟି ପରି ।

ମୂଳ ଉର୍ଦ୍ଦୁ - ସାରା ଶଗୁଫ୍ତା
ମର୍ମାନୁବାଦ - କେଦାର ମିଶ୍ର